ସିପିଏମ-ମତଭେଦ ବିଜେପି ପାଇଁ ଲାଭପ୍ରଦ

News Story - Posted on 2018-01-30

ସୂର୍ଯ୍ୟମଣି ମିଶ୍ର

 

ଗତ ୧୮ ରୁ ୨୦ ଜାନୁଆରୀ, ୨୦୧୮ରେ ସିପିଆଇଏମର ୩ ଦିନିଆ ପଲିଟି ବ୍ୟୁରୋ ଓ କେନ୍ଦ୍ରୀୟ କମିଟିର ବୈଠକ କୋଲକାତାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସିପିଆଇଏମ୍‍ ଦଳର ଆଭ୍ୟନ୍ତରୀଣ କନ୍ଦଳ ପଦାକୁ ଆସିଛି, ଯାହା ବିଜେପି ପାଇଁ ଆଶୀର୍ବାଦର ବାର୍ତ୍ତା ଦେଇଥିବା ରାଜନୈତିକ ମହଲରେ ପ୍ରମୁଖ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି ।

 

ଅନୁଷ୍ଠିତ ଏହି ବୈଠକରେ ୨ଟି ପୃଥକ ପୃଥକ ଦୃଷ୍ଟିକୋଣକୁ ନେଇ ବିତର୍କ ଆରମ୍ଭ ହୋଇଛି । ୨୦୧୯ ଲୋକସଭା ନିର୍ବାଚନକୁ ଆଖିଆଗରେ ରଖି ରଣନୀତି ପ୍ରସ୍ତୁତ ହୋଇଛି ପାର୍ଟିର ଏହି କେନ୍ଦ୍ରୀୟ କମିଟି ବୈଠକରେ । ତେବେ ୨ଟି ପୃଥକ ପୃଥକ ଦୃଷ୍ଟିକୋଣକୁ ନେଇ ଯାହା କୁହାଯାଇଛି, ତାହା ହେଲା ବର୍ତ୍ତମାନର ସିପିଆଇଏମ୍‍ ମହାସଚିବ ସୀତାରାମ ୟେଚୁରୀ, ଅନ୍ୟଟି ପୂର୍ବ ମହାସଚିବ ପ୍ରକାଶ କରାତଙ୍କ ଦ୍ୱାରା ଆଗତ ପ୍ରସ୍ତାବକୁ ନେଇ ଭୋଟ ଗ୍ରହଣ । ସମର୍ଥନ ସଂଗ୍ରହର ଧାରା ଯାହା ମତଭେଦକୁ ସ୍ପଷ୍ଟ କରିଛି । ୟେଚୁରୀଙ୍କ ସପକ୍ଷରେ କେନ୍ଦ୍ର କମିଟି ସଭ୍ୟଙ୍କର ମାତ୍ର ୩୧ଟି ଭୋଟ ମିଳିଥିବା ବେଳେ ତାଙ୍କ ପ୍ରସ୍ତାବ ବିରୋଧରେ ଅର୍ଥାତ କରାତଙ୍କ ପ୍ରସ୍ତାବ ସପକ୍ଷରେ ୫୫ଟି ଭୋଟ ମିଳିଥିଲା । ସବୁଠୁ ବଡ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଲା ପାର୍ଟିର ବର୍ତ୍ତମାନ ମହାସଚିବଙ୍କ ପ୍ରସ୍ତାବ ଭୋଟରେ କାଟ ଖାଇଲା ।

 

