ଖର୍ଚ୍ଚର ଦେଢ଼ ଗୁଣା ହେବ ଏମଏସପି

News Story - Posted on 2018-02-01

କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଅରୁଣ ଜେଟଲୀ ଆଜି ସଂସଦରେ ସାଧାରଣ ବଜେଟ ୨୦୧୮-୧୯ ଉପସ୍ଥାପନ କରି କହିଥିଲେ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅର୍ଥାତ ୨୦୨୨ ବେଳକୁ କୃଷକଙ୍କ ଆୟ ଦୁଇଗୁଣା କରିବା ଲାଗି ଆହ୍ୱାନ ଦେଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ସାଧାରଣ ବଜେଟ ୨୦୧୮-୧୯ରେ କୃଷି କ୍ଷେତ୍ର ଲାଗି ଅନେକ ନୂଆ ଯୋଜନାର ଘୋଷଣା କରାଯାଇଛି । ସରକାର କୃଷିକୁ ଏକ ଉଦ୍ୟୋଗ ଭାବେ ବିବେଚନା କରୁଛନ୍ତି । ସେମାନେ ଯେପରି କମ ଖର୍ଚ୍ଚରେ ସମାନ ଜମିରୁ ବହୁଗୁଣ ଅଧିକ ଅମଳ ପାଇପାରିବେ ଏବଂ ନିଜ ଉତ୍ପାଦିତ ଫସଲକୁ ଅଧିକ ଦାମରେ ବିକ୍ରି କରିପାରିବେ ସେ ନେଇ ସରକାର ଯୋଜନା କରିଛନ୍ତି ।

 

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାର ବର୍ତ୍ତମାନ ସୁଦ୍ଧା ସମସ୍ତ ଅଘୋଷିତ ଖରିଫ ଫସଲ ପାଇଁ ଉତ୍ପାଦନ ବ୍ୟୟଠାରୁ ସର୍ବନିମ୍ନ ଦେଢ଼ଗୁଣା ଏମଏସପି (ସର୍ବନିମ୍ନ ସହାୟକ ମୂଲ୍ୟ) ନିର୍ଦ୍ଧାରଣ କରିବା ଲାଗି ନିଷ୍ପତି ନେଇଛନ୍ତି । ଏହି ନିଷ୍ପତି ଦେଶର କୃଷକମାନଙ୍କ ଆୟ ଦୁଇଗୁଣା କରିବା ଦିଗରେ ଏକ ଗୁରୁତ୍ୱ ପଦକ୍ଷେପ । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସହିତ ବିଚାରବିମର୍ଶ କରାଯାଇ ନୀତି ଆୟୋଗ ଏକ ପ୍ରଭାବୀ ବ୍ୟବସ୍ଥା ନିର୍ଦ୍ଧାରଣ କରିବେ, ଯାହାଦ୍ୱାରା କୃଷକମାନଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ପର୍ଯ୍ୟାପ୍ତ ଦାମ ମିଳିପାରିବ ।

 

