ରୋକଠୋକ

News Story - Posted on 2018-02-03

ସମରେନ୍ଦ୍ର ବଳିଆରସିଂହ

 

ପ୍ରେମିକା ପଚାରିଲା, ତମର ସିଆଡେ଼ ଶୀତ କେମିତି? ମୁଁ କହିଲି, ହଁ ଅଛି ଯେ, ଆଗ ଭଳି ନାହିଁ। ସେଠୁ ପଚାରିଲା, ମାନେ?

 

ମୁଁ କହିଲି, ତମେ ଗଲାପରେ ଶୀତ ଆଉ ନାହିଁ। ସେଇ ଶୀତ କ’ଣ ଆଉ ଅଛି, ଯୋଉ ଶୀତରେ ଆସେ ଶିହରଣ। ଏବେ ଶୀତ ମୋ ପାଇଁ କେବଳ ଏକ ନିରୋଳା ଔପଚାରିକତା, କେବଳ ଏକ ଋତୁ।  ଏବେ ଦିନରେ ଜ୍ୟାକେଟ‌୍‍ ଆଉ ରାତିରେ ରେଜେଇ ଶୀତକୁ ଜବରଦସ୍ତ ଚୁପ‌୍‍ କରେଇ ଦଉଛନ୍ତି। ଆଉ କ’ଣ ସେଇ ଶୀତ ଅଛି, ଯୋଉ ଶୀତରେ ଲୋଡ଼ାପଡ଼ୁ ନଥିଲା କମ୍ୱଳ କି ରେଜେଇ। ଶୀତଦିନିଆ ପିକନିକରେ ବି ଘଂଟା ଘଂଟା ଧରି ଗାଧେଇ ହେଉଥିଲା ଫୁଙ୍ଗୁଳା ହେଇ। ଖାସ‌୍‍ ତମ ପାଇଁ, ଶୀତ ସେତେବେଳେ ମୋ ପାଇଁ ଥିଲା ଅମର ପ୍ରେମର ଏକ ଅଭୁଲା ଗୀତ। ଓଃ, ଶୀତର ସେଇ ଉଷ୍ମତା...ଭାରି ଅଭୁଲା, ଭାରି ମଧୁର।

 

ସେ: ହଁ, ସେସବୁ ଏବେ ଅତୀତ। ଏବେ ତୁମ ଭାବ ଆଉ ଭାଷା ଏତେ ରୋକଠୋକ କହିପାରୁଛନ୍ତି, ମତେ ଆଶ୍ଚର୍ଯ୍ୟ ଲାଗୁଚି। 

 

ମୁଁ: ହଁ, ଯେମିତି ତୁମେ କହିଥିଲ ରୋକଠୋକ। ଘରେ ମନା କରୁଛନ୍ତି, ଆମ ଘରେ କେହି ପ୍ରେମ ଫ୍ରେମ କରି ବାହା ହୁଅନ୍ତିନି।

 

ସେ: ଆଉ ସେକଥା ଉଖାରନି। ତାହା ମୋ ପାଇଁ ପାଲଟିଛି ପଶ୍ଚାତାପ, ବର୍ଷ ବର୍ଷ ଧରି ମୁଁ ଜଳିଚି। ଗଲାଣି ତ ଗଲା କଥାରେ ସଂଗାତ, ସେ ଏକ ଅଫେରା ଅତୀତ।

 

ମୁଁ: ହଉ ସଂଗାତ, ଏଇଠି ଥୁକୁଲ ପକଉଚି, ଶ୍ରୀମତି ଆସିଗଲେଣି..ଶୁଭରାତ୍ରି। 

 

ଏମ‌୍‍-୨୩, ବିଡିଏ କଲୋନୀ, ଖୋର୍ଦ୍ଧା-୭୫୨୦୫୫

ଶୂନ୍ୟଭାଷ: ୯୪୩୭୨୩୨୮୯୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top