୧୯୭୫ରେ ପାର୍ଟିର ମହାସଚିବ ପଦରେ ଥିଲେ ପି. ସୁନ୍ଦରେୟା । ଶ୍ରୀ ସୁନ୍ଦରେୟା ୧୯୬୪ରେ ସିପିଆଏମ୍‍ ପ୍ରତିଷ୍ଠା ସମୟରେ ପାର୍ଟିର ମହାସଚିବ ଥିଲେ । ଜରୁରୀକାଳୀନ ପରିସ୍ଥିିତିକୁ ବିରୋଧ ପାଇଁ ଦକ୍ଷିଣପନ୍ଥୀ ଦଳ ‘ଜନସଂଘ’ ସହ ମେଣ୍ଟ କରିବାକୁ ପ୍ରସ୍ତାବ ଦେଇଥିଲେ ଓ ତାଙ୍କ ପ୍ରସ୍ତାବ କାଟ୍‍ ଖାଇଥିଲା । ପାର୍ଟି କଂଗ୍ରେସରେ ନିଜର ଏହି ରାଜନୈତିକ ପ୍ରସ୍ତାବକୁ ପାରିତ କରାଇ ପାରିନଥିଲେ, ବରଂ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ବର୍ତ୍ତମାନର ମହାସଚିବ ୟେଚୁରୀଙ୍କ ପ୍ରସ୍ତାବ ସର୍ବସମ୍ମତିକ୍ରମେ ପାରିତ ନହେବା ପାର୍ଟିର ଆଭ୍ୟନ୍ତରୀଣ ସଙ୍କଟର ପ୍ରତିବିମ୍ବ ନିଶ୍ଚୟ କହିଲେ ଭୁଲ ହେବନି ।

 

ୟେଚୁରୀଙ୍କ ପ୍ରସ୍ତାବ ଥିଲା, ବିଜେପିକୁ ଆଗାମୀ ଲୋକସଭା ନିର୍ବାଚନରେ ପରାସ୍ତ କରିବା ପାଇଁ କଂଗ୍ରେସ ସହ ମିଶି ଏକ ବାମ ଗଣତାନ୍ତ୍ରିକ ସାମୁଖ୍ୟ ଗଠନ କରିବା । କରାତଙ୍କ ସମର୍ଥିତ ପ୍ରସ୍ତାବ ଥିଲା, କୌଣସି ପରିସ୍ଥିତିରେ ଏବେ କଂଗ୍ରେସ ସହ ତାଳମେଳ, ବୁଝାମଣା କରାଯିବା ଉଚିତ ନୁହେଁ । ଅନ୍ୟ ଅର୍ଥରେ ବର୍ତ୍ତମାନର ମହାସଚିବ କମ୍ରେଡ୍‍ ୟେଚୁରୀଙ୍କ ପ୍ରସ୍ତାବକୁ ଖାରଜ କରିବା ।

 

ଏହା ସତ୍ୟ ଯେ, କଂଗ୍ରେସକୁ ନେଇ ସିପିଆଇଏମ୍‍ ଭିତରେ ମତଭେଦ ପ୍ରଥମ ନୁହେଁ । ୨୦୧୬ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ କରାତଙ୍କ ମତଥିଲା କଂଗ୍ରେସ ସହ ମେଣ୍ଟ ନକରିବାକୁ । ଅର୍ଥାତ୍‍ କଂଗ୍ରେସ ସହ ମେଣ୍ଟ ବିରୁଦ୍ଧରେ ଥିଲା ।

 

କିନ୍ତୁ ପାର୍ଟିର ପଶ୍ଚିମବଂଗ ଶାଖା କଂଗ୍ରେସ ସହ ଅନୌପଚାରିକ ସହଯୋଗର ରଣନୀତିକୁ ଆପଣାଇଥିଲା । କିନ୍ତୁ କଂଗ୍ରେସ ସହ ମେଣ୍ଟକରି ସିପିଆଇଏମ୍‍ ପାଇଁ ଏହି ମେଣ୍ଟ ଲାଭଦାୟକ ହୋଇପାରିନଥିଲା । ବରଂ ପଶ୍ଚିମ ବଂଗରେ ଦଳ କଂଗ୍ରେସ ପଛରେ ରହିଥିଲା । ଅର୍ଥାତ୍‍ ତୃଣମୂଳ କଂଗ୍ରେସ ପରେ ଦୀର୍ଘ ୩୭ ବର୍ଷ ଧରି କ୍ଷମତାରେ ଥିବା ବାମ ସାମୁଖ୍ୟ ତୃତୀୟ ସ୍ଥାନରେ ରହିଲା । କଂଗ୍ରେସ ଦ୍ୱିତୀୟ ସ୍ଥାନରେ - ସିପିଆଇଏମ୍ ତୃତୀୟ ସ୍ଥାନରେ ରହିଥିବା ନିର୍ବାଚନ ଫଳାଫଳ ସୂଚନା ଦେଇଥିଲା । ନିର୍ବାଚନ ଫଳାଫଳ ପ୍ରକାଶ ପାଇବାପରେ କରାତ ଏବଂ ୟେଚୁରୀଙ୍କ ମଧ୍ୟରେ ଥିବା ପାର୍ଟି ଲାଇନକୁ ନେଇ ଦ୍ୱନ୍ଦ୍ୱ ଅଧିକ ହୋଇଥିଲା । ଏହି ଦ୍ୱନ୍ଦ୍ୱକୁ ପାର୍ଟିର ପଶ୍ଚିମବଙ୍ଗ ଏବଂ କେରଳ ଶାଖା ମଧ୍ୟରେ ଦ୍ୱନ୍ଦ୍ୱ ବୋଲି କୁହାଗଲା ।