ସରକାର କୃଷି କ୍ଷେତ୍ର ଲାଗି ସଂସ୍ଥାଗତ ଋଣକୁ ୨୦୧୭-୧୮ ବର୍ଷ ଲାଗି ୧୦ ଲକ୍ଷ କୋଟି ଟଙ୍କାରୁ ବୃଦ୍ଧି କରି ୨୦୧୮-୧୯ ବର୍ଷ ପାଇଁ ୧୧ ଲକ୍ଷ କୋଟି ଟଙ୍କା କରିବା ନିମନ୍ତେ ଘୋଷଣା କରିଛନ୍ତି । ସରକାରଙ୍କ ସଂକଳ୍ପକୁ ଆଗେଇ ନେବା ଲାଗି ଅର୍ଥମନ୍ତ୍ରୀ ୨୦୧୮-୧୯ ବଜେଟରେ ୫୦୦ କୋଟି ଟଙ୍କାର ବ୍ୟୟବରାଦ ସହିତ ‘ଅପରେସନ ଗ୍ରୀନ୍ସ’ ଶୁଭାରମ୍ଭ କରିବା ଲାଗି ଘୋଷଣା କରିଥିଲେ । ଏହାଦ୍ୱାରା ଶୀଘ୍ର ନଷ୍ଟ ହୋଇଯାଉଥିବା ଫସଲ ଯେପରିକି ଆଳୁ, ଟମାଟୋ ଏବଂ ପିଆଜର ମୂଲ୍ୟରେ ଦ୍ରୁତ ହ୍ରାସବୃଦ୍ଧି ସମସ୍ୟାର ମୁକାବିଲା କରାଯାଇପାରିବ । ‘ଅପରେସନ ଫ୍ଲଡ’ ଆଧାରରେ ଆରମ୍ଭ କରାଯାଇଥିବା ‘ଅପରେସନ ଗ୍ରୀନ୍ସ’ ଏହି କ୍ଷେତ୍ରରେ କୃଷକ ଉତ୍ପାଦକ ସଂଗଠନ (ଏଫପିଓ), କୃଷି ଲଜିଷ୍ଟିକ୍ସ, ପ୍ରକ୍ରିୟାକରଣ ସୁବିଧା ଏବଂ ପ୍ରଫେସନାଲ ପରିଚାଳନାକୁ ପ୍ରୋତ୍ସାହନ ଦେବ । ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ବ୍ୟବସାୟ କରୁଥିବା କୃଷି ଉତ୍ପାଦକ କମ୍ପାନୀ (ଏଫପିସି)ଗୁଡ଼ିକୁ ମିଳୁଥିବା ଲାଭ ଉପରେ ପାଂଚ ବର୍ଷର ଅବଧି ପର୍ଯ୍ୟନ୍ତ ୧୦୦ ପ୍ରତିଶତ ଟିକସ ଛାଡ଼ ହୋଇଛି । ଏହାର ଆରମ୍ଭ ୨୦୧୮-୧୯ ବର୍ଷଠାରୁ ହେବ ।

 

ଏଥିସହିତ ସରକାର ବ୍ୟାପକ ପରିମାଣରେ ଜୈବିକ କୃଷିକୁ ପ୍ରୋତ୍ସାହନ ଦେଇଛନ୍ତି । ବୃହତ କ୍ଲଷ୍ଟର, ବିଶେଷ କରି ପ୍ରତ୍ୟେକ ୧ ହଜାର ହେକ୍ଟରରେ ପରିବ୍ୟାପ୍ତ କ୍ଲଷ୍ଟରରେ କୃଷକ ଉତ୍ପାଦକ ସଂଗଠନ (ଏଫପିଓ) ଏବଂ ଗ୍ରାମୀଣ ଉତ୍ପାଦକ ସଂଗଠନ (ବିପିଓ)ରେ ଜୈବିକ କୃଷିକୁ ପ୍ରୋତ୍ସାହନ ଦିଆଯିବ । ଜାତୀୟ ଗ୍ରାମୀଣ ଜୀବିକା କାର୍ଯ୍ୟକ୍ରମ ଅନ୍ତର୍ଗତ କ୍ଲଷ୍ଟରରେ ଜୈବିକ କୃଷି କରିବା ଲାଗି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଗୁଡ଼ିକୁ ମଧ୍ୟ ପ୍ରୋତ୍ସାହନ ଦିଆଯିବ । ମନ୍ତ୍ରୀ କହିଥିଲେ ଯେ ଅତି ସ୍ୱତନ୍ତ୍ର ଔଷଧ ଏବଂ ସୁଗନ୍ଧିତ ଗଛର ସଂଗଠିତ କୃଷିରେ ସହାୟତା କରିବା ଏବଂ ଅତର, ଆବଶ୍ୟକ ତେଲ ଏବଂ ଅନ୍ୟ ତତସଂକ୍ରାନ୍ତୀୟ ସାମଗ୍ରୀର ଉତ୍ପାଦନ କରୁଥିବା କ୍ଷୁଦ୍ର ଏବଂ କୁଟୀର ଶିଳ୍ପଗୁଡ଼ିକୁ ସହାୟତା କରିବା ଲାଗି ୨୦୦ କୋଟି ଟଙ୍କା ଆବଂଟନ କରାଯାଇଛି ।

 

