ବଜେଟ ଲାଭ ପାଇବ କିଏ?

News Story - Posted on 2018-02-04

ଫେବୃଆରୀ ବହିଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ମୋଦି ସରକାରଙ୍କର ଯେଉଁ ବଜେଟ ଉପସ୍ଥାପନ କରିଛନ୍ତି ସେଥିରୁ ଦେଶର ଗ୍ରାମୀଣ କୃଷକ ଓ ଅନ୍ର ପ୍ରଜାବର୍ଗ କେତେ ଉପକୃତ ହେବେ ତାହା ସମୟ କହିବ । ତେବେ, ବଜେଟରେ ଯେଉଁସବୁ ଯୋଜନା ଓ କାର୍ଯ୍ୟକ୍ରମର ପୁଟ ଲଗାଯାଇଛି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କେତେକ ନିର୍ଦ୍ଦିଷ୍ଟ ବର୍ଗର କମ୍ପାନୀ ନିଶ୍ଚୟ ଅଧିକ ଉପକୃତ ହେବେ । ଆଗାମୀ ବର୍ଷଗୁଡ଼ିକରେ ସେମାନଙ୍କର ଲାଭ ନିଶ୍ଚୟ ବହୁଗୁଣୀତ ହେବ, ଚାଷୀଙ୍କ ଆୟ ଦୁଇ ଗୁଣିତ ହେଉ କି ନହେଉ ।

 

ଚାଷୀ ନା କୃଷିଶିଳ୍ପ?

ସବୁ ଫସଲର ସର୍ବନିମ୍ନ ସହାୟକ ଦର ଘୋଷଣା ହେବ ଓ ତାହା ଉତ୍ପାଦନ ଖର୍ଚ୍ଚର ଦେଢ଼ ଗୁଣ ହେବ । ବଜେଟରେ ଥିôବା ଏ ଘୋଷଣାଟି ଠିକଣା ଭାବେ କାର୍ଯ୍ୟକାରୀ ହେଲେ ନିଶ୍ଚିତ ଭାବରେ ଚାଷୀଙ୍କ ପାଇଁ ଲାଭପ୍ରଦ ହେବ । କିନ୍ତୁ ଉତ୍ପାଦନ ଖର୍ଚ୍ଚ କିଏ ସ୍ଥିର କରିବ? ରାଜ୍ୟ ସରକାର ନା କେନ୍ଦ୍ର ସରକାର? ଜମି ମାଲିକ ନା ଭାଗଚାଷୀ? ଗାଁ ଓ ମଣ୍ଡଳ ଭିତ୍ତିରେ ଉତ୍ପାଦନ ଖର୍ଚ୍ଚରେ କମବେଶୀ ହୋଇପାରେ । ପାହାଡ଼ିଆ ଜମିରେ ଚାଷ ଖର୍ଚ୍ଚ ଯାହା ସମତଳ ଭୂମିରେ କ’ଣ ସେଇଆ? ଜଳକର ଜମିରେ ଚାଷଖର୍ଚ୍ଚ ଯାହା ଅଣଜଳସେଚିତ ଜମିରେ କ’ଣ ସେଇଆ? ଜୈବିକ ଖତସାର ବ୍ୟବହୃତ ହେଉଥିବା ଚାଷ ଖର୍ଚ୍ଚ ଯାହା ରାସାୟନିକ ସାର ଓ କୀଟନାଶକ ବ୍ୟବହାର କଲେ ସେଇ ସମାନ ଖର୍ଚ୍ଚ ହୋଇଥାଏ । ପାରମ୍ପାରିକ ବିହନ ଓ ହାଇବ୍ରିଡ଼ ବିହନ ଚାଷରେ କ’ଣ ଖର୍ଚ୍ଚ ସମାନ ଥାଏ?

