ପାହାଡର ଡାକ

News Story - Posted on 2018-01-31

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ମୋତେ ବଂଚାଅ.. ମୋତେ ବଂଚାଅ..ମୁଁ ବଂଚିବାକୁ ଚାହେଁ.... ।

 

ହଠାତ୍ ହରି ମଉସାଙ୍କ ନିଦ ଭାଙ୍ଗି ଗଲା । ମାଘ ମାସର ହାଡ଼ ଭଙ୍ଗା ଶୀତକୁ ଖାତିର ନକରି ସେ ଏକ ଲକ୍ଷ୍ୟରେ ଦୌଡ଼ିଲେ ନିଜର ଅତି ପ୍ରିୟ କଳାଧାର ପାହାନ ଆଡ଼କୁ । ସତେ ଯେମିତି କେହି ତାଙ୍କୁ ନିଜ ଜୀବନ ପାଇଁ କାକୁତିମିନତି ହେଉଛି । ଆଉ ସେଠାରେ ଯାହା ଦେଖିଲେ ତାଙ୍କ ପାଦ ତଳୁ ମାଟି ଖସିପଡ଼ିଲା ।

 

କିଛି ଲୋକ ପାହାଡ଼ର ଛାତିକୁ ଚିରି କ୍ଷତ ବିକ୍ଷତ କରିବା ସହ ମୂଲ୍ୟବାନ ପଥର କାଟି ପକାଉଛନ୍ତି । ଆଉ କିଛି ଲୋକ ସବୁଜ ସୁନ୍ଦର ଘଂଚ ଜଙ୍ଗଲକୁ କାଟି ପଦା କରିପକାଉଛି । ଜଙ୍ଗଲର ଆଉ କେଉଁଠି ନିଆଁ ଲାଗି ମୂଲ୍ୟବାନ ଗଛ ସବୁ ପୋଡ଼ି ପାଉଁଶ ହୋଇଯାଇଛି । ଏହା ସ୍ୱପ୍ନ ନଥିଲା । ସତ ଥିଲା । ବୋଧ ହୁଏ ଏନିଷ୍ଠୁର ମଣିଷ ପାଖରୁ ନିଜକୁ ବଂଚାଇବାକୁ କଳାଧାର ପାହାନ ହିଁ ହରି ମଉସାଙ୍କୁ ଡାକୁଥିଲା ।

 

କଳାଧାର ପାହାନର ପାଦ ଦେଶରେ ଥିବା ବଣିଆପଲ୍ଲୀ ଗାଁର ହରି ମଉସା । ବୟସ ପାଖାପାଖି ୮୨ । ପିଲାଠାରୁ ବୁଢ଼ା ସମସ୍ତଙ୍କର ସେ ପ୍ରିୟର ହରି ମଉସା । ବୟସର ଅପରାହ୍ନରେ ବି ସେ ଆଜି ଚଳ ଚଂଚଳ ଓ କର୍ମଠ । ପିଲା ଦିନରୁ ହିଁ ତାଙ୍କର କଳାଧାର ପାହାଡ଼ ସହ ଘନିଷ୍ଠ ସଂପର୍କ ଥିବା ମନେହୁଏ । ସୂର୍ଯ୍ୟୋଦୟଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସେ ପିଲାଦିନୁ ପାହାଡ଼ର ପାଦ ଦେଶରେ ଖେଳାବୁଲା କରିବା ସହ ଗଛମାନଙ୍କୁ ସୁରକ୍ଷା ଦେଉଥାନ୍ତି । ନା ଥାଏ ଜଙ୍ଗଲର ଭୟ ନା ବନ୍ୟ ଜନ୍ତୁଙ୍କର । ସତେ ଯେମିତି କଳାଧାର ପାହାଡ଼ ତାଙ୍କ ଘର ଓ ଜଙ୍ଗଲର ବନ୍ୟ ପ୍ରାଣୀ ତାଙ୍କର ଅତି ନିଜର!

 