 

କୋଲକାତାରେ ସଦ୍ୟତମ ଅନୁଷ୍ଠିତ କେନ୍ଦ୍ରୀୟ କମିଟି ବୈଠକରେ କେରଳ ଏବଂ ତ୍ରିପୁରା ଶାଖାରୁ ଅଧିକ କେନ୍ଦ୍ରୀୟ କମିଟି ସଦସ୍ୟ ସମର୍ଥନ ଦେଇଥିଲେ । ପିଶ୍ଚିମବଂଗର କେନ୍ଦ୍ରୀୟ କମିଟି ସଦସ୍ୟ ୟେଚୁରୀଙ୍କ ପ୍ରସ୍ତାବକୁ ସମର୍ଥନ ଦେଇଥିଲେ ।

 

ଦଳର ଆଗାମୀ ପାର୍ଟି କଂଗ୍ରେସ ଅପ୍ରେଲ ମାସରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ । ପ୍ରତି ୩ ବର୍ଷରେ ଅନୁଷ୍ଠିତ ହୁଏ ଏହି ପାର୍ଟିି କଂଗ୍ରେସ । ଏହି କଂଗ୍ରେସର ୨୦୧୯ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ହେବ । କିନ୍ତୁ ପାର୍ଟି ଭିତରେ ଦେଖାଦେଇଥିବା ମତଭେଦକୁ ନେଇ ରାଜନୈତିକ ସମୀକ୍ଷକ ମତଭେଦର ଅନ୍ତ ଘଟିବା ନେଇ ନିଶ୍ଚିତ ହୋଇପାରୁ ନାହାଁନ୍ତି । କାରଣ ୟେଚୁରୀଙ୍କ ପ୍ରସ୍ତାବ ସପକ୍ଷରେ ପଶ୍ଚିମବଙ୍ଗ, ମହାରାଷ୍ଟ୍ର ସମେତ ୧୦ଟି ରାଜ୍ୟର ସଭ୍ୟମାନଙ୍କର ସମର୍ଥନ ରହିଛି । ଅନ୍ୟ ପକ୍ଷରେ କରାତଙ୍କ ସପକ୍ଷରେ କେରଳ, ତ୍ରିପୁରା ସହ ଶ୍ରମିକ ସଂଗଠନ ସିଆଇଟିୟୁର ସଭ୍ୟମାନଙ୍କର ସମର୍ଥନ ରହିଛି । ୟେଚୁରୀଙ୍କ କହିବା କଥା ସଂପ୍ରଦାୟିକ ବିଜେପି ତୁଳନାରେ କଂଗ୍ରେସ ହେଉଛି ଛୋଟ ସଇତାନ । ଦେଶରୁ ବାମ ଶକ୍ତି ହ୍ରାସ ଘଟିବା, ବାମ ଦଳର ଶକ୍ତି କହିଲେ କେରଳ ଏବଂ ତ୍ରିପୁରାରେ ସୀମିତ ରହିବା, ବାମ ସମର୍ଥକଙ୍କ ପାଇଁ ଚିନ୍ତାର ପ୍ରସଙ୍ଗ ହୋଇଛି । ଏହି ସମୟରେ ୟେଚୁରୀ-କରାତଙ୍କ ମଧ୍ୟରେ ମତଭେଦକୁ ନେଇ ଗଣମାଧ୍ୟମରେ ପ୍ରଚାର ହେବା ଘଟଣାକୁ ମିଛ ପ୍ରଚାର ବୋଲି କୁହାଯାଇନପାରେ । ହୁଏତ ଅତିରଞ୍ଜିତ ବୋଲି କୁହାଯାଇପାରେ ।

