ଚାଲ ଗାନ୍ଧୀ ହେବା!

News Story - Posted on 2018-01-30

ପ୍ରହଲାଦ କୁମାର ସିଂହ

 

ଘଟଣା ବହୁଳ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନକାଳ। ୭୮ ବର୍ଷ ୩ ମାସ ୨୯ ଦିନର ଜୀବନ ଭିତରୁ ପ୍ରାୟ ୫୪ ବର୍ଷ ତାଙ୍କର କଟିଛି ସତ୍ୟ, ଅହିଂସା ଓ ସତ୍ୟାଗ୍ରହକୁ ନେଇ ସଂଗ୍ରାମରେ। ଏ ସଂଘର୍ଷମୟ ଜୀବନରୁ ପୁଣି ପ୍ରାୟ ୨୦ ବର୍ଷ ବିତିଛି ଦକ୍ଷିଣ ଆଫ୍ରିକାରେ। ତାଙ୍କ ଇହଲୀଳା ସମ୍ରଣର ୭୦ ବର୍ଷରେ ବି ଗାନ୍ଧିଜୀଙ୍କ କଥା ଓ କାମ କେବଳ ଅମ୍ଳାନ ହୋଇ ରହିନାହଁି, ମଣିଷ ସମାଜର ବିକାଶ ପାଇଁ ଦେଶ ବିଦେଶରେ ଏହି ପ୍ରସଙ୍ଗକୁ ନେଇ ଏବେ ବି ଚାଲିଛି ବ୍ୟାପକ ପ୍ରୟୋଗ।

 

୧୮୬୯ ଅକ୍ଟୋବର ୨ ତାରିଖରୁ ୧୮୯୩ ପର୍ଯ୍ୟନ୍ତ  ତାଙ୍କ ଜୀବନର ପ୍ରଥମ ୨୪ ବର୍ଷ କଟିଛି ଶୈଶବ, ଛାତ୍ର ହିସାବରେ। ଇଂଲଣ୍ଡରୁ ବାରିଷ୍ଟର ହୋଇ ଫେରିବା ପରେ ୧୮୯୩ ଏପ୍ରିଲ୍ ମାସରେ ରୁସ୍ତମଜୀଙ୍କ ବ୍ୟବସାୟ ସଂସ୍ଥାର ଆଇନ୍ ପରାମର୍ଶଦାତା ଭାବେ ଯୁବ ବାରିଷ୍ଟର ମୋହନଦାସ କରମଚାନ୍ଦ ଗାନ୍ଧୀ ଯାଇଥିଲେ ଦକ୍ଷିଣ ଆଫ୍ରିକା। ସେଠି ଓକିଲାତି କରୁ କରୁ ବର୍ଣ୍ଣବୈଷମ୍ୟବାଦ ବିରୋଧରେ ସେ ଆରମ୍ଭ କଲେ ପ୍ୟାସିଭ୍ ରେଜିଷ୍ଟାନ୍ସ, ଯାହା ପରେ ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ ନାମରେ ପରିଚିତ ହେଲା। ଏଇଠି ବି ସେ ଇଣ୍ଡିଆନ୍ ଓପିନିଅନ୍ ଖବରକାଗଜ ପ୍ରକାଶ କରିବା ସହିତ ଫୋନିକ୍ସ ଆଶ୍ରମ, ଟଲଷ୍ଟୟ ଫାର୍ମ ଆଦି ପ୍ରତିଷ୍ଠା କଲେ। ବିଦେଶରେ ବି ସେ ଲେଖିଥିଲେ ହିନ୍ଦ୍ ସ୍ବରାଜ ବହି। ଦକ୍ଷିଣ ଆଫ୍ରିକାରେ ଭାରତୀୟମାନଙ୍କ ଉପରେ ଚାଲିଥିବା ନାହଁି ନଥିବା ଜୁଲମ୍ ବିରୋଧରେ ସେ ସଫଳ ସଂଗ୍ରାମ ଚଳାଇବା ପରେ 1915 ଜାନୁଆରୀ 9 ତାରିଖରେ ଫେରିଥିଲେ ଭାରତକୁ। ଆଉ ସେହିବର୍ଷ ମଇ ୨୫ ତାରିଖରେ ଅହମ୍ମଦାବାଦ ନିକଟବର୍ତ୍ତୀ କୋଚରବଠାରେ ପ୍ରତିଷ୍ଠା କରିଥିଲେ ସତ୍ୟାଗ୍ରହ ଆଶ୍ରମ। ପରେ ଏହି ଆଶ୍ରମ ସାବରମତୀକୁ ସ୍ଥାନାନ୍ତରିତ ହୋଇଥିଲା ୧୯୧୭ ମସିହାରେ।

