୨୪.୪୨ ଲକ୍ଷ କୋଟି ଟଙ୍କାର ବଜେଟ

News Story - Posted on 2018-02-01

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଗୁରୁବାର ଲୋକସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ଲାଗି ନୂତନ ବଜେଟ ଉପସ୍ଥାପନ କରିଛନ୍ତି । ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରି ଭାରତକୁ ବିଶ୍ୱର ଏକ ଅଗ୍ରଣୀ ରାଷ୍ଟ୍ରରେ ପରିଣତ କରିବା ଲାଗି ବଜେଟରେ ୨୪,୪୨,୨୧୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ତେବେ ବଜେଟରେ ରାଜକୋଷୀୟ ନିଅଂଟ ମୋଟ ଜିଡିପିର ୩.୩ ପ୍ରତିଶତ ହେବ ବୋଲି ସେ ଆକଳନ କରିଛନ୍ତି । ଶ୍ରୀ ଜେଟଲୀ ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି ଯେ, ଚଳିତ ୨୦୧୭-୧୮ ବର୍ଷର ୧୫, ଜାନୁଆରୀ ୨୦୧୮ ସୁଦ୍ଧା ପ୍ରତ୍ୟକ୍ଷ କର ଆଦାୟ ୧୨.୬ ପ୍ରତିଶତ ଏବଂ ପରୋକ୍ଷ କର ଆଦାୟ ୧୮.୭ ପ୍ରତିଶତ ଅଭିବୃଦ୍ଧି ଘଟିଛି । ବସ୍ତୁ ଓ ସେବା କର ପ୍ରଚଳନ ଦ୍ୱାରା ଦେଶରେ ପରୋକ୍ଷ ଟିକସ ବ୍ୟବସ୍ଥାରେ ସଂସ୍କାର ଅଣାଯାଇଛି ଏବଂ ଧୀରେ ଧୀରେ ଟିକସ ଆଦାୟ ସୁସଂହତ ହେଉଛି ।

 

ନୂତନ ବଜେଟରେ କୃଷି, ଆନୁସଙ୍ଗିକ କ୍ଷେତ୍ର, ଗ୍ରାମ୍ୟ ବିକାଶ, ଗ୍ରାମ୍ୟ ଭିତ୍ତିଭୂମି, ସାମାଜିକ ସୁରକ୍ଷା, ଶିକ୍ଷା ଓ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ୧୧ ଲକ୍ଷ କୋଟି ଟଙ୍କାର କୃଷି ଋଣ ପ୍ରଦାନ ପ୍ରସ୍ତାବ ବିଷୟ ଘୋଷଣା କରିଛନ୍ତି । ସବୁ ଫସଲକୁ ଏଣିକି ଏମଏସପି ବା ସର୍ବନିମ୍ନ ସମର୍ଥନ ମୂଲ୍ୟ ଢ଼ାଂଚା ମଧ୍ୟକୁ ଅଣାଯିବ ଏବଂ ଫସଲର ସହାୟକ ମୂଲ୍ୟ ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣକୁ ବୃଦ୍ଧି ପାଇବ । ଜୈବିକ କୃଷି ଉପରେ ଗୁରୁତ୍ୱ ଦେଇ ଏଥିଲାଗି ୨୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବଜେଟରେ ୬୩,୮୩୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଦେଶର ୨୨ ହଜାର ଗ୍ରାମ୍ୟ ହାଟକୁ ସ୍ଥାୟୀ କୃଷି ବଜାର ରୂପେ ବିକଶିତ କରାଯାଇ ଏସବୁକୁ ଇ-ନାମ ସହ ଯୋଡ଼ାଯିବ । ବର୍ତ୍ତମାନ ୪୭୦ ମଣ୍ଡିକୁ ଇ-ନାମ ସହ ଯୋଡ଼ାଯାଇଥିବା ବେଳେ ମାର୍ଚ୍ଚ ୨୦୧୮ ସୁଦ୍ଧା ୫୮୫ ମଣ୍ଡିକୁ ଏଥିରେ ସାମିଲ କରାଯିବ । ଦେଶରେ ମାଛ ଚାଷ ଓ ପଶୁପାଳନକୁ ପ୍ରୋତ୍ସାହିତ କରିବା ଲାଗି ଦୁଇଟି ନୂଆ ପାଣ୍ଠି ଗଠନ କରାଯିବ । ଏଥିଲାଗି ୧୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏଣିକି ଚାଷୀମାନଙ୍କୁ କିଷାନ କ୍ରେଡିଟ କାର୍ଡ ଜରିଆରେ ମାଛ ଚାଷ ଓ ପଶୁପାଳନ ଲାଗି ଋଣ ସହାୟତା ମିଳିବ । ଦେଶରେ ୪୨ଟି ମେଗା ଖାଦ୍ୟ ପାର୍କ ପ୍ରତିଷ୍ଠାର ପ୍ରସ୍ତାବ ରହିଛି । ଖାଦ୍ୟ ଉତ୍ପାଦ କାରବାର କରୁଥିବା ସଂସ୍ଥାକୁ ଶତ ପ୍ରତିଶତ ଟିକସ ରିହାତି ପ୍ରଦାନର ପ୍ରସ୍ତାବ ରହିଛି । ବିଶେଷକରି ଅପରେସନ ଗ୍ରୀନ ଅଭିଯାନ ମାଧ୍ୟମରେ ଖାଦ୍ୟ ଉତ୍ପାଦର ସଂରକ୍ଷଣ ପାଇଁ ୫୦୦ କୋଟି ଟଙ୍କା ବ୍ୟୟ କରାଯିବ । ଦେଶରେ କୃଷି ଉତ୍ପାଦ ରପ୍ତାନୀକୁ ୧୦୦୦୦ କୋଟି ଡଲାରରେ ପହଂଚାଇବା ଲାଗି ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

