ଭାରତ ବିଶ୍ୱର ଷଷ୍ଠ ଧନୀ!

News Story - Posted on 2018-01-30

ପୃଥିବୀର ସବୁଠୁଁ ଧନୀ ରାଷ୍ଟ୍ର ହେଉଛି ଆମେରିକା । ଭାରତ ହେଉଛି ଷଷ୍ଠ ଧନୀ ଦେଶ । ନ୍ୟୁ ୱାର୍ଲଡ େଓଲଥ ନାମ କଏକ ରିପୋର୍ଟରେ ଏହି ତଥ୍ୟ ରହିଛି । ରିପୋର୍ଟ ଅନୁସାରେ ଭାରତର ମୋଟ ଧନର ମୂଲ୍ୟ ହେଉଛି ୮,୨୩,୦୦୦ କୋଟି ଡଲାର ।

 

୨୦୧୭ ମସିହାର ଆକଳନ ଅନୁସାରେ ଆମେରିକା ନିକଟରେ ମୋଟ ୬୪,୫୮,୪୦୦ କୋଟି ଡଲାର ମୂଲ୍ୟର ସଂପଦ ରହିଛି । ଏହି ତାଲିକାରେ ଚୀନର ସ୍ଥାନ ଦ୍ୱିତୀୟ । ଚୀନର ମୋଟ ସଂପଦର ମୂଲ୍ୟ ହେଲା ୨୪,୮୦,୩୦୦ କୋଟି ଡଲାର । ମୋଟ ୧୯,୫୨,୨୦୦ କୋଟି ଡଲାର ମୂଲ୍ୟର ସଂପଦ ଥିବା ଜାପାନ ହେଉଛି ବିଶ୍ୱର ତୃତୀୟ ଧନୀ ରାଷ୍ଟ୍ର ।

 

ଏହି ରିପୋର୍ଟରେ ସରକାରୀ ପାଣ୍ଠିକୁ ହିସାବ କରାଯାଇ ନାହିଁ । କେବଳ ବେସରକାରୀ ନାଗରିକମାନଙ୍କ ନିକଟରେ ଥିବା ସଂପତ୍ତି, ନଗଦ ଅର୍ଥ, ଇକ୍ୟୁଟି ଓ ବ୍ୟାବସାୟିକ ସ୍ୱାର୍ଥ ଆଦିକୁ ହିସାବ କରାଯାଇଛି । ଏହି ହିସାବରୁ ଋଣ ବା ଦେୟକୁ ବାଦ ଦିଆଯାଇ ଦେଶର ମୋଟ ସଂପଦର ମୂଲ୍ୟ ହିସାବ ହୋଇଛି ।

 

ଏହି ରିପୋର୍ଟ ଅନୁସାରେ ବିଶ୍ୱର ଚତୁର୍ଥ ଧନୀ ରାଷ୍ଟ୍ର ହେଉଛି ଇଂଲଣ୍ଡ । ଏହି ଦେଶର ମୋଟ ସଂପଦର ମୂଲ୍ୟ ହେଉଛି ୯,୯୧,୯୦୦ କୋଟି ଡଲାର । ସେହିପରି ମୋଟ ୯,୬୬,୦୦୦ କୋଟି ଡଲାର ମୂଲ୍ୟର ସଂପଦ ସହିତ ଜର୍ମାନୀ ପଂଚମ ଧନୀ ରାଷ୍ଟ୍ରର ମାନ୍ୟତା ଅର୍ଜନ କରିଥିବାବେଳେ ୬,୬୪,୯୦୦ କୋଟି ଡଲାର ମୂଲ୍ୟର ସଂପତ୍ତି ସହିତ ଫ୍ରାନ୍ସ ସପ୍ତମ ସ୍ଥାନରେ ରହିଛି । ଅଷ୍ଟମ ସ୍ଥାନରେ ଥିବା କାନାଡ଼ାର ମୋଟ ସଂପଦ ମୂଲ୍ୟ ହେଉଛି ୬,୩୯,୩୦୦ କୋଟି ଡଲାର । ନବମ ସ୍ଥାନରେ ଥିବା ଅଷ୍ଟ୍ରେଲିଆର ସଂପଦ ମୂଲ୍ୟ ହେଉଛି ୬,୧୪,୨୦୦ କୋଟି ଡଲାର ଏବଂ ଦଶମ ସ୍ଥାନରେ ଥିବା ଇଟାଲୀର ସଂପଦ ମୂଲ୍ୟ ହେଉଛି ୪,୨୭,୬୦୦ କୋଟି ଡଲାର ।