 

ହଉ, ସେ ହିସାବ ସେମାନେ କରୁଥାନ୍ତୁ, ଏବେ ଦେଖିବା ଚାଷୀଙ୍କ ପାଇଁ ଆଉ କ’ଣ ଅଛି? କହିଛନ୍ତି, ସେଚ ସୁବିଧା ଓ ମାଛ ଚାଷ ପାଇଁ ଯନ୍ତ୍ରପାତି ଯୋଗାଇବେ । ସେଚ ସୁବିଧା କେନାଳ ଜରିଆରେ ହେବ ନା ପମ୍ପ ଜରିଆରେ? ଆମେ ବୁଝିଲୁ, ଅଧିକ ପମ୍ପ ବିକ୍ରି କରିବାକୁ ଯୋଜନା ହୋଇଛି । ସେହିପରି ମାଛ ଚାଷ ହେବ ମାନେ ପୋଖରୀ ଖୋଳାଯିବ । ଏ କାର୍ଯ୍ୟକ୍ରମ ଏବେ ଚାଲିଛି । ସେଥିରେ ଅଧିକ ଟଙ୍କା ଖର୍ଚ୍ଚ ହେବ । ଚାଷ ପାଇଁ ସୌର ଶକ୍ତି ବାବଦରେ ମଧ୍ୟ କିଛି ଖର୍ଚ୍ଚ ହେବ । ଏସବୁ ଯୋଜନାରେ କାହାର ଅଧିକ ଲାଭ ହେବ? ଚାଷୀ କି ଉପକୃତ ହେବ ନିଶ୍ଚୟ । କିନ୍ତୁ ଏସବୁ କାର୍ଯ୍ୟକ୍ରମରୁ ଶକ୍ତି ପମ୍ପ ଇଣ୍ଡିଆ, ଜୈନ ଇରିଗେସନ ସିଷ୍ଟମ୍ସ, କେଏସବି ପମ୍ପ୍ସ, କିର୍ଲୋସ୍କର ବ୍ରଦର୍ସ, ଅବନ୍ତୀ ଫିଡ୍ସ, ୱାଟରବେସ ଲିମିଟେଡ଼, ଜେକେ ଆଗ୍ରି ଜେନେଟିକ୍ସ, ପିଏଲ ଇଣ୍ଡଷ୍ଟ୍ରିଜ ଆଦି କମ୍ପାନୀ ସର୍ବାଧିକ ଲାଭ ଉଠାଇବେ । ଆଉ ସବସିଡି ହଡ଼ପ ପ୍ରକ୍ରିୟାରେ କିଛି ଦଲାଲ, ନେତା ଓ କର୍ମଚାରୀ ମଧ୍ୟ ଫାଇଦା ପାଇବେ ।

 

ଗାଁ ଗହଳର ହାଟଗୁଡ଼ିକୁ ସରକାର ଇ-ନାମ ମଣ୍ଡିରେ ପରିଣତ କରିବେ । ଇ-ନାମ ହେଉଛି ଇ-ଜାତୀୟ କୃଷି ବଜାର । ଉଦ୍ଦେଶ୍ୟ ଚାଷୀମାନେ ଦେଶର ଅନ୍ୟ ମଣ୍ଡିର ଦର ଜାଣିପାରିବେ ଓ ସେହି ଦରରେ ବିକ୍ରି କରିବେ । ଫଳରେ ଅଭାବୀ ବିକ୍ରିର ଶିକାର ହେବେ ନାହିଁ । ଭଲକଥା । ତେବେ ଆଜିକାଲି ଆଦାନୀ ଓ ଅମ୍ବାନୀ ଶିଳ୍ପ ଗୋଷ୍ଠୀ କୃଷି ବଜାରକୁ ଆୟତ୍ତ କରିଗଲେଣି । ମଣ୍ଡିରେ ପହଂଚିବା ପୂର୍ବରୁ ରିଲାଏନ୍ସ ଫ୍ରେସ୍ କର୍ମଚାରୀମାନେ ବିଲରୁ ଫସଲ କିଣି ନେଉଛନ୍ତି । ଆଦାନୀ ଗୋଷ୍ଠୀ ବି ସେଇ କୌଶଳରେ ଡାଲି ଦରବୃଦ୍ଧିରୁ ପ୍ରଚୁର ମୁନାଫା କମେଇଛି । ଦେଶରେ ଆହୁରି ଏମିତି କେତେକ କମ୍ପାନୀ ଅଛନ୍ତି ।

 

ସ୍ୱାସ୍ଥ୍ୟ ବୀମା ନା ବେପାର?

