ବ୍ରହ୍ମପୁରକୁ ଅଗ୍ନିଦେବ ଭରଷା!

News Story - Posted on 2018-01-30

ବ୍ରହ୍ମପୁର ଅଗ୍ନିଶମ ବିଭାଗ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି । ଖରାଦିନ ଆରମ୍ଭ ହୋଇଯାଇଥିବା ବେଳେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଅଗ୍ନିିକାଣ୍ଡର ସମ୍ଭାବନା ରହିଛି । ପ୍ରତିବର୍ଷ ଖରାଦିନରେ ଅଗ୍ନିକାଣ୍ଡରେ ବହୁ ଧନଜୀବନ ହାନୀ ଘଟୁଥିବା ନଜିର୍ ରହିଛି । କିନ୍ତୁ ଅଗ୍ନିଶମ ବିଭାଗର ନିଜସ୍ୱ ସମସ୍ୟା ଲାଗି ରହିଛି । ଲୋକଙ୍କ ସମସ୍ୟା ଦୂର ହେବ କେମିତି?

 

ବ୍ରହ୍ମପୁର ପୁରୁଣା ବସ୍ ଷ୍ଟାଣ୍ଡ ନିକଟରେ ରହିଥିବା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ (ଫାୟାର୍ ଷ୍ଟେସନ୍) ୧୯୪୫ ମସିହା ଜୁନ୍ ମାସ ୧୬ ତାରିଖରେ ବ୍ରିଟିଶ ସରକାରଙ୍କ ସମୟରେ ସ୍ଥାପିତ ହୋଇଥିଲା । ଇତିମଧ୍ୟରେ ଉକ୍ତ କାର୍ଯ୍ୟାଳୟକୁ ଦୀର୍ଘ ୭୨ ବର୍ଷ ପୂରିବାକୁ ବସିଲାଣି । କିନ୍ତୁ ଏଠାରେ କିଛି ନୂଆ ଯନ୍ତ୍ରପାତି ଯୋଗାଇ ଦିଆଯାଇ ନାହିଁ । ବ୍ରହ୍ମପୁର ସହରରେ ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ସ୍ଥଳେ ସହରରେ ଘର ସଂଖ୍ୟା ଏବଂ ଆପାର୍ଟମେଣ୍ଟ ସଂଖ୍ୟା ମଧ୍ୟ ଯଥେଷ୍ଟ ବଢ଼ିଛି । କିନ୍ତୁ ଆବଶ୍ୟକ ସ୍ଥଳେ ଉକ୍ତ ବଡ଼ବଡ଼ କୋଠା, ଆପାର୍ଟମେଣ୍ଟ, ଗୋଦାମ ଗୁଡ଼ିକରେ ଅଗ୍ନିକାଣ୍ଡ ଘଟିଲେ ଆବଶ୍ୟକ ଯନ୍ତ୍ରପାତି ଅଭାବରୁ ଏବଂ ଆବଶ୍ୟକ ସଂଖ୍ୟକ କର୍ମଚାରୀ ଅଭାବରୁ ବିଭିନ୍ନ ସମୟରେ ଅଘଟଣକୁ ରୋକିବାରେ ବିଫଳ ହେଉଛି ବିଭାଗ ।

 

ମାତ୍ର ୩୦-୪୦ ଫୁଟ ଉଚ୍ଚକୁ ପାଣି ଉଠାଇବା ପାଇଁ ପମ୍ପ ରହିଥିବାରୁ ବଡ଼ ଦୁର୍ଘଟଣା ଘଟିଲେ ଏଠାରେ ଭଗବାନ ହିଁ ଭରଷା । ବର୍ତ୍ତମାନ ବ୍ରହ୍ମପୁର ଅଗ୍ନିଶମ କାର୍ଯ୍ୟାଳୟରେ ମୋଟ ୧୬ ଜଣ ଫାୟାର୍ ମ୍ୟାନ୍ ଆବଶ୍ୟକ ଥିବା ସ୍ଥଳେ ଏଠାରେ ମାତ୍ର ୧୪ ଜଣ ରହିଛନ୍ତି । ସେହିଭଳି ଡ଼୍ରାଇଭର୍ ମୋଟ ୪ ପରିବର୍ତ୍ତେ ୩ ଜଣ ରହିଛନ୍ତି ଏବଂ ହାବିଲଦାର୍ ୨ ଜଣ ରହିଛନ୍ତି । ଏଠାରେ ୨ ଜଣ ସେକେଣ୍ଡ ଅଫିସରଙ୍କ ପଦବୀ ଖାଲି ରହିଥିବା ଜଣାପଡ଼ିଛି । ସେହିଭଳି ଏଠାରେ ମୋଟ ପାଣିଟାଙ୍କି ୩, ପମ୍ପ ୧, କ୍ରେନ୍ ୧ ରହିଛି । ଏଠାରେ ଥିବା ପମ୍ପ ମାତ୍ର ୩୦-୪୦ ଫୁଟ ପାଣି ଉଠାଇପାରିବ ଯାହାକି ବ୍ରହ୍ମପୁର ସହର ପାଇଁ ଯଥେଷ୍ଟ ନୁହେଁ ।

