ମାଛ ଗାଡ଼ିଆ ସାହିତ୍ୟ ପୁରସ୍କାର

News Story - Posted on 2018-02-03

ରବି କାନୁନ୍‌ଗୋ

 

ମାଛ ଗାଡ଼ିଆ ଗୋଳା ହେଲାବେଳେ ବେଶି ଜଣାପଡେ଼ ଆକାଶରୁ। ତଳେ ଗେଣ୍ଡା କୋଚିଆ କଙ୍କଡ଼ା ଛଡ଼ା ଆଉ କିଛି ନ ଥାଏ। ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଏ କଥା ଏକଦମ‌୍‍ ପକ୍କା। ‘ନ୍ୟାୟ’ ପାଇବାକୁ ଲୋକ କୋର୍ଟ କଚିରି ପଳାନ୍ତି! ମନ ହୁଏ ପଚାରିବାକୁ, ହଇହୋ, ତମେ ‘ସାହିତ୍ୟ’ କରୁଚ ନା ଫଉଜଦାରି? ଖ୍ୟାତ ଲେଖକ ଖୁସୱନ୍ତ ସିଂହ କହିଥିଲେ ଯେ ଖବରକାଗଜର ଶେଷ (ଖେଳ) ପୃଷ୍ଠା ମୁଁ ଆଗେ ପଢ଼େ। ସେଥିରେ ଥାଏ ସବୁ ପ୍ରମାଣିତ ସଫଳତାର ସତ ରେକର୍ଡ। ଫନ୍ଦି, ଫିସାଦି କି ଦୋଗଲା, ଜୁଆଚୋରି କିଛି ନଥାଏ। ଏବେ ଅବଶ୍ୟ ଅବସ୍ଥା ସେମିତି ନାହିଁ। ସ୍ପୋର୍ଟସ ସ୍କାମ‌୍‍, ମ୍ୟାଚ ଫିକ୍ସିଙ୍ଗ ଇତ୍ୟାଦି ତେଲଗି ଓ ଲାଲୁ ଯାଦବମାନଙ୍କୁ ପଛରେ ପକାଇ ଦେଇଛି। ଏବେ ଖୁସୱନ୍ତ ନାହାଁନ୍ତି। ତାଙ୍କୁ ଅନୁସରଣ କରି ଶେଷ ପୃଷ୍ଠା ପ୍ରଥମେ ପଢ଼ୁଛନ୍ତି କି ନା, ତାହା ଆମେ ଜାଣୁନା। ମାତ୍ର ପୁରସ୍କାର କଥା ଉଠିଲେ ତାଙ୍କର ଏ ମନ୍ତବ୍ୟ ଅବଶ୍ୟ ମନେ ପଡେ଼।

 

୨୦୧୫ରେ ଓବାମା ୟୁଏସ ପ୍ରେସିଡେଣ୍ଟ ହେବା ପରେ ନୋବେଲ ଶାନ୍ତି ପୁରସ୍କାର ପାଇଲେ। ଏ ସଂପର୍କରେ ଜଣେ ଅବସରପ୍ରାପ୍ତ ୮୨ ବର୍ଷୀୟା ଆମେରିକୀୟ ଇଂଲିଶ ଅଧ୍ୟାପିକା କ୍ଲେୟାର ସ୍ପ୍ରେଗ କହିଲେ, ଆମ ପ୍ରେସିଡେଣ୍ଟ ପୁରସ୍କାର ପାଇଲେ। ଖୁସି ଲାଗୁଛି। କାହାକୁ ପୁରସ୍କାର ଦେବା ଯଦି ସ୍ଥିର, ତା’ହେଲେ ବାରାକ‌୍‍ ତ ତିନି ଚାରି ଖଣ୍ଡ ବହି ଲେଖିଛନ୍ତି, ତାଙ୍କୁ ସାହିତ୍ୟ ପାଇଁ ନୋବେଲ ଦେଲେ ବି ଚଳିଥା’ନ୍ତା। ଶାନ୍ତି ଲାଗି କାହିଁକି? ସେଥିପାଇଁ ସେ କ’ଣ କରିଛନ୍ତି?

