୧୩ ବର୍ଷ ପରେ ବୋଫର୍ସ ଭୂତ!

News Story - Posted on 2018-02-02

ବୋଫର୍ସ ପେଡ଼ି ପୁଣି ଖୋଲିଛି ସିବିଆଇ । ଦୀର୍ଘ ୧୩ ବର୍ଷ ପରେ ସିବିଆଇ ବୋଫର୍ସ ମାମଲା ବନ୍ଦ ପାଇଁ ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିଛି । ୨୦୦୫ ମସିହାରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲା ବନ୍ଦ କରିଦେଇଥିଲେ । ବୋଫର୍ସ କମାଣ କିଣା କାରବାରରେ ୬୪ କୋଟି ଟଙ୍କାର ଦୁର୍ନୀତି ହୋଇଥିଲା ବୋଲି ୧୯୮୦ ଦଶକର ଶେଷ ଆଡ଼କୁ ଅଭିଯୋଗ ହୋଇଥିଲା । ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ରାଜୀବ ଗାନ୍ଧୀ । ଏହା ଭାରତୀୟ ରାଜନୀତିରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ।

 

ଏହି ମାମଲାର ବିଚାର କରି ଦିଲ୍ଲୀ ହାଇକୋର୍ଟ ୨୦୦୫ ମେ ୩୧ ତାରିଖରେ ହିନ୍ଦୁଜା ଭ୍ରାତାଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ରହିଥିବା ଅଭିଯୋଗକୁ ଖାରଜ କରିଦେଇଥିଲେ । ଏହା ଭିତରେ ପ୍ରାୟ ୧୩ ବର୍ଷ ବିତିଗଲାଣି । ମୋଦି ସରକାର ଦାୟିତ୍ୱ ନେବା ମଧ୍ୟ ୪ ବର୍ଷ ହୋଇଗଲାଣି । ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମ କୋର୍ଟରେ ଆବେଦନ କରିବାକୁ ସରକାରୀ ସ୍ତରରେ ବିଚାର ବିମର୍ଶ ହୋଇଥିଲା । କିନ୍ତୁ ହାଇକୋର୍ଟଙ୍କ ରାୟ ପରେ ଏତେ ବର୍ଷ ଅତିବାହିତ ହୋଇଥିବାରୁ ଆଉ ଆବେଦନ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ସରକାରଙ୍କୁ ପରାମର୍ଶ ଦେଇଥିଲେ ଆଟର୍ଣ୍ଣି ଜେନେରାଲ କେକେ ବେଣୁଗୋପାଳ ।

 

ବେଣୁଗୋପାଳ ସରକାରଙ୍କୁ ଲିଖିତ ଆକାରରେ ଜଣେଇଥିଲେ ଯେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ପରେ ୧୨ ବର୍ଷରୁ ଅଧିକ ସମୟ ଅତିବାହିତ ହୋଇଯାଇଥିବାରୁ ଆଉ ସୁପ୍ରିମ କୋର୍ଟ ଯିବାର ଆବଶ୍ୟକତା ନାହିଁ । ଯଦି ବି ସିବିଆଇ ସୁପ୍ରିମ କୋର୍ଟରେ ଏହା ବିରୋଧରେ ସ୍ୱତନ୍ତ୍ର ଆବେଦନ ବା ଏସଏଲପି ଦାଖଲ କରନ୍ତି ତାହା ଖାରଜ ହୋଇଯିବାର ସମ୍ଭାବନା ଅଧିକ । ତଥାପି ସିବିଆଇ ତରଫରୁ ସୁପ୍ରିମ କୋର୍ଟରେ ଆଜି ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ପିଟିସନ ଦାଖଲ ହୋଇଛି ।

 

ଉଲ୍ଲେଖଯୋଗ୍ୟ ଯେ ବୋଫର୍ସ ଦୁର୍ନୀତି ମାମଲାରେ ଏବି ବୋଫର୍ସ କମ୍ପାନୀର ତକ୍ରାଳୀନ ସଭାପତି ମାର୍ଟିନ ଆର୍ଦବୋ, ଦଲାଲ ଉଇନ ଚଦ୍ଧା ଏବଂ ଶିଳ୍ପପତି ହିନ୍ଦୁଜା ଭ୍ରାତାଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋଡ଼ର ଫୌଜଦାରୀ ଷଡ଼ଯନ୍ତ୍ର, ଜାଳିଆତି ଓ ଠକେଇ ଆଦି ଦଫା ଲଗାଇ ୧୯୯୦ ଜାନୁଆରୀ ୨୨ ତାରିଖରେ ଏତଲା ଦାଏର କରିଥିଲା । ତା’ ପୂର୍ବରୁ ଏହି ପ୍ରସଙ୍ଗ ଭାରତୀୟ ରାଜନୀତିର ମୋଡ଼ ବଦଳାଇ ଦେଇଥିଲା । ଏହାକୁ ପ୍ରସଙ୍ଗ କରି ବିରୋଧୀ ଦଳଗୁଡ଼ିକ ରାଜୀବ ଗାନ୍ଧୀଙ୍କ କଂଗ୍ରେସ ସରକାରକୁ ୧୯୮୯ ନିର୍ବାଚନରେ ପରାସ୍ତ କରିଥିଲେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top