ଡେଙ୍ଗା ଲୋକର ଗେଡ଼ା ଦାୟାଦ!

News Story - Posted on 2018-02-05

ବିଜୁବାବୁ ଦ୍ୱିତୀୟ ଦଫା ମୁଖ୍ୟମନ୍ତ୍ରୀ ଥିଲାବେଳେ ସଚିବାଳୟ ଭିତରେ ସରକାରୀ କର୍ମଚାରୀମାନେ ତାଙ୍କୁ ଢେଲାପଥର ମାରିଲେ । ସେ ମାଡ଼ରେ ତାଙ୍କ ପାଖରେ ଥିବା କେତେ ଜଣ ସାମ୍ବାଦିକ ଆହତ ହେଲେ । ବିଜୁବାବୁ ଚାହିଁଥିଲେ ସେହି ଉତ୍ତ୍ୟକ୍ତ କର୍ମଚାରୀଙ୍କ ବିରୋଧରେ ପୁଲିସରେ ଏତଲା ଦେଇପାରିଥାନ୍ତେ । ସେମାନଙ୍କ ବିରୋଧରେ ୩୦୭ ଦଫା ଲଗାଇ ପାରିଥାନ୍ତେ । କିନ୍ତୁ ସେ ତାହା କଲେ ନାହିଁ । କାରଣ ସେ ଜାଣିଥିଲେ ସତରେ କର୍ମଚାରୀମାନେ ତାଙ୍କୁ ହତ୍ୟା କରିବା ପାଇଁ ଢେଲା ମାରି ନଥିଲେ । ସେମାନେ ସେମାନଙ୍କର ଅସନ୍ତୋଷ ବ୍ୟକ୍ତ କରିବାକୁ ପ୍ରତିବାଦ କରୁଥିଲେ । ଯଦିଓ ଢେଲା ମାରିବା ଏକ ଅପରାଧ ।

 

ବିଜୁବାବୁଙ୍କ ଜୀବନରେ ଏପରି ଘଟଣା ନୂଆ ନଥିଲା । ପୂର୍ବରୁ ମଧ୍ୟ ତାଙ୍କୁ କେତେ ଥର ଏପରି ଆକ୍ରୋଶର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବାଣୀ ବିହାରରେ ଉତ୍ତ୍ୟକ୍ତ ଛାତ୍ରମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ । କଳାହାଣ୍ଡିରେ ତାଙ୍କୁ ଟେକାମାଡ଼ ହୋଇଥିଲା । କେନ୍ଦ୍ରାପଡ଼ାରେ ବି ସେ ଢେଲାମାଡ଼ ଭୋଗିଥିଲେ । କିନ୍ତୁ କୌଣସି ଘଟଣାରେ କାହାରି ବିରୋଧରେ ରାଜ୍ୟ ପୁଲିସ ୩୦୭ ଦଫା ଲଗେଇ ନଥିଲା ।

 

ବିଜୁବାବୁ ସମସ୍ତଙ୍କୁ କ୍ଷମା କରି ଦେଇଥିଲେ । କାରଣ ସେ ଜାଣିଥିଲେ, ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ । ସେମାନେ ଯେପରି ଭୋଟ ଦେଇ ପ୍ରତିନିଧି ଚୟନ କରିବାର ଅଧିକାର ପାଇଛନ୍ତି ସେହିପରି ପ୍ରତିନିଧିମାନେ ଲୋକଙ୍କ କାମ ନକଲେ ସେମାନେ ତାହାର ପ୍ରତିବାଦ କରିବାର ଅଧିକାର ବି ପାଇଛନ୍ତି । ଗଣତନ୍ତ୍ରରେ ଜନତା ହେଉଛନ୍ତି ମାଲିକ । ନେତା ବା ଜନ ପ୍ରତିନିଧି ହେଉଛନ୍ତି ଲୋକଙ୍କର ସେବକ । କେବଳ ଜନ ପ୍ରତିନିଧିମାନେ ନୁହନ୍ତି, ସରକାରୀ କର୍ମଚାରୀମାନେ ମଧ୍ୟ ସାଧାରଣ ଜନତାର ସେବା ପାଇଁ ନିଯୁକ୍ତ ହୋଇଛନ୍ତି ଓ ଲୋକେ ଦେଉଥିବା ଟିକସ ଅର୍ଥରୁ ବେତନ ପାଉଛନ୍ତି ।

 

ସେହି ବିଜୁବାବୁଙ୍କ ନାମରେ ଗଠିତ ହୋଇଛି ବିଜୁ ଜନତା ଦଳ । ଏହି ଦଳର ପ୍ରତିଷ୍ଠାତା ଓ ସଦସ୍ୟମାନେ ୨୦ ବର୍ଷ କହି ଆସୁଛନ୍ତି ଯେ ସେମାନେ ବିଜୁବାବୁଙ୍କ ନୀତି ଓ ଆଦର୍ଶ ଅନୁସାରେ କାମ କରୁଛନ୍ତି, ତାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବାକୁ ରାଜନୀତି କରୁଛନ୍ତି । ତେବେ ଜଳେଶ୍ୱର ତଳସାରୀରେ ବିଜୁବାବୁଙ୍କ ପୁଅ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଂଚ ଉପରକୁ ଅଣ୍ଡା ଫୋଫାଡ଼ିଥିବା ମହିଳାଙ୍କ ବିରୋଧରେ ୩୦୭ ଦଫା ଲଗେଇବା କ’ଣ ବିଜୁବାବୁଙ୍କ ନୀତି ଓ ଆଦର୍ଶ? ବିଜୁ ଜନତା ଦଳର ନେତା ଓ କର୍ମୀମାନେ କ’ଣ ବିଜୁବାବୁଙ୍କ ବିଷୟରେ ଏଇଆ ବୁଝିଛନ୍ତି?

