କୁନ୍ଦୁଲି: ନ୍ୟାୟ ଦେବ କିଏ ?

News Story - Posted on 2018-01-31

ସବ୍ୟସାଚୀ ଅମିତାଭ

 

ଓଡିଶା ଶାସନ ଓ ବ୍ୟବସ୍ଥା ପାଇଁ କୁନ୍ଦୁଲୀ ଏକ କଳଙ୍କ କହିଲେ ଭୁଲ‌୍‍ ହେବନି। ବର୍ତ୍ତମାନ ସମୟରେ ଯେଉଁ ପ୍ରସଙ୍ଗଟି ରାଜ୍ୟ ସରକାର ଓ ଶାସନତନ୍ତ୍ରକୁ ସବୁଠାରୁ ଅଡୁଆରେ ପକାଇଛି ତାହା ହେଲା କୁନ୍ଦୁଲୀ ପୀଡିତାଙ୍କ ଆତ୍ମହତ୍ୟା ଓ ଏହା ପଛରେ ଥିବା ଧୂଆଁଳିଆ ଚେହେରା ସବୁ। ମୋଟାମୋଟି କୁନ୍ଦୁଲି ଏବେ ଭୂତ ପରି ସରକାରଙ୍କୁ ଗୋଡ଼ାଉଛି। ଆଉ ଧୀରେ ସତ ମିଛ ଓ ଅର୍ଦ୍ଧସତ୍ୟର ବୁଢିଆଣୀ ଜାଲ ଭିତରେ ଛନ୍ଦି ହେଇଯାଉଛି ଆମ ଶାସନ ବ୍ୟବସ୍ଥା। ଏଠାରେ କିଏ ଠିକ‌୍‍ କହୁଛି, କିଏ ମିଛ କହୁଛି, କ’ଣ ସତ୍ୟ ଆଉ କ’ଣ ଅସତ୍ୟ ତା ପର କଥା। ହେଲେ ଯେଉଁ ଦିଗଟି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତାହା ହେଉଛି ଆମ ବ୍ୟବସ୍ଥାରେ ଥିବା ଗଳାବାଟ ଓ ସମ୍ୱେଦନହୀନତା।

 

କୋରାପୁଟ ଜିଲ୍ଲା କୁନ୍ଦୁଲି ପାଖରେ ଥିବା ମୂଷାଗୁଡା ଗାଁର ଗଣବଳାତ୍କାର ଅଭିଯୋଗ ଆଣିଥିବା ପୀଡିତା ନାବାଳିକା ଆତ୍ମହତ୍ୟା କରିବା ଘଟଣା କେବଳ ସରକାର ଓ ପ୍ରଶାସନିକ ଅବ୍ୟବସ୍ଥାର ପରିଣାମ ନୁହେଁ ବରଂ ସାମାଜିକ ଓ ରାଜନୈତିକ ସମ୍ୱେଦନହୀନତାର ଏକ ବଡ ଦୃଷ୍ଟାନ୍ତ। ଗଣଦୁଷ୍କର୍ମର ଅଭିଯୋଗ ଆସୁଛି, କିନ୍ତୁ ଦୀର୍ଘଦିନ ପରେ ବି ତା’ର ପ୍ରମାଣ ଆମ ବ୍ୟବସ୍ଥା ପାଇପାରୁନି। ପୋଲିସ‌୍‍, କ୍ରାଇମବ୍ରାଂଚ ଓ ବିଚାର ବିଭାଗୀୟ ତଦନ୍ତ ଘୋଷଣା ସତ୍ତ୍ବେ ବି ପୋଲିସ‌୍‍ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ନପାରିବା ବ୍ୟବସ୍ଥାଗତ ତ୍ରୁଟି ନା ଜାଣିଶୁଣି ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଇବା ପାଇଁ ପ୍ରୟାସ ତାହା ସବୁଠାରୁ ବଡ ପ୍ରଶ୍ନ।

 

