ଭିନ୍ନ ଏକ ଦନା ମାଝୀ

News Story - Posted on 2018-01-31

ଡ଼ଃ ରିନା ରାଉତରାୟ

 

କାହାଣୀ ନୁହେଁ ସତକଥା, ଟିକେ ଭିନ୍ନ ଧରଣର।

 

ଏ ଥିଲା ଆଉ ଏକ ଦନା ମାଝୀର କାହାଣୀ। ଏ କାହାଣୀଟା କିନ୍ତୁ ଟିକେ ଭିନ୍ନ ଥିଲା। ଏ ଦନା ମାଝୀ ତା ସ୍ତ୍ରୀର ଶବକୁ ନୁହେଁ, ନିଜର ଶବକୁ ଟାଣି ଟାଣି ନେଉଥିଲା ମଶାଣୀକୁ।

 

କଲିକତାରୁ ଟ୍ରେନରେ ଫେରୁଥିଲି। ଭୋରରୁ ପହଞ୍ଚିଲି ଭୁବନେଶ୍ବର ରେଳ ଷ୍ଟେସନରେ। ଘରକୁ ଯିବାକୁ ତର ତର ହୋଇ ଚାଲୁ ଚାଲୁ ହଠାତ ନଜର ପଡ଼ିଗଲା ଗୋଟେ କଡ଼ରେ। କତରା ଲଗା ହୋଇ ଶୋଇଥିବା ବୁଢା ଲୋକଟିଏ। କାହିଁକି କେଜାଣି ଅଜାଣତରେ ଚାଲିଗଲି ତା ପାଖକୁ। ନିରେଖି ଦେଖିଲି ଗୋଟେ ଛିଣ୍ଡା କମ୍ବଳରେ ପୂରାପୂରି ମୁହଁ ଘୋଡାଇ ହୋଇ ଶୋଇଥିଲା। କିନ୍ତୁ ପୂରାପୂରି ଓଦା ଆଉ ପାଣି ସଡ଼ ସଡ଼ ହୋଇଥିଲା ତାର ଚାରି ପାଖ। ଆଉ କମ୍ବଳଟି ମଧ୍ୟ ପୂରା ପାଣି ଜୁଡୁ ବୁଡୁ ଥିଲା। ଅଥଚ ନିଘୋଡ଼ ନିଦରେ ଶୋଇଥିଲା ଲୋକଟି।

 

କେତେ ସମୟ ଠିଆ ହୋଇ ରହିଲା ପରେ ଆସ୍ତେ ଆସ୍ତେ ହାତ ମାରି ତା’କୁ ଉଠେଇବାକୁ ଚେଷ୍ଟା କଲି। ଉଠି ବସିଲା ଲୋକଟି। ଏକଦମ ଶୀର୍ଣ୍ଣ ଶରୀର। କାହିଁ କେତେ ଦିନରୁ ଗାଧୋଇନି କି ଖାଇନି ମଧ୍ୟ। ଶରୀରରୁ ଦୁର୍ଗନ୍ଧ ବାହାରୁ ଥାଏ। ଚୁପ ହୋଇ ତଳକୁ ମୁହଁ କରି ବସିଥାଏ। ପଚାରିଲି ତାକୁ ଏମିତି ଓଦାରେ ଓଦା କମ୍ବଳ ଘୋଡାଇ ହୋଇ କାହିଁକି ଶୋଇଛ? ଦୁଇ ତିନି ଥର ପଚାରିଲା ପରେ କିଛି ନ କହିବାରୁ ତା’ର ଦେହରେ ହାତ ମାରି ଟିକେ ହଲାଇ ଦେବାରୁ ଜାଣିଲି ଜ୍ବରରେ ଖଇ ଫୁଟୁଛି ତା’ ଦେହ।

 