 

ଦେଶର ୧୧୫ ଅନଗ୍ରସର ଜିଲ୍ଲାକୁ ନିରନ୍ତର ବିକାଶ ଜରିଆରେ ଆଦର୍ଶ ଜିଲ୍ଲା ଭାବେ ବିକଶିତ କରାଯିବ । ୮ କୋଟି ବିପିଏଲ ପରିବାରର ମହିଳାଙ୍କୁ ଉଜ୍ଜଳା ଯୋଜନା ଅଧୀନରେ ମାଗଣାରେ ଏଲପିଜି ସଂଯୋଗ ପ୍ରଦାନ କରାଯିବ । ସୌଭାଗ୍ୟ ଯୋଜନାରେ ୪ କୋଟି ଗରିବ ପରିବାରକୁ ମାଗାଣାରେ ବିଜୁଳି ସଂଯୋଗ ଦିଆଯିବ । ସ୍ୱଚ୍ଛ ଭାରତ ମିଶନ ଅଧୀନରେ ବର୍ତ୍ତମାନ ସୁଦ୍ଧା ୬ କୋଟି ଶୌଚାଳୟ ନିର୍ମିତ ହୋଇଥିବା ବେଳେ ୨୦୧୮-୧୯ ବର୍ଷରେ ୧.୮୮ କୋଟି ଶୌଚାଳୟ ନିର୍ମାଣର ଯୋଜନା ରହିଛି । ୨୦୨୨ ସୁଦ୍ଧା ସମସ୍ତଙ୍କୁ ଘର ଯୋଗାଇ ଦେବା ଲକ୍ଷ୍ୟ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ଆଉ ୫୧ ଲକ୍ଷ ଘର ନିର୍ମାଣର ପ୍ରସ୍ତାବ ରଖିଛନ୍ତି । ଚଳିତ ଆର୍ଥିକ ବର୍ଷରେ ୫୧ ଲକ୍ଷ ଘର ନିର୍ମାଣ ଚାଲୁ ରହିଛି ।

 

ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଜାତୀୟ ଗ୍ରାମୀଣ ଜୀବିକା ନିର୍ବାହ ଅଧୀନରେ ୫୭୫୦ କୋଟି ଟଙ୍କା ବ୍ୟୟ ପ୍ରସ୍ତାବ ରହିଛି । ଭୂତଳ ଜଳ ସଂଚାରଣ ଯୋଜନା ଅଧିନରେ ୨୬୦୦ କୋଟି ଟଙ୍କା ବ୍ୟୟ କରାଯିବ । ଗ୍ରାମ୍ୟ ଭିତ୍ତିଭୂମି ତଥା ସଂରଚନା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ୧୪.୩୪ ଲକ୍ଷ କୋଟି ଟଙ୍କା ବିନିଯୋଗ ପ୍ରସ୍ତାବ ରହିଛି । ଏହା ଅଧୀନରେ ବିଭିନ୍ନ ସ୍ଥାୟୀ ଭିତ୍ତିଭୂମି ନିର୍ମାଣ ସହ ପ୍ରାୟ ୨ କୋଟି ଶୌଚାଳୟ, ୫୧ ଲକ୍ଷ ଆବାସ, ୧.୭୫ କୋଟି ଗରିବ ପରିବାରକୁ ବିଜୁଳି ସଂଯୋଗର ଯୋଜନା କରାଯାଇଛି । ରାଷ୍ଟ୍ରୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ପାଇଁ ୯୯୭୫ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରାଷ୍ଟ୍ରୀୟ ବାଉଁଶ ମିଶନ ପାଇଁ ୧୨୯୦ କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି ।

 

ଶ୍ରୀ ଜେଟଲୀ କହିଥିଲେ ଯେ, ଶିକ୍ଷକମାନଙ୍କ ପାଇଁ ଏକୀକୃତ ବିଇଡି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ଆଦିବାସୀ ବହୁଳ ଅଂଚଳରେ ପିଲାମାନଙ୍କର ଶିକ୍ଷା ଦୀକ୍ଷା ପାଇଁ ଅଧିକରୁ ଅଧିକ ଏକଲବ୍ୟ ଆବାସିକ ବିଦ୍ୟାଳୟମାନ ନିର୍ମାଣ କରାଯିବ । ଉଚ୍ଚ ଶିକ୍ଷାର ଭିତ୍ତିଭୂମି ଢ଼ାଂଚା ଓ ବ୍ୟବସ୍ଥାଗତ ଉନ୍ନତି ପାଇଁ ରାଇଜ୍ ଯୋଜନାରେ ଆଗାମୀ ୪ ବର୍ଷ ମଧ୍ୟରେ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ କରାଯିବ । ନିର୍ମାଣ ଢ଼ାଂଚାକୁ ଆଧୁନିକ ଢ଼ଙ୍ଗରେ ଗଢ଼ିବା ଲାଗି ଦେଶରେ ୧୮ଟି ନୂତନ ପ୍ଲାନିଂ ଓ ଆର୍କିଟେକ୍ଚର ସଂସ୍ଥାନ ପ୍ରତିଷ୍ଠା କରାଯିବ । ଗବେଷଣାକୁ ପ୍ରୋତ୍ସାହିତ କରିବା ଲାଗି ପ୍ରଧାନମନ୍ତ୍ରୀ ଅନୁସନ୍ଧାନ ଓ ଅଧ୍ୟୟନ କେନ୍ଦ୍ର ପ୍ରତିଷ୍ଠା ହେବ । ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ପାଇଁ ନୂତନ ବଜେଟରେ ୩.୦୭୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଭାରତ ନେଟ କାର୍ଯ୍ୟକ୍ରମ ଜରିଆରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଗ୍ରାମ ପଂଚାୟତକୁ ଯୋଡ଼ାଯାଇଥିବା ବେଳେ ସମୟାନୁସାରେ ବାକି ପଂଚାୟତଗୁଡ଼ିକୁ ଯୋଡ଼ାଯିବ । ସ୍ୱଦେଶୀ ଜ୍ଞାନ କୌଶଳ ଆଧାରିତ ୫ଜି ଟେକ୍ନୋଲଜିର ବିକାଶ ପାଇଁ ଚେନ୍ନାଇରେ ଆଧୁନିକ ଗବେଷଣାଗାର ପ୍ରତିଷ୍ଠା ହେବ । କୃତ୍ରିମ ଜ୍ଞାନ ବା ଆର୍ଟିଫିସିଏଲ ଇଂଟେଲିଜେନ୍ସର ଜ୍ଞାନ କୌଶଳ ବିକାଶ ପାଇଁ ଏକ ଜାତୀୟ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ସେହିପରି ଦୂର ଦୂରାନ୍ତ ଅଂଚଳରେ ଶିକ୍ଷାର ପ୍ରସାର ପାଇଁ ଇ-ବ୍ଲାକ ବୋର୍ଡ କାର୍ଯ୍ୟକ୍ରମ ଆରମ୍ଭ କରାଯିବାର ପ୍ରସ୍ତାବ ରହିଛି ।

