କୁନ୍ଦୁଲି କନ୍ୟା ପାଇଁ ଦଶଟି ପ୍ରଶ୍ନ

News Story - Posted on 2018-02-04

୧. ପ୍ରଥମେ ରାଜ୍ୟ ପୁଲିସର ଜିଲ୍ଲା ମୁଖ୍ୟ କହିଲେ କୋରାପୁଟ କୁନ୍ଦୁଲିରେ ସେହି ୧୪ ବର୍ଷ ବୟସ୍କା ଝିଅକୁ କେହି ଧର୍ଷଣ କରିନାହାନ୍ତି । ଅଭିଯୋଗର ମାସକ ପରେ ସେ ଏକଥା କହିଥିଲେ । ଏବେ ଚାରି ମାସ ପରେ ଶାସକ ଦଳର ମୁଖପାତ୍ର ଆଜି କହୁଛନ୍ତି, ସିଆରପିଏଫ ଯବାନ ସେହି ଅଂଚଳରେ ମୁତୟନ ହୋଇଛନ୍ତି । ସିଆରପିଏଫ ଏକ କେନ୍ଦ୍ରୀୟ ସଂସ୍ଥା । ତେଣୁ କେନ୍ଦ୍ର ସରକାର ତାହାର ତଦନ୍ତ କରନ୍ତୁ ।

 

୨. ଏହା ଏକ ଆଇନଶୃଙ୍ଖଳା ମାମଲା । କୁନ୍ଦୁଲି ଝିଅ ଓଡ଼ିଶା ସରକାରଙ୍କ ପୁଲିସ ଥାନାରେ ଅଭିଯୋଗ କରିଛି । ସିବିଆଇ ବା ସିଆରିପିଏଫ ଅଫିସରେ ନୁହେଁ । ରାଜ୍ୟ ବିଷୟ ହୋଇଥିବାରୁ ରାଜ୍ୟ ସରକାରଙ୍କ ବିନା ଅନୁରୋଧରେ ସିବିଆଇ ତଦନ୍ତ କରିବ ନାହିଁ । ରାଜ୍ୟ ସରକାର ସିବିଆଇକୁ ଏନେଇ ଚିଠି ନଲେଖି ଶାସକ ଦଳ ମୁଖପାତ୍ରଙ୍କ ଜରିଆରେ କାହିଁକି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି?

 

୩. ଚାରି ମାସ ହେଲାଣି ଏବିଷୟରେ ସରକାରଙ୍କର କୌଣସି ମନ୍ତ୍ରୀ କିଛି କହୁ ନାହାନ୍ତି । ଏସପି, ଡିଜି, ଗୃହ ସଚିବ କି ମୁଖ୍ୟ ସଚିବ ମଧ୍ୟ କିଛି କହୁ ନାହାନ୍ତି । କିମ୍ବା ତୃତୀୟ ମହଲା ମଧ୍ୟ କିଛି କହୁ ନାହିଁ । ଯାହା କହୁଛନ୍ତି ବିଜେଡିର ମୁଖପାତ୍ରମାନେ । ସେମାନେ ଦଳୀୟ ମୁଖପାତ୍ର ନା ସରକାରଙ୍କର?

 

୪. କୁହାଯାଉଛି ନ୍ୟାୟିକ ତଦନ୍ତ ଚାଲିଛି । ସତରେ ଚାଲିଛି କି? ମୁଖ୍ୟମନ୍ତ୍ରୀ ତ ନଭେମ୍ବର ୧୦ ତାରିଖରୁ ନ୍ୟାୟିକ ତଦନ୍ତ ନିର୍ଦ୍ଦେଶ ଦେଲେଣି । କେଉଁ ନ୍ୟାୟପାଳ ଇତିମଧ୍ୟରେ କୁନ୍ଦୁଲି ଯାଇ ଝିଅଟିର ମା’ ଓ ଅନ୍ୟ ସଂପର୍କୀୟମାନଙ୍କୁ ପଚରା ଉଚୁରା କରିଛନ୍ତି? ତଦନ୍ତ କେତେବାଟ ଆଗେଇଲାଣି? ସେହି ନ୍ୟାୟିକ ତଦନ୍ତର ଅଫିସଟି କେଉଁଠି?

