ମାଳଦ୍ୱୀପରେ ସାମ୍ବିଧାନିକ ସଂକଟ

News Story - Posted on 2018-02-04

ଭାରତ ମହାସାଗରୀୟ ଦ୍ୱୀପଦେଶ ମାଳଦ୍ୱୀପରେ ସୃଷ୍ଟି ହୋଇଛି ସାମ୍ବିଧାନିକ ସଂକଟ । ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦଙ୍କୁ ସୁପ୍ରିମ କୋର୍ଟ ଦୋଷମୁକ୍ତ କରିବା ପରେ ବର୍ତ୍ତମାନର ରାଷ୍ଟ୍ରପତି ଅବ୍ଦୁଲ୍ଲା ୟାମିନଙ୍କ ପଦ ପ୍ରତି ସାମ୍ବିଧାନିକ ବିପଦ ସୃଷ୍ଟି ହୋଇଛି । ମାଳଦ୍ୱୀପ ସୁପ୍ରିମ କୋର୍ଟଙ୍କ ରାୟ ପରେ ରାଷ୍ଟ୍ରପତି ତୁରନ୍ତ ଇସ୍ତଫା ଦେବାକୁ ବିରୋଧୀ ଦଳଗୁଡ଼ିକ ଦାବି କରିବା ସହିତ ରାସ୍ତାକୁ ଓହ୍ଲାଇଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ମାଳଦ୍ୱୀପ ସେନା ସଂସଦକୁ ଚାରି ପଟୁ ଘେରିଯାଇଛି । ସଂସଦର ଅଧିବେଶନ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ ହୋଇଯାଇଛି ।

 

ମାଳଦ୍ୱୀପର ପ୍ରଥମ ଗଣତାନ୍ତ୍ରିକ ପଦ୍ଧତିରେ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ନଶୀଦଙ୍କୁ ପ୍ରଥମେ ସାମରିକ ବିଦ୍ରୋହ ଜରିଆରେ ଗାଦିଚ୍ୟୁତ କରାଯାଇଥିଲା । ପରେ ତାଙ୍କ ବିରୋଧରେ ଆତଙ୍କବାଦ ଅଭିଯୋଗ ଆଣି ସୁପ୍ରିମ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ସୁପ୍ରିମ କୋର୍ଟ ତାଙ୍କୁ ୧୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ସେ ଇଂଲଣ୍ଡ ସରକାରଙ୍କଠାରୁ ରାଜନୀତିକ ଆଶ୍ରୟ ପାଇ ଦେଶ ଛାଡ଼ି ଚାଲିଯାଇଛନ୍ତି । ଏବେ ସେହି ପୁରୁଣା ମାମଲାର ବିଚାର କରି ମାଳଦ୍ୱୀପ ସୁପ୍ରିମ କୋର୍ଟ କହିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ ଓ ତାଙ୍କର ସହଯୋଗୀମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ରାୟ ସରକାରଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲା । ସେମାନେ ଦୋଷମୁକ୍ତ । ସେମାନଙ୍କୁ ତୁରନ୍ତ କାରାଗାରରୁ ମୁକ୍ତ କରିବା ପାଇଁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

 

ଏଇ ସପ୍ତାହ ପ୍ରାରମ୍ଭରେ ସୁପ୍ରିମ କୋର୍ଟ ଏହି ରାୟ ଶୁଣାଇବା ପରେ ଦେଶରେ ବିରୋଧୀ ଦଳଗୁଡ଼ିକ ସକ୍ରିୟ ହୋଇଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଅବ୍ଦୁଲ୍ଲା ୟାମିନ ସୁପ୍ରିମ କୋର୍ଟଙ୍କ ରାୟକୁ କାର୍ଯ୍ୟକାରୀ କରି ନାହାନ୍ତି । ଏହାର ପ୍ରତିବାଦରେ ଦେଶବ୍ୟାପୀ ସରକାର ବିରୋଧୀ ଆନ୍ଦୋଳନ ଆୟୋଜିତ ହୋଇଛି ।

 

ଏହି ପରିସ୍ଥିତିରେ ଆସନ୍ତାକାଲି ଅର୍ଥାତ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ମାଳଦ୍ୱୀପ ସଂସଦର ଅଧିବେଶନକୁ ନିରାପତ୍ତା କାରଣ ଦର୍ଶାଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରିଦିଆଯାଇଛି । ସଂସଦୀୟ ମହାସଚିବ ଅହମଦ ମହମ୍ମଦ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ତେବେ ସେ ତାଙ୍କ ଇସ୍ତଫାର କାରଣ ଦର୍ଶାଇ ନାହାନ୍ତି । ବିଶେଷଜ୍ଞଙ୍କ ମତରେ ସରକାର ତାଙ୍କୁ ଇସ୍ତଫା ଦେବା ପାଇଁ ଚାପ ପକାଇଥିଲେ । ସଂସଦୀୟ ମହାସଚିବ ପଦରେ କେହି ନରହିଲେ ସଂସଦର ଅଧିବେଶନ ଡକାଯାଇ ପାରିବ ନାହିଁ ।