୧୯୧୫ରୁ ୧୯୪୮ ପର୍ଯ୍ୟନ୍ତ ଗାନ୍ଧିଜୀ ନିରବଚ୍ଛିନ୍ନ ଭାବେ ଲଢ଼ିଛନ୍ତି ଭାରତମାତାକୁ ପରାଧୀନତାର ଶୃଙ୍ଖଳରୁ ମୁକ୍ତ କରିବା ପାଇଁ। ତାଙ୍କର ଏହି ସତ୍ୟାଗ୍ରହ ସଂଗ୍ରାମରେ ଯୋଡ଼ି ହୋଇଥିଲେ ଲକ୍ଷ ଲକ୍ଷ ଲୋକ। ଗାନ୍ଧିଜୀଙ୍କ ପ୍ରଥମ କାରବାସ ହୋଇଥିଲା ୧୯୦୮ ଜାନୁଆରୀ ୧୦ ତାରିଖରେ ଯେତେବେଳେ ଦକ୍ଷିଣ ଆଫ୍ରିକାର ଟ୍ରାନ୍ସଭାଲରୁ ସେ ଗିରଫ ହେଲେ। ମୋଟାମୋଟି ଭାବେ ଦକ୍ଷିଣ ଆଫ୍ରିକା ସତ୍ୟାଗ୍ରହ କାଳରେ ୬ ଥରରେ ଗାନ୍ଧିଜୀଙ୍କୁ କାରାଗାରରେ କାଟିବାକୁ ପିଥିଲା ୨୧୩ ଦିନ।

 

ମହାନ ସ୍ବାଧୀନତା ସଂଗ୍ରାମୀ ଗୋପାଳକୃଷ୍ଣ ଗୋଖଲେ, ଦାଦାଭାଇ ନାଓରୋଜୀ, ଲୋକମାନ୍ୟ ବାଲ୍ ଗଙ୍ଗାଧର ତିଲକ ଆଦିଙ୍କ ଆକର୍ଷଣରେ ଗାନ୍ଧିଜୀ ଦକ୍ଷିଣ ଆଫ୍ରିକା ଛାଡ଼ି ସତ୍ୟାଗ୍ରହର ସଫଳ ପ୍ରୟୋଗ ଲାଗି ଭାରତ ଫେରିଲେ ୧୯୧୫ ଜାନୁଆରୀ ୯ ତାରିଖରେ। ଗୋଖଲେଙ୍କ ଗୁରୁମନ୍ତ୍ର ପାଳନ ପୂର୍ବକ ଦୁଇ ବର୍ଷ ଧରି ସେ ଭାରତ ଭ୍ରମଣ କରି ଦେଶର ଅବସ୍ଥା ଓ ଲୋକଙ୍କ ମାନସିକତା ଗଭୀର ଭାବେ ଅନୁଶୀଳନ କଲେ। ୧୯୧୫ରେ ଗୁଜରାଟର ଭୀରମଗାଓଁଠାରେ ଟିକସ ବିରୋଧରେ ଆରମ୍ଭ ହେଲା ଗାନ୍ଧିଜୀଙ୍କ ସଫଳ ସତ୍ୟାଗ୍ରହ। ଏହାପରେ ୧୯୧୬ରେ ଭାରତରୁ ବିଦେଶକୁ ପଠାଯାଉଥିବା ଚୁକ୍ତିବଦ୍ଧ ଶ୍ରମିକଙ୍କ ଦୁର୍ଦ୍ଦଶା ନିରାକରଣ ପାଇଁ ସେ ଆରମ୍ଭ କରିଥିବା ଅନ୍ୟ ଏକ ସତ୍ୟାଗ୍ରହ ବି ସଫଳ ହୋଇଥିଲା। ସେ ଆରମ୍ଭ କରିଥିବା ସତ୍ୟାଗ୍ରହ ଆଶ୍ରମରେ ଅସ୍ଫୃଶ୍ୟତା ପ୍ରସଙ୍ଗରେ ମଧ୍ୟ ଅନ୍ୟ ଏକ ସତ୍ୟାଗ୍ରହ ଆରମ୍ଭ କରି ଲୋକଙ୍କ ମନ ଜିଣିଥିଲେ।