 

କୌଣସି ପୁରସ୍କାର ଚୟନ ଓ ସେଥିପାଇଁ ବିନିଯୋଗ ହେଉଥିବା ମାନବୀୟ ନିରପେକ୍ଷତା ଆଲୁଅ ଓ ଅନ୍ଧାର ପରି ସମଗୋତ୍ରୀ। ଥିଲେ ଥିବେ, ନହେଲେ ଆଦୌ  ନଥିବେ।

 

କେନ୍ଦ୍ର ସାହିତ୍ୟ ଏକାଡେମିର ପୁରସ୍କାର ଚୟନ ପ୍ରକ୍ରିୟାକୁ ନେଇ ବିଭୂତି ପଟ୍ଟନାୟକଙ୍କ ଅଭିଯୋଗ ପୁରୁଣା ହୋଇଗଲାଣି। ଗୁଡ଼ିଏ କଥା ବାଲେଶ୍ୱରର ଏକ ସାହିତ୍ୟ ସଭାରେ ସେ କହିଥିଲେ। କେହି ଏମିତି କହିବା ଉଚିତ କି ନୁହେଁ, ଏହା ତାଙ୍କ ବିବେକର ଡାକ। ‘ମୁଁ ଅନ୍ୟାୟ ସହିବିନି’ କହିଲେ, ‘ନାଇଁ ଆଜ୍ଞା ଆପଣ ଟିକେ ଭୀରୁ ହେବା ଉଚିତ ଥିଲା, ଏ କଥା କିଏ କାହିଁକି କହିବ? ବା ଏପରି ପ୍ରଶ୍ନର ଉତ୍ତର ଦେବାକୁ ସେ କେୟାର କରିବେ କାହିଁକି? ସୁଦୁ ଧାରଣାରେ ମଣିଷ ପଥରକୁ ଭଗବାନ କରିପାରେ। ତିନି ତୁଣ୍ଡ ପ୍ରଚାରରେ ଛେଳି ହୋଇଯାଏ କୁକୁର। ବସନ ତଳେ କ’ଣ ଥାଏ, ସମସ୍ତେ ଜାଣନ୍ତି। ତେବେ ବି କେହି ଯତ୍ରତତ୍ର ଲୁଗାପଟା ଖୋଲି ପକାନ୍ତିନି। ଏହି ଯୁକ୍ତିରେ, ବିଭୂତି ବାବୁଙ୍କ କାବ୍ୟମହିମାକୁ ଶ୍ରଦ୍ଧା କରୁଥିବା ଲୋକେ ବି ତାଙ୍କର ଏପରି ମନ୍ତବ୍ୟକୁ ପସନ୍ଦ କରି ନଥିଲେ। ହଁ, କେହି ତାଙ୍କୁ ଖୁଲମଖୁଲା ବିରୋଧ କରି ନଥିଲେ। କେହି ସମର୍ଥନ ବି ତ କରି ନଥିଲେ। ତାହା ଆଉ ଏକ ପ୍ରସଙ୍ଗ। ଏହା ମଧ୍ୟ ଏକ ଦୁର୍ଭାଗ୍ୟଜନକ ସତ୍ୟ ଯେ ପାଇବା ଲୋକ ଛଡ଼ା ପୁରସ୍କାରକୁ ଅଧିକ କେହି ମନେ ରଖନ୍ତି ନାହିଁ।

 

ଏ ବିବାଦ ପ୍ରତିବର୍ଷ ଉଠେ। ଲଙ୍ଗଳା ହେଲେ ଯେମିତି ଲାଜ ମାଡ଼ିବା କଥା, ଏଥର ବି ସେମିତି ଲାଗୁଛି। ଏ ସଂପର୍କରେ ଖବରକାଗଜରେ ପ୍ରକାଶିତ ଏକ ବିବୃତ୍ତି (‘ସୂର୍ଯ୍ୟପ୍ରଭା’, ୫.୯.୧୦) ଆମକୁ ସମାନ ଭାବେ ମର୍ମାହତ କରିଥିଲା ଯେମିତି ଲାଗିଥିଲା ବିଭୂତି ବାବୁଙ୍କ କଥା ଶୁଣି। ଆଲୋଚନା ମର୍ମରେ, ଏଥର ଏକାଡେ଼ମୀ ଚୟନନୀତିର ‘ନିରପେକ୍ଷତା’କୁ ଅଫିସିଆଲ ଢଙ୍ଗରେ ସାବୁତ‌୍‍ କରିବା ଚେଷ୍ଟା କରାଯାଇଛି।

 