ବର୍ତ୍ତମାନ ଥିବା ୨୨ ହଜାର ଗ୍ରାମାଂଚଳ ହାଟଗୁଡ଼ିକୁ ଗ୍ରାମାଂଚଳ କୃଷି ବଜାର (ଗ୍ରାମ) ରୂପରେ ବିକଶିତ କରାଯିବା ଲାଗି ଘୋଷଣା କରି ଅର୍ଥମନ୍ତ୍ରୀ କହିଥିଲେ ଯେ ଭାରତରେ ୮୬ ପ୍ରତିଶରୁ ଅଧିକ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଅଛନ୍ତି ଯେଉଁମାନେ ସିଧାସଳଖ ଏପିଏମସି ଏବଂ ଅନ୍ୟ ପାଇକାରୀ ବଜାରରେ କାରବାର କରିବା ସ୍ଥିତିରେ ସବୁବେଳେ ନଥା’ନ୍ତି । ଏହି ‘ଗ୍ରାମ’ରେ ମନରେଗା ତଥା ଅନ୍ୟ ସରକାରୀ ଯୋଜନାର ଉପଯୋଗ କରି ଭୌତିକ ସର୍ବନିମ୍ନ ଭିତିଭୂମି ସୁବିଧାର ଉନ୍ନତିକରଣ କରାଯିବ ଏବଂ ସେଗୁଡ଼ିକୁ ଇଲେକଟ୍ରୋନିକ ରୂପରେ ଇ-ନାମ ସହ ଯୋଡ଼ାଯିବ । ଏଥିସହିତ ଏପିଏମସିକୁ ନିୟନ୍ତ୍ରଣ ବାହାରେ ରଖାଯିବ । ଶ୍ରୀ ଜେଟଲୀ କହିଥିଲେ ଯେ ଏହାଦ୍ୱାରା ଚାଷୀମାନେ ସିଧାସଳଖ ଉପଭୋକ୍ତା ଏବଂ ଅଧିକ କ୍ରୟ କରୁଥିବା ଲୋକମାନଙ୍କୁ ନିଜ ଉତ୍ପାଦିତ ଫସଲ ବିକ୍ରି କରିପାରିବେ ।

 

ଗତ ବଜେଟରେ ସରକାର ଇ-ନାମକୁ ସୁଦୃଢ଼ କରିବା ଏବଂ ୫୮୫ ଏପିଏମସିରେ ଇ-ନାମର କଭରେଜ ବଢ଼ାଇବା ଲାଗି ଘୋଷଣା କରିଥିଲେ । ଏଥିମଧ୍ୟରୁ ୪୭୦ ଏପିଏମସିକୁ ଇ-ନାମ ନେଟୱାର୍କ ସହ ଯୋଡ଼ିଦିଆଯାଇଛି ଏବଂ ଅବଶିଷ୍ଟ ଏପିଏମସିକୁ ମାର୍ଚ୍ଚ ୨୦୧୮ ସୁଦ୍ଧା ଏହା ସହ ଯୋଡ଼ିଦିଆଯିବ । ଏହାବ୍ୟତୀତ ୨୨ ହଜାର ଗ୍ରାମୀଣ କୃଷି ବଜାର (ଗ୍ରାମ) ଏବଂ ୫୮୫ ଏପିଏମସିରେ କୃଷି ବିପଣନ ସହ ସମ୍ବନ୍ଧୀୟ ମୌଳିକ ଢାଂଚା ବିକଶିତ କରିବା ଲାଗି ୨ ହଜାର କୋଟି ଟଙ୍କାର ଅର୍ଥରାଶି ବିଶିଷ୍ଟ କୃଷିବଜାର ଢାଂଚାଗତ ପାଣ୍ଠି ବ୍ୟବସ୍ଥା କରାଯିବ ।

 

ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ଲାଗି ଆବଂଟନ ୨୦୧୭-୧୮ ବର୍ଷ ଲାଗି ୭୧୫ କୋଟି ଟଙ୍କାର ସଂଶୋଧିତ ଅନୁମାନଠାରୁ ଦୁଇଗୁଣା କରିଦିଆଯାଇଛି । ୨୦୧୮-୧୯ ବର୍ଷର ବଜେଟରେ ଏଥିପାଇଁ ୧୪୦୦ କୋଟି ଟଙ୍କା ଆବଂଟନ କରାଯାଇଛି । ଏହି କ୍ଷେତ୍ର ହାରାହାରୀ ୮ ପ୍ରତିଶତ ବାର୍ଷିକ ଅଭିବୃଦ୍ଧି ହାର ସହିତ ଆଗକୁ ବଢ଼ୁଛି । ମନ୍ତ୍ରୀ କହିଥିଲେ ଯେ ସମସ୍ତ ୪୨ଟି ମେଗା ଫୁଡପାର୍କରେ ପରୀକ୍ଷଣର ଅତ୍ୟାଧୁନିକ ସୁବିଧା କରାଯିବ ।