 

୧୯୧୭ରେ ବିହାରର ନୀଳ ଚାଷୀଙ୍କ ଦୁର୍ଦ୍ଦଶା ମୋଚନ ପାଇଁ ଚମ୍ପାରଣରେ ଗାନ୍ଧିଜୀ ଆରମ୍ଭ କଲେ ଅନ୍ୟ ଏକ ସତ୍ୟାଗ୍ରହ। ଏ ସତ୍ୟାଗ୍ରହ ମଧ୍ୟ ସଫଳ ହେଲା ଏବଂ ଶହେ ବର୍ଷର କଳଙ୍କିତ ପ୍ରଥା ରଦ୍ଦ କରିବାକୁ ବ୍ରିଟିଶ୍ ସରକାର ବାଧ୍ୟ ହେଲେ। ୧୯୧୮ରେ ଅହମ୍ମଦାବାଦ ଶ୍ରମିକ ସତ୍ୟାଗ୍ରହ ଓ ଖେଡାରେ କୃଷକ ସତ୍ୟାଗ୍ରହ ପରେ ପରେ ୧୯୧୯ରେ ରୌଲଟ୍ ଆଇନ୍ ବିରୋଧରେ ମଧ୍ୟ ତାଙ୍କ ସତ୍ୟାଗ୍ରହ ଦାନା ଧରିଲା। ୧୯୨୦ରେ କଲିକତା କଂଗ୍ରେସ ଅଧିବେଶନରେ ଗୃହୀତ ପ୍ରସ୍ତାବ ଅନୁଯାୟୀ ଜାଲିଆନାୱାଲାବାଗ୍ ଗଣହତ୍ୟାର ପ୍ରତିବାଦ ସହିତ ଖିଲାପତ୍ ଆନ୍ଦୋଳନକୁ କଂଗ୍ରେସ ସମର୍ଥନ ଦେଲା। ଏହାରି ଭିତରୁ ୧୯୨୦-୨୧ରେ ଜନ୍ମନେଲା ଅସହଯୋଗ ଆନ୍ଦୋଳନ। ଏଥିରେ ୩୫ ହଜାରରୁ ଅଧିକ ଅସହଯୋଗୀ କାରାବରଣ କଲେ। ତେବେ ଚୌରୀଚୌରା ହିଂସାକାଣ୍ଡ ପରିପ୍ରେକ୍ଷୀରେ ଗାନ୍ଧିଜୀ ଏହି ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ୧୯୨୨ରେ ଗୁରୁ କା ବାଗ୍ ସତ୍ୟାଗ୍ରହ, ୧୯୨୩ରେ ନାଗପୁର ପତାକା ସତ୍ୟାଗ୍ରହ, ୧୯୨୪ରେ କେରଳର ଭାଇକମ୍ ସତ୍ୟାଗ୍ରହ, ୧୯୨୮ରେ ବର୍ଦ୍ଦୋଳି ସତ୍ୟାଗ୍ରହରେ ଗାନ୍ଧିଜୀ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

 