 

ଏହି ରିପୋର୍ଟ ଅନୁସାରେ ୨୦୧୬ ତୁଳନାରେ ୨୦୧୭ରେ ଭାରତର ସଂପଦ ମୂଲ୍ୟ ୨୫ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୬ରେ ଭାରତର ସଂପଦ ମୂଲ୍ୟ ୬,୫୮,୪୦୦ କୋଟି ଡଲାର ଥିଲାବେଳେ ୨୦୧୭ରେ ଏହା ୮,୨୩,୦୦୦ କୋଟି ଡଲାରକୁ ବୃଦ୍ଧି ପାଇଥିଲା । ୨୦୦୭ରେ ଭାରତର ମୋଟ ସଂପଦର ମୂଲ୍ୟ ୩,୧୬,୫୦୦ କୋଟି ଡଲାର ଥିଲା । ଅର୍ଥାତ ୧୦ ବର୍ଷ ଭିତରେ ଭାରତର ସଂପଦର ମୂଲ୍ୟ ୧୬୦ ପ୍ରତିଶତ ବୃଦ୍ଧି ପାଇଥିଲା ।

 

ଏହି ସମୟ ମଧ୍ୟରେ ବିଶ୍ୱ ସଂପଦର ମୂଲ୍ୟ ୧୨ ପ୍ରତିଶତ ବୃଦ୍ଧି ପାଇଥିଲାବେଳେ ଚୀନ ସଂପଦର ମୂଲ୍ୟ ୨୨ ପ୍ରତିଶତ ବୃଦ୍ଧି ପାଇଥିଲା । ୨୦୧୬ରେ ବିଶ୍ୱ ସଂପଦର ମୂଲ୍ୟ ଥିଲା ୧୯୨ ଲକ୍ଷ କୋଟି ଡଲାର । ୨୦୧୭ରେ ଏହା ୨୧୫ ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇଥିଲା ।

 

ଏହି ରିପୋର୍ଟ ଅନୁସାରେ ଭାରତରେ ମୋଟ ୩,୩୦,୪୦୦ ଅତି ଉଚ୍ଚ ଧନୀ ଅଛନ୍ତି । ମୋଟ ୧୦ ଲକ୍ଷ ଡଲାର ବା ତା’ଠାରୁ ଅଧିକ ମୂଲ୍ୟର ସଂପତ୍ତିର ମାଲିକ ହେଲେ ଲୋକଙ୍କୁ ଏହି ବର୍ଗରେ ଗଣନା କରାଯାଏ । ମୋଟ ଅତି ଉଚ୍ଚ ଧନୀଙ୍କ ତାଲିକାରେ ଭାରତର ସ୍ଥାନ ନବମ । ଆମେରିକାରେ ଏଭଳି ଅତି ଉଚ୍ଚ ଧନୀଙ୍କ ସଂଖ୍ୟା ହେଉଛି ୫୦,୪୭,୪୦୦ । ନିୟୁତପତିଙ୍କ ତାଲିକାରେ ଭାରତର ସ୍ଥାନ ହେଉଛି ସପ୍ତମ । ଏଠାରେ ୨୦,୭୩୦ ନିୟୁତପତି ଅଛନ୍ତି । କୋଟିପତିଙ୍କ ଦୃଷ୍ଟିକୋଣରୁ ଭାରତର ସ୍ଥାନ ଆମେରିକା ଓ ଚୀନ ପରେ ତୃତୀୟ । ଏଠାରେ ୧୧୯ ଜଣ କୋଟିପତି ଅଛନ୍ତି । ଏ ସମସ୍ତଙ୍କ ସଂପତ୍ତିର ଆକଳନ ଡଲାର ହିସାବରେ ହୋଇଛି । ଗୋଟିଏ ଡଲାରର ମୂଲ୍ୟ ଏବେ ଭାରତୀୟ ମୁଦ୍ରାରେ ପ୍ରାୟ ୬୭ ଟଙ୍କା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top