ବାଳକ ଜିତିଲେ ବିଶ୍ୱ

News Story - Posted on 2018-02-03

ବୋଲିଂ ବିଭାଗର ଚମକ୍ରାର ପ୍ରଦର୍ଶନ ଓ ଯୁବ ଓପନର ମନଜ୍ୟୋତ କାଲ୍ରାଙ୍କ (୧୦୧ ରନ୍) ଧୂଆଁଧାର ଶତକ ଭାରତକୁ ବିଶ୍ୱ ଚାମ୍ପିଅନ୍ ମୁକୁଟ ପିନ୍ଧାଇଛି । ଶନିବାର ଅନୁଷ୍ଠିତ ୧୯ ବର୍ଷରୁ କମ୍ ଆଇସିସି ବିଶ୍ୱକପ୍ ଫାଇନାଲରେ ଭାରତ ୮ ୱିକେଟ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ବିଶ୍ୱ ଚାମ୍ପିଅନ୍ ହୋଇଛି । ଏଥିସହ ଭାରତ ଚତୁର୍ଥଥର ପାଇଁ ବିଶ୍ୱକପ୍ ଟାଇଟଲ ଜିତି ଇତିହାସ ରହିଛି । ବିଶ୍ୱକପ୍ ଇତିହାସରେ ଭାରତ ସର୍ବାଧିକ ଚାରିଥର ଏହି ଟାଇଟଲ ହାତେଇଛି । ପୂର୍ବରୁ ୨୦୦୨ରେ ମହମ୍ମଦ କୈଫଙ୍କ ନେତୃତ୍ୱରେ ଭାରତ ପ୍ରଥମ ଟାଇଟଲ ଜିତିଥିବାବେଳେ ୨୦୦୮ରେ ବିରାଟ କୋହଲି ଓ ୨୦୧୨ରେ ଉନ୍ମୁକ୍ତ ଚାନ୍ଦଙ୍କ ନେତୃତ୍ୱରେ ଦଳ ବିଶ୍ୱକପ୍ ଟାଇଟଲ ସ୍ୱାଦ ଚାଖିଥିଲା । ଯୁବ ବ୍ୟାଟ୍ସମ୍ୟାନ୍ ପୃଥିବୀ ଶ ଚତୁର୍ଥ ଅଧିନାୟକ ଭାବେ ଭାରତକୁ ବିଶ୍ୱକପ୍ ଟ୍ରଫି ଦେଇଛନ୍ତି ।

 

ଭାରତଠୁ ଫାଇନାଲ୍ରେ ହାରି ଅଷ୍ଟ୍ରେଲିଆ ରନର୍ସ ଅପ୍ ହୋଇଛି । ଏହି ହାଇଭୋଲ୍ଟେଜ ଟାଇଟଲ ଲଢ଼େଇରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୭.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୧୬ ରନ୍ କରିଥିଲା । ଜବାବରେ ଭାରତ ୩୮.୫ ଓଭର ଖେଳି ୨ ୱିକେଟ୍ ବିନିମୟରେ ବିଜୟ ପାଇଁ ଆବଶ୍ୟକ ରନ୍ ସଂଗ୍ରହ କରି ନେଇଥିଲା । ମ୍ୟାଚ୍ ବିଜୟୀ ଶତକ ପାଇଁ ଭାରତୀୟ ଓପନର ମନଜ୍ୟୋତଙ୍କୁ ପ୍ଲେୟର ଅଫ୍ ଦି ମ୍ୟାଚ୍ ଏବଂ ଟୁର୍ଣ୍ଣାମେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଶୁଭମାନ ଗିଲଙ୍କୁ ପ୍ଲେୟର ଅଫ୍ ଦି ସିରିଜ୍ ବିବେଚିତ କରାଯାଇଛି ।

 