୧୯୨୮ କଲିକତା କଂଗ୍ରେସ ଅଧିବେଶନରେ ଭାରତକୁ ବର୍ଷକ ଭିତରେ ଔପନିବେଶିକ ସ୍ବାୟତ୍ତ ଶାସନ ନ ମିଳିଲେ ପୂର୍ଣ୍ଣ ସ୍ବରାଜ ପାଇଁ ସଂଗ୍ରାମ ଆରମ୍ଭ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏ ପରିପ୍ରେକ୍ଷୀରେ ୧୯୨୯ ଡିସେମ୍ବର ଶେଷରେ ଲାହୋର ଠାରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ପୂର୍ଣ୍ଣ ସ୍ବରାଜ ପାଇଁ ସଂକଳ୍ପ ନିଆଯିବା ସହିତ ୧୯୩୦ ଜାନୁଆରୀ ୨୬ରେ ଦେଶବ୍ୟାପୀ ସ୍ବାଧୀନତା ପାଇଁ ଶପଥ ନେବାକୁ ଧାର୍ଯ୍ୟ ହେଲା। ପରେ ୧୯୩୦ ଫେବୃଆରୀ ୧୬ରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ ସମିତି ବୈଠକରେ ଗାନ୍ଧିଜୀ ଲବଣ ଆଇନ୍ ଅମାନ୍ୟ କରିବା ପାଇଁ ତାଙ୍କ ନିଷ୍ପତ୍ତି ଜଣାଇଦେଲେ। ତଦନୁଯାୟୀ ୭୮ ଜଣ ସତ୍ୟାଗ୍ରହୀଙ୍କ ସହିତ ସାବରମତୀରୁ ଦାଣ୍ଡି ପଦଯାତ୍ରା କରି ଗାନ୍ଧିଜୀ ଲବଣ ସତ୍ୟାଗ୍ରହର ସୂତ୍ରପାତ କଲେ। ଏହି ସତ୍ୟାଗ୍ରହ ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ବ୍ୟାପକ ହେଲା ଏବଂ ହଜାର ହଜାର ସତ୍ୟାଗ୍ରହୀ କାରାବରଣ କଲେ। ୧୯୩୯ରେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେବା ପରେ ୧୯୪୦ରେ ଗାନ୍ଧିଜୀ ଡାକରା ଦେଲେ ବାଣୀ ସ୍ବାଧୀନତା ସତ୍ୟାଗ୍ରହ ଲାଗି। ଏଥିରେ ବି ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରୁ ୩୦ ହଜାରରୁ ଊର୍ଦ୍ଧ୍ବ ସତ୍ୟାଗ୍ରହୀ ଜେଲ୍ ଗଲେ। ଏହାଛଡ଼ା ଗଡ଼ଜାତ ଅଞ୍ଚଳରେ ମଧ୍ୟ ଅନେକ ସତ୍ୟାଗ୍ରହ ଗାନ୍ଧିଜୀଙ୍କ ସମର୍ଥନରେ ଚାଲିଥିଲା।

 

୧୯୪୨ ଜୁଲାଇ ୧୪ ତାରିଖରେ କଂଗ୍ରେସ କାର୍ଯ୍ୟକାରୀ ସମିତିରେ ପୂର୍ଣ୍ଣ ସ୍ବାଧୀନତା ପ୍ରାପ୍ତି ପାଇଁ ପ୍ରସ୍ତାବ ଗୃହୀତ ହେଲା ଓ ତାହାକୁ ୧୯୪୨ ଅଗଷ୍ଟ ୭ ତାରିଖରେ ବମ୍ବେେରେ ଅନୁଷ୍ଠିତ କଂଗ୍ରେସ ଅଧିବେଶନରେ ଉପସ୍ଥାପନ କରାଗଲା। ଏହି ଅବସରରେ ୧୯୪୨ ଅଗଷ୍ଟ ୮ ଅଧରାତିରେ ଗାନ୍ଧିଜୀ ତାଙ୍କ ଐତିହାସିକ ଆହ୍ବାନ ‘କର ବା ମର’ ଦେଇଥିଲେ ଏବଂ ଭାରତଛାଡ଼ ଆନ୍ଦୋଳନ ପାଇଁ ପ୍ରସ୍ତାବ ମଧ୍ୟ ଏଥିରେ ଗୃହୀତ ହୋଇଥିଲା। ଏହି ଆନ୍ଦୋଳନ କାଳରେ ଓଡ଼ିଶା ସମେତ ଦେଶର ବିଭିନ୍ନ ସ୍ଥାନରେ ୨ ହଜାରରୁ ଅଧିକ ନିରସ୍ତ୍ର ଲୋକ ସହିଦ ହୋଇଥିବା ବେଳେ ଦେଲକ୍ଷରୁ ଅଧିକ ସତ୍ୟାଗ୍ରହୀ ଗିରଫ ହୋଇଥିଲେ। କ୍ରମାଗତ ଭାବେ ଚାଲିଥିବା ଏହି ସତ୍ୟାଗ୍ରହ ଆନ୍ଦୋଳନର ଫଳସ୍ବରୂପ ଆମ ଦେଶ ଇଂରେଜଙ୍କ କବଳରୁ ସ୍ବାଧୀନ ହେଲା ୧୯୪୭ ଅଗଷ୍ଟ ୧୫ ତାରିଖରେ।

