ଗଣ ବନାମ ତନ୍ତ୍ର

News Story - Posted on 2018-02-03

ସୂର୍ଯମଣି ମିଶ୍ର

 

ସମ୍ବିଧାନ ଆମକୁ ସମାନତାର ଅଧିକାର ପ୍ରଦାନ କରିଛିି । ଧାରା ୧୫(୩) ଅନୁସାରେ ଏହି ସମାନତାର ଅଧିକାର ଗଣମାନଙ୍କ ପାଇଁ ସୁନିଶ୍ଚିତ କରିବା ରାଷ୍ଟ୍ରର ଦାୟିତ୍ୱ । ସମ୍ବିଧାନରେ ପୋଷାହାର ଉପଲବ୍ଧ କରିବା ଏବଂ ନିଶାନିବାରଣ କଥା ମଧ୍ୟ କୁହାଯାଇଛି । ରାଷ୍ଟ୍ର କିନ୍ତୁ ନିଜର କର୍ତ୍ତବ୍ୟ ପାଳନ କରୁନାହିଁ । ସୁରକ୍ଷା, ସୁବିଧା, ନିରାପତ୍ତା ଏବଂ ସାମାଜିକ, ଅର୍ଥନୈତିକ ସମନାତାକୁ କାର୍ଯ୍ୟକାରୀ କରିବା ପାଇଁ ରାଷ୍ଟ୍ର ନିଜର ମୌଳିକ ସାମ୍ବିଧାନିକ ଦାୟିତ୍ୱ ପାଳନରେ ବିଫଳ ହେବା ଯୋଗୁ ଗଣ ଆଜି ଉପେକ୍ଷିତ । ତନ୍ତ୍ର ବା ଶାସନ ବ୍ୟବସ୍ଥା ଗଣଙ୍କ ଅଧିକାର ପାଇଁ ନିଜର ଦାୟିତ୍ୱ ପାଳନ କରୁନାହିଁ । ବରଂ ପୁଞ୍ଜିପତି କର୍ପୋରେଟ ହାଉସର ସ୍ୱାର୍ଥ ସୁରକ୍ଷା ପାଇଁ ତନ୍ତ୍ର ଏହାକୁ ପରମ ଓ ପ୍ରମୁଖ କର୍ତ୍ତବ୍ୟ ଭାବେ ଗ୍ରହଣ କରିଛି । ଗଣଙ୍କ ସମସ୍ୟା ଅସମାଧିତ ଓ ଅମୀମାଂଶିତ ସ୍ଥିତିରେ ରହିଚାଲିଛି ।

 

ଗାଁରୁ ସହର ସବୁଠି ଏବେ ଗଣ ଶୋଷଣ ଓ ନିର୍ଯାତନାର ଗୋଟିଏ ପରେ ଗୋଟିଏ ଚିତ୍ର ଦେଖିବାକୁ ମିଳୁଛି । ଆଜି ତ ବିଦ୍ରୋହ ନାହିଁ, ବିଦ୍ରୋହ ଏଠି ନକଲି । କେବଳ ସୂଚନା ଅଛି, କିନ୍ତୁ ଗଣସମସ୍ୟାର ସତ୍ୟତା ପ୍ରକାଶ ପାଉନି । ମୂଷା କାଟୁଥିବା ଚେରକୁ କେହି ବି ଦେଖୁନାହାନ୍ତି । ବ୍ୟବସ୍ଥା ଏଠି ଏପରି ଅବସ୍ଥାରେ ପହଞ୍ôଚଛି ସରକାରରେ ପୂର୍ବରୁ ଏବଂ ଆଜି ଦିନରେ ଥିବା ଦଳ ନିଜ କର୍ମୀଙ୍କୁ ଠିକାଦାର ଭୂମିକା ପାଳନ କରିବା ପାଇଁ ସ୍ୱୀକୃତି ଦେଉଛି, ଫଳରେ ରାଜନୈତିକ ମୂଲ୍ୟବୋଧର ଅବକ୍ଷୟ ଚିତ୍ର ଅଧିକରୁ ଅଧିକ ଦେଖିବାକୁ ମିଳୁଛି । ରାଜନୀତି ଯେତେବେଳେ ସଂକୀର୍ଣ୍ଣ ଜାତିବାଦ, ସଂପ୍ରଦାୟ, ଭାଷା ଓ ଆଞ୍ଚଳିକତାକୁ ନେଇ ଗତି କରେ ସେତେବେଳେ ଗଣ ଅଧିକାର ସୁନିଶ୍ଚିତ ହୋଇପାରେନି । ଯାହା ଆଜି ଦିନରେ ଦେଖିବାକୁ ମିଳୁଛି । ସରକାରରେ ଥିବା ଦଳ ବିକାଶର ଘଷରା ସଂଳାପ ଶୁଣାଇ ଚାଲିଛନ୍ତି । ବିଦ୍ରୋହ ଏଠି ବିଫଳ, କେବଳ କଲମୀ ପ୍ରତିବାଦ ଚାଲିଛି । ଗୁଳିକୁ ସାମ୍ନା କରିବା ଭଳି ବିଦ୍ରୋହ ଜନ୍ମ ନେଉନଥିବାରୁ ଓ ବିଦ୍ରୋହୀ ସୃଷ୍ଟି ହେଉନଥିବାରୁ ଗଣତନ୍ତ୍ରର ମୂଳଭିତ୍ତିର ସୁରକ୍ଷା ନେଇ ଆଶଙ୍କା ଦେଖାଦେଇଛି । କିଏ ସ୍ୱପୀଡ଼ନର ତ ଆଉ କିଏ ପର ପୀଡ଼ନର ଶିକାର ହେଉଛନ୍ତି । ଆଉ କିଛି ଲୋକଙ୍କୁ ଚିରନ୍ତନ ସ୍ୱପ୍ନଚାରି କରାଯାଉଛି । ସ୍ୱପ୍ନ ଦେଖାଯାଉଛି ସମୁହ ବିକାଶର । କିନ୍ତୁ ସାମାଜିକ ନ୍ୟାୟ ଯେପରି ଗଣଙ୍କ ଠାରୁ ହାତଛଡ଼ା ହୋଇଚାଲିଛି ।

