ଅସୂର୍ଯ୍ୟ

News Story - Posted on 2018-02-03

ବିଶ୍ବଜିତ ସୂର୍ଯ୍ୟବଂଶୀ

 

ସୂର୍ଯ୍ୟ ତ’ ଜୀବନ... ତେବେ କଳ୍ପ ବିକଳ୍ପର ଯୁକ୍ତିର ଊର୍ଦ୍ଧ୍ବରେ କାହିଁକି ଯେ ଆମକୁ ବେଳେ ବେଳେ ଭଲ ଲାଗେ ଅସୂର୍ଯ୍ୟ! ବିଭିନ୍ନତା ଆଉ ବିକ୍ଷିପ୍ତ ମାନସିକତାରେ କାହିଁକି ଯେ ଏମିତି ଜାଗିଉଠେ ବେଳେ ବେଳେ ଏକାଗ୍ରତା? ଭିତର ମନର ଗହିରି କୋଣରେ ଲୁଚି ଛପି ଥିବା ଅବଦମିତ ଇଚ୍ଛାଗୁଡିକ ଯେମିତି ଅନ୍ଧାର ସହିତ ମେଞ୍ଚାଏ ଲେସି ହେବା ପାଇଁ ହୋଇଉଠନ୍ତି ନିଶା ଶକ୍ତ, ବ୍ୟଗ୍ର ଆଉ ବିକ୍ଷିପ୍ତ? ଅନେକ ଦିନରୁ ପୋଷା ମନେଇଥିବା ଚିତା ବାଘଗୁଡିକ ହଠାତ ଧମନୀ ଭିତରେ ଧାଁ ଦଉଡ କରି ଉଠନ୍ତି। ହେଲେ ସତକଥା କହିବାକୁ ଗଲେ ଚିତା ବାଘ କ’ଣ କେବେ ପୋଷା ମାନେ? ସେଥିପାଇଁ ବୋଧେ ଭଲ ଲାଗେ ବେଳେ ବେଳେ କୋକେନ ନିଶାରେ ରୁନ୍ଧିତ ଅନ୍ଧାର, ଠିକ ସେତିକି ବେଳେ ଭାରି ଇଚ୍ଛା ହୁଏ ମାପିବାକୁ ମହାଶୂନ୍ୟଠାରୁ ସମ୍ମୋହନ ଯାଏ ଲମ୍ବିଥିବା ସେ ଅସହାୟ ଆଲୋକ ପୁଞ୍ଜକୁ, ଆଉ ଶୁଣିବାର ଇଚ୍ଛା ପୁଣି ଜାଗିଉଠେ ଅକ୍ଷାଂଶଠାରୁ ଦ୍ରାଘିମା ପର୍ଯ୍ୟନ୍ତ ଅଦଭୂତ ସେ ଶବ୍ଦର ତରଙ୍ଗମାନଙ୍କୁ।

 

ଦେଖ, ରକ୍ତିମ ଆକାଶଟି ସତେ ଯେମିତି ସୂଚେଇ ଦେଉଛି ଆଉ ଏକ ମହା ଝଡ଼ର ସମ୍ଭାବନାକୁ। ହେଲେ ଆଜିର ମଣିଷମାନଙ୍କର ତ’ ଡର ହଜିଯାଇଛି, ଲଜ୍ଜା ପୋଛି ହୋଇଯାଇଛି, ବିଶ୍ବାସ ବି ଲୁଚି ଛପି ଯାଇଛି ଆଉ ପୋଡ଼ା ଆବେଗର ପାଉଁଶ ଗଦାରେ ନିର୍ଗୁଣସତ୍ତା ବି ହଜେଇ ସାରିଲେଣି ନିଜେ ଇଶ୍ବର! ବୋଧେ ହୁଏ କେଉଁଠି ନା କେଉଁଠି ଆମେ ସମସ୍ତେ ପାଲଟି ସାରିଛୁ ଜଣେ ଜଣେ ଅଶରୀରୀ। ହେଲେ ସତରେ କ’ଣ ଆମେ ଭଦ୍ରଲୋକର ଖୋଳପା ଭିତରେ ରଖିପାରୁ? ଲୁଚେଇ ସୃଷ୍ଟିର ସେହି ସତ୍ୟ ଚିରନ୍ତନ ଆଉ ବାସ୍ତବ ପ୍ରକୃତିକୁ?