 

ଭାରତବର୍ଷରେ ବିଭିନ୍ନ ସତ୍ୟାଗ୍ରହ ସମୟରେ ଗାନ୍ଧିଜୀ ଅନ୍ୟୁନ ୮ ଥର ଗିରଫ ହୋଇଛନ୍ତି ଓ ଜେଲ୍ ଯାଇଛନ୍ତି। ପ୍ରଥମେ ତାଙ୍କ ଉପରେ ଗିରଫ ପରୱାନା ଜାରି କରାଯାଇଥିଲା ୧୯୧୭ ଏପ୍ରିଲ୍ ୧୬ ତାରିଖରେ ଚମ୍ପାରଣର ମୋତିହାରୀଠାରେ। କିନ୍ତୁ ସେଥର ତାଙ୍କୁ ଗିରଫ କରାଯାଇନଥିଲା। ୧୯୧୯ ଏପ୍ରିଲ୍ ୧୦ ତାରିଖରେ ଅମୃତସର ଯିବା ବାଟରେ ପଲାଲଠାରେ ଗାନ୍ଧୀଙ୍କୁ ଗିରଫ କରି ପୋଲିସ ନେଇ ଛାଡ଼ି ଦେଇଥିଲା ବମ୍ବେରେ। ୧୯୨୨ ମାର୍ଚ୍ଚ ୧୦ ତାରିଖ ଅଧରାତିରେ ତାଙ୍କୁ ଅହମ୍ମଦାବାଦରେ ଗିରଫ କରି ପ୍ରଥମେ ରଖାଯାଇଥିଲା ସାବରମତୀ ଜେଲରେ ଓ ସେଠାରୁ ପରେ ପଠାଇ ଦିଆଗଲା ୟେରାୱାଡ଼ା ଜେଲକୁ।  ୟେରାୱାଡ଼ା ଜେଲରେ ଗାନ୍ଧିଜୀ ଥିଲେ କଏଦୀ ନଂ ୮୬୭୭।  ଏଥର ଏଠି ସେ ପ୍ରାୟ ୨ ବର୍ଷ ବନ୍ଦୀ ଜୀବନ ବିତାଇଥିଲେ।  ୧୯୨୯ରେ ସେ କଲିକତାରେ ବି ଗିରଫ ହୋଇଥିଲେ। ଲବଣ ସତ୍ୟାଗ୍ରହ ସମୟରେ ଦାଣ୍ଡି ନିକଟବର୍ତ୍ତୀ କରାଡ଼ି ଠାରେ ୧୯୩୦ ମଇ ୫ ତାରିଖ ରାତି ୧୨ଟା ୪୫ ମିନିଟରେ ତାଙ୍କୁ ଗିରଫ କରି ବିନା ବିଚାରରେ ଜେଲରେ ରଖାଯାଇଥିଲା ୮ ମାସ ୨୨ ଦିନ। ଗୋଲ୍ ଟେବୁଲ ବୈଠକରୁ ଫେରିବା ପରେ ୧୯୩୨ ଜାନୁଆରୀ ୪ ତାରିଖରେ ଗାନ୍ଧିଜୀଙ୍କୁ ବମ୍ବଆରୁ ରାତି ୩ଟାରେ ଗିରଫ କରାଯାଇ ୧୬ ମାସରୁ ଅଧିକ ସମୟ ଜେଲରେ ଅଟକ ରଖାଯାଇଥିଲା। ପୁଣି ୧୯୩୩ ଅଗଷ୍ଟ ପହିଲାରେ ତାଙ୍କୁ ଆଉଥରେ ଗିରଫ କରି ଜେଲରେ ରଖାଯାଇଥିଲା ୨୩ ଦିନ। ୧୯୪୨ ଅଗଷ୍ଟ ୮-୯ ମଧ୍ୟରାତ୍ରିରେ ଭାରତଛାଡ଼ ଆନ୍ଦୋଳନ କାଳରେ ଗାନ୍ଧିଜୀଙ୍କୁ ଗିରଫ କରି ପ୍ରଥମେ ୟେରାୱାଡ଼ା ଜେଲ୍ ଓ ପରେ ସେଠାରୁ ଆଗା ଖାଁ ପ୍ୟାଲେସରେ ବନ୍ଦୀ କରି ରଖାଯାଇଥିଲା। ଏହି କାରବାସ ଥିଲା ପ୍ରାୟ ବର୍ଷେ ୯ ମାସର। ଭାରତରେ ତାଙ୍କ ଜେଲ୍ ଜୀବନର ଅଧିକ ସମୟ କଟିଥିଲା ୟେରାୱାଡ଼ା ଜେଲରେ, ତେଣୁ ଏହି ଜେଲକୁ ଗାନ୍ଧିଜୀ କହୁଥିଲେ ୟେରାୱାଡ଼ା ମନ୍ଦିର। ଦେଶ ମାତୃକା ପାଇଁ ଏଭଳି ବିଭିନ୍ନ ସମୟରେ ପ୍ରାୟ ସାେଢ଼ ୬ ବର୍ଷ ଦୀର୍ଘ କାରାବାସ ବାସ୍ତବରେ ଥିଲା ଗାନ୍ଧିଜୀଙ୍କ ପାଇଁ ପବିତ୍ର ପ୍ରବାସ। ତାଙ୍କ ଶେଷ କାରାବାସ ସମୟରେ ଆଗା ଖାଁ ପ୍ୟାଲେସରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ ପୁତ୍ର ପ୍ରତିମ ମହାଦେବ ଦେଶାଇ ୧୯୪୨ ଅଗଷ୍ଟ ୧୫ ତାରିଖରେ। ତାଙ୍କ ଜୀବନସାଥୀ କସ୍ତୁରବାଙ୍କ ଦେହାନ୍ତ ବି ସେଇଠି ହୋଇଥିଲା ୧୯୪୪ ଫେବୃଆରୀ ୨୨ ତାରିଖରେ।