 

ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଦେଶର ଜରୁରୀ ପରିସ୍ଥିତି ଜାରୀ ସମୟରେ ସିପିଆଇ କଂଗ୍ରେସ ସହ ଥିବାବେଳେ ସିପି ଆଇଏମ୍ କଂଗ୍ରେସ ବିରୁଦ୍ଧରେ ଥିଲା । ସିପିଆଇ ଦଳ ପକ୍ଷରୁ ଯଦିଓ ଏହାପରେ କଂଗ୍ରେସ ଦଳର ସମର୍ଥନ ଦେବା ନେଇ ଐତିହାସିକ ଭୁଲ ବୋଲି ସ୍ୱୀକାର କରାଯାଇଥିଲା ।

 

କଂଗ୍ରେସ ଦଳକୁ ସମର୍ଥନ କରିବା ପ୍ରସଙ୍ଗକୁ ନେଇ ସିପିଆଇର ଅନେକ ନେତା ପାର୍ଟି ଛାଡ଼ିଥିଲେ । ସିପିଆଇଏମରେ ବର୍ତ୍ତମାନ ଉପୁଜିଥିବା ମତଭେଦକୁ ନେଇ ପାର୍ଟି ସଭ୍ୟ, ନେତା ଯେ ଦଳ ନଛାଡ଼ିବେ, ତାହାକୁ ଅସ୍ୱୀକାର କରାଯାଇନପାରେ । ସିପିଆଇଏମରେ କଂଗ୍ରେସ ଦଳକୁ ସମର୍ଥନ କରିବା ନେଇ ଉପୁଜିଥିବା ମତଭେଦରେ ସବୁଠୁ ବେଶି ଖୁସି ହୋଇଛି ବିଜେପି । ବିଜେପି ଆଇଟି ସେଲର ପ୍ରମୁଖ ଅମିତ ମାଲବ୍ୟ ଟିପ୍ପଣୀ ଦେଇ କହିଛନ୍ତି ଯେ, ସିପିଆଇଏମ୍ ମହାସଚିବ ପଦରେ ଶ୍ରୀ ୟେଚୁରୀ ଅଛନ୍ତି ସତ; କିନ୍ତୁ ପ୍ରକୃତ କ୍ଷମତା କରାତଙ୍କ ହାତରେ ।

 

ସମାଜବାଦୀ ପାର୍ଟି କଂଗ୍ରେସ ହାତ ଛାଡ଼ିବା ପରେ ବାମଦଳ କଂଗ୍ରେସ ହାତ ଛାଡ଼ିବା କଂଗ୍ରେସ ଦଳ ପାଇଁ ଚିନ୍ତାର ପ୍ରସଙ୍ଗ ହୋଇଛି ।

 