 

ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସୁସ୍ଥ ଭାରତ ଦ୍ୱାରା ଏକ ସବଳ ଓ ସଶକ୍ତ ଭାରତ ନିର୍ମାଣ ହୋଇପାରିବ । ଏହି ଆଭିମୁଖ୍ୟ ନେଇ ଆୟୁଷ୍ମାନ ଭାରତ ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ନାମକ ଦୁଇଟି ଜାତୀୟ ଯୋଜନା ଆରମ୍ଭ କରାଯିବ । ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମ ଅଧୀନରେ ଦେଶର ପ୍ରାୟ ୧.୫ ଲକ୍ଷ ପ୍ରାଥମିକ, ମଧ୍ୟମ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ତଥା ଜିଲ୍ଲା ହସ୍ପିଟାଲକୁ ସାମିଲ କରାଯିବ । ସେଥିରେ ୧୨୦୦ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରହିଛି । ନୂତନ କାର୍ଯ୍ୟକ୍ରମ ଜରିଆରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟର ଯତ୍ନକୁ ଅଗ୍ରାଧିକାର ଦିଆଯିବ । ହସ୍ପିଟାଲଗୁଡିକରେ ଯେପରି ସବୁ ପ୍ରକାର ଔଷଧ ଲୋକଙ୍କୁ ଉପଲବ୍ଧ ହେବ ସେଥିଲାଗି ବ୍ୟବସ୍ଥା କରାଯିବ । ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ୧୦ କୋଟି ଗରିବ ଓ ଦୁର୍ବଳ ପରିବାରକୁ ସାମିଲ କରାଯିବ । ଏହାଦ୍ୱାରା ପ୍ରାୟ ୫୦ କୋଟି ଲୋକ ଉପକୃତ ହେବେ । ଏହି ଯୋଜନା ଅଧୀନରେ ପ୍ରତି ଗରିବ ପରିବାରଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ଭରଣା କରାଯିବ ଏବଂ ୩୦ ହଜାର ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଜନା ମିଳିବ । ଏହା ବିଶ୍ୱର ସର୍ବ ବୃହତ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଯକ୍ଷ୍ମା ରୋଗୀଙ୍କ ପାଇଁ ୬୦୦ କୋଟି ଟଙ୍କାର ପୁଷ୍ଟିସାଧନ କାର୍ଯ୍ୟକ୍ରମ ଆରମ୍ଭ କରାଯିବ । ୨୪ଟି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଲାଗି ମଧ୍ୟ ବଜେଟରେ ପ୍ରସ୍ତାବ ରହିଛି । ପ୍ରତି ୩ଟି ସଂସଦୀୟ କ୍ଷେତ୍ର ପାଇଁ ଗୋଟିଏ ଲେଖାଏଁ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠାର ଯୋଜନା କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

 