 

ବିଭିନ୍ନ ସତ୍ୟାଗ୍ରହ ସମୟରେ, ସତ୍ୟାଗ୍ରହୀଙ୍କୁ ସୁଧାରିବା ପାଇଁ ଏବଂ ଶାନ୍ତି ରକ୍ଷା ଲାଗି ଗାନ୍ଧିଜୀ ଅନ୍ୟୁନ ୨୮ ଥର ଅନଶନ କରିଛନ୍ତି। ଏଥିରୁ ତିନିଥର ଦକ୍ଷିଣ ଆଫ୍ରିକାରେ ହୋଇଥିବା ବେଳେ ୨୫ ଥର ଘଟିଛି ଭାରତରେ। ମୋଟାମୋଟି ଭାବେ ୩୫ ବର୍ଷର ଅବଧି ମଧ୍ୟରେ ଗାନ୍ଧିଜୀ ୧୭୭ ଦିନ ଅନଶନରେ କାଟିଛନ୍ତି। ୧୯୪୩ରେ ସେ ସର୍ବାଧିକ ୩୦ ଦିନ ଅନଶନ କରିଥିବା ବେଳେ ୧୯୩୩ରେ ଦୁଇ ପର୍ଯ୍ୟୟରେ ୨୪ ଦିନ, ୧୯୨୪ରେ ୨୧ ଦିନ, ୧୯୧୪ରେ ୧୪ ଦିନ ଅନଶନ କରିଛନ୍ତି। ୭୭-୭୮ ବର୍ଷ ବୟସରେ ମଧ୍ୟ ୧୯୪୭ ଓ ୧୯୪୮ରେ ସେ ୫ ଦିନ କରି ଅନଶନ କରିଛନ୍ତି। ଗାନ୍ଧିଜୀଙ୍କ ଅସ୍ଫୃଶ୍ୟତା ନିବାରଣ ଅଭିଯାନକୁ ବିରୋଧ କରି ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳରେ ତାଙ୍କୁ କଳା ପତାକା ଦେଖାଇବା ସଙ୍ଗେ ସଙ୍ଗେ ଗାଳିମନ୍ଦ କରୁଥିବା ସନାତନୀ ସନ୍ଥ ପଣ୍ଡିତ ଲାଲନାଥଙ୍କ ଉପରେ କ୍ରୋଧିତ ଲୋକେ ଆକ୍ରମଣ କଲେ କଲିକତାରେ। ସେତେବେଳକୁ ଗାନ୍ଧିଜୀ କରାଚିରେ ଥାଆନ୍ତି। ଏଥିରେ ବ୍ୟଥିତ ହୋଇ ସେବାଗ୍ରାମ ଆଶ୍ରମକୁ ଫେରି ଲାଲନାଥଙ୍କ ଉପରେ ହୋଇଥିବା ଆକ୍ରମଣର ପ୍ରତିବାଦରେ ସେ ୧୯୩୪ ଅଗଷ୍ଟ ୭ରୁ ୧୩ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଅନଶନ କରିଥିଲେ। ତାଙ୍କର ଶେଷ ଅନଶନ ଥିଲା ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରକ୍ଷା କରିବା ପାଇଁ ୧୯୪୮ ଜାନୁଆରୀ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ। ପରାଧୀନତାର ଶୃଙ୍ଖଳ ଛିନ୍ନ କରି ଦେଶ ତାଙ୍କ ନେତୃତ୍ବରେ ଚାଲିଥିବା ସତ୍ୟାଗ୍ରହ ସଂଗ୍ରାମ ଯୋଗୁ ସ୍ବାଧୀନତା ପାଇଲା ୧୯୪୭ ଅଗଷ୍ଟ ୧୫ ତାରିଖରେ। ସେଦିନ ବି ଗାନ୍ଧିଜୀ ଅନଶନ କରିଥିଲେ ଦେଶ ବିଭାଜନରେ ବିବ୍ରତ ହୋଇ।