ବେ’ ଓଭାଲ ଗ୍ରାଉଣ୍ଡରେ ଖେଳାଯାଇଥିବା ଭାରତ-ଅଷ୍ଟ୍ରେଲିଆ ଫାଇନାଲ୍ ମୁକାବିଲା ଏକତରଫା ହୋଇଥିଲା । ଟୁର୍ଣ୍ଣାମେଣ୍ଟରେ ଅପରାଜେୟ ଥିବା ଭାରତୀୟ ଯୁବ ଦଳ ଫାଇନାଲରେ ବି ନିଜ ଚମକ ଦେଖାଇବା ସହ ବିଜୟଧାରା ବଜାୟ ରଖିଥିଲେ । ଅଷ୍ଟ୍ରେଲିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଭାରତୀୟ ପେସ୍ ବୋଲର ଇଶାନ ପୋରେଲ ଓ କମଳେଶ ନଗରକୋଟି ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବିପର୍ଯ୍ୟୟ ଘଟାଇଥିଲେ । ଜ୍ୟାକ୍ ଏଡ଼ୱାର୍ଡ୍ସ ୨୮, ମ୍ୟାକ୍ ବ୍ରିୟାନ୍ତ ୧୪ ଓ ଅଧିନାୟକ ଜାସନ ସାଂଘା ୧୩ ରନ୍ କରି ଆଉଟ ହୋଇଯାଇଥିଲେ । ମଧ୍ୟ ଭାଗ ବ୍ୟାଟ୍ସମ୍ୟାନ୍ ଜୋନାଥନ ମର୍ଲୋ ଓ ପରମ ଉପଲ ଜଗିରଖି ଖେଳି ଦଳର ସ୍ଥିତି ସୁଧାରିଥିଲେ । କିନ୍ତୁ ଠିକଣା ସମୟରେ ସ୍ପିନର ଅନୁକୂଳ ରୟ ଏହି ଯୋଡ଼ି ଭାଙ୍ଗି ଭାରତକୁ ବଡ଼ ସଫଳତା ଦେଇଥିଲେ । ଉପଲ ୩୪ ରନ୍ କରି ଆଉଟ୍ ହେବା ପରେ ଭାରତୀୟ ବୋଲର ନିମ୍ନଭାଗ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ । ସେଟ୍ ବ୍ୟାଟ୍ସମ୍ୟାନ୍ ମର୍ଲୋ ୭୬ (୧୦୨ ବଲ୍, ୬ ଚୌକା) ରନ୍ କରି ଅନୁକୂଳଙ୍କ ଦ୍ୱିତୀୟ ଶିକାର ପାଲଟିଥିଲେ । ପରେ ଅଷ୍ଟ୍ରେଲିଆ ଦଳ ୪୭.୨ ଓଭର ଖେଳି ୨୧୬ ରନ୍ରେ ସୀମିତ ରହିଥିଲା । ଅଷ୍ଟ୍ରେଲିଆର ଶେଷ ୬ ୱିକେଟ ୩୩ ରନ ଭିତରେ ଝଡ଼ି ଯାଇଥିଲା । ଭାରତର ସଫଳ ବୋଲର ପୋରେଲ, ନଗରକୋଟି, ଶିବ ସିଂହ ଓ ଅନୁକୂଳ ୨ଟି କରି ଏବଂ ଶିବମ ମାଭି ଗୋଟିଏ ୱିକେଟ୍ ନେଇଥିଲେ ।

 

ଜବାବରେ ୨୧୭ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଅଧିନାୟକ ପୃଥିବୀ ଓ ମନଜ୍ୟୋତ ଭାରତକୁ ଭଲ ଆରମ୍ଭ ଦେଇଥିଲେ । ଦୁହେଁ ୭୧ ରନର ଭାଗିଦାରୀ ଯୋଗଦାନ କରିବା ପରେ ପୃଥିବୀ ୨୯ ରନ୍ କରି ପ୍ୟାଭିଲିୟନ ଫେରିଥିଲେ । ତାଙ୍କ ସ୍ଥାନରେ ଇନଫର୍ମ ବ୍ୟାଟ୍ସମ୍ୟାନ୍ ଶୁଭମାନ ଆକ୍ସନକୁ ଓହ୍ଲାଇଥିଲେ । ସେ ଅଷ୍ଟ୍ରେଲୀୟ ବୋଲରଙ୍କୁ ସହଜରେ ଖେଳିଥିଲେ । ଅନ୍ୟପଟେ ମନଜ୍ୟୋତ ଆକ୍ରମକ ବ୍ୟାଟିଂ କରିଥିଲେ । ଶୁଭମାନଙ୍କୁ ଭଲ ଆରମ୍ଭ ମିଳିଥିଲେ ମଧ୍ୟ ସେ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ସେ ୩୧ ରନ୍ କରି ନିରାଶ କରିଥିଲେ । ତଥାପି ମନଜ୍ୟୋତ ଓ ଶୁଭମାନ୍ ୬୦ ରନର ଭାଗିଦାରୀ ଯୋଡ଼ି ଦଳକୁ ଭଲ ସ୍ଥିତି ଦେଇଥିଲା । ସେଟ୍ ବ୍ୟାଟ୍ସମ୍ୟାନ୍ ମନଜ୍ୟୋତ ଅର୍ଦ୍ଧଶତକ ପୂରଣ କରି ଇନିଂସ୍କୁ ଆଗକୁ ନେଇଥିଲେ । ତାଙ୍କୁ ୱିକେଟକିପର ହାର୍ଭିକ ଦୋସାଇ ଭରପୂର ସହଯୋଗ ଦେଇଥିଲେ । ମନଜ୍ୟୋତଙ୍କ ଶତକ ଓ ହାର୍ଭିକଙ୍କ ଉପଯୋଗୀ ଇନିଂସ୍ ବଳରେ ଭାରତ ୬୭ ବଲ୍ ବାକିଥାଇ ୨ ୱିକେଟ୍ ବିନିମୟରେ ବିଜୟୀ ହୋଇଥିଲା । ମନଜ୍ୟୋତ ୧୦୧ (୧୦୨ ବଲ୍, ୮ ଚୌକା, ୩ ଛକା) ଓ ହାର୍ଭିକ ୪୭ ରନ୍ କରି ଅପରାଜିତ ରହିଥିଲେ । ଅଷ୍ଟ୍ରେଲିଆର ୱିଲ ସୁନ୍ଦରଲାଣ୍ଡ ଓ ଉପଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top