 

ହା..ହା..ହା..ଖାଲି ଯାହା ବିବେକର ବାହାନା ନେଇ ଠକି ଚାଲିଛୁ ନିଜ ଭିତରେ ବଞ୍ଚୁଥିବା ଏକାନ୍ତ ନିଜର ସେ ନିଷ୍ପାପ ମଣିଷଟିକୁ।

 

ତର୍କ-ବିତର୍କର ପରିଶେଷେ ପୁଣି ସେଇ ମାଗୁଣିର ଶଗଡ଼ ଅବା କାର୍ଲ ମାର୍କ୍ସଙ୍କ ଦର୍ଶନ ଶାସ୍ତ୍ର, ଆଉ କିଛି ଜୋତିର୍ବିଦଙ୍କ ସ୍ବପ୍ନିଳ ଭବିଷ୍ୟ ବାଣୀ। ଏଇତ ଜୀବନ, ଏମିତି ଅନେକ ବାହାନାରେ ଚାଲିଛି ଜୀବନ! ସତରେ ଚାହୁଁଚ ପରିବର୍ତ୍ତନ? ତେବେ ଚେଷ୍ଟାକର ବୁଝିବାକୁ ସେଇ ପକ୍ଷୀମାନେ କହୁଥିବା କଥାଗୁଡ଼ିକୁ? ଅନୁଭବ କର ସେମାନଙ୍କ ଆବେଗର ଭାଷାକୁ? ଯେଉଁମାନଙ୍କଠାରୁ ମନୁଷ୍ୟ ପ୍ରଥମେ ଶିଖିଥିଲା ଆବେଗକୁ ଭାଷାରେ ପ୍ରକାଶ କରିବାର ଶୃଙ୍ଖଳାକୁ।

 

ପ୍ରିୟ ବନ୍ଧୁ ଓ ପ୍ରିୟ ପାଠକ, ସଭିଙ୍କୁ ମୋ ଆନ୍ତରିକ ଧନ୍ୟବାଦ ଓ ନମସ୍କାର। ମୋ ସହିତ ଦୀର୍ଘଦିନରୁ ଆପଣମାନେ ଜଡିତ ଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ହଠାତ ଆଜି ଜଣେ ବନ୍ଧୁଙ୍କ ବିଷର୍ଣ୍ଣ ବଦନ ଓ କିଛି ବାସ୍ତବତାକୁ ଲୁଚେଇ ମିଛ ସମବେଦନା ନେବାର ପ୍ରୟାସ ମୋତେ ବାଧ୍ୟ କରିଦେଲା ଆମ ଜୀବନର କିଛି ସତ୍ୟ ଓ ତା’ ସହିତ ଥିବା ବିଭିନ୍ନ ମାନସିକତାକୁ ପରଖିବା ପାଇଁ। ଏକା ଏକା ଅବା କେତେବା ଖୋଜିବି? ତେଣୁ ଆପଣମାନଙ୍କୁ ସାମିଲ କରିବାର ଇଚ୍ଛା ନେଇ କିଛି ଲେଖିବାର ଚେଷ୍ଟା କରିଛି। ବୋଧେ ହୁଏ ସେ ରହସ୍ୟକୁ ଭେଦ କରିବାକୁ ହୋଇପାରେ ଏହା କେବଳ ଏକ ପ୍ରୟାସ ମାତ୍ର। ଅବା ଖୋଜିବାକୁ ଭିତର ମଣିଷଟିର ପ୍ରକୃତ ପରିଚୟ। ବାକି ଆପଣମାନଙ୍କ ଉପରେ ନିର୍ଭର କରେ। ଭାବୁଛି ଆପଣମାନଙ୍କ ଅନ୍ତର ମନରେ ହେଉଥିବା ଆନ୍ଦୋଳନ ହିଁ ଚୁପଚାପ ନିଶବ୍ଦରେ କହିଦେବ ମୁଁ ଖୋଜୁଥିବା ସେ ରହସ୍ୟକୁ। ନମସ୍କାର।

 

ମଣିସାହୁ ଛକ, କଟକ

ମୋ- 9777335885


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top