ପକୁଡ଼ି ବିକିବା ଭଲ: ବିଜେପି

News Story - Posted on 2018-02-05

ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ବିତର୍କରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । କଂଗ୍ରେସ ନେତା ଚିଦାମ୍ବରମଙ୍କୁ ସମାଲୋଚନା କରି ବେକାର ରହିବା ଅପେକ୍ଷା ପକୁଡ଼ି ବିକିବା ଭଲ ବୋଲି ବିଜେପି ସଭାପତି ଅମିତ ଶାହା ମନ୍ତବ୍ୟ ଦେବା ପରେ କଂଗ୍ରେସର ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଏ ସରକାର ଗେମ୍-ଚେଞ୍ଜର ନୁହେଁ, ନେମ୍-ଚେଞ୍ଜର ।

 

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆରମ୍ଭ ହୋଇଥିବା ବିତର୍କରେ ଭାଗ ନେଇ ରାଜ୍ୟସଭାରେ କଂଗ୍ରେସ ସଦସ୍ୟ ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଏ ସରକାର ଗେମ୍-ଚେଞ୍ଜର ହେବାର ପ୍ରତିଶ୍ରୁତି ଦେଇ ନିର୍ବାଚିତ ହୋଇଥିଲେ । କିନ୍ତୁ ଦେଖିଲାବେଳକୁ ଏହା କେବଳ ନେମ୍-ଚେଞ୍ଜରରେ ପରିଣତ ହୋଇଛି । ୧୯୮୫ ମସିହାରୁ କଂଗ୍ରେସ ସରକାର ପ୍ରଚଳନ କରି ଆସିଥିବା ଅନେକ ଯୋଜନା ଓ କାର୍ଯ୍ୟକ୍ରମର ନାମ ବଦଳାଇବା ବ୍ୟତିତ ଏ ସରକାର ଅଧିକ କିଛି କଲ୍ୟାଣକାରୀ କାର୍ଯ୍ୟ କରି ନାହାନ୍ତି ।

 

ଷ୍ଟାର୍ଟ ଅପ୍ ଇଣ୍ଡିଆ ଓ ସ୍କିଲ ଇଣ୍ଡିଆ ଭଳି ଶବ୍ଦର ଖେଳ ଜରିଆରେ ଗୋଟିଏ ବି ନିଯୁକ୍ତି ସୁଯୋଗ ସୃଷ୍ଟି ନକରିବା ଏ ସରକାରର ଏକ ରେକର୍ଡ଼ ବୋଲି କଟାକ୍ଷ କରି ଆଜାଦ କହିଛନ୍ତି ଯେ ଦରବୃଦ୍ଧି ନିୟନ୍ତ୍ରଣ କରିବାରେ ମୋଦି ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି । ଉପା ସରକାର ଅମଳରେ ଯେଉଁ ଗ୍ୟାସ ସିଲିଣ୍ଡରର ଦାମ ୩୫୦ ଟଙ୍କା ଥିଲା ତାହା ଏବେ ୮୦୦ ଟଙ୍କାରେ ପହଂଚିଛି । ଖାଦ୍ୟଶସ୍ୟ, ଡାଲି ଓ ପରିବା ଦର ୩୦୦ ପ୍ରତିଶତ ବୃଦ୍ଧି ପାଇଛି । ଜାମ୍ମୁକାଶ୍ମୀର ପ୍ରସଙ୍ଗରେ ବିରୋଧୀଙ୍କ ସମେତ ସମସ୍ତ ରାଜନୀତିକ ଦଳ ସରକାରଙ୍କୁ ସମର୍ଥନ କରୁଥିଲେ ବି ସେଠାରେ ପରିସ୍ଥିତି ଗତ ୭୦ ବର୍ଷକୁ ବଳିଗଲାଣି । ଏନଡିଏ ସରକାର ଅମଳରେ କାଶ୍ମୀରରେ ପାକିସ୍ତାନର ଯୁଦ୍ଧ ବିରତି ଉଲ୍ଲଙ୍ଘନ ଏବଂ ଯବାନଙ୍କ ମୃତ୍ୟୁ ରେକର୍ଡ଼ କଲାଣି ।

 

ପୂର୍ବରୁ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଲୋଚନା ଆରମ୍ଭ କରି ବିଜେପି ସଭାପତି ଅମିତ ଶାହା ରାଜ୍ୟସଭାରେ ତାଙ୍କର ପ୍ରଥମ ବକ୍ତବ୍ୟ ପ୍ରଦାନ କରିଥିଲେ । କଂଗ୍ରେସ ନେତା ପି. ଚିଦାମ୍ବରମ ପୂର୍ବରୁ ଦେଇଥିବା ଏକ ମନ୍ତବ୍ୟକୁ ସମାଲୋଚନା କରି ସେ କହିଥିଲେ ଯେ ବେକାର ରହିବା ଅପେକ୍ଷା ପକୁଡ଼ି ବିକିବା ଭଲ । କେଇ ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦି ଏକ ସାକ୍ଷାତକାରରେ କହିଥିଲେ ଯେ ପକୁଡ଼ି ବିକିବା ବି ଏକ ପ୍ରକାର ନିଯୁକ୍ତି । ତାଙ୍କର ଏହି ବୟାନକୁ ସମାଲୋଚନା କରି ପୂର୍ବତନ ଅର୍ଥମନ୍ତ୍ରୀ ଚିଦାମ୍ବରମ କହିଥିଲେ ଯେ ପକୁଡ଼ି ବିକିବା ଯଦି ନିଯୁକ୍ତି ତେବେ ଭିକ ମାଗିବା ବି ଏକ ନିଯୁକ୍ତି । ସେ କହିଥିଲେ ଯେ କଂଗ୍ରେସର ୫୫ ବର୍ଷର ଶାସନ କାଳ ଭିତରେ ବେକାରୀ ସମସ୍ୟା ଏତେ ଉକ୍ରଟ ହୋଇଯାଇଛି ଯେ ଏନଡିଏ ସରକାର ୮ ବର୍ଷ ଲାଗିଲେ ମଧ୍ୟ ତାହାର ସମାଧାନ ହୋଇପାରିବ ନାହିଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top