ହରି ମଉସା ପେସାରେ ଜଣେ କବିରାଜ । କଳାଧାର ପାହାଡ଼ର ଘଂଚ ଜଙ୍ଗଲରେ ଥିବା ବହୁ ମୂଲ୍ୟବାନ ଚେରମୂଳିରୁ ଔଷଧ ପ୍ରସ୍ତୁତି କରି ସେ କବିରାଜ ଭାବେ ସ୍ଥାନୀୟ ଅଂଚଳରେ ବେଶ୍ ନାଁ କରିଛନ୍ତି । ଆୟୁର୍ବେଦ ଚିକିତ୍ସା ତୃଣ ଓ ମୂଳ ଉପରେ ସଂପୂର୍ଣ୍ଣ ନିର୍ଭର କରେ । କିନ୍ତୁ ମଉସାଙ୍କ ସେହି ପିଲାଦିନର ମନୋରମ ଘଂଚ କଳାଧାର ପାହାଡ଼ ଆଉ ଆଜି ଭିତରେ ଯେମିତି ବହୁତ ତଫାତ । ନିଜ ସ୍ୱାର୍ଥ ପାଇଁ ନିଷ୍ଠୁର ମଣିଷ ସମାଜ ଜଙ୍ଗଲକୁ କାଟି ସଫା କରି ଦେଉଛି । ଗୋଟେ ପଟେ ଦ୍ରୁତ ଗତିରେ ଜନସଂଖ୍ୟା ବୃଦ୍ଧି ପାଉଥିବାବେଳେ ଅନ୍ୟପଟେ ଜଙ୍ଗଲ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯାହାର କୁପ୍ରଭାବ ସ୍ୱରୂପ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ମାତ୍ରା ବଢୁଛି, ଓଜନ ଲେୟର କମିବାରେ ଲାଗିଛି, ଅନିୟମିତ ବୃଷ୍ଟିପାତ, ମୃତ୍ତିକା କ୍ଷୟ, ବାୟୁ ପ୍ରଦୂଷଣ ସହ ପୃଥିବୀର ତାପମାତ୍ରା ବଢ଼ିବାରେ ଲାଗିଛି । ଫଳସ୍ୱରୂପ ପୃଥିବୀର ଗ୍ଳେସିଅର୍ ସ୍ତର ତରଳିବାକୁ ଆରମ୍ଭ କଲାଣି । ଯାହା ଜୀବଜଗତ ପ୍ରତି ହାନିକାରକ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

 

ସେପଟେ ଜଙ୍ଗଲ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଉଥିଲେ ମଧ୍ୟ କିଛି ଅସାଧୁ ଲୋକଙ୍କ ଯୋଗୁଁ ଜଙ୍ଗଲ ଆଜି ପଦା ହେବାରେ ଲାଗିଛି ।

 

ଗଂଜାମ ଜିଲ୍ଲାରେ ଅଛି ୩ଟି ବନ ଖଣ୍ଡ । ସେଗୁଡିକ ହେଲା ବ୍ରହ୍ମପୁର ବନଖଣ୍ଡ, ଦକ୍ଷିଣ ଘୁମୁସର ବନଖଣ୍ଡ ଓ ଉତ୍ତର ଘୁମୁସର ବନଖଣ୍ଡ । ପ୍ରତି ବନଖଣ୍ଡ ଅଧୀନରେ ୪ରୁ ୫ଟି ଲେଖାଏଁ ବନାଂଚଳ ରହିଛି । ସେଗୁଡିକ ହେଲା ବ୍ରହ୍ମପୁର, ଦିଗପହଣ୍ଡି, ଖଲିକୋଟ, ସାମନ୍ତିଆପଲୀ, ସୋରଡା, ବଡ଼ଗଡ଼, ଆସିକା, ପୋଲସରା, ବୁଗୁଡ଼ା, କେନ୍ଦ୍ରାଂଚଳ, ମୁଜାଗଡ଼, ଜଗନ୍ନାଥପ୍ରସାଦ, ତାରସିଂ ଓ ଗାଲେରୀ । ସବୁ ବନାଂଚଳରେ ଜଙ୍ଗଲ ସୁରକ୍ଷା ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ନିମନ୍ତେ ବନାଂଚଳ ଅଧିକାରୀ ନିୟୋଜିତ ହୋଇଥାନ୍ତି । ବ୍ରହ୍ମପୁର ବନଖଣ୍ଡ ଓ ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ଖଲିକୋଟ ଓ ପୋଲସରା ରେଂଜ ଅଧୀନରେ ନାରାୟଣୀ ଓ ସିଂହାସନୀ ଜଙ୍ଗଲ ଥିବାବେଳେ ଉତ୍ତର ବନଖଣ୍ଡ ଅନ୍ତର୍ଗତ ତାରାସିଂ ଓ ଜଗନ୍ନାଥପ୍ରସାଦ ରେଜଂରେ କଳାଧାର ପାହାଡ଼ ଅବସ୍ଥିତ । ଏସବୁ ପାହାଡ଼ରେ ଖଣିଜ ପଦାର୍ଥ ସହ ଶାଳ, ପିଆଶାଳ, ଶାଗୁଆନ ଭଳି ମୂଲ୍ୟବାନ ଗଛ ଦେଖିବାକୁ ମିଳେ । ଏଥି ସହିତ ବିଭିନ୍ନ ପ୍ରକାର ବନ୍ୟ ପ୍ରାଣୀ ମଧ୍ୟ ଦେଖା ଯାଆନ୍ତି । ଘଂଚ ଜଙ୍ଗଲ ପରିବେଷ୍ଟିତ ପାହାଡ଼ ଗୁଡ଼ିକ ସମୟ କ୍ରମେ କ୍ଷୟ ହେବାରେ ଲାଗିଛି । ଜଙ୍ଗଲ ମାଫିଆ ଓ କିଛି ଅସାଧୁ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ଜଙ୍ଗଲ ନଷ୍ଟ ହେବାରେ ଲାଗିଛି ।