 

ଗଣତନ୍ତ୍ରରେ ଗଣଭାବେ ପରିଚିତ ସାଧାରଣ ନାଗରିକଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ଘର, ଶିକ୍ଷା, ରୋଜଗାର ଏବଂ ସ୍ୱାସ୍ଥ୍ୟ ଭଳି ମୌଳିକ ଆବଶ୍ୟକତା ତଥା ସୁବିଧା ସ୍ୱାଧୀନତାର ୭୦ ବର୍ଷ ପରେ ବି ସୁନିଶ୍ଚିତ ହୋଇପାରିଲା ନାହିଁ । ଅଥଚ ୨୦୧୭ ରିପୋର୍ଟ ଅନୁଯାୟୀ ଦେଶର ଅର୍ଜିତ ସମ୍ପତ୍ତିର ୭୩ ପ୍ରତିଶତ ଏକ ପ୍ରତିଶତ ବଡ଼ ଧନିକଙ୍କ ପାଖକୁ ଯାଇଛି । ଆଜି ଦେଶରେ ଅରବପତି ବା ମହାଧନୀଙ୍କ ସଂଖ୍ୟା ୧୦୧ରେ ପହଞ୍ôଚଛି । ଏହି ମହାଧନୀଙ୍କ ଆମଦାନୀ ଗୋଟିଏ ବର୍ଷରେ ଆଶ୍ଚର୍ଯ୍ୟଜନକ ଭାବେ ୧୩ ପ୍ରତିଶତ ବୃଦ୍ଧି ପାଇଛି । ଏପରିବି ଆଶଙ୍କା ଦେଖାଗଲାଣି ଏକପ୍ରତିଶତ ମହାଧନୀ ଆଉ କେତେଦିନ ପରେ ଯଦି ୧୦୦ ପ୍ରତିଶତ ଦେଶର ଅର୍ଜିତ ସମ୍ପତ୍ତିକୁ ନେଇଯିବେ ତେବେ ଦେଶର ଗଣମାନେ ସେମାନଙ୍କର କ୍ରୀତଦାସ ହେବାର ସମ୍ଭାବନା ଅଧିକରୁ ଅଧିକ । ଦେଶର ଅର୍ଥନୀତି, ଗଣତନ୍ତ୍ର, ଦରଦୀ ବିଶ୍ୱବ୍ୟାଙ୍କ ଏବଂ ଅର୍ଥନୀତିଜ୍ଞଙ୍କ ଆର୍ଥିକ ଅଭିବୃଦ୍ଧିର ଗୋଲାପୀ ଚିତ୍ର କ’ଣ ଦେଶର ଅସମାନତା ବୃଦ୍ଧିର ନିରାକରଣ କରିପାରୁଛି? ୧୯୩୦ ଦଶକରେ ଦେଶର ଏକ ପ୍ରତିଶତ ମହାଧନିକଙ୍କ ପାଖରେ ଦେଶର ଅର୍ଜିତ ସମ୍ପତ୍ତିର ୨୧ ଭାଗ ସମ୍ପତ୍ତି ଥିଲା । ତାହା ଏବେ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି ।