କୁନ୍ଦୁଲିର ସେଇ ନାବାଳିକା ଜଣକ, ବ୍ୟବସ୍ଥାଗତ ସ୍ଥାଣୁତା ଓ ନ୍ୟାୟ ପାଇବାରେ ବିଫଳ ହେବା ପରେ ଆତ୍ମହତ୍ୟା ପରି ଏକ ଚରମ ପଦକ୍ଷେଦକୁ ବାଛିନେଲା। ଆଇନ ଓ ସହାୟତା ଆଳରେ ନାବାଳିକା ଜଣକ ଓ ତାର ପରିବାର ଯେଉଁପ୍ରକାର ମାନସିକ ଚାପର ସାମନା କଲା ତା ବି ଆମ ବ୍ୟବସ୍ଥା ଆଡ଼କୁ ସିଧା ସିଧା ଆଙ୍ଗୁଳି ନିର୍ଦ୍ଦେଶ କରୁଛି।

 

ଏହି ମାମଲାର ଅନ୍ୟ ଦିଗଟି ହେଲା, ପ୍ରକୃତରେ କ’ଣ ଘଟିଥିଲା ଅକ୍ଟୋବର ୧୦ ତାରିଖରେ। ଯାହାକୁ ପୋଲିସ‌୍‍ ପ୍ରଶାସନ ଓ ତଦନ୍ତକାରୀ ଟିମ‌୍‍ କହୁନାହିଁ ବା ଲୁଚାଇବାକୁ ଉଦ୍ୟମ କରୁଛି।

ପ୍ରତିଦିନ ଏଇ ମାମଲାରେ ଆସୁଥିବା ନୂଆ ମୋଡ, ଗଣମାଧ୍ୟମର ଅର୍ଦ୍ଧସତ୍ୟ ଓ ନଗଦ ସାମନାକୁ ଆସିଥିବା ଫୋରେନସିକ‌୍‍ ରିପୋର୍ଟର ତଥ୍ୟ, ଯାହା ମାମଲାକୁ ଭିନ୍ନ ମୋଡ ଦେଇସାରିଲାଣି। ଏହା ଆମ ବ୍ୟବସ୍ଥା ଓ ଶାସନତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ। ଫୋରେନସିକ‌୍‍ ପ୍ରାଥମିକ ଡ୍ରାଫ୍ଟରେ ଯଦି ଦୁର୍ଷ୍କମର ପ୍ରମାଣ ରହିଥିଲା ତେବେ କାହା ଚାପରେ ଓ କ’ଣ ପାଇଁ ଏହାକୁ ଅଦଳବଦଳ କରାଗଲା ତାହା ଅନେକ ପ୍ରକାରର ସନ୍ଦେହ ସୃଷ୍ଟି କରୁଛି। ମୋଟାମୋଟି ସତକୁ ସାମନା କରିବାକୁ କ’ଣ ପାଇଁ ପ୍ରଶାସନ, ପୋଲିସ‌୍‍ ଚାହୁଁନି ତାହା ଜନସାଧାରଣରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ।

 

ନବମ ଶ୍ରେଣୀରେ ପଢୁଥିବା ସେହି ଝିଅଟି ଯେତେବେଳେ ବଳାତ୍କାରର ପାଶବିକତାର ସାମନା କଲା, ସେ ମାନସିକ ଚାପ ଓ ଅବସାଦ ଭିତରେ ରହିବା ସ୍ୱାଭାବିକ କଥା। ତା ସତ୍ତ୍ବେ ବି ସେ ସାହାସ ଦେଖାଇଥିଲା। ଅଭିଯୋଗ କରିଥିଲା ଖାକି ପୋଷାକରେ ଥିବା କିଛି ଅଜଣା ବ୍ୟକ୍ତିଙ୍କ ନାଁରେ। ହେଲେ ତାର ଅଭିଯୋଗକୁ ମିଛ ସାବ୍ୟସ୍ତ କରିବାରେ ଲାଗିପଡିଲେ ସମସ୍ତେ। ମିଛସତର ଖେଳ ଖେଳାଗଲା। ତଦନ୍ତ ନାଁରେ ପୂରା ମାମଲାକୁ ଗୋଲ‌୍‍ ଗୋଲ‌୍‍ ଘୁରାଗଲା। ଆଉ ଶେଷରେ ସବୁଠାରୁ ନିରାଶ ହୋଇ ଝିଅଟି ବାଛିନେଲା ଆତ୍ମହତ୍ୟାର ବାଟକୁ।