ସିପିଆଇଏମ୍ ପୂର୍ବମହାସଚିବ କରାତ ଯଦିଓ ସ୍ୱୀକାର କରିଛନ୍ତି ଯେ, ବିଜେପି ଜନଗଣଙ୍କ ପାଇଁ ବଡ ଶତ୍ରୁ । ସେ ଏହା ମଧ୍ୟ ସ୍ୱୀକାର କରିଛନ୍ତି ଯେ ଏବେ ନୁହେଁ ନିର୍ବାଚନ ପରେ ଆବଶ୍ୟକ ପଡ଼ିଲେ ବିଜେପିକୁ କ୍ଷମତାଠାରୁ ଦୂରରେ ରଖିବାପାଇଁ କଂଗ୍ରେସ ସହ ବୁଝାମଣା କରାଯାଇପାରେ! କିନ୍ତୁ ଏବେ କଂଗ୍ରେସ ସହ ବୁଝାମଣା ହେବା ଉଚିତ ନୁହେଁ । କଂଗ୍ରେସ ସହ ମେଣ୍ଟରେ ଖିବା ତାମିଲନାଡୁର ଡିଏମକେ ସହ ସିପିଆଇଏମ୍ ମେଣ୍ଟ କରିବାକୁ ଚାହୁଁଛି, ଅଥଚ କଂଗ୍ରେସ ସହ ନୁହେଁ । କରାତଙ୍କ ଯୁକ୍ତି ହେଲା ୨୦୧୬ରେ ପଶ୍ଚିମବଙ୍ଗରେ କଂଗ୍ରେସ ସହ ମେଣ୍ଟ କରି ପାର୍ଟି ଲାଭ ପାଇଲା ନାହିଁ । ବରଂ ଦୀର୍ଘ ୩୭ବର୍ଷ ଧରି କ୍ଷମତାରେ ଥିବା ପାର୍ଟିର ସାଂଗଠନିକ ଗଡ଼ଗୁଡିକ ଭାଂଗିଗଲା । ପାର୍ଟି ଭିତରେ ୟେଚୁରୀ-କରାତଙ୍କ ମଧ୍ୟରେ ଦେଖାଦେଇଥିବା ମତଭେଦକୁ ନେଇ ଯେଉଁ ରାଜନୈତିକ ଗୁଞ୍ଜରଣ ଶୁଣିବାକୁ ମିଳୁଛି, ତାହା ହେଲା ୧୯୯୬ରେ ଯେତେବେଳେ ହରକିଷନ ସିଂହ ସୁରଜିତ ପାର୍ଟିର ମହାସଚିବ ଥିଲେ, ସେତେବେଳେ ଶ୍ରୀ କରାତ ନିଜ ସଭ୍ୟ ଶକ୍ତିକୁ ପ୍ରୟୋଗ କରି ଜ୍ୟୋତି ବସୁଙ୍କ ଭଳି ନେତାଙ୍କୁ ଧୂଳି ଚଟାଇଥିଲେ । ପାର୍ଟିପାଇଁ ପ୍ରଧାନମନ୍ତ୍ରୀ ପଦ ହାତପାହାନ୍ତାରେ ଥିଲା, ତାହା ଶ୍ରୀ କରାତଙ୍କ ପାଇଁ ହାତଛଡ଼ା ହେଲା । ଜ୍ୟୋତି ବସୁଙ୍କୁ କହିବାକୁ ପଡ଼ିଲା- ଏହା ଏକ ଐତିହାସିକ ଭୁଲ ଥିଲା ।

 

କ’ଣ ୟେଚୁରୀ ହରକିଷନ ସୁରଜିତଙ୍କ ଦ୍ୱିତୀୟ ସଂସ୍କରଣ? ହରକିଷନ୍‍ ସିଂହ ସୁରଜିତ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ । ୧୯୩୦ରୁ ୨୦୦୮ ଯାଏ ନିଜର ମୃତ୍ୟୁ ପର୍ଯ୍ୟନ୍ତ ବାମପନ୍ଥୀ ରାଜନୀତିରେ ସକ୍ରିୟ ଥିଲେ । ହରକିଷନ ସିଂହ ସୁରଜିତ ଜାତୀୟ ସ୍ତରରେ ପରିଚୟ ସୃଷ୍ଟି କରିଥିଲେ ଜଣେ ବୁଝାମଣାକାରୀ ସଫଳ ନେତା ଭାବେ । ମେଣ୍ଟ ରାଜନୀତିର ସେ ଥିଲେ ଚମ୍ପିଅନ୍‍ । ଗୋଟିଏ ପରେ ଗୋଟିଏ ସୁଯୋଗକୁ ହାତେଇ ଭାନୁମତୀ ପେଡ଼ିକୁ ଖୋଲିବା ସହ ପରସ୍ପର ବିରୋଧୀଙ୍କୁ ଏକାଠି କରିବାରେ ତାଙ୍କର ପାରଦର୍ଶିତା ଜାତୀୟ ରାଜନୀତିରେ ଦେଖିବାକୁ ମିଳିଥିଲା । ତାଙ୍କ ନେତୃତ୍ୱର ମେଣ୍ଟର ନାମ ଥିଲ ‘ୟୁନାଇଟେଡ୍‍ ପ୍ରୋଗ୍ରେସିଭ୍‍ ଏଲାଇନ୍ସ’ ପ୍ରୋଗ୍ରେସିଭ୍‍ ଶବ୍ଦ ସୁରଜିତଙ୍କ ମତାନୁସାରେ ହିଁ ଯୋଡ଼ି ଦିଆଯାଇଥିଲା ।