ଅର୍ଥମନ୍ତ୍ରୀ କହିଲେ, ଦେଶର ୧୦ କୋଟି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ । ସେଥିପାଇଁ ୨ ହଜାର କୋଟି ଟଙ୍କାର ବ୍ୟବସ୍ଥା ହୋଇଛି । ବିଶେଷଜ୍ଞ କହୁଛନ୍ତି, ଏହା ସମ୍ଭବ ନୁହେଁ । ସେମାନଙ୍କ ହିସାବରେ ୧୦ କୋଟି ପରିବାରର ୫୦ କୋଟି ସଦସ୍ୟ । ଦେଶର ୪୦ ପ୍ରତିଶତ ଜନସଂଖ୍ୟା । ଦେଶର ଗରୀବଙ୍କ ଅନୁପାତ ହେଉଛି ୨୨ ପ୍ରତିଶତ । ଅର୍ଥାତ ଗରୀବଙ୍କ ବାହାରେ ମଧ୍ୟ କିଛି ଲୋକଙ୍କୁ ଏହି ସୁବିଧା ମିଳିବ । ସେ ଯାହା ହେଉ ଜଣ ପିଛା ମାତ୍ର ୪୦ ଟଙ୍କା ପ୍ରିମିୟମରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା! ଏହା ପୁଣି କ୍ୟାସଲେସ୍! ମାନେ ବୀମାଭୁକ୍ତ ଲୋକର ଚିକିତ୍ସା ବ୍ୟୟ ବାବଦ ଟଙ୍କା ବୀମା କମ୍ପାନୀ ସଂପୃକ୍ତ ଡାକ୍ତରଖାନାକୁ ଦେଇଦେବେ । କେଉଁ ଡାକ୍ତରଖାନାରେ ରୋଗୀ ଚିକିତ୍ସିତ ହେବ? ତାହା କିଏ ସ୍ଥିର କରିବ? ବୀମା କମ୍ପାନୀ ନା ସରକାର? ଯିଏ ବି କରୁ, ସେ ଡାକ୍ତରଖାନାଟି ରୋଗୀର ଘର ପାଖରେ ଥିବ ନା କେଉଁ ଦୂର ସହରରେ? ଫସଲ ବୀମା ଯୋଜନାର ୧୦ ହଜାର କୋଟି ଟଙ୍କା ଯେମିତି ବୀମା କମ୍ପାନୀ ଖାଇଗଲେ ଏ କ୍ଷେତ୍ରରେ ସେମିତି ହେବନି ତ? ମୋଦି ସରକାର ତ ଫସଲ ବୀମା ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଦେଲେ ନାହିଁ । ଏଥିରେ ଦୁର୍ନୀତି ହେଲେ କ’ଣ ଆପୋଲୋ ହସ୍ପିଟାଲ, ଫର୍ଟିସ ହସ୍ପିଟାଲ ଆଦି ବଡ଼ ବଡ଼ ଡାକ୍ତରଖାନା ବିରୋଧରେ ତଦନ୍ତ ହେବ?

 