 

ଗୋଟିଏ ପଟେ ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢିଚାଲିଛି । ଲକ୍ଷଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି । ଧନି ଘରର ପିଲା ମୋଟା ଚାନ୍ଦା ଦେଇ ଏୟାର କଣ୍ଡିସନ୍‍ ବିଦ୍ୟାଳୟରେ ପଢୁଛନ୍ତି । ଅଥଚ କୋଟିଏ ପରିବାରର ପିଲା ପ୍ରତିଦିନ ଭୋକ ମେଣ୍ଟାଇବା ପାଇଁ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଖାଇବା ଓ ପଢ଼ିବାକୁ ଯାଇ ଗୁଣାତ୍ମକ ଶିକ୍ଷା ପାଇପାରୁନାହାନ୍ତି । ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହେଉଥିବାର ଚିତ୍ର ଦିନକୁଦିନ ଅଧିକରୁ ଅଧିକ ଦେଖିବାକୁ ମିଳୁଛି । ଅଭିବ୍ୟକ୍ତର ସ୍ୱାଧୀନତାକୁ ଉପଯୋଗ କରିବାର ଯଦି କିଏ ସାହାସ କରୁଛି ତାକୁ ପୁଲିସ ଲଗାଇ ଅଥବା ବାହୁବଳୀଙ୍କ ମାଧ୍ୟମରେ ତାଙ୍କ ମୁହଁ ବନ୍ଦ କରାଯାଉଛି । ଏପରି ବି ହେଉଛି ଯିଏ ମୁହଁ ଖୋଲି ଗଣତନ୍ତ୍ର ବିପଦ ବୋଲି କହୁଛି ତାଙ୍କ ମୁହଁ ବନ୍ଦ କରାଯାଉଛି । ସେ ପାନସାରେ ହୁଅନ୍ତୁ ଅବା ଦାଭୋଲକର ଅଥବା ଗୌରୀ ଲଙ୍କେଶଙ୍କ ଭଳି ଗଣତନ୍ତ୍ର ସୁରକ୍ଷାକାରୀଙ୍କୁ ହତ୍ୟା କରାଯାଉଛି । ଏଠି ଶାସନତନ୍ତ୍ରର ମନମାନି ଗଣମାନଙ୍କର ଅଧିକାରକୁ ସଙ୍କୁଚିତ କେବଳ କରୁନାହିଁ ପରାହତ କରୁଛି ।

 