ଅର୍ଥମନ୍ତ୍ରୀ ତାଙ୍କ ବଜେଟରେ ଗ୍ରାମ୍ୟ ବିକାଶ ପାଇଁ ୧,୩୮,୦୯୭ କୋଟି ଟଙ୍କାର ବ୍ୟୟ ବରାଦ ଘୋଷଣା କରିଛନ୍ତି । ୨୦୧୭-୧୮ ବର୍ଷରେ ଏହା ୧,୩୫,୬୦୪ କୋଟି ଟଙ୍କା ଥିଲା । ତଫସିଲଭୁକ୍ତ ଜାତି ବର୍ଗର କଲ୍ୟାଣ ନିମନ୍ତେ ବଜେଟରେ ୫୬,୬୧୯ କୋଟି ଟଙ୍କାର ବ୍ୟୟ ବରାଦ ରହିଛି ଯାହାକି ଚଳିତ ବର୍ଷ ଠାରୁ ୩,୯୦୦ କୋଟି ଟଙ୍କା ଅଧିକ । ସେହିପରି ତଫସିଲଭୁକ୍ତ ଉପଜାତି ବର୍ଗର କଲ୍ୟାଣ ପାଇଁ ୩୯,୧୩୫ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖାଯାଇଛି ଯାହାକି ଚଳିତ ବର୍ଷ ଠାରୁ ୬,୬୨୭ କୋଟି ଟଙ୍କା ଅଧିକ ।

 

ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ କ୍ଷେତ୍ର ପାଇଁ ବଜେଟରେ ୩,୭୯୪ କୋଟି ଟଙ୍କାର ବ୍ୟୟ ପ୍ରସ୍ତାବ ରଖାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷରେ ମୋଟ ୩ ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ପ୍ରଦାନ ଲାଗି ପ୍ରସ୍ତାବ ରହିଛି । ଚଳିତ ବର୍ଷ ୪.୬ ଲକ୍ଷ କୋଟି ଟଙ୍କାର ମୁଦ୍ରା ଋଣ ମଞ୍ଜୁର କରାଯାଇଛି । ୨୦୧୮-୧୯ ବର୍ଷରେ ଦେଶରେ ସଙ୍ଗଠିତ କ୍ଷେତ୍ରରେ ୭୦ ଲକ୍ଷ ଅଧିକ ନିଯୁକ୍ତି ସୃଷ୍ଟି କରିବାର ଲକ୍ଷ୍ୟ ରଖାଯାଇଛି । ସରକାରଙ୍କ ଇପିଏଫ ଅବଦାନ ୨୦୧୮-୧୯ ବର୍ଷରେ ୧୨ ପ୍ରତିଶତ ରହିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ସେହିଭଳି ବୟନଶିଳ୍ପ କ୍ଷେତ୍ରର ବିକାଶ ପାଇଁ ୭,୧୪୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

 

ରେଳବାଇ ଓ ସଡ଼କ ସଂଯୋଗୀକରଣକୁ ବଳ ଦେବା ଲାଗି ବଜେଟରେ ଅଧିକ ବ୍ୟୟ ବରାଦ କରାଯାଇଛି । କେବଳ ରେଳବାଇ ପାଇଁ ୧,୪୮,୫୨୮ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ରେଳ ବିକାଶ ଯୋଜନା ଅଧୀନରେ ୬୦୦ ରେଳ ଷ୍ଟେସନର ପୁନଃବିକାଶ କରାଯିବ । ରେଳ ସୁରକ୍ଷା ଓ ନିରାପତ୍ତାକୁ ଅଗ୍ରାଧିକାର ଦିଆଯିବ । ସବୁ ରେଳ ଷ୍ଟେସନ ଓ ରେଳଗାଡ଼ିରେ ଯାତ୍ରୀଙ୍କ ପାଇଁ ଆଧୁନିକ ୱାଇ-ଫାଇ ସୁବିଧା ବ୍ୟବସ୍ଥା କରାଯିବ । ୩୬୦୦ କିଲୋମିଟର ରେଳ ଲାଇନର ନବୀକରଣ ହେବ । ବୁଲେଟ ଟ୍ରେନର ପରିଚାଳନା ପାଇଁ ବରୋଦାର ରେଳ ବିଶ୍ୱବିଦ୍ୟାଳୟରେ ଆଧୁନିକ ପ୍ରଶିକ୍ଷଣ ପ୍ରଦାନର ବ୍ୟବସ୍ଥା କରାଯିବ ।