 

୫. ନ୍ୟାୟିକ ତଦନ୍ତ ଘୋଷଣା ହୋଇଛି । ଧର୍ଷିତ ଆତ୍ମହତ୍ୟା କଲା ପରେ ସରକାର ପୁଣି ନ୍ୟାୟିକ ତଦନ୍ତର ପରିସର ବୃଦ୍ଧି କରି ଏ ଦାୟିତ୍ୱ ମଧ୍ୟ ନ୍ୟାୟପାଳଙ୍କୁ ଦେଇଛନ୍ତି । ତେବେ, ପୁଣି କାହିଁକି କ୍ରାଇମ ବ୍ରାଞ୍ଚକୁ ସେଥିରେ ମୁଣ୍ଡ ପୂରେଇବାକୁ କହିଛନ୍ତି? ନ୍ୟାୟିକ ତଦନ୍ତ ଘୋଷଣା ହେବା ପୂର୍ବରୁ ପରା କ୍ରାଇମ ବ୍ରାଞ୍ଚ ଯାଇଁ ତଦନ୍ତ କରିଥିଲେ? କ’ଣ ପାଇଲେ? ପ୍ରମାଣ ଜବତ କଲେ ନା ନଷ୍ଟ କଲେ?

 

୬. ୟା’ ଭିତରେ ରାଜ୍ୟ ଫୋରେନ୍ସିକ ଲାବୋରେଟୋରି ରିପୋର୍ଟ ଜାଲିଆତି ନେଇ ତଥ୍ୟ ପ୍ରଘଟ ହେଲା । ପ୍ରଥମ ରିପୋର୍ଟରେ ଝିଅଟିର ଅନ୍ତର୍ବାସରେ ଦୁଇ ଜଣ ପୁରୁଷଙ୍କ ଶୁକ୍ର ଲାଗିଥିଲା ବୋଲି କୁହାଗଲା । ଧରା ପଡ଼ିବା ପରେ କୁହାଗଲା ତାହା ପ୍ରାଥମିକ ରିପୋର୍ଟ ଥିଲା । ପରେ ପୁଣି କୁହାଗଲା ତାହା ପୁରୁଷର ଶୁକ୍ର ନୁହେଁ ମହିଳାର ଯୋନିରସ! ନ୍ୟାୟିକ ତଦନ୍ତ ଯଦି ବି କେବେ ଆରମ୍ଭ ହୁଏ, ନ୍ୟାୟପାଳଙ୍କୁ ଏ ବିବାଦର ତଦନ୍ତ ଦାୟିତ୍ୱ ଦିଆଯିବ କି?

 