 

ମାଛ ଚାଷ ଏବଂ ପଶୁ ପାଳନ କ୍ଷେତ୍ରର ଛୋଟ ଏବଂ ନାମମାତ୍ର ଚାଷୀଙ୍କ କାର୍ଯ୍ୟଶୀଳ ପୁଞ୍ଜି ଆବଶ୍ୟକତା ପୂରଣରେ ସହାୟତା ଲାଗି କିଷାନ କ୍ରେଡିଟ କାର୍ଡ (କେସିସି) ସୁବିଧା ଦିଆଯିବ । ଏଥିରେ ପଶୁ, ମଇଁଷି, ଛେଳି, ମେଣ୍ଢା, କୁକୁଡ଼ା ଏବଂ ମାଛ ଚାଷ ଲାଗି କୃଷି ଋଣ ଏବଂ ସୁଧ ସବସିଡିର ଲାଭ ମିଳିବ । ବର୍ତ୍ତମାନ ସୁଦ୍ଧା ଏହି ସୁବିଧା କେବଳ କୃଷି କ୍ଷେତ୍ର ପାଇଁ ଉପଲବ୍ଧ ଥିଲା । ଏହାବ୍ୟତୀତ ମତ୍ସ୍ୟ ଚାଷ ଏବଂ ଜଳୀୟ କୃଷି ମୌଳିକ ଭିତ୍ତିଭୂମି ବିକାଶ ପାଣ୍ଠି (ଏଫଏଆଇଡିଏଫ) ଏବଂ ପଶୁପାଳନ ମୌଳିକ ଭିତ୍ତିଭୂମି ବିକାଶ ପାଣ୍ଠି (ଏଏଚଆଇଡିଏଫ) ପ୍ରତିଷ୍ଠା କରିବା ଲାଗି ଅର୍ଥମନ୍ତ୍ରୀ ଘୋଷଣା କରିଥିଲେ ।

 

ବାଉଁଶକୁ ‘ସବୁଜ ସୁନା’ର ସଂଜ୍ଞା ଦେଇ ୧୨୯୦ କୋଟି ଟଙ୍କାର ପୁନର୍ଗଠିତ ଜାତୀୟ ବାଉଁଶ ମିଶନର ଶୁଭାରମ୍ଭ ହେବ । ବାଉଁଶ ଉତ୍ପାଦକମାନଙ୍କୁ ଉପଭୋକ୍ତାମାନଙ୍କ ସହ ଯୋଡ଼ିହେବା, ସଂଗ୍ରହ, ଏକତ୍ରୀକରଣ, ପ୍ରକ୍ରିୟାକରଣ ଏବଂ ବିପଣନ ଲାଗି ସୁବିଧା ସୃଷ୍ଟି, ଏମଏସଏମଇ, ଦକ୍ଷତା ନିର୍ମାଣ ଏବଂ ବ୍ରାଣ୍ଡ ନିର୍ମାଣ ଉପରେ ଫୋକସ ହେବାର ଫଳସ୍ୱରପ ଏହି ଘୋଷଣା କୃଷକଙ୍କ ପାଇଁ ଅତିରିକ୍ତ ଆୟ ଏବଂ ବିଶେଷ କରି ଗ୍ରାମୀଣ କ୍ଷେତ୍ରରେ କୁଶଳୀ ଏବଂ ଅଣକୁଶଳୀ ଯୁବକମାନଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ।

 

ଦିଲ୍ଲୀ-ଏନସିଆର କ୍ଷେତ୍ରରେ ବାୟୁ ପ୍ରଦୂଷଣ ଆହ୍ୱାନ ସହ ମୁକାବିଲା କରିବା ଲାଗି ହରିଆଣା, ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀ ସରକାରଙ୍କ ପ୍ରୟାସରେ ଆବଶ୍ୟକ ସହାୟତା କରିବା ଏବଂ ଜମିରେ ହିଁ ଫସଲକୁ ପଚାଇବାର ବ୍ୟବସ୍ଥା ଲାଗି ଆବଶ୍ୟକ ମେସିନାରୀ ଉପରେ ସବସିଡି ଦେବା ଲାଗି ଏକ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ କରାଯିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top