ସାମାଜିକ ଆର୍ଥିକ ଅସମାନତା ଅତି ଚିନ୍ତାଜନକ ଭାବେ ବଢ଼ିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଭାରତର ଏକ ପ୍ରତିଶତ ଧନିକଙ୍କ ପାଖରେ ଥିବା ସଞ୍ôଚତ ଧନ ସମାଜର ୭୩ ପ୍ରତିଶତ ଜନତାଙ୍କର ମୋଟ ଜମା ପୁଞ୍ଜିର ସମାନ । ଗଣଙ୍କର ଦୁର୍ଦ୍ଦଶା ଏହିଚିତ୍ର ହିଁ ସୂଚାଇ ଦେଉଛି । ବ୍ୟାପକ ଆର୍ଥିକ ଅସମାନତାରୁ ଅନେକ ସାମାଜିକ ସମସ୍ୟା ଜନ୍ମ ନିଏ । ଯଥା ଅସନ୍ତୋଷ, ଆକ୍ରୋଶ, ଅବସାଦ, ହତ୍ୟା-ଆତ୍ମହତ୍ୟା, ମାନବ ଚାଲାଣ, ଦେହ ବେପାର ଭଳି ଅପରାଧ ବୃଦ୍ଧି ପାଇବା ଏହି ଅସମାନତାରୁ ଜନ୍ମ ନେଉଛି । ଆଜି ଛୋଟ ସହରରୁ ବଡ଼ ସହର ଉପରେ ଆଖି ପକାଇଲେ ଦେଖିବାକୁ ମିଳୁଛି ବିପନ୍ନ ମଣିଷମାନଙ୍କର ଚିତ୍ର । ଛୋଟ ଛୋଟ କଲୋନୀ ବସ୍ତିର ମହିଳା ଦିନକୁଦିନ ଅଧିକ ସଂଖ୍ୟାରେ ବାବୁ ଓ ନେତାମାନଙ୍କ ଘରେ ବାସନ ମାଜୁଛନ୍ତି, ଝାଡୁ ଦେଉଛନ୍ତି, ଘର ପୋଛୁଛନ୍ତି, ଲୁଗା ସଫା କରୁଛନ୍ତି ଏପରିକି ରୋଷେଇ କରୁଛନ୍ତି । କିନ୍ତୁ ସେମାନଙ୍କୁ ମିଳୁନି ଯଥାର୍ଥ ଭାବେ ଶ୍ରମର ମୂଲ୍ୟ । କେବଳ ମହିଳା ନୁହନ୍ତି, ଶିଶୁମାନେ ମଧ୍ୟ ଘରୋଇ ଚାକର ଏପରିକି ହୋଟେଲ ଢାବାରେ ତଥା ଇଟାଭାଟିରେ କାମ କରୁଛନ୍ତି । ଅତି ବିପଜ୍ଜନକ ଅବସ୍ଥାରେ ଏହି ଶିଶୁ ଓ ମହିଳାମାନେ କାମ କରୁଥିଲେ ହେଁ ଏମାନଙ୍କୁ ଶ୍ରମର ମୂଲ୍ୟ ମିଳେନାହିଁ । ଜୀବନ ଜୀବିକା ଏମାନଙ୍କର ସୁରକ୍ଷିତ ନୁହେଁ ।

 

ସହରରେ ଏପରିକି ଗାଁ ପାଖ ବଜାରରେ ସନ୍ଧ୍ୟା ହେଲେ ମଦ ନିଶାର ଦୃଶ୍ୟ ଦେଖିବାକୁ ମିଳେ । ଗ୍ରାମୀଣ କ୍ଷେତ୍ରରେ ମଦ୍ୟପଙ୍କ ସଂଖ୍ୟା ବଢିବା ଦ୍ୱାରା ଗଣମାନଙ୍କର ଶାନ୍ତିପୂର୍ଣ୍ଣ ଜୀବନ ନିର୍ବାହ ପଥରେ ବାଧକ ହେଉଛି । କାରଖାନା ପ୍ରତିଷ୍ଠା ହେଉଛି, ନିଯୁକ୍ତି ଦେବାର ପ୍ରତିଶ୍ରୁତି ନେଇ । କିନ୍ତୁ ପରେ ଜମି ଦେଉଥିବା କୃଷକ ଜମିହରା ହେଲା ପରେ ଆଉ ନିଯୁକ୍ତି ତ ମିଳୁନି ବରଂ ଭୂମିହୀନ ହେଉଛି । ନିଯୁକ୍ତି ତ ମିଳୁନି ଶେଷରେ ଦାଦନ ଶ୍ରମିକ ହୋଇ ହାତଗୋଡ଼ ହରାଉଛି । ଜମି ଅଧିଗ୍ରହଣର ଏହା ହେଉଛି ଫଳାଫଳ । ବଜାର ଏପରି ଲୋଭନୀୟ ଦୃଶ୍ୟ ଦେଖାଉଛି ଯେଉଁଥିରେ କୃଷକ ପରିବାର ଜମି ବିକି ପରିବାର ପାଇଁ ଦାମି ଗାଡ଼ି, ଉପଭୋଗ ସାମଗ୍ରୀ କିଣୁଛି । ପିଲାମାନେ ଏଭଳି ବଜାରର ଶିକାର ହେଉଛନ୍ତି ଯାହା ଫଳରେ ଜମି ବିକ୍ରି ଟଙ୍କା ଖର୍ଚ୍ଚ ହୋଇଗଲା ପରେ ପରବର୍ତ୍ତୀ ସମୟରେ ଏହି ପରିବାରର ପିଲାମାନେ ଅପରାଧ ଦୁନିଆରେ ପାଦ ଦେଉଛନ୍ତି । ଏହା ହେଉଛି ପୁଞ୍ଜିବାଦର ନୀତି, ପରିଣାମ ଓ ପରିଣତି । ରାଷ୍ଟ୍ର ପୁଞ୍ଜିବାଦ ରାସ୍ତାରେ ଚାଲୁଥିବାରୁ ଭାରତୀୟ ଯୁବ ପ୍ରତିଭାଙ୍କ ପାଇଁ ନିଯୁକ୍ତିର ସୁଯୋଗ ମିଳୁନି । କ୍ଷୁଦ୍ର ଓ ଶିିଳ୍ପ ବନ୍ଦ ହେବାରେ ଲାଗିଛି ।