 

ଭାରତମାଳା ପରିଯୋଜନାରେ ଜାତୀୟ ରାଜପଥ ନିର୍ମାଣ ଅଧୀନରେ ଅଧିକ ୯ ହଜାର କିଲୋମିଟର ରାଜପଥ ସହ ମୋଟ ୩ ଲକ୍ଷ କିଲୋମିଟର ସଡ଼କ ନିର୍ମାଣର ପ୍ରସ୍ତାବ ରଖାଯାଇଛି । ସହରାଂଚଳ ବିକାଶ ପାଇଁ ୪୧,୭୬୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ବଛା ଯାଇଥିବା ୯୯ଟି ପ୍ରସ୍ତାବିତ ସ୍ମାର୍ଟ ସିଟିର ବିକାଶ ଲାଗି ୧.୨୧ ଲକ୍ଷ କୋଟି ଟଙ୍କା ପୁଞ୍ଜି ବିନିଯୋଗର ପ୍ରସ୍ତାବ ରହିଛି । ହୃଦୟ ଯୋଜନାରେ ୧୦୦ଟି କୀର୍ତ୍ତିରାଜିର ଭିତ୍ତି ଓ ସୌନ୍ଦର୍ଯ୍ୟ ବର୍ଦ୍ଧନ କରାଯିବ । ଏହି ସ୍ଥଳୀଗୁଡିକୁ ଉନ୍ନତ ରାସ୍ତା ସଂଯୋଗ କରାଯିବ । ପର୍ଯ୍ୟଟନ କେନ୍ଦ୍ରଗୁଡିକୁ ରୋପ-ୱେର ବ୍ୟବସ୍ଥା ହେବ । ସବୁ ଟୋଲ ଗେଟ୍ ଇ-ଟୋଲ ଗେଟ୍ ହେବ ।

 

ଦେଶର ପ୍ରତିରକ୍ଷା ସରଞ୍ଜାମ ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟରେ ଏକ ଉଦ୍ୟୋଗ ଅନୁକୂଳ ପ୍ରତିରକ୍ଷା ବିନିର୍ମାଣ ନୀତି ୨୦୧୮ ପ୍ରସ୍ତୁତ କରାଯିବ । ୨୦୧୮-୧୯ ଆର୍ଥିକ ବର୍ଷରେ ୮୦ ହଜାର କୋଟି ଟଙ୍କାର ସରକାରୀ ପୁଞ୍ଜି ବିନିବେଶର ପ୍ରସ୍ତାବ ରଖାଯାଇଛି । କ୍ରାଇପ୍ଟୋ କରେନ୍ସି ବା ଇଂଟରନେଟ ମୁଦ୍ରା ପ୍ରଚଳନ ଆଇନ ଦୃଷ୍ଟିରୁ ବୈଧ ନୁହେଁ ବୋଲି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ ସ୍ପଷ୍ଟ କରିଦେଇଚନ୍ତି ।

 

ବଜେଟରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ରାଜ୍ୟପାଳମାନଙ୍କ ଦରମା ବୃଦ୍ଧି ବିଷୟ ଘୋଷଣା କରାଯାଇଛି । ରାଷ୍ଟ୍ରପତିଙ୍କ ବେତନ ମାସିକ ୫ ଲକ୍ଷ ଟଙ୍କା, ଉପରାଷ୍ଟ୍ରପତିଙ୍କ ୪ ଲକ୍ଷ ଏବଂ ରାଜ୍ୟପାଳମାନଙ୍କ ଦରମା ୩.୫ ଲକ୍ଷ ଟଙ୍କା ହେବ । ସେହିପରି ସାଂସଦମାନଙ୍କ ଦରମା ନିର୍ଦ୍ଧାରଣ ପାଇଁ ନୂତନ ବ୍ୟବସ୍ଥା ଆଗାମୀ ଏପ୍ରିଲ ପହିଲାରୁ ଲାଗୁ ହେବ । ସେମାନଙ୍କ ଭତ୍ତା ପ୍ରତି ୫ ବର୍ଷରେ ଥରେ ଆପଣା ଛାଏଁ ସଂଶୋଧନ ହେବ । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ପାଇଁ ବଜେଟରେ ୧୫୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

