ନିର୍ବାଚନୀ ବଣ୍ଡ ଗଲା ସୁପ୍ରିମ କୋର୍ଟ!

News Story - Posted on 2018-02-02

ମୋଦି ସରକାର ଆରମ୍ଭ କରିଥିôବା ନିର୍ବାଚନୀ ବଣ୍ଡ ବ୍ୟବସ୍ଥାକୁ ରଦ୍ଦ କରିବା ପାଇଁ ସୁପ୍ରିମ କୋର୍ଟରେ ଆବେଦନ କରିଛି ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି । ସୁପ୍ରିମ କୋର୍ଟ ମଧ୍ୟ ପାର୍ଟିର ଆବେଦନକୁ ବିଚାର ପାଇଁ ଗ୍ରହଣ କରିଛନ୍ତି । ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏଏମ ଖାନୱାଲିକର ଏବଂ ଡିୱାଇ ଚନ୍ଦ୍ରଚୂଡ଼ ଏହା ଉପରେ ବିଚାର କରିବେ ।

 

ଗତ ବର୍ଷ ବଜେଟରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ନିର୍ବାଚନୀ ଚାନ୍ଦା ପ୍ରକ୍ରିୟାକୁ ସ୍ୱଚ୍ଛ କରିବାର ଆଳ ଦେଖାଇ ନିର୍ବାଚନୀ ବଣ୍ଡ ବ୍ୟବସ୍ଥା ପ୍ରଚଳନ କରିଥିଲେ । ଏହି ବ୍ୟବସ୍ଥା ଅନୁସାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିର୍ବାଚନୀ ବଣ୍ଡ ଜାରି କରିବେ । ଏହାକୁ ବିଭିନ୍ନ କର୍ପୋରେଟ ସଂସ୍ଥା କିଣିପାରିବେ । ବଣ୍ଡ କିଣାଯିବାର ୧୫ ଦିନ ଭିତରେ ତାହା ଯେଉଁ ଦଳ ପାଇଁ ଉଦ୍ଦିଷ୍ଟ ସେହି ଦଳ ଖାତାକୁ ଚାଲିଯିବ । ତେବେ ଏଥିରେ ଦାତାଙ୍କ ପରିଚୟ ଜଣାପଡ଼ିବ ନାହିଁ । କେଉଁ ଲୋକ ବା ସଂସ୍ଥା କେଉଁ ଦଳକୁ କେତେ ଟଙ୍କା ଦେଲା ତାହା ଜଣାପଡ଼ିବ ନାହିଁ । ତଥାପି ଅର୍ଥମନ୍ତ୍ରୀ ଜେଟଲି ଓ ପ୍ରଧାନମନ୍ତ୍ରୀ ମୋଦି ଏହାକୁ ସ୍ୱଚ୍ଛ ବୋଲି କହିଥିଲେ । ଏହା ବିରୋଧରେ ଭାରତର ନିର୍ବାଚନ କମିଶନ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଏହା ସ୍ୱଚ୍ଛତା ପରିବର୍ତ୍ତେ ପୁରୁଣା ବ୍ୟବସ୍ଥାକୁ ପଶ୍ଚାତଗତି ବୋଲି କମିଶନ କହିଥିଲେ । ବିରୋଧୀ ଦଳଗୁଡ଼ିକ ମଧ୍ୟ ଏହି ବ୍ୟବସ୍ଥାକୁ ବିରୋଧ କରିଥିଲେ ।

 

ଏବେ ସୁପ୍ରିମ କୋର୍ଟରେ ଦାଖଲ ହୋଇଥିôବା ପିଟିସନରେ ସିପିଏମ ଦଳ ପକ୍ଷରୁ ଏହି ବ୍ୟବସ୍ଥାକୁ ରଦ୍ଦ କରି ଏକ ନୂଆ ବ୍ୟବସ୍ଥା ସଂପର୍କରେ ପ୍ରସ୍ତାବ ଦିଆଯାଇଛି । ଦଳ ଦାବି କରିଛି ଯେ ଯଦି ନିବାଚନକୁ ସ୍ୱଚ୍ଛ କରିବା ପାଇଁ ନିର୍ବାଚନ କମିଶନଙ୍କୁ କର୍ପୋରେଟ ସଂସ୍ଥାଗୁଡ଼ିକ ଚାନ୍ଦା ଦିଅନ୍ତୁ । ଏହି ଚାନ୍ଦାକୁ କମିଶନ ତଦାରଖ କରିପାରିବେ । ନିର୍ବାଚନ କମିଶନ ଜାଣିପାରିବେ କେଉଁ ଦଳକୁ କେଉଁ କର୍ପୋରେଟ ସଂସ୍ଥା କେତେ ଟଙ୍କା ଦେଲେ । କିନ୍ତୁ ବଣ୍ଡ ବ୍ୟବସ୍ଥା ନିର୍ବାଚନୀ ଚାନ୍ଦାରେ ରହିଥିବା ଯତକିଞ୍ଚିତ ସ୍ୱଚ୍ଛତାକୁ ଧ୍ୱଂସ କରିଦେବ । ଏହି ବ୍ୟବସ୍ଥାରେ କେବଳ ସରକାର ଓ କର୍ପୋରେଟ ସଂସ୍ଥା ବଣ୍ଡ ପରିମାଣ ସଂପର୍କରେ ଜାଣିପାରିବେ ।

