ଜରିମାନା ଉପରେ ୧୨% ସୁଧ

News Story - Posted on 2018-01-30

ବେଆଇନ ଭାବେ ଖଣିଜ ଖନନ କରିଥିବା ଯେଉଁ ଖଣି ପଟ୍ଟାଦାରମାନେ ଜରିମାନା ଦାଖଲ କରି ନାହାନ୍ତି ସେମାନଙ୍କଠାରୁ ଜରିମାନା ସହିତ ୧୨ ପ୍ରତିଶତ ସୁଧ ଆଦାୟ କରିବାକୁ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ । ଯେଉଁମାନେ ସୁଧ ସହ ଜରିମାନା ଦାଖଲ ନକରିବେ ସେମାନଙ୍କ ସଂପତ୍ତି ବ୍ୟାଜାପ୍ତ କରିବାକୁ ମଧ୍ୟ କୋର୍ଟ ଓଡ଼ିଶା ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 

ସୁପ୍ରିମ କୋର୍ଟଙ୍କ ଏହି ରାୟ ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପୂର୍ବାଂଚଳ ଖଣି ସଂଘର ସାଧାରଣ ସଂପାଦକ ପ୍ରବୋଧ ମହାନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଏବେ ଓଡ଼ିଶା ସରକାରଙ୍କ ଅଧୀନସ୍ତ ଇଡକଲକୁ ମଧ୍ୟ ୧୨ ପ୍ରତିଶତ ସୁଧ ପଇଠ କରିବାକୁ ପଡ଼ିବ । କାରଣ ସୁପ୍ରିମ କୋର୍ଟ ଧାର୍ଯ୍ୟ କରିଥିବା ୨୦୧୭ ଡିସେମ୍ବର ୩୧ ତାରିଖ ଚରମ ସମୟ ୧୦ ଦିନ ଗଡ଼ିଗଲା ପରେ ଇଡକଲ ଜରିମାନା ଦାଖଲ କରିଥିଲା । ଇଡକଲ ୧୧ ଦିନ ଭିତରେ ଏହି ସୁଧ ଦାଖଲ କରିବା ଭିତରେ ଖଣିକାର୍ଯ୍ୟ ଚଳାଇ ପାରିବ ବୋଲି କୋର୍ଟ ଅନୁମତି ଦେଇଛନ୍ତି ।

 

ତେବେ ଏସେଲ ମାଇନିଂ ବିଳମ୍ବରେ ଜରିମାନା ଦାଖଲ କରିଥିଲେ ମଧ୍ୟ ସେହି କମ୍ପାନୀକୁ ଖଣିକାର୍ଯ୍ୟ ଚଳାଇବାକୁ ଅନୁମତି ମିଳି ନାହିଁ । ଆଉ ୧୦ ଦିନ ପରେ ଏହି ମାମଲାର ପୁଣି ଥରେ ଶୁଣାଣି ହେବ ।

 

ଓଡ଼ିଶାରେ ବୈଧାନିକ ମଂଜୁରୀ ନଥାଇ ବେଆଇନ ଖଣି ଖନନ କରିଥିବା କମ୍ପାନୀଙ୍କ ଉପରେ ମୋଯ ୧୭,୫୭୬ କୋଟି ଟଙ୍କାର ଜରିମାନା ଧାର୍ଯ୍ୟ ହୋଇଥିଲା । ଏଥିରୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଧାର୍ଯ୍ୟ ସମୟ ମଧ୍ୟରେ ଓଡ଼ିଶା ସରକାର ୧୦ ହଜାର କୋଟି ଟଙ୍କାର ଜରିମାନା ଆଦାୟ କରିପାରିଥିଲେ । ବେଆଇନ ଖଣି ଖନନ କରିଥିବା ମୋଟ ୧୩୧ ଖଣି ପଟ୍ଟାଦାରଙ୍କ ଉପରେ ଜରିମାନା ନୋଟିସ ଜାରି ହୋଇଥିଲା । ସେମାନଙ୍କ ମଧ୍ୟରୁ ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ୭୩ ପଟ୍ଟାଦାର ଜରିମାନା ଦାଖଲ କରିଥିଲେ । ଏହି ୭୩ ଖଣିରୁ ୩୦ଟି ଚାଲୁ ନାହିଁ, ବାକି ୪୩ ଚାଲୁଛି । ସାତଟି ଖଣି ସମୁଦାୟ ଜରିମାନା ଅର୍ଥ ଦାଖଲ କରିପାରି ନଥିଲେ । ଯେଉଁ ଖଣି ଜରିମାନା ଦାଖଲ କରିପାରି ନାହିଁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସେଠାରେ ଖଣିକାର୍ଯ୍ୟ ବନ୍ଦ କରିବାକୁ ଓଡ଼ିଶା ସରକାର ନିର୍ଦ୍ଦେଶ ଜାରି କରିଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top