 

ନିକଟରେ ଆନ୍ଧ୍ର ପ୍ରଦେଶର ବିଜୟୱାଡ଼ାଠାରେ ସୁପ୍ରିମ କୋର୍ଟର ବରିଷ୍ଠ ବିଚାରପତି ଚେଲମେଶ୍ୱର ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଛନ୍ତି ଯେ, ଭାରତୀୟ ସମ୍ବିଧାନର ମୂଳ ଆଧାର ହେଉଛି ସମାନତା, ସମ୍ବିଧାନର ୧୪ରୁ ୧୮ ଧାରା ଯାଏ ସମାନତାକୁ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ରହିଛି । ଭାରତୀୟ ସମ୍ବିଧାନର ବୁନିଆଦ ସମ୍ବିଧାନ ଆଧାରିତ । ନିକଟରେ ସାଂସଦ ବରୁଣ ଗାନ୍ଧି ଲୋକସଭାର ଅଧ୍ୟକ୍ଷ ସୁମିତ୍ରା ମହାଜନଙ୍କୁ ଏକ ପତ୍ର ଲେଖି କହିଛନ୍ତି ଯେ, ସଂପନ୍ନ ସାଂସଦମାନେ ବେତନ ନନେବା ପାଇଁ ନିଷ୍ପତ୍ତି ନିଅନ୍ତୁ । ଜଷ୍ଟିସ୍‍ ଚେଲମେଶ୍ୱର ଏବଂ ସାଂସଦ ବରୁଣ ଗାନ୍ଧିଙ୍କ ଉକ୍ତି ଓ ପତ୍ର ଉପରେ ସମୀକ୍ଷା କଲେ ଯାହା ସ୍ପଷ୍ଟ ହୁଏ ତାହା ହେଲା, ଆଜି ଦେଶରେ ଧନୀ ଅଧିକ ଧନୀ ହେଉଥିବାବେଳେ ଗରିବ ଆହୁରି ଗରିବ ହେଉଛନ୍ତି । ଆର୍ଥିକ ଓ ସାମାଜିକ ଅସମାନତା ଜନିତ ବିଦ୍ୱେଷ ଅଧିକରୁ ଅଧିକ ଉଗ୍ରରୂପ ଧାରଣ କଲାଣି । ଏକ ସୁସ୍ଥ ଗଣତନ୍ତ୍ର ପାଇଁ ଏହା ଅନୁକୂଳ ବାର୍ତ୍ତା ଦେଉନାହିଁ । କାରଣ ସମ୍ବିଧାନ ଆଧାରିତ ସମାନତାକୁ ସୁନିଶ୍ଚିତ କରିବାରେ ରାଷ୍ଟ୍ର ବା ସରକାର ବାସ୍ତବ ରୂପାୟନ କରିବାରେ ବିଫଳ । ସରକାରଙ୍କ ନୀତି ପୁଞ୍ଜିବାଦ ଆଧାରିତ ହୋଇଥିବାରୁ ଏଭଳି ଅସମାନତା ବଢ଼ିବଢ଼ି ଚାଲିଛି ।

 