 

କୁନ୍ଦୁଲି ଘଟଣା- ସତ କହିବାକୁ ଗଲେ ଆମ ସମାଜ, ପୋଲିସ‌୍‍, ପ୍ରଶାସନ ଓ ସରକାର ମଥାରେ ଏକ କଳଙ୍କର କାଳିମା ଲେପିଦେଇଛି, ଯାହାକୁ ଲିଭାଇବା ଏତେ ସହଜ ନୁହେଁ। ଯାହା ଅନେକଗୁଡିଏ ପ୍ରଶ୍ନ ଉଠାଇଛି, ଯାହାର ଉତ୍ତର ସମସ୍ତେ ଜାଣିଛନ୍ତି ହେଲେ କେହି ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଜଣେ ନାବାଳିକା କାହିଁକି ମିଛ କହିବ? ଆଉ ଯଦି ସେ ମିଛ କହୁଥିଲା ତାହେଲେ ଆତ୍ମହତ୍ୟା କାହିଁକି କରିବ? ପୋଲିସ‌୍‍ ନିଜ ତଦନ୍ତ କହିଲା, ଦୁର୍ଷ୍କମ ହୋଇନି, ତେବେ ୨୪ ଘଣ୍ଟା ଭିତରେ କ’ଣ ପାଇଁ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ସରକାର? ଯଦି ପୀଡିତାଙ୍କର କିଛି ହୋଇ ନଥିଲା ତେବେ କାଉନସେଲିଂ ପାଇଁ ଶିଶୁ ମଙ୍ଗଳ କମିଟିକୁ କ’ଣ ପାଇଁ ହସ୍ତାନ୍ତର କରାଯାଇଥିଲା? ଅଭିଯୋଗ ଆସିବାର ୨୭ ଦିନ ପରେ ପୋଲିସ‌୍‍ କହିଲା ଦୁର୍ଷ୍କମ ହୋଇନି, ଏଇ ୨୭ ଦିନ ଯାଏଁ କି ପ୍ରକାର ତଦନ୍ତ କରାଯାଇଥିଲା? ଶିଶୁ ମଙ୍ଗଳ କମିଟି ହେପାଜତରେ ଥିବା ବେଳେ ପୀଡିତା ଆଗରୁ ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ, ଏହି କମିଟି ନିଜ ଦାୟିତ୍ୱ ଠିକ‌୍‍ ଭାବେ ତୁଲାଇଛି କି? କ’ଣ ପାଇଁ ମେଡିକାଲ ରିପୋର୍ଟକୁ ସାର୍ବଜନୀନ କରାଯାଉନି?

 

ବିରୋଧୀ ଦଳ ହୁଅନ୍ତୁ ଅବା ଗଣମାଧ୍ୟମ ଅବା ସିଭିଲ‌୍‍ ସୋସାଇଟି। ପୀଡିତାର ମୃତ୍ୟୁ ପରେ ଏବେ କୁନ୍ଦୁଲି ପାଇଁ କାନ୍ଦୁଛନ୍ତି ସମସ୍ତେ। ହେଲେ ପ୍ରଶ୍ନ ଉଠୁଛି, ଏମାନେ କ’ଣ ନିଜ ଦାୟିତ୍ୱ ଠିକ‌୍‍ ଭାବେ ନିର୍ବାହ କରିଛନ୍ତି? ଧୀରେ ଧୀରେ ବ୍ୟବସ୍ଥାରେ ସମ୍ୱେଦନହୀନତା ବଢୁଥିବା ବେଳେ ଏହା ଉପରୁ ଲୋକଙ୍କ ଭରସା ବି ତୁଟିବାରେ ଲାଗିଲାଣି। ଏପରି ଏକ ଧାରଣା ତିଆରି ହେଉଛି, ଯେଉଁଠି ଗରିବ ଓ ସାଧାରଣ ଲୋକ ପାଇଁ ନ୍ୟାୟ ନାହିଁ ବୋଲି ଧରିନେବାକୁ ପଡିବ।