 

ଗାନ୍ଧିଜୀଙ୍କ ଚିନ୍ତା, କଥା ଓ କାମ ସତ୍ୟର ଭୂମି ଉପରେ ଥିଲା ସରଳରେଖାର ତିନୋଟି ବିନ୍ଦୁ। ଏହାରି ମଧ୍ୟରୁ ସେ ସତ୍ୟ ଓ ଅହିଂସାର ମିଶ୍ରଣରେ ସୃଷ୍ଟି କରିଥିଲେ ସତ୍ୟାଗ୍ରହ ଅସ୍ତ୍ର। ସତ୍ୟାଗ୍ରହ ଏଭଳି ଏକ ବିରଳ ଅସ୍ତ୍ର ତାହାକୁ ଯିଏ ପ୍ରୟୋଗ ପରେ ଓ ଯାହା ଉପରେ ପ୍ରୟୋଗ କରାଯାଏ ସେଥିରେ ଉଭୟଙ୍କର ମଙ୍ଗଳ ନିହିତ ଥାଏ। ପର୍ବତ ଭଳି ଯୁଗ ଯୁଗରୁ ରହି ଆସିଥିବା ସତ୍ୟ ଓ ଅହିଂସାକୁ ସେ ଦେଲେ ନୂଆ ରୂପ। ପରିପୂର୍ଣ୍ଣତା ପ୍ରାପ୍ତି ଲାଗି ସତ୍ୟାଗ୍ରହ ହେଉଛି ଏକ ନିରନ୍ତର ଯାତ୍ରା।

 