 

ବିଜୁବାବୁ କ’ଣ କହିଥିଲେ ଶାସକ ଓ ପ୍ରଶାସକଙ୍କ ଭୋକ ମେଣ୍ଟେଇବା ପାଇଁ ଦରକାର ହେଉଥିବା ରାଜସ୍ୱ ବୃଦ୍ଧି କରିବାକୁ ରାଜ୍ୟ ସାରା ମଦ ଦୋକାନ ଖୋଲିବାକୁ? ସେ ପରା ଦ୍ୱିତୀୟ ଦଫା ମୁଖ୍ୟମନ୍ତ୍ରୀ ହେବା ପରେ ପରେ ରାଜ୍ୟ ସରକାର ରାଜ୍ୟରେ ମଦ ବିକ୍ରି ନିଷିଦ୍ଧ କରିଥିଲେ! ବିଜୁ ଜନତା ଦଳର ନେତା ଓ କର୍ମୀମାନେ ତାଙ୍କର ଏହି ଆଦର୍ଶକୁ କେବେ କାର୍ଯ୍ୟକାରୀ କରିବେ?

 

ଆଦିବାସୀ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ରୋକିବା ପାଇଁ ସେ ସେମାନଙ୍କୁ ପୁଲିସ କ୍ଷମତା ଦେଇଥିଲେ । କେତେ ଜଣ ଆଦିବାସୀ ମହିଳାଙ୍କୁ ଆଣି ନିଜର ଉପଦେଷ୍ଟା ପଦରେ ନିଯୁକ୍ତ କରିଥିଲେ । ଏ ନୀତି ଓ ଆଦର୍ଶ ତାଙ୍କର କୁଆଡ଼େ ଗଲା? ଏବେ କେତେ ବିଜୁଭକ୍ତ ସେହି ଆଦର୍ଶର ପ୍ରବକ୍ତା ସାଜିଛନ୍ତି? କୁନ୍ଦୁଲି କନ୍ୟାର ଧର୍ଷଣ ଅଭିଯୋଗକୁ ମିଛ ସାବିତ କରିବା ପାଇଁ ତା’ ପରିବାର ଉପରେ ପୁଲିସ ଲଗାଇ ଅତ୍ୟାଚାର କରିବା ଓ ସେମାନଙ୍କୁ ନାନାଦି ଧମକ ଦେବା ବିଜୁ ପଟ୍ଟନାୟକଙ୍କ ଆଦର୍ଶର କେତେ ନମ୍ବର ଦଫା?

 

ବିଜୁବାବୁ ରାଜ୍ୟର ଶ୍ରମିକମାନଙ୍କୁ ଆର୍ôଥକ ଭାବେ ସଶକ୍ତ କରିବା ପାଇଁ ସେମାନଙ୍କ ସର୍ବନିମ୍ନ ମଜୁରୀ ବୃଦ୍ଧି କରିଥିଲେ । ଏକାଥରକେ ୧୧ ଟଙ୍କାର ସର୍ବନିମ୍ନ ମଜୁରୀକୁ ୨୫ ଟଙ୍କା କରିଦେଇଥିଲେ । କିନ୍ତୁ ବିଜୁବାବୁଙ୍କ ନାଁରେ ଗଢ଼ା ଯାଇଥିବା ଦଳର ସରକାର ୧୮ ବର୍ଷ ଧରି ଶାସନ କ୍ଷମତାରେ ଥିଲେ ବି କେତେ ଥର ଶ୍ରମିକମାନଙ୍କ ମଜୁରୀ ବୃଦ୍ଧି କଲେଣି? ତାହା କେଉଁ ହାରରେ? ଆଉ କେତେ ଥର ସରକାରୀ କର୍ମଚାରୀମାନଙ୍କର ଦରମା ଓ ଭତ୍ତା ବୃଦ୍ଧି କଲେଣି? କୁଆଡ଼େ ଗଲା ବିଜୁବାବୁଙ୍କ ନୀତି ଓ ଆଦର୍ଶ?

 

ବିଜୁବାବୁ ମହିଳା ସଶକ୍ତିକରଣ ପାଇଁ ବିବାହ ଉତ୍ସବାଦିରେ ହେଉଥିବା ବାଜ୍ୟେ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଜାରି କରିଥିଲେ । ବାହାଘର ଖର୍ଚ୍ଚ ସେତେବେଳକାର ହିସାବ ଅନୁସାରେ ୨୫ ହଜାର ଟଙ୍କା ଭିତରେ ସୀମୀତ ରଖିବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଥିଲେ । ବିଜୁ ଜନତା ଦଳର କେତେ ଜଣ ନେତା ବିଜୁବାବୁଙ୍କର ଏହି ନୀତି ଓ ଆଦର୍ଶ ପାଳନ କରୁଛନ୍ତି? ସେମାନଙ୍କ ଝିଅପୁଅ ବାହାଘରର ସାଜସଜା ଦେଖି କେହି କ’ଣ କହିବେ ଏହି ଆଡ଼ମ୍ବର, ଯାନିଯୌତୁକ ଓ ଉପହାର ସବୁ ବିଜୁବାବୁଙ୍କ ସ୍ୱପ୍ନର ସନ୍ଦେଶ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top