 

ଅତୀତରେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସରକାର ବେଳେ ଛବିରାଣୀ ଓ ଅଂଜନା ମିଶ୍ର ଗଣଦୁର୍ଷ୍କମ ଘଟଣା ହୋଇଥିଲା। ଯାହା କଂଗ୍ରେସ ସରକାରର ଛବିକୁ ଖିନଭିନ‌୍‍ କରିଦେଇଥିଲା।

ନା ଜାନକୀ ବାବୁ ନା ତାଙ୍କ ସରକାରର କେହି ଏହି ଘଟଣାରେ ପ୍ରତ୍ୟକ୍ଷ ଭାବେ ଲିପ୍ତ ଥିଲେ। ହେଲେ ଜାନକୀଙ୍କ ଭୁଲ‌୍‍ ରହିଲା ସେ ଜନମତର ଭାବନାକୁ ବୁଝିପାରିଲେନି। ଯାହା ତାଙ୍କ ପତନ ପାଇଁ ବାଟ ଖୋଲିଦେଇଥିଲା। ଜଣାପଡୁଛି, ଜାନକୀଙ୍କ ସେ ଭୁଲକୁ ଏବେକାର ସରକାର ଦୋହରାଇବାକୁ ଯାଉଛନ୍ତି।

 

ଯଦି ଏହି ମାମଲାରେ ତଦନ୍ତକାରୀ ପୋଲିସର ଭୂମିକା ସନ୍ଦେହଜନକ ଓ ସିବିଆଇ ତଦନ୍ତ ପାଇଁ ଜନମତ ତିଆରି ହେଉଛି, ତା ହେଲେ ସରକାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିବାରେ ଡେରି କରିବା ଉଚିତ‌୍‍ ନୁହେଁ। କୁନ୍ଦୁଲୀ ପୀଡିତା ପୂର୍ବରୁ ରାଜ୍ୟରେ ଅନେକ ଏଭଳି ଘଟଣା ଘଟିଛି। ଯେଉଁଠି ନ୍ୟାୟ ପାଇଁ ମୁହଁ ଖୋଲି ପୀଡିତାମାନେ ସମାଜରେ ଲାଞ୍ଚିତ-ଲଜ୍ଜିତ ହୋଇଛନ୍ତି ଓ ଶେଷରେ ଜୀବନ ବି ହାରିଛନ୍ତି। ଘଟଣା ସତ ହେଉ କି ମିଛ, ତଦନ୍ତ ପ୍ରକ୍ରିୟା ସ୍ୱଚ୍ଛ ହେବା ଦରକାର। ଲୋକଙ୍କ ବିଶ୍ୱାସ ଫେରିପାଇବାକୁ ହେଲେ ତଦନ୍ତ ପ୍ରକ୍ରିୟାରେ ସ୍ୱଚ୍ଛତା ଦେଖାଇବାକୁ ପଡିବ। କୁନ୍ଦୁଲି ଗଣଦୁର୍ଷ୍କମ ଘଟଣାରେ ଯେ କେହି ବି ଅଭିଯୁକ୍ତ ହେଉ, ଦୋଷୀ ହେଉ, ସେ ଯେତେ ପ୍ରଭାବଶାଳୀ ହେଉ, କ୍ଷମତାଶାଳୀ ହେଉ, ତାକୁ ଧରି କାଠଗଡାକୁ ଟାଣିଲେ ସରକାରଙ୍କ କୌଣସି କ୍ଷତି ହେବନି ବରଂ ଭାବମୂର୍ତ୍ତି ଅଧିକ ଉଜ୍ଜଳ ହେବ। ଶାସନତନ୍ତ୍ର ଓ ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ବଢିବ।

 

ଫୋନ‌୍‍-୯୪୩୮୨୯୬୫୧୯


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top