ଏହା ମଧ୍ୟରେ ରାଷ୍ଟ୍ରପତି, ରାଜ୍ୟପାଳଙ୍କ ଦରମା ବଢିଛି । ସାଂସଦଙ୍କ ଦରମା ବଢ଼ିବ ବୋଲି ସୂଚନା ମିଳିଛି । ଏବେ ସାଂସଦଙ୍କ ଦରମା ଓ ଭତ୍ତା ମିଶି ହେଲା ୨ ଲକ୍ଷ ଟଙ୍କା । ଦରମା ୫୦ ହଜାର, ଦୈନିକ ଭତ୍ତା ୨ ହଜାର, ମାସକୁ ହେଲା ୬୦ ହଜାର, ନିର୍ବାଚନ ମଣ୍ଡଳୀ ଖର୍ଚ୍ଚ ୪୫, ଅଫିସ ଖର୍ଚ୍ଚ ୪୫ ହଜାର, ମାଗଣାରେ ବିମାନ ଓ ରେଳଯାତ୍ରା, ମାଗଣା ଟେଲିଫୋନ୍‍, ସରକାରୀ ଘର ଭଡ଼ା ନଗଣ୍ୟ, ପାଣି ବିଦ୍ୟୁତ୍‍ ଦେୟ ଅତି ନଗଣ୍ୟ । ତଥାପି କେତେକ ସାଂସଦ ନିଜର ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ସ୍ଥାନ ବିଶେଷରେ ୧୦ରୁ ୨୦ ପର୍ସେଣ୍ଟ୍‍ ନେଉଥିବା ଅଭିଯୋଗ ବି ଶୁଣିବାକୁ ମିଳୁଛି ।

 

ଏପରି ସ୍ଥିତି ଆର୍ଥିକ ଅସମାନତାକୁ ଦୂର କରିବାରେ କ’ଣ ସହାୟକ ହେବ ନା ବୃଦ୍ଧି କରିବାରେ? ଆଜି ଲୋକସଭାରେ ୫୪୫ ସାଂସଦଙ୍କ ମଧ୍ୟରୁ ୪୪୯ ଜଣ ସାଂସଦ କୋଟିପତି । ୧୩୨ ସାଂସଦଙ୍କ ସମ୍ପତ୍ତିର ପରିମାଣ ୧୦ କୋଟିରୁ ଅଧିକ । ରାଜ୍ୟସଭାରେ ୯୬ ପ୍ରତିଶତ ସାଂସଦ କୋଟିପତି । ରାଜ୍ୟସ୍ତରରେ ଅଧିକ ସଂଖ୍ୟକ ବିଧାୟକ କୋଟିପତି ତାଲିକାରେ । ଯେଉଁଠି ଲୋକ ଗରିବ ସେଠାରେ ଲୋକପ୍ରତିନିଧି ଧନୀ । ଏହା ତ ଆର୍ଥିକ ସମାନତା ପ୍ରଦାନରେ ସହାୟକ ହୋଇପାରିବ ନାହିଁ, ଗଣତନ୍ତ୍ରରେ ଗଣ ଅଧିକାର ସଙ୍କୁଚିତ ଓ ଉପେକ୍ଷିତ ହୋଇ ଚାଲିଛି । ଗଣମାନେ ତନ୍ତ୍ର ଦ୍ୱାରା ଶୋଷଣ ଓ ନିର୍ଯାତନାର ଶିକାର ହେଉଛନ୍ତି । ସାମ୍ବିଧାନିକ ମୌଳିକ ସୁବିଧା ଓ ଅଧିକାର ପାଇପାରୁନାହାନ୍ତି । କେବଳ ଗଣତନ୍ତ୍ରର ଜୟଜୟକାର ଶୁଣିବାକୁ ମିଳୁଛି ଶାସନତନ୍ତ୍ରରୁ । କିନ୍ତୁ ଗଣଙ୍କ ମୁହଁରୁ ଶୁଭୁଛି ଉପେକ୍ଷିତ ଦୁର୍ଦ୍ଦଶାର ସ୍ୱର ।

 

ଏପରି ସ୍ଥିତି ଲାଗି ରହିଲେ, ବ୍ୟବସ୍ଥାର ପରିବର୍ତ୍ତନ ନହେଲେ, ଶାସନତନ୍ତ୍ର ସାମ୍ବିଧାନିକ ନିର୍ଦ୍ଦେଶକୁ ପାଳନ ନକଲେ, ଗଣ ଆହୁରି ଉପେକ୍ଷାର ଶିକାର ହେବେ, ଅସମାନତା ଆହୁରି ବଢିବ, ଜଣମାନଙ୍କର ଆର୍ଥିକ ସାମ୍ରାଜ୍ୟ ଆକାଶଚୁମ୍ବୀ ହେବ ଆଉ ତୃଣମୂଳସ୍ତରରେ ଗଣମାନେ ଆହୁରି ଅଧିକରୁ ଅଧିକ ଆର୍ଥିକ ଅସମାନତାର ଶିକାର ହୋଇ ଭୟ ଭୋକରେ ଜୀବନ ବିତାଇବେ ।

 

ସାମ୍ବାଦିକ, ଦୂରଭାଷ: ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top