ମାଳଦ୍ୱୀପରେ ଜରୁରୀ ପରିସ୍ଥିତି

News Story - Posted on 2018-02-05

ପଦ ବଂଚାଇବାକୁ ମାଳଦ୍ୱୀପରେ ଜରୁରୀ ପରିସ୍ଥିତି ଜାରି କରିଛନ୍ତି ରାଷ୍ଟ୍ରପତି ଅବ୍ଦୁଲ୍ଲା ୟାମିନ । ଏହା ଘୋଷଣା କରିଛନ୍ତି ତାଙ୍କର ଘନିଷ୍ଠ ସହଯୋଗୀ ଅଜିମା ସୁକୁରୋନ । ପନ୍ଦର ଦିନ ପାଇଁ ଏହି ଦ୍ୱୀପ ଦେଶରେ ଜରୁରୀ ପରିସ୍ଥିତି ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ନାଗରିକମାନଙ୍କର ସାମ୍ବିଧାନିକ ଅଧିକାର ନିଲମ୍ବିତ ରହିବ । ସେନା ଓ ପୁଲିସ ଯାହାକୁ ପାର ତାଙ୍କୁ ଗିରଫ କରିପାରିବେ ।

 

୨୦୧୩ ମସିହାରୁ ମାଳଦ୍ୱୀପରେ ଏକଛତ୍ରବାଦୀ ଶାସନ ଚଳାଇଥିବା ୟାମିନଙ୍କୁ ଏବେ ପଦ ହରାଇବାର ଭୟ । ତାଙ୍କ ଚାପରେ ସୁପ୍ରିମ କୋର୍ଟ ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦଙ୍କୁ ଆତଙ୍କବାଦୀ ଘୋଷଣା କରି ୧୩ ବର୍ଷ କାରାବାସ ଦଣ୍ଡ ଦେଇଥିଲେ । ସେ କିନ୍ତୁ ରାଜନୀତିକ ଆଶ୍ରୟ ପାଇ ଏବେ ଇଂଲଣ୍ଡରେ ରହୁଛନ୍ତି । କିନ୍ତୁ ମିଳିତ ଜାତିସଂଘର ଅନୁଧ୍ୟାନ ପରେ ବର୍ତ୍ତମାନର ସୁପ୍ରିମ କୋର୍ଟ ନଶୀଦ ଓ ଅନ୍ୟ ୧୨ ଜଣ ରାଜନୀତିକ ବନ୍ଦୀଙ୍କୁ ଦୋଷମୁକ୍ତ କରିବା ସହିତ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ରାୟ ଦେଇଛନ୍ତି । ଏହି ରାୟକୁ ଦେଶର ସଂଖ୍ୟାଧିକ ଜନତା ସମର୍ଥନ କରିଛନ୍ତି । କାରଣ ମହମ୍ମଦ ନଶୀଦ ଥିଲେ ମାଳଦ୍ୱୀପର ପ୍ରଥମ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ରାଷ୍ଟ୍ରପତି ।

 

ଅଥଚ ସୁପ୍ରିମ କୋର୍ଟଙ୍କ ରାୟକୁ ଏକଛତ୍ରବାଦୀ ରାଷ୍ଟ୍ରପତି ୟାମିନ ମାନିବାକୁ ନାରାଜ । ସେ ନଶୀଦଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପାଇଁ ଅନୁମତି ଦେଉ ନାହାନ୍ତି । ଏହାକୁ ଲୋକେ ବିରୋଧ କରୁଛନ୍ତି । ଇତିମଧ୍ୟରେ ତାଙ୍କ ଦଳର ୧୨ ଜଣ ସାଂସଦ ବିରୋଧୀ ପକ୍ଷରେ ଯୋଗଦେଇ ସଂସଦରେ ୟାମିନଙ୍କୁ ସଂଖ୍ୟାନ୍ୟୁନ କରିଦେଇଛନ୍ତି । ସଂସଦ ଅଧିବେଶନ ଆରମ୍ଭ ହେଲେ ସଂଖ୍ୟାଧିକ ସାଂସଦ ରାଷ୍ଟ୍ରପତିଙ୍କୁ ବହିଷ୍କାର କରିପାରନ୍ତି । ଏହି ଆଶଙ୍କାରେ ଆଜି ଆରମ୍ଭ ହେବାକୁ ଥିବା ସଂସଦୀୟ ଅଧିବେଶନକୁ ଅନିର୍ଦ୍ଦିଷ୍ଟ ପାଇଁ ବାତିଲ କରିଦିଆଯାଇଛି ।

 

ସୁପ୍ରିମ କୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ରାଷ୍ଟ୍ରପତି ୟାମିନ ଏହା ରାଷ୍ଟ୍ରର କ୍ଷମତାରେ କୋର୍ଟର ଅନୁପ୍ରବେଶ ବୋଲି ଅଭିଯୋଗ କରିଛନ୍ତି । ଏ ସଂକ୍ରାନ୍ତରେ ସେ ଏକ ଚିଠି ଲେଖିଛନ୍ତି । ସୁପ୍ରିମ କୋର୍ଟଙ୍କର ଏହି ରାୟ ଦେଶର ନିରାପତ୍ତା ଓ ଜନତାଙ୍କ ସ୍ୱାର୍ଥ ବିରୋଧୀ ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ କୋର୍ଟ ସରକାରଙ୍କ ଯୁକ୍ତିର ବିଚାର କରନ୍ତୁ ବୋଲି ସେ ଦାବି କରିଛନ୍ତି ।

 

ଅନ୍ୟପକ୍ଷରେ ରାଷ୍ଟ୍ରପତି ୟାମିନଙ୍କର ଏପ୍ରକାର ଏକଛତ୍ରବାଦକୁ ମାଳଦ୍ୱୀପର ଜନତା ସହଜରେ ଗ୍ରହଣ କରି ନାହାନ୍ତି । ଦେଶର ବିଭିନ୍ନ ସହରରେ ଶହଶହ ଲୋକ ରାସ୍ତାକୁ ଓହ୍ଲାଇ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି । ଲୋକଙ୍କୁ ଦମନ କରିବା ପାଇଁ ସରକାର ବିଭିନ୍ନ ସ୍ଥାନରେ ସେନା ଓ ପୁଲିସ ମୁତୟନ କରିଛନ୍ତି ।

 

ମାଳଦ୍ୱୀପର ଏହି ପରିସ୍ଥିତିରେ ଉଦବେଗ ପ୍ରକାଶ କରିଛି ଭାରତ । ମାଳଦ୍ୱୀପରେ ଥିôବା ଭାରତୀୟ ନାଗରିକଙ୍କୁ ସତର୍କ ରହିବାକୁ ଓ ବର୍ତ୍ତମାନ ପରିସ୍ଥିତିରେ ସେଭଳି କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନଥିଲେ ମାଳଦ୍ୱୀପ ଗସ୍ତ ନକରିବାକୁ ବିଦେଶ ବ୍ୟାପାର ବିଭାଗ ଉପଦେଶ ଜାରି କରିଛନ୍ତି । ସୁପ୍ରିମ କୋର୍ଟଙ୍କ ଆଦେଶ କାର୍ଯ୍ୟକାରୀ କରିବାକୁ ମଧ୍ୟ ଭାରତ ସରକାର ମାଳଦ୍ୱୀପ ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ଆମେରିକା ମଧ୍ୟ ଏହି ଏହି ମତ ଦେଇଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top