 

ଇତିମଧ୍ୟରେ ବ୍ରହ୍ମପୁର ସହର ମହାନଗର ନିଗମ ଘୋଷିତ ହେବାର ୬ ବର୍ଷ ବିତିଯାଇଥିଲେ ସୁଦ୍ଧା ବ୍ରହ୍ମପୁରରେ ଏକ ଜରୁରୀ ବ୍ୟବସ୍ଥାର ଭିତ୍ତିଭୂମି କ୍ଷେତ୍ରରେ ଅଣଦେଖା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ । ଏ ସଂପର୍କରେ ବ୍ରହ୍ମପୁର ସହକାରୀ ଅଗ୍ନିଶମ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ସହ ନୂତନ ଏବଂ ଆଧୁନିକ ଯନ୍ତ୍ରପାତି ତଥା ବଡ଼ ନିଶୁଣି ଗାଡ଼ି ବ୍ରହ୍ମପୁରରେ ନଥିବା ସଂପର୍କରେ ପଚରାଯିବାରୁ ସେ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ବ୍ରହ୍ମପୁର ସହରରେ ଟ୍ରାଫିକ୍ ସମସ୍ୟା, କେବୁଲ୍ ଲାଇନ୍ ଏବଂ ବିଦ୍ୟୁତ୍ ତାରଗୁଡ଼ିକ ଯେଉଁଭଳି ବୁଢ଼ିଆଣି ଜାଲଭଳି ଏବଂ ତଳକୁ ଝୁଲି ରହିଛି କୌଣସି ଅତ୍ୟାଧୁନିକ ଯନ୍ତ୍ରପାତି ଯାଇପାରିବ ନାହିଁ । ଅଣଓସାରିଆ ରାସ୍ତା ମଧ୍ୟ ବିରାଟ ସମସ୍ୟା ସୃଷ୍ଟି କରୁଛି । ସେହିଭଳି ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ବେଆଇନ୍ ପାର୍କିିଂ, ଠେଲାଗାଡ଼ି, ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଛି । ବଡ଼ବଜାର, ଆମ୍ବପୁଆ ଆଦି ଅଂଚଳରେ ଅଗ୍ନିକାଣ୍ଡ ଘଟିଲେ ଟ୍ରାଫିକ୍ ସମସ୍ୟା ଯୋଗୁଁ ଅଗ୍ନିଶମ ଗାଡ଼ି ଯିବାପାଇଁ ଅଧିକ ସମୟ ଲାଗୁଥିବା ସେ ପ୍ରକାଶ କରିଛନ୍ତି ।

 

ବିଏମ୍ସି ପକ୍ଷରୁ କୌଣସି ସଠିକ୍ ସ୍ଥାନ ଠିକ୍ ନକରି ଯେକୌଣସି ସ୍ଥାନରେ ପାର୍କିଂ ପାଇଁ ଟେଣ୍ଡର୍ ଦିଆଯାଉଥିବାରୁ ସମସ୍ୟା ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି । ବ୍ରହ୍ମପୁର ମହାନଗର ନିଗମ କମିଶନର୍ ଫାୟାର୍ ଷ୍ଟେସନ୍ ସମ୍ମୁଖରେ ବେଆଇନ୍ ପାର୍କିଂ ଏବଂ ଟ୍ରାଫିକ୍ ସମସ୍ୟା ସଂପର୍କରେ ପଚରା ଯିବାରୁ ଏଥିନେଇ ଅଗ୍ନିଶମ ବିଭାଗ ତରଫରୁ କୌଣସି ଅଭିଯୋଗ ଆସି ନଥିବା ପ୍ରକାଶ କରିବା ସହ ଅଭିଯୋଗ ଆସିଲେ ଏହାକୁ ଗୁରୁତର ଭାବେ ଦୃଷ୍ଟି ଦିଆଯିବ, କିନ୍ତୁ ବ୍ରହ୍ମପୁର ଟ୍ରାଫିକ୍ ସମସ୍ୟାର ସମାଧାନ ନହେବା ଯାଏଁ କୌଣସି କ୍ଷେତ୍ରରେ ପଦକ୍ଷେପ ନେଇ ହେବ ନାହିଁ ବୋଲି ସେ କହିଛନ୍ତି । ତେବେ ସରକାର ବ୍ରହ୍ମପୁର ପାଇଁ ଅଧିକ କର୍ମଚାରୀ ନିଯୁକ୍ତ କରିବା ସହ ଆବଶ୍ୟକ ଆଧୁନିକ ଯନ୍ତ୍ରପାତି ଏବଂ ସମସ୍ୟାର ସମାଧାନ ପାଇଁ ପ୍ରଶାସନ ତରଫରୁ ମଧ୍ୟ ଦୃଢ଼ ପଦକ୍ଷେପ ନେବାପାଇଁ ସାଧାରଣରେ ଦାବୀ ହେଉଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top