ଓଡ଼ିଆ ସାହିତ୍ୟର କୃତବିଦ ପ୍ରଣମ୍ୟମାନଙ୍କ ପାଇଁ ଆମର ସକଳ ଶ୍ରଦ୍ଧା ଓ ସମ୍ମାନ ରହିଛି। ସେକଥା ଆଜି ସବୁଠୁ ବେଶି। କାରଣ ଏକ ଆକସ୍ମିକ ଉତ୍ପାତ ଯୁଗରେ ସେମାନଙ୍କ ଦୟାରୁ ଭାଷାର ନାଁଟା ଅନ୍ତତଃ ବଞ୍ଚିଛି। ଗତକାଲି ପର୍ଯ୍ୟନ୍ତ ହିଡ଼-ଭାଷାକୁ ନିଜର କହି ସିଆଡ଼କୁ ଟାଣି ହେଉଥିଲୁ। ଆଜି ତ ସେଠି ମୋବାଇଲରେ ଚାଲିଛି ଇଂଲିଶ-ହିନ୍ଦୀ କକ‌୍‍ଟେଲ। ଗାଁରେ ବାପା-ବୋଉ ବି ବୁଝି ପାରୁନାହାଁନ୍ତି ପୁଅର ଭାଷା। ଏଥିରୁ ସ୍ରଷ୍ଟାମାନେ ବୁଝିବା ଉଚିତ ଯେ ୧. ପ୍ରଶଂସା ଓ ପୁରସ୍କାର ଭିତରେ ଫରକ କ’ଣ? ୨. ସ୍ରଷ୍ଟାମାନେ ଲୋକଙ୍କଠାରୁ କେତେ ନିକଟ ବା କେତେ ଦୂରରେ ଅଛନ୍ତି?

 

ପାଠକଭାବେ ଆମେ ବି ବୁଝିବାକୁ ଚେଷ୍ଟା କରୁଛୁ, ସର୍ଜନା ଓ ପୁରସ୍କାର ଭିତରେ ଦୂରତା କେତେ ଏବଂ ଉଭୟର ସଂପର୍କ ଗହୀର ନା ପତଳା ନା ଅନୁପସ୍ଥିତ?

 

‘ଚୁଜେନ‌୍‍ ଦି ବେଷ୍ଟ‌୍‍’ (ତାଲିକାରୁ ଶ୍ରେଷ୍ଠ ବଛାଯିବା) ଏବଂ ‘ବେଷ୍ଟ‌୍‍’ (ଶ୍ରେଷ୍ଠ ) ଭିତରେ ତୁଳନା କରିବା ଶକ୍ତି ଏ ଧରାଧାମରେ କାହାରି ଅଛି କି?

 

ଓଡ଼ିଆଙ୍କ ପ୍ରିୟ ପଦ ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ...’ ପାର୍ଲାମେଣ୍ଟରେ ସ୍ଥାନ ପାଇଲାବେଳେ ଏହା ସପକ୍ଷରେ ପୂଜ୍ୟ ରବି ରାୟଙ୍କ ଯୁକ୍ତିଥିଲା ଯେ ଭୀମଭୋଇଙ୍କ ସାହିତ୍ୟ ଅନନ୍ୟ। କାରଣ, ସମସ୍ତେ କହୁଥିଲେ, ମତେ ଉଦ୍ଧାର କର। ସେ କହିଲେ, ମତେ ନର୍କ ଭୋଗିବାକୁ ପଡ଼ୁ ପଛେ, ତମେ ଆଗେ ସମସ୍ତଙ୍କୁ ଉଦ୍ଧାର କର।

 

ଭବଭୂତିଙ୍କ ଅନବଦ୍ୟ ଶ୍ଳୋକ : ଉତ୍‌ପସ୍ୟତେ ମମକୋପି ସମାନଧର୍ମା / କାଳହୋୟଂ ନିରବଧି ବିପୁଳା ଚ ପୃଥ୍ୱୀ। (କାଳ ଅସରନ୍ତି, ପୃଥିବୀ ବିପୁଳା। ଆଜି ଯାହା ଲେଖିଛି ତାହା ଠିକ‌୍‍ ବୁଝିବା ପାଇଁ କେହି କେବେ ନିଶ୍ଚୟ ଜନ୍ମ ହୋଇପାରେ।) ପ୍ରତ୍ୟେକ ସର୍ଜନାର ଇଏ ହେଲା ମୂଳ ବିଶ୍ୱାସ। ନୂଆ କିଛି ସୃଷ୍ଟି କରିବାକୁ କେହି ଅପରକୁ ଗୁଆ ଚାଉଳ ଦେଇ ନିମନ୍ତ୍ରଣ କରି ନଥାଏ ବା କୌଣସି ସ୍ରଷ୍ଟା ପୁରସ୍କାର ଆଶାରେ ସୃଷ୍ଟି କରିବାକୁ ଆଗଭର ହୁଏନାହିଁ।

 