୭. ଏନେଇ ବିଜେପି ନେତାମାନେ କିଛି କହିଲେ ବିଜେଡି ଫଁ ଫଁ ହେଉଛି । କହୁଛି, କହୁଛି କେନ୍ଦ୍ର ତଦନ୍ତ କରୁ । ତାଙ୍କ ସଂସ୍ଥାର ଲୋକଙ୍କ ବିରୋଧରେ ଅଭିଯୋଗ ହୋଇଛି । ସତେ ଯେମିତି ବିଜେପି ନେତାମାନେ ସାଧୁପୁରୁଷ! ଖଣି ଦୁର୍ନୀତିରେ ରାଜ୍ୟର ନେତା ଓ କର୍ମଚାରୀଙ୍କ ସହିତ କେନ୍ଦ୍ରର ନେତା ଓ କର୍ମଚାରୀ ବି ଜଡ଼ିତ ଥିଲେ । ସେତେବେଳେ ସିବିଆଇ ତଦନ୍ତ ଦାବି ହେବାରୁ ବିଜେଡିର ତକ୍ରାଳୀନ ମାର୍ଗଦର୍ଶକ ଦଳୀୟ ସଭାରେ କହିଲେ, ସିବିଆଇ ତଦନ୍ତ କରାଇବାକୁ କହି କ’ଣ ଆତ୍ମହତ୍ୟା କରିବୁ? ସିବିଆଇ ତଦନ୍ତ ଦାବିକୁ ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ କିଏ ବିରୋଧ କରିଥିଲେ? ରାଜ୍ୟ ସରକାର ନା କେନ୍ଦ୍ର ସରକାର? ଶାହା କମିଶନ ସିବିଆଇ ତଦନ୍ତ ସୁପାରିଶ କଲେ । ସେତେବେଳେ ମନମୋହନ ସିଂହ ସରକାର ରିପୋର୍ଟ ପ୍ରଘଟ କଲେ ନାହିଁ । ତାଙ୍କ ପରେ ମୋଦି ସରକାର ରିପୋର୍ଟକୁ ସଂପୂର୍ଣ୍ଣ ରୂପେ ଗ୍ରହଣ କଲେ କିନ୍ତୁ ଏଯାଏଁ ସିବିଆଇ ତଦନ୍ତ ଘୋଷଣା କଲେ ନାହିଁ, ଚାରି ବର୍ଷ ବିତିଗଲା । ବିଜେଡି ନେତାମାନେ ଏବେ ଦାବି କରିବେ କି କେନ୍ଦ୍ର କର୍ମଚାରୀ ବି ଖଣି ଦୁର୍ନୀତିରେ ଅଛନ୍ତି, ତେଣୁ ସିବିଆଇ ତଦନ୍ତ ହେଉ!

 

୮. କୁନ୍ଦୁଲି ଝିଅଟି ଆତ୍ମହତ୍ୟା କରିବା ପୂର୍ବରୁ ଅଭିଯୋଗ କରିଥିଲା ଯେ ତା’କୁ ପୁଲିସ ଡିଜି ୯୦ ହଜାର ଟଙ୍କା ଯାଚିଥିଲେ । ସେ ଅଭିଯୋଗର ତଦନ୍ତ କିଏ କରିବ? ସିବିଆଇ ନା ନ୍ୟାୟପାଳ?

 

୯. ଧର୍ଷଣ ଓ ଆତ୍ମହତ୍ୟା ମଧ୍ୟରେ ବିତି ଯାଇଥିବା ୯୯ ଦିନ ଭିତରେ ଝିଅଟିକୁ ବିଭିନ୍ନ ଡାକ୍ତରଖାନାରେ ପ୍ରାୟ ୨୦ ଦିନ ଚିକିତ୍ସା କରାଯାଇଛି । ତା’ର କ’ଣ ହୋଇଥିଲା? ଡାକ୍ତର ତା’କୁ କି ଔଷଧ ଦେଇଥିଲେ? ସେ ବିଷୟରେ କିଏ ତଦନ୍ତ କରୁଛି? କ୍ରାଇମ ବ୍ରାଞ୍ଚ ନା ରାଜ୍ୟ ପୁଲିସ? ନା ନ୍ୟାୟପାଳଙ୍କ ପାଇଁ ଡାକ୍ତରୀ ପ୍ରେସକ୍ରିପ୍ସନ ସବୁ ସାଇତା ହୋଇରହିଛି?

 

୧୦. ମୁଖ୍ୟମନ୍ତ୍ରୀ ମୁମ୍ବାଇରେ କହିଲେ, ଏହା ଏକ ଗମ୍ଭୀର ମାମଲା । ଏକଥା ରାଜ୍ୟବାସୀ ସମସ୍ତେ ଜାଣିଛନ୍ତି । କିନ୍ତୁ ଗମ୍ଭୀର ତଦନ୍ତ ହେଉଛି କି?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top