 

ଏହି ସମୟରେ ସେ ଜ୍ୟୋତିବସୁଙ୍କ ସହିତ କେତେକ ବିରୋଧୀଦଳକୁ ଗୋଟିଏ ଛାତ ତଳକୁ ଆଣିବାରେ ସଫଳ ହୋଇଥିଲେ । ସିପିଆଇଏମରେ କଂଗ୍ରେସ ସହ ଚାଲିବାର ବୁଝାମଣା ‘ସୁରଜିତ ଲାଇନ୍‍’ ବୋଲି କୁହାଯାଏ । ସୀତାରାମ ଏହି ସୁରଜିତ୍‍ ଲାଇନ୍‍କୁ ଆପଣେଇଛନ୍ତି । ୧୯୯୬ରେ ଦେବଗୌଡ଼ା ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ଜ୍ୟୋତିବସୁଙ୍କୁ ପ୍ରଧାନମନ୍ତ୍ରୀ ପଦରେ ବସାଇବା ପାଇଁ ପ୍ରସ୍ତାବ ଆସିଥିଲା । କିନ୍ତୁ ଏହି ସମୟରେ ପ୍ରକାଶ କାରାତ ସିପିଆଇଏମର ପଲିଟି ବ୍ୟୁରୋ ବୈଠକରେ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ । ତାଙ୍କର ମତ ଥିଲା ଅନ୍ୟ କେହି ପ୍ରଧାନମନ୍ତ୍ରୀ ହୁଅନ୍ତୁ । ସେ କଂଗ୍ରେସର ଦୟାର ପାତ୍ର ହୋଇ ରହିବେ । ଜ୍ୟୋତି ବସୁ ପ୍ରଧାନମନ୍ତ୍ରୀ ହେଲେ ଦେଶର କୌଣସି ଆର୍ଥିକ ସଂସ୍କାର ସମ୍ଭବ ହୋଇପାରିବ ନାହିଁ । ଏହି ସମୟରେ ପଲିଟି ବ୍ୟୁରୋର ନିଷ୍ପତ୍ତି ଶ୍ରୀ କରାତଙ୍କ ସପକ୍ଷରେ ଯାଇଥିଲା ।

 

