ଅନାବନା କବିତା

News Story - Posted on 2018-02-03

ରବି କାନୁନ୍‌ଗୋ

 

୧. ଅଳନ୍ଧୁ ଭିତରେ କଣା

 

ତମେ ଭାବ ଆମେ ବୁଦ୍ଦୁ ଅପଗଣ୍ଡ

କରି ଚାଲ ବାଟ ବଣା।

ସେପଟରୁ ଦୁଶେ ଝାଲ୍ସା ଝାଲ୍ସା

ଅଳନ୍ଧୁ ଭିତରେ କଣା।

 

ଗଢ଼ୁଚ ଆଇନ, ଭାଙ୍ଗୁଚ ଆଇନ

ବୋପା ସଂପତ୍ତି ପରି।

ସେ ଆଇନ ଦିନେ ଓଟାରି ଆଣିବ

ସିଂହାସନୁଁ ଚୁଟି ଧରି।

 

କୁଆମଇତା ନଳିତା ପିତା

ହେଞ୍ଜଡ଼ା ହାଟରୁ କିଣୁ ଘଇତା।

ଶିଙ୍ଘକୁ ଆଉଁସି ବଳଦ ଆଣିଚୁ

ଏବେ କାନ୍ଦୁଥା’ ଆରେ ଚଇତା।

 

୨. ମୋ’ ମଲ୍ଲୀ ଢଅପ ଲୋ

 

ମଲ୍ଲୀ ମୋ’ର ଢଅପ ଲୋ

ଯେତେ ପାରୁ ମିଛ ଗଅପ ଲୋ।

 

ଆମେ ଶିଖେଇବୁ ଓଡ଼ିଆ,

କୁଳ ଚିନ୍ତାମଣି, ଆନନ୍ଦରେ ଯେତେ ଚଢ଼ିଆ’।

 

ଏବେ ନ ମାନିଲେ ପଛକୁ ହେଜିବୁ

ଆମ ଭାଷା କେତେ ବଢ଼ିଆ!

 

ଭାଷା କଥା କିଏ ଭାବେ କି’ରେ ଭାଇ

ଦେହ ଭୋକ ନ ମେଣ୍ଟିଲେ।

 

ଭାଟ କି ବୁଝିବ ଭାଷାର ବେଦନା

ସଣ୍ଠଣାର ଜାଲ ତଳେ।

 

ଆମ ଭାଷା କେତେ ବଢ଼ିଆ।

ଯେତେ ଉଡେ଼ଇ ତୁ ଗଅପ ଲୋ ମଲ୍ଲୀ

ମନ ଯେ ଆମର ଧଡ଼ିଆ।

 

ଧଡ଼ିଆକୁ କହୁ ଚନ୍ଦ୍ରଶେଖର,

ପଡ଼ିଆକୁ କହୁ କୃଷି।

କାଳ ହସୁଅଛି ଆଗ ପଛ ଘଷି

ଓଡ଼ିଶା ଯାଉଛି ଭାସି।

 

୩. ଖପରା ମାଇଲି ନିଶ୍ଚଳ ଜଳରେ

 

ଖପରା ମାଇଲି ନିଶ୍ଚଳ ଜଳରେ

ଛାତି ଛଲକିଲା ଛାଁ।

ଅଭଡ଼ା ଖାଇ ଯେ ହଲପ କରିଛି,

ଭାଷାକୁ କରିବି ଠିଆ।

 

ଆଶାକୁ ଛନ୍ଦରେ ବାନ୍ଧି ଯେ ଗୋବିନ୍ଦ

ଭାଷାକୁ ଧରିଛି ଟେକି।

ଆରେ ମକରନ୍ଦ କି ମନ୍ଦ ଗୋବିନ୍ଦ

ଭାଷାରେ ଚାଲେନା ବାକି।

 

ମୋବାଇଲ‌୍‍ : ୯୪୩୭୧-୯୪୬୦୦


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top