ବ୍ୟସ୍ତ ଲାଗିଲା ମୋତେ। କ’ଣ କରିବି? ଏତେ ଜ୍ବରରେ ଏ ଲୋକଟା ଏମିତି ଓଦା ହୋଇ କାହିଁକି ଶୋଇଛି? ପାଖରେ କିଛି ଲୋକ ଆସି କହିଲେ ମ୍ୟାଡାମ ଆପଣ ଯାଆନ୍ତୁ। ଏମିତି କେତେ ଲୋକ ଷ୍ଟେସନରେ ଏମିତି ଡ୍ରାମା କରନ୍ତି। ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି? କିଛି ବି କହୁ ନ ଥିଲା ଲୋକଟି। ଖାଲି ଟିକିଏ ଉପରକୁ ମୁଣ୍ଡ ଟେକିଲା ଆଉ ମୋତେ ଅନେଇଲା। ପାଚିଲା ବାଳ ଓ ଦାଢ଼ି ଭିତରୁ ତା’ର ନିର୍ଲିପ୍ତ ନିଷ୍ପ୍ରଭ ଦୁଇ ଆଖିର ଚାହାଣୀରେ ସ୍ତବ୍ଧ ହୋଇ ଗଲି ମୁଁ। ଅନେକ କିଛି ପଢି ପାରୁଥିଲି ମୁଁ ତା’ର ସେ ଯଥାସମ୍ଭବ ବେପରୁଆ ଦୃଷ୍ଟିରୁ।

 

ତରତର ହୋଇ ପାଖ ଦୋକାନରୁ ବିସ୍କୁଟ ପ୍ୟାକେଟଟିଏ ଆଣି ଧରାଇ ଦେଇ ଚାଲି ଆସିଲି ଘରକୁ। ସକାଳର ନିତ୍ୟକର୍ମ ସାରି ସପ୍ତାହ କାଳର ବାକିଆ କାମସବୁ କରୁ ଥାଏ ସିନା ବାରମ୍ବାର ସେଇ କିଛି କହିବାର ଚାହାଣୀଟା ବହୁତ ବିବ୍ରତ କରୁ ଥାଏ ମନକୁ।

 

କିଛି ଜରୁରୀ କାମ ସାରି ପୁଣି ବାହାରିଲି ଷ୍ଟେସନକୁ। ସେଇ ଜାଗାରେ ପହଁଚିକି ଦେଖିଲି ଲୋକଟି ନାହିଁ ଆଉ ସେଠି। କୁଆଡେ ଗଲା? ପାଖ ଦୋକାନୀକୁ ପଚାରିଲି। କୁଆଡ଼େ ଗଲା ସକାଳେ ଏଠି ଯୋଉ ଲୋକଟି ଶୋଇଥିଲା ଜରରେ? ହସି ହସି ଦଖାନୀ କହିଲା, ଏମିତି ପ୍ରତି ଦିନ କେତେ କେତେ ଲୋକ ଆସି ରୋଲ୍ କରନ୍ତି, ଆମେ କାହାର ହିସାବ ରଖିବୁ?

 

କିଛି ଉତ୍ତର ନ ଦେଇ ମୁଁ ଚୁପ ଚାପ ଚାଲି ଚାଲି ଷ୍ଟେସନର ଶେଷ ମୁଣ୍ଡ ପର୍ଯ୍ୟନ୍ତ ଖୋଜି ଗଲି। କୁଆଡେ ଗଲା ଲୋକଟା? ଏତେ ଜଲଦି କୁଆଡେ ପଳେଇ ଯାଇ ପାରିଲା ତା’ର ସେଇ ଖଇ ଫୁଟା ଜରୁଆ ଦେହରେ? ବହୁତ ଦୋଷୀ ଦୋଷୀ ଲାଗୁଥାଏ ନିଜକୁ। ହୁଏତ ସକାଳେ ଦେଖିଲା ବେଳେ ତା’ର କିଛି ବ୍ୟବସ୍ଥା କରି ଥିଲେ ହୋଇଥାନ୍ତା।

 

ଏମିତି ଭାବୁ ଭାବୁ ହଠାତ ଦେଖିଲି ରେଳ ଧାରଣ ପାଖରେ ତାର ସେଇ ଛିଣ୍ଡା କମ୍ବଳଟି ପଡିଛି। ଚମକି ପଡ଼ି ପାଖକୁ ଦୌଡ଼ି ଯାଇ ଦେଖିଲି କମ୍ବଳଠୁ କିଛି ଦୂରରେ ଗୋଟେ କୋଣକୁ ଜାକିଜୁକି ହୋଇ ଏମିତି ବସିଛି ଯେ ନିରିଖେଇ ନ ଦେଖିଲେ କେହି ବି ଜାଣି ପାରିବନି ସେଠି ଗୋଟେ ମଣିଷ ବସିଛି ବୋଲି! ସାଙ୍ଗରେ ଥିବା ପିଲାଟିର ସାହାଯ୍ୟ ନେଇ ତାକୁ ଉପରକୁ ଆଣିଲୁ। କିଛି ଖାଇବା ଆଉ ପାଣି ପିଆଇ ସାରିଲା ପରେ ପ୍ରାୟ ଏକ ଘଣ୍ଟା ପରେ ଟିକେ ମୁଣ୍ଡ ଉଠାଇ ଅନେଇଲା ଲୋକଟି। କହିଲି ମଉସା ତୁମ ଦେହ ଭଲ ନାହିଁ, ଏଠି ଏମିତି ଅବସ୍ଥାରେ କାହିଁକି ପଡ଼ିଛ? ଚାଲ ପାଖ ଡାକ୍ତରଖାନାକୁ ଯିବା। ପାଖରେ ଗୋଟେ ବୃଦ୍ଧାଶ୍ରମ ଅଛି। ତା’ପରେ ତୁମକୁ ସେଠି ଛାଡ଼ି ଦେବି।