 

ଇତିମଧ୍ୟରେ ସରକାରୀ ଦଳ ତ୍ୟାଗ କରି ବିରୋଧୀ ଦଳରେ ସାମିଲ ହୋଇଥିବା ୧୨ ଜଣ ସାଂସଦ ଆଜି ସଂସଦ ଭିତରେ ପ୍ରବେଶ କରିଛନ୍ତି । ସେମାନେ ବିରୋଧୀ ଦଳରେ ଯୋଗଦେବା ପରେ ସରକାରଙ୍କ ଚାପରେ ସୁପ୍ରିମ କୋର୍ଟ ସେମାନଙ୍କ ସଭ୍ୟପଦ ରଦ୍ଦ କରିଦେଇଥିଲେ । କିନ୍ତୁ ଏବେ ପୁଣି ଥରେ ସୁପ୍ରିମ କୋର୍ଟଙ୍କ ରାୟ ଯୋଗୁଁ ସେମାନେ ସଭ୍ୟପଦ ଫେରି ପାଇଛନ୍ତି । ଏହା ଫଳରେ ୮୫ ସଦସ୍ୟ ବିଶିଷ୍ଟ ସଂସଦରେ ରାଷ୍ଟ୍ରପତି ଅବ୍ଦୁଲ୍ଲା ୟାମିନଙ୍କ ଦଳ ସଂଖ୍ୟାନ୍ୟୁନ ହୋଇଯାଇଛି । ସଂସଦୀୟ ଅଧିବେଶନ ଆରମ୍ଭ ହେଲେ ରାଷ୍ଟ୍ରପତିଙ୍କ ବିରୋଧରେ ସଂଖ୍ୟାଧିକ ସାଂସଦ ଭୋଟ ଦେଇ ତାଙ୍କୁ ବହିଷ୍କାର କରିବାର ଆଶଙ୍କା ରହିଛି । ସେହି କାରଣରୁ ଅଧିବେଶନକୁ ବାତିଲ କରିଦିଆଯାଇଛି ।

 

ଏହି ପରିସ୍ଥିତିରେ ସେନା ବାହିନୀ ସଂସଦକୁ ଚାରିପଟୁ ଘେରି ଯାଇଛି । ଦେଶର ଆଟର୍ଣ୍ଣି ଜେନେରାଲ ମହମ୍ମଦ ଅନିଲ ସେନାମୁଖ୍ୟ ଓ ପୁଲିସ ମୁଖ୍ୟଙ୍କୁ ସାଙ୍ଗରେ ବସାଇ ରାଷ୍ଟ୍ରପତିଙ୍କୁ ବହିଷ୍କାର କରାଯିବା ସମ୍ଭାବନା ବିରୋଧରେ ଚେତାବନୀ ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ ଗିରଫ କରିବାକୁ ଏବଂ ତାଙ୍କୁ ପଦରୁ ବହିଷ୍କାର କରିବାକୁ ସୁପ୍ରିମ କୋର୍ଟ ଆଦେଶ ଦେଇପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି । ସୁପ୍ରିମ କୋର୍ଟଙ୍କ ଆଦେଶକୁ କାର୍ଯ୍ୟକାରୀ ନକରିବା ପାଇଁ ସେ ସାମରିକ ବାହିନୀ ଓ ପୁଲିସ ବାହିନୀକୁ ଆହ୍ୱାନ ଦେଇଛନ୍ତି ।

 

ଅନ୍ୟପକ୍ଷରେ ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନଶୀଦ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଦୋଷମୁକ୍ତ ହେବା ପରେ ଇଂଲଣ୍ଡରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଘୋଷଣା କରିଛନ୍ତି । ସେ ମାଳଦ୍ୱୀପର ସର୍ବାଧିକ ଲୋକପ୍ରିୟ ନେତା । ସେ ଗଣତାନ୍ତ୍ରିକ ପଦ୍ଧତିରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । କିନ୍ତୁ ଉପରାଷ୍ଟ୍ରପତି ସାମରିକ ବାହିନୀକୁ ପ୍ରଭାବିତ କରି ତାଙ୍କଠାରୁ ଜୋର ଜବରଦସ୍ତ ଇସ୍ତଫାପତ୍ର ଲେଖାଇ ନିଆଯାଇଥିଲା । ପରେ ତାଙ୍କ ବିରୋଧରେ ଆତଙ୍କବାଦ ଅଭିଯୋଗ ଆଣି ସୁପ୍ରିମ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ମିଳିତ ଜାତିସଂଘ ନଶୀଦଙ୍କୁ ନିର୍ଦ୍ଦୋଷ ଘୋଷଣା କରିବା ପରେ ମାଳଦ୍ୱୀପ ସୁପ୍ରିମ କୋର୍ଟ ଏବେ ତାଙ୍କର ପୂର୍ବ ରାୟକୁ ରଦ୍ଦ କରିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top