ସିପିଆଇଏମ୍‍ ସିକ୍ୟୁଲାର୍‍ ପାର୍ଟି ଅର୍ଥାତ ଧର୍ମନିରପେକ୍ଷ ଦଳଗୁଡ଼ିକୁ ଏକାଠି କରିବା ଦୌଡ଼ରେ ଯେପରି ସୁରଜିତ ଥିଲେ ଆଜି ଦିନରେ ସୀତାରାମ ସେହି ଲାଇନ୍‍ରେ ଆଗକୁ ବଢ଼ୁଛନ୍ତି । ସୁରଜିତ୍‍ ଲାଲୁ ଯାଦବ, ମୁଲାୟମ ସିଂହ ଯାଦବ, କରୁଣାନିଧି, ନବୀନ ପଟ୍ଟନାୟକଙ୍କ ଭଳି ନେତାଙ୍କ ସହ ଉତ୍ତମ ସଂପର୍କ ରଖିଥିଲେ । ଆଜି ଦିନରେ ସୀତାରାମ ଏହିଭଳି ସଂପର୍କ ରଖିଛନ୍ତି । କରାତଙ୍କ ଯୁକ୍ତି ହେଉଛି ଆର୍ଥିକ ନୀତି ଅନୁଯାୟୀ ବିଜେପି ଓ କଂଗ୍ରେସ ମଧ୍ୟରେ କୌଣସି ଫରକ ଥିବା ଦେଖିବାକୁ ମିଳିନି । ସିପିଆଇଏମ୍‍ ଗତ ୪୦ ବର୍ଷ ମଧ୍ୟରେ ଏହାକୁ ଅତି ପାଖରେ ଦେଖିଛି ଓ ପରଖିଛି । କଂଗ୍ରେସ ସହ ରହିଛି ଏବଂ କଂଗ୍ରେସକୁ ବିରୋଧ ମଧ୍ୟ କରିଛି । ବିଜେପି ସ୍ୱାଧୀନତା ପରେ ଏବେ ସବୁଠୁ ସଂଗଠିତ ଓ ସୁଦୃଢ଼ ଦଳ ହୋଇପାରିଛି, ଆଉ କଂଗ୍ରେସ ସବୁଠୁ ଦୁର୍ବଳ ଅବସ୍ଥାରେ । ରାଜୀବ ଗାନ୍ଧିଙ୍କ ପରେ ନରେନ୍ଦ୍ର ମୋଦି ହେଉଛନ୍ତି ଏକମାତ୍ର ନେତା, ଯାହାଙ୍କ ପାଖରେ ପୂର୍ଣ୍ଣ ବହୁମତ ବା ସଂଖ୍ୟା ଗରିଷ୍ଠତା ରହିଛି । କଂଗ୍ରେସ ଭାରତୀୟ ରାଜନୀତିରେ ମଧ୍ୟମ ମାର୍ଗୀ ଦଳ । ଇତିହାସ ସୂଚନା ଦିଏ ଯେତେବେଳେ କଂଗ୍ରେସ ସଂକଟରେ ଥାଏ, ସେତେବେଳେ ବାମଦଳର ସହାୟତା ନେଇଥାଏ । ୧୯୬୭ରେ କଂଗ୍ରେସର ଖରାପ ପ୍ରଦର୍ଶନ ପରେ ଇନ୍ଦିରା ଗାନ୍ଧି ବାମଦଳର ବିଚାର ଆଧାରରେ ବ୍ୟାଙ୍କକୁ ଜାତୀୟକରଣ କରିଥିଲେ । ଆଜି ଦିନରେ ସୋନିଆ ଗାନ୍ଧି ଯେଭଳି ବାମ ଦଳର ସହାୟତା ଲୋଡ଼ୁଥିଲେ ସେହିଭଳି ରାହୁଳ ଗାନ୍ଧି ଲୋଡ଼ୁଛନ୍ତି । କିନ୍ତୁ କଂଗ୍ରେସ ଦଳ ପୁଞ୍ଜିବାଦୀ ଦଳ ଏବଂ ଆମେରିକା ସାମ୍ରାଜ୍ୟବାଦୀ ସପକ୍ଷବାଦୀ ଦଳ । ବିଜେପିର ଫରକ ଏତିକି ଯେ ଏହି ଦଳ ସାଂପ୍ରଦାୟିକ ରାଜନୀତିକୁ ଅସ୍ତ୍ରକରି ଦଳର ଏଜେଣ୍ଡା ପ୍ରସ୍ତୁତ କରିଥାଏ । ଏଭଳି ସ୍ଥିତିରେ ବାମଦଳ କଂଗ୍ରେସ ସପକ୍ଷରେ ଯାଇ ବିଜେପି ବିରୋଧରେ ମେଣ୍ଟ କରିବାରେ ସଫଳ ହେବ ନା କରାତ-ୟେଚୁରୀଙ୍କ ମତଭେଦକୁ ନେଇ ଦଳ ଦୁଇଫାଳ ହେବ, ସେନେଇ ରାଜନୈତିକ ଶିବିରରେ ଚାଲିଛି ମନ୍ଥନ!