ଭୀମ ଭୋଇାଙ୍କ ପ୍ରଶଂସାର ଆଉ ଗୋଟେ ରୂପ ଦେଖିବା। ଓଡ଼ିଆ ସାହିତ୍ୟର ଯଶସ୍ୱୀ ଗବେଷକ ଓ ଶିଶୁ-ସାହିତ୍ୟିକ ଡକ୍ଟର ଶ୍ରୀଚରଣ ମହାନ୍ତି ପଞ୍ଚାୟତ କଲେଜ, ବରଗଡ଼ରେ ନୂଆ ଅଧ୍ୟାପକ ଭାବେ ଯୋଗ ଦେଇଥା’ନ୍ତି। ତାହା ଭୀମ ଭୋଇ ଜନ୍ମ-କର୍ମଭୂମିର ପାଖାପାଖି ଅଞ୍ଚଳ। ୧୯୮୧ ତାଙ୍କ ଜୟନ୍ତୀ ସଭାରେ ନିଜ ଆଡ଼ୁ ଆଗ୍ରହୀ ହୋଇ ସେ ଭାଷଣ ଶୁଣିବାକୁ ପଳାଇଲେ। ବେଶ ଭିଡ଼ ଥାଏ। ମୁଖ୍ୟବକ୍ତାଙ୍କ କଥା ଶୁଣି ଲୋକେ ଉଲ୍ଲସିତ ହେଉଥା’ନ୍ତି ଏବଂ ଘନଘନ କରତାଳି ଦେଉଥା’ନ୍ତି। ମଝିରେ ଶ୍ରୀଚରଣ ବାବୁଙ୍କ ବୁଦ୍ଧିରୁ ଇତିହାସର ହୋସ ଉଡ଼ିଯାଇଥିଲା। ବକ୍ତା ବାରମ୍ୱାର କହୁଥା’ନ୍ତି, ‘ହଜାର ହଜାର ବର୍ଷ ପୂର୍ବେ ଏ ମାଟିରେ ଭୀମ ଭୋଇ ଜନ୍ମ ହୋଇ’ ଜଗତକୁ ଅମୁକ ତମୁକ ଦେଇଛନ୍ତି। ତୃତୀୟ ଥରର କରତାଳି ରୋଳ ଭିତରେ ସେ ଚୁପଚାପ ସେଠୁ ବାହାରି ଚାଲି ଆସିଲେ।

 

ବକ୍ତାଙ୍କ ଭୀମ ଭୋଇ ଏବଂ ରବି ବାବୁଙ୍କ ଭୀମଭୋଇଙ୍କୁ ଭିତରୁ କିଏ ବଡ଼, ସେକଥା ଖାଲି ଆଖିରେ ଦେଖାଯାଏ। ଏହାକୁ ନିରପେକ୍ଷତାର ଆଢ଼ୁଆଳରେ ଦେଖିଲେ ବିବାଦଗ୍ରସ୍ତ ଦେଖାଯିବ। ସମ୍ମାନ ପୁରସ୍କାର ଆଦି ଭଲ। କିନ୍ତୁ ସେଗୁଡ଼ିକ ଦୂରଛଡ଼ା ହେଲେ ହିଁ ସୁନ୍ଦର ଦେଖା ଯାଆନ୍ତି। ୱାସିଂ ମିନ ଡିସ‌୍‍ଚାର୍ଜ ପାଣିରେ ନିଶ୍ଚୟ ନୁହେଁ। ତେଣୁ ‘ନିରପେକ୍ଷତା’ ଏକ ଅସମ୍ଭବ ଗଛର ଫଳ ଯାହାକୁ କେହି କେବେ ଦେଖି ନଥିବେ କି ଭୋଗି ନଥିବେ। ଭବଭୂତିଙ୍କ କଥା ଠିକ ବୋଲି ପ୍ରାୟ ଶହେ ବର୍ଷ ବ୍ୟବଧାନରେ ରବି ବାବୁ ଭୀମ ଭୋଇଙ୍କୁ ବୁଝିଲେ। ସାହିତ୍ୟର ସତରେ ସେମିତି ଦମ‌୍‍ ଅଛି, ଯାହା ପୁରସ୍କାରର ନଥାଇ ପାରେ। 

 

ଆମେ ଭାବୁ, ପ୍ରକୃତି ନିରପେକ୍ଷ, ନିରପେକ୍ଷ ଅନ୍ତରୀକ୍ଷ, ନିରପେକ୍ଷ ମାତାର ଜରାୟୁ। ଅଭିଶାପ ନିରପେକ୍ଷ, ଆଶା ବି ତ ନିରପେକ୍ଷ, ନିରପେକ୍ଷ ମଣିଷର ଆୟୁ।

 

ନିରପେକ୍ଷତା କାହାରି କେବେ କିଛି ଉପକାର କରେ ନାହିଁ ବା ତାହା ତା’ର ଏଜେଣ୍ଡା ବି ନୁହେଁ। ଆମେ ଯେତିକି ନିରପେକ୍ଷ, ଆମେ ପାଉଥିବା ପୁରସ୍କାର ବି ସେତିକି। ତାହା ସର୍ଜନାରେ ଖାସ କିଛି ସେବା କରେନାହିଁ। ନିଜ ଘରର ଆଇନା ପରି କାନ୍ଥ ମାଡ଼ିବସେ। ନିଜେ ନିଜ ମୁହଁ ଦେଖିବା ଲାଗି।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top