 

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ଜଙ୍ଗଲ ସୁରକ୍ଷା ତଥା କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା ପାଇଁ ବିଭନ୍ନ ଯୋଜନା କରାଯାଉଛି । ସରକାରଙ୍କ ବିଭିନ୍ନ ସ୍କିମରେ ବନୀକରଣ କରାଯାଉଛି । ପ୍ରତିବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନ ମହୋତ୍ସବ ସପ୍ତାହ ଭାବେ ପାଳନ କରାଯିବା ସହ ବୃକ୍ଷରୋପଣ କରାଯାଉଛି । ବିଶେଷ କରି ସାଂସ୍କୃତିକ ତଥା ମନୋରଂଜନ କାର୍ଯ୍ୟକ୍ରମ ଦ୍ୱାରା ଗାଁ ଲୋକଙ୍କୁ ସଚେତନ କରାଯାଉଛି । ଲୋକଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରକୃତି ମିତ୍ର ଓ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଉଛି । ରାସ୍ତାକଡ଼ ବନୀକରଣ ଓ ସହରାଚଂଳ ବନୀକରଣ ଭଳି ଉନ୍ନୟନମୂଳକ ଯୋଜନା କରାଯାଉଛି । କେନ୍ଦ୍ର ସରକାରଙ୍କ ଯୋଜନା ଅନ୍ତର୍ଗତ ଏଫଡିଏ ମାଧ୍ୟମରେ ବନ ସୁରକ୍ଷା ସମିତି ଗଠନ କରାଯାଇଥାଏ । ଏହି ସମିତିର ଲକ୍ଷ୍ୟ ହେଲା ବନ ସୁରକ୍ଷା ଓ ବନୀକରଣ କରି କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା । ସେଭଳି ସହରାଂଚଳରେ ଲୋକଙ୍କୁ ଅଧିକ ସଚେତନ କରିବା ପାଇଁ ଛାତ୍ରଛାତ୍ରୀଙ୍କ ନିମନ୍ତେ ବକ୍ରୃତା, ପ୍ରବନ୍ଧ, ସ୍ଳୋଗାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଉଛି । ହୋର୍ଡିଂ ମାଧ୍ୟରେ ବିଭିନ୍ନ ସ୍ଳୋଗାନ ଲେଖି ଲୋକଙ୍କୁ ଜଙ୍ଗଲ ସୁରକ୍ଷା ପାଇଁ ସଚେତନ ମଧ୍ୟ କରାଯାଉଛି ।

 

ସଂସ୍କୃତରେ ଏକ ଶ୍ଳୋକ ଅଛି- ସେବିତବ୍ୟୋ ମହାବୃକ୍ଷ ଫଳଚ୍ଛାୟା ସମନ୍ୱିତଃ, ଯଦି ଦୈବାତ୍ ଫଳଂ ନାସ୍ତି ଛାୟା କେନ ନିବାର୍ଯ୍ୟତେ? ଅର୍ଥାତ ଗୋଟିଏ ବୃକ୍ଷ ଯଦି ଫଳ ପ୍ରଦାନ କରି ନଥାଏ ତେବେ ସୁଦ୍ଧା ତା’ର ଛାୟା କିନ୍ତୁ ଲୋକଙ୍କ ହିତରେ ଲାଗେ । ଗୋଟିଏ ଗଛ ତା ଜୀବନକାଳ ମଧ୍ୟରେ ହାରାହାରି ୧୬ ଲକ୍ଷ ଟଙ୍କାର ଅମ୍ଳଜାନ, ୭ ଲକ୍ଷ ଟଙ୍କାର ଛାୟା ଏବଂ ୩ ଲକ୍ଷ ଟଙ୍କାର ଜାଳେଣି କାଠ ପ୍ରଦାନ କରିଥାଏ । ଯାହାକୁ କେହି ଅସ୍ୱୀକାର କରିପାରିବେ ନାହିଁ ।

 

କେବଳ ହରି ମଉସା କାହିଁକି ଆମେ ସମସ୍ତେ ପାହାଡ଼ର ଡାକ ଶୁଣିବା ଓ ଆମ ଜଙ୍ଗଲକୁ ସୁରକ୍ଷା କରିବା । ରହିଲେ ବନ ବଂଚିବେ ଜନ । ଏହି ସ୍ଳୋଗାନଟି ଆମ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top