 

ଆଜି ଦେଶର ରାଜନୈତିକ ଚିତ୍ର ପୁଞ୍ଜିବାଦୀ ଅର୍ଥ ବ୍ୟବସ୍ଥା ଆଧାରିତ, ଦେଶର ସାଧାରଣ ଜନତା ଆର୍ଥିକ ବିଷମତାରେ ଶିକାର । ବଢ଼ିଚାଲିଛି ଧନୀ-ଗରିବ ମଧ୍ୟରେ ପାର୍ଥକ୍ୟର ପ୍ରାଚୀର । ଏହି ସମୟରେ ଦେଶର ସର୍ବବୃହତ ବାମଦଳ ସିପିଆଇଏମରେ କଂଗ୍ରେସ ସହ ମେଣ୍ଟକୁ ନେଇ ମତଭେଦ ଦେଶ ପାଇଁ ଶୁଭଙ୍କର ନୁହେଁ । ଆଉ ଏକ ବିଡ଼ମ୍ବନାର ପ୍ରସଙ୍ଗ ହେଲା-୨୦୦୪ରେ କଂଗ୍ରେସ ପାଖରେ ସଂଖ୍ୟା ଗରିଷ୍ଠତା ନଥିଲା । ସିପିଆଇଏମ୍ ୟୁପିଏ-୧କୁ ସମର୍ଥନ କରିଥିଲା । ଆମେରିକା ସହ ପରମାଣୁ ଚୁକ୍ତି ପ୍ରସଙ୍ଗକୁ ନେଇ ପାର୍ଟି କଂଗ୍ରେସଠାରୁ ସମର୍ଥନ ପ୍ରତ୍ୟାହାର କଲା । ଲୋକସଭା ଅଧ୍ୟକ୍ଷ ସୋମନାଥ ଚାଟାର୍ଜୀଙ୍କୁ ଅପମାନିତ କରିବାକୁ ପଛାଇଲା ନାହିଁ ପାର୍ଟି । ଫଳାଫଳ ଏହା ହେଲା ଯେ ୨୦୦୯ ନିର୍ବାଚନରେ ଲୋକସଭାରେ ବାମଦଳକୁ ସବୁଠୁ କମ ଆସନ ମିଳିଲା ।

 

ସଦ୍ୟ ଅନୁଷ୍ଠିତ କୋଲକାତା ପାର୍ଟି କେନ୍ଦ୍ରୀୟ କମିଟି ବୈଠକରେ ନିଜ ପ୍ରସ୍ତାବ ପାରିତ କରିବା ପାଇଁ ତଥା ନିଜର ସଂଖ୍ୟାବଳ ତଥା ଶକ୍ତିକୁ ଦେଖାଇବା ପାଇଁ କେରଳରୁ ଜଣେ କେନ୍ଦ୍ରୀୟ କମିଟି ସଦସ୍ୟଙ୍କୁ କୋଲକାତାକୁ ଅଣାଗଲା, ଯିଏ ଆଇସିୟୁରେ ଥିଲେ । ଏହିପରି ଜଣେ ରୋଗରେ ପୀଡିତ ତ୍ରିପୁରାର ଖଗେନ୍ଦ୍ର ଦାସଙ୍କୁ ଭୋଟ ଦେବା ପାଇଁ ଅଣାଗଲା ।

 

ଏହା କ’ଣ ପାର୍ଟିର ଆଭ୍ୟନ୍ତରୀଣ ଗଣତନ୍ତ୍ର! ମତଭେଦ ଦାଣ୍ଡରେ ପଡ଼ିଲାଣି । ଦେଶପାଇଁ ବାମ ଏକତା ବଡ଼ ଆବଶ୍ୟକତା ଥିବାବେଳେ ସିପିଆଇଏମ୍ ମଧ୍ୟରେ ମତଭେଦର ସମ୍ବାଦ ଦେଶର କମ୍ୟୁନିଷ୍ଟ-ପ୍ରଗତିଶୀଳ ନାଗରିକଙ୍କୁ ବ୍ୟଥିତ କରିଛି । ଯଦିଓ ସିପିଆଇଏମ୍ ଏଭଳି ମତଭେଦକୁ ପ୍ରୋପାଗଣ୍ଡା ବୋଲି କହୁଛି ।

ସାମ୍ବାଦିକ, ଭୁବନେଶ୍ୱର
ମୋ- ୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top