ଦେଶ ସ୍ବାଧୀନ ହେଲେ ଗ୍ରାମ ସ୍ବରାଜ ଆସିବ, ସବୁ ଗାଁ ହେବ ସ୍ବାବଲମ୍ବୀ। ଆଉ ଲୋକେ ଅନୁଭବ କରିବେ ଦିଲ୍ଲୀରେ ଆମ ସରକାର, ଆମ ଗାଁରେ ଆମେ ସରକାର। ସ୍ବଦେଶୀ, ସ୍ବାାବଲମ୍ବନ ଓ ସ୍ବାଭିମାନ ଆଧାରରେ ସ୍ବାଧୀନ ଦେଶରେ ଲୋକଙ୍କ ହାତରେ ଶାସନ ଡୋରି ରହିବ, ଦେଶର ରପ୍ତାନି ବଢ଼ିବ, ଆମଦାନୀ ଉପରେ ନିୟନ୍ତ୍ରଣ ରହିବ, ଶୋଷକ ଓ ଶୋଷିତ ରହିବେ ନାହଁି, ସବୁ ହାତକୁ ସମ୍ମାନର ସହ କାମ ମିଳିବ, ଖାଦ୍ୟ, ବସ୍ତ୍ର ଓ ବାସଗୃହର ସମସ୍ୟା ରହିବ ନାହଁି ବୋଲି କୁହାଯାଇଥିଲା। ଏହାଛଡ଼ା ସ୍ବାଧୀନ ଭାରତର ଆଇନ୍ ଶୃଙ୍ଖଳା ଏପରି ହେବ ଯେ ରାତି ଅଧରେ ଜଣେ ଯୁବତୀ ନିର୍ଭୟରେ ଏକାକୀ କୌଣସି ସ୍ଥାନକୁ ଯାଇ ନିରାପଦରେ ଫେରି ଆସିପାରିବ, ସ୍ବରାଜ୍ୟରେ ସାମ୍ପ୍ରଦାୟିକତା, ଅସ୍ଫୃଶ୍ୟତା, ଜାତିଭେଦ ରହିବ ନାହଁି, କୃଷି ଓ କୁଟୀର ଶିଳ୍ପରେ ଦେଶ ସମୃଦ୍ଧ ହେବ, ଗାଁର କଳି ଗାଁରେ ତୁଟିବ, ସ୍ବାଧୀନ ଭାରତରେ ନିଶା ସମ୍ପୂର୍ଣ୍ଣ ଭାବେ ନିବାରିତ ହେବ। ରାଜନୈତିକ, ସାମାଜିକ, ଆର୍ଥିକ, ଆଧ୍ୟାତ୍ମିକ ଓ ସାଂସ୍କୃତିକ କ୍ଷେତ୍ରରେ ଲୋକେ ପୂର୍ଣ୍ଣ ସ୍ବାଧୀନତା ହାସଲ କରି ନୈତିକତା ଆଧାରିତ ମୁକ୍ତ ଜୀବନଯାପନ କରିବେ ବୋଲି ଦିଆଯାଇଥିଲା ସ୍ବାଧୀନତା ସଂଗ୍ରାମର ପ୍ରତିଶ୍ରୁତି। ଭାରତୀୟ ସମ୍ବିଧାନରେ 51 (କ) ଧାରା ଦେଶର ନାଗରିକମାନଙ୍କୁ ସେମାନଙ୍କ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ଚେତାଇଦେଇ ଆଜି ବି କହୁଛି ସବୁ ନାଗରିକ ସମ୍ବିଧାନକୁ ମାନିବେ ଓ ଜାତୀୟ ପତାକା, ଜାତୀୟ ସଂଗୀତ ଆଦିକୁ ସମ୍ମାନ ଦେବା ସଙ୍ଗେ ସଙ୍ଗେ ଆମ ସ୍ବାଧୀନତା ସଂଗ୍ରାମର ଲକ୍ଷ୍ୟ ଉଦ୍ଦେଶ୍ୟକୁ ସଫଳ କରିବା ଲାଗି କାମ କରିବେ ଇତ୍ୟାଦି ଇତ୍ୟାଦି।

 

ଗାନ୍ଧିଜୀଙ୍କ ସଂଗ୍ରାମ, ସାଧନା ଓ ସତ୍ୟାଗ୍ରହ ସ୍ବୀକୃତିରେ ସମଗ୍ର ବିଶ୍ବରେ ଜାତିସଂଘର ଆହ୍ବାନ କ୍ରମେ ତାଙ୍କ ଜନ୍ମଦିନ ଅକ୍ଟୋବର ୨କୁ ପାଳନ କରାଯାଉଛି ଆନ୍ତର୍ଜାତିକ ଅହିଂସା ଦିବସ ଭାବରେ। ବିଶ୍ବ ମହାତ୍ମାଙ୍କ କଥା ଓ କାମକୁ ସମ୍ମାନ କରୁଥିବା ବେଳେ ସ୍ବାଧୀନତା ପ୍ରାପ୍ତିର ୬ ମାସ ନ ପୂରୁଣୁ ଅହିଂସାର ପୂଜାରୀଙ୍କୁ ହତ୍ୟା କରାଗଲା। କେବଳ ଜଣେ ବ୍ୟକ୍ତି ନୁହେଁ ଏକ କୃତଘ୍ନ ଓ ବିକାରଗ୍ରସ୍ତ ହିଂସ୍ର ବିଚାର ଏବେ ବି ଗାନ୍ଧୀ ଦର