 

ସିପିଏମ ସାଧାରଣ ସଂପାଦକ ସୀତାରାମ ୟେଚୁରୀ ନିଜେ ଓ ଦଳ ତରଫରୁ ସୁପ୍ରିମ କୋର୍ଟରେ ଏହି ପିଟିସନ ଦାଖଲ କରିଛନ୍ତି । ସେ ପିଟିସନରେ ଉଲ୍ଲେଖ କରିଛନ୍ତି ସରକାର ଏପରି ଏକ ଅସ୍ୱଚ୍ଛ ନିର୍ବାଚନୀ ବଣ୍ଡ ବ୍ୟବସ୍ଥା ପ୍ରଚଳନ କରିବା ପରେ ସେ ଓ ଅନ୍ୟ କେତେକ ଦଳ ତାହାକୁ ସଂସଦରେ ବିରୋଧ କରିଥିଲେ । ରାଜ୍ୟସଭାରେ ଅନେକ ସଂଶୋଧନ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଲୋକସଭାରେ ସରକାରଙ୍କର ସଂଖ୍ୟାବଳ ଥିବାରୁ ସଂଶୋଧନ ପ୍ରସ୍ତାବଗୁଡ଼ିକ କାଟ ଖାଇ ଯାଇଥିଲା । ତେଣୁ ଏବେ ସୁପ୍ରିମ କୋର୍ଟରେ ଆବେଦନ କରିବାକୁ ଦଳ ବାଧ୍ୟ ହୋଇଛି । ବଣ୍ଡ ବ୍ୟବସ୍ଥାରେ ଥିବା ଦାତାଙ୍କ ପରିଚୟ ଗୋପନ ରହିବା ଧାରା ନିର୍ବାଚନୀ ଚାନ୍ଦାକୁ ଅସ୍ୱଚ୍ଛ କରିବା ସଙ୍ଗେସଙ୍ଗେ ତାହା ଗଣତନ୍ତ୍ର ପାଇଁ ଖରାପ ସାବ୍ୟସ୍ତ ହେବ ବୋଲି ୟେଚୁରୀ ଯୁକ୍ତି କରିଛନ୍ତି ।

 

ମୋଦି ସରକାର ପ୍ରଚଳନ କରିଥିବା ବ୍ୟବସ୍ଥା ଅନୁସାରେ କର୍ପୋରେଟ ସଂସ୍ଥାଗୁଡ଼ିକ ଷ୍ଟେଟ ବ୍ୟାଙ୍କର କେତେକ ନିର୍ଦ୍ଦିଷ୍ଟ ଶାଖାରେ ୧୦୦୦, ୧୦ ହଜାର, ୧ ଲକ୍ଷ, ୧୦ ଲକ୍ଷ ଓ ୧ କୋଟି ଟଙ୍କା ମୂଲ୍ୟର ନିର୍ବାଚନୀ ବଣ୍ଡ କିଣିପାରିବେ । ତାହାକୁ ସେମାନେ ସେମାନଙ୍କର ପସନ୍ଦର ପାର୍ଟିକୁ ଦେବେ ଏବଂ ପାର୍ଟିର ଖାତାକୁ ଏହା ୧୫ ଦିନ ଭିତରେ ହସ୍ତାନ୍ତର ହୋଇଯିବ । କିନ୍ତୁ ବଣ୍ଡ କିଏ କିଣିଲା ତାହାର ରେକର୍ଡ଼ ରହିବ ନାହିଁ । ସଦ୍ୟତମ ଲୋକସଭା ନିର୍ବାଚନରେ ଯେଉଁ ପଂଜୀକୃତ ଦଳ ୧ ପ୍ରତିଶତ ଭୋଟ ପାଇଥିବେ ସେହି ଦଳଗୁଡ଼ିକୁ ନିର୍ବାଚନ କମିଶନ ଏକ ଆକାଉଣ୍ଟ ପ୍ରଦାନ କରିବେ । ସେହି ଆକାଉଣ୍ଟକୁ ଏହି ଟଙ୍କା ହସ୍ତାନ୍ତର କରାଯିବ । କିନ୍ତୁ କମିଶନ ବି ଏହି ପାଣ୍ଠି କେଉଁ ସୂତ୍ରରୁ ଆସିଲା ତାହା ଜାଣିପାରିବେ ନାହିଁ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top