ପରିବହନ କମ୍ପାନୀଙ୍କ ଫାଇଦା

ସଡ଼କ ଓ ରେଳ ଲାଇନରେ ଅଧିକ ପୁଂଜି ବ୍ୟୟ ହେବ ମାନେ ନିର୍ମାଣ ଓ ଇଂଜିନିଅରିଂ କମ୍ପାନୀଗୁଡ଼ିକର ଲାଭ ବଢ଼ିବା ଥୟ । ସେହିପରି ଅଟୋମୋବାଇଲ ଓ ଲୋକୋମେଟିଭ କମ୍ପାନୀଗୁଡ଼ିକ ମଧ୍ୟ ଅଧିକ କାମ ଓ ଲାଭ ପାଇବେ । ଲାର୍ସନ ଆଣ୍ଡ ଟ୍ୟୁବ୍ରୋ, ହିନ୍ଦୁସ୍ତାନ କନଷ୍ଟ୍ରକ୍ସନ, ଏନସିସି ଲିମିଟେଡ଼, ଆଇଆରବି ଇନଫ୍ରା ଡେପଲପର୍ସ, ଦିଲିପ ବିଲ୍ଡକନ, ଟିଟାଗଡ଼ ୱାଗନ ଓ ସିମକୋ ଆଦି କମ୍ପାନୀ ସଡ଼କ ଓ ରେଳ ପଥ ପ୍ରକଳ୍ପରୁ ଅଧିକ ଉପକୃତ ହେବେ । ଅବଶ୍ୟ ଲୋକଙ୍କ ପାଇଁ ମଧ୍ୟ କିଛି କିଛି ସୁବିଧା ସୃଷ୍ଟି ହେବ ।

 

ଖାଉଟି କମ୍ପାନୀଙ୍କ ଲାଭ

ବଜେଟ ବ୍ୟବସ୍ଥା ଅନୁସାରେ ନୀତି ଓ ଦୁର୍ନୀତି ଉଭୟ ବାଟରେ ଗ୍ରାମାଞ୍ଚଳକୁ ନିଶ୍ଚୟ କିଛି ଅଧିକ ଅର୍ଥ ଯିବ । ସେଥିରେ ଘର ତିଆରି ହେଲେ ସିମେଣ୍ଟ ଓ ରଡ଼ କମ୍ପାନୀଙ୍କ ଲାଭ । ସେଥିରେ ଉପଭୋକ୍ତା ସାମଗ୍ରୀ କିଣାଗଲେ ସେହିସବୁ କମ୍ପାନୀଙ୍କ ଲାଭ । ଲୋକେ ଅଧିକ ଟଙ୍କା ପାଇଲେ ବ୍ୟାଙ୍କରେ ସଂଚୟ କରିବେ ନାହିଁ । କାରଣ ମୋଦି ସରକାର ଆସିଲା ପରେ ବ୍ୟାଙ୍କ ସୁଧହାର କମି ଚାଲିଛି । ତେଣୁ ଲୋକେ ଖର୍ଚ୍ଚ ହିଁ କରିବେ । ଗାଡ଼ି ମୋଟର କିଣିବେ । ଫ୍ରିଜ, ଟିଭି କିଣିବେ, ଏସ ଓ ୱାସିଂ ମେସିନ କିଣିବେ । ସାବୁନ ଓ ସ୍ନୋ ପାଉଡର ମଧ୍ୟ କିଣିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇବ । ଫାଷ୍ଟ ଫୁଡ୍ ଖାଇବା ଲୋକଙ୍କ ସଂଖ୍ୟା ବଢ଼ିବ । ଏଥିରେ ହିନ୍ଦୁସ୍ତାନ ୟୁନିଲିଭର, ବ୍ରିଟାନ୍ନିଆ ଇଣ୍ଡଷ୍ଟ୍ରିଜ, ମାରିକୋ ଲିମିଟେଡ, ହିରୋ ମୋଟୋକର୍ପ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା, ଏଲ ଆଣ୍ଡ ଟି ଆଦି ନିଶ୍ଚୟ ଅଧିକ ଲାଭ ପାଇବେ । ସେହିପରି ଗାଁ ଲୋକେ ଟଙ୍କା ପାଇଲେ ନିଶ୍ଚୟ କିଛି ଗହଣାଗାଣ୍ଠି କିଣିବେ । ତାହାର ଫାଇଦା ନେବେ ପିସି ଜ୍ୱେଲର୍ସ, ତ୍ରିଭୁବନଦାସ ଭୀମଜି ଜାଭେରି, ଟାଇଟାନ, ଲାଲଚାନ୍ଦ ଓ ଖିମଜୀ ଆଦି କମ୍ପାନୀ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top