 

ପ୍ରତ୍ୟକ୍ଷ କର ପ୍ରସ୍ତାବ ସମ୍ପର୍କରେ ସୂଚନା ଦେଇ ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଅଭିଭାଷଣରେ କହିଛନ୍ତି ଯେ, କର ସରଳୀକୃତ ସ୍କିମ ଅଧୀନରେ ୪୧ ପ୍ରତିଶତ ଅଧିକ ରିଟର୍ଣ୍ଣ ଦାଖଲ ହୋଇଛି । ଏଣିକି ୯୯ ପ୍ରତିଶତ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ ୨୫ ପ୍ରତିଶତ ହାରରେ କର୍ପୋରେଟ ଟିକସ ଦେବେ । ଦେଶର ମାତ୍ର ୧.୮୯ କୋଟି ବେତନଭୋଗୀ କର୍ମଚାରୀ ୧.୪୪ ଲକ୍ଷ କୋଟି ଟଙ୍କାର ଆୟକର ଦେଇଛନ୍ତି । ତେବେ ସେମାନଙ୍କ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରୁ ଷ୍ଟାଣ୍ଡାର୍ଡ ଡିଡକ୍ସନ ୪୦ ହଜାର ଟଙ୍କା କରାଯାଇଛି । କିନ୍ତୁ ଅନ୍ୟ କୌଣସି ବ୍ୟକ୍ତିଗତ ଆୟକର ସ୍ଲାବରେ ପରିବର୍ତ୍ତନ କରାଯାଇ ନାହିଁ । ବରିଷ୍ଠ ନାଗରିକମାନଙ୍କୁ ସଂଚୟ ଜନିତ ସୁଧ ଉପାର୍ଜନ ଉପରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆୟକର ରିହାତି ମିଳିବ ବୋଲି ଘୋଷଣା କରାଯାଇଛି । ସେହିପରି ବରିଷ୍ଠ ନାଗରିକମାନଙ୍କ ପାଇଁ ଆହୁରି ଉନ୍ନତ ଧରଣର ସ୍ୱାସ୍ଥ୍ୟ ବୀମା ସୁବିଧା ଘୋଷଣା କରାଯାଇଛି । ୪ ପ୍ରତିଶତ ସ୍ୱାସ୍ଥ୍ୟ ଓ ଶିକ୍ଷା ସେସ ବସାଯିବାକୁ ଘୋଷଣା କରାଯାଇଛି । ବର୍ତ୍ତମାନ ସୁଦ୍ଧା ଇ-ଆସେସମେଂଟ ଅଧୀନରେ ୧୦୨ଟି ସହର ସାମିଲ ହୋଇଛନ୍ତି ବୋଲି ସୂଚନା ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏଣିକି ଦୀର୍ଘ ମିଆଦି କ୍ୟାପିଟାଲ ଗେନ ଟିକସ ୧୦ ପ୍ରତିଶତ ଆଦାୟ କରାଯିବ ।

 

ସେ କହିଛନ୍ତି ଯେ, ବର୍ହିଃଶୁଳ୍କ ଆଇନ ୧୯୬୨ରେ ସଂଶୋଧନ କରାଯିବ । ମୋବାଇଲ ଆମଦାନୀ ଉପରେ ବର୍ହିଶୁଳ୍କ ୧୫ ରୁ ୨୦ ପ୍ରତିଶତକୁ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଛି । କଂଚା କାଜୁ ଆମଦାନୀ ଉପରେ ବର୍ହିଃଶୁଳ୍କ ୫ରୁ ୨.୫ ପ୍ରତିଶତକୁ ହ୍ରାସ କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top