 

ହଠାତ କେମିତି ଚମକି ପଡ଼ିଲା ଭଳି ହୋଇ ଏକ କରୁଣ ଦୃଷ୍ଟିରେ ମୋତେ ଅନେଇଲା। ବହୁତ କଷ୍ଟରେ ଏକଦମ କ୍ଷୀଣ ସ୍ବରରେ କିଛି କହିଲା।

 

ପାଖକୁ ଯାଇ କାନେଇ ଶୁଣିବାକୁ ଚେଷ୍ଟା କଲି। ବହୁତ କିଛି କହି ଯିବାକୁ ଚାହୁଁ ଥିଲା ସିଏ। ଅତି କମ ବୟସରୁ ସ୍ତ୍ରୀକୁ ହରାଇ ଛୋଟ ଛୋଟ ଦୁଇଟି ପୁଅଙ୍କୁ ମା ଓ ବାପା ଉଭୟ ହୋଇ ଯତ୍ନରେ ପାଳି ଥିଲା ସିଏ। ବଡ଼ ହୋଇ ନିଜ ନିଜ ସଂସାର କଲା ପରେ ବୋଝ ହୋଇ ଗଲା ସେ ନିଜ ପିଲାମାନଙ୍କ ଉପରେ। ବୃଦ୍ଧାଶ୍ରମରେ ଛାଡ଼ି ଦେଇଥିଲେ ଆଣି। ସ୍ବାଭିମାନରେ ବଞ୍ଚିଥିବା ଲୋକଟି ସହି ପାରିଲା ନାହିଁ ସେ ଆଶ୍ରମର ଲୋକଙ୍କ ବ୍ୟବହାର, ଦୟା  ଓ କଟାକ୍ଷ। ଚାଲି ଆସିଲା ଏଇ ଷ୍ଟେସନକୁ। ବସି ବସି ଦେଖିବାକୁ ଭଲ ଲାଗେ ତାକୁ ଚଳନ୍ତି ଜୀବନକୁ। ଅନେକ ବୟସର, ଚରିତ୍ରର ଅଭିନୟକୁ ଦେଖୁ ଦେଖୁ ଦିନ ରାତି କଟି ଯାଏ ତାର। କେଉଁଦିନ ଖାଏ କେଉଁଦିନ ଉପାସ ରହିଯାଏ। ଫରକ ପଡ଼େନି କିଛି ସେଥିରେ ତାର। କେବଳ ମୃତ୍ୟୁକୁ ଅପେକ୍ଷା କରି ବସିଥାଏ ସିଏ। କହିଲା ମା’ ରେ, ମୁଁ କାହାର ବି ଧାରୁଆ ହେବାକୁ ଚାହୁଁନି। ସେଥିପାଇଁ ଯେତେବେଳେ ଜର ହେଲା ମୁଁ ଜାଣି ପାରିଲି କି ମୋର ଶେଷ ସମୟ ହେଇ ଆସିଲା। କିଏ ବା କାହିଁକି ମୋ ଶବକୁ ସଂସ୍କାର କରିବ? ତେଣୁ ମୋ ନିଜକୁ ଘୋଷାଡି ଘୋଷାଡି ନେଇ ଯାଉଥିଲି ମଶାଣୀ ପାଖକୁ!

କହି ଚାଲି ଥିଲା ସିଏ.... ଆଉ ପାଦ ତଳୁ ମାଟି ଖସି ଯାଉଥିଲା ମୋର...!

 

ଶତାବ୍ଦୀ ନଗର, ଭୁବନେଶ୍ବର

ମୋ- ୯୪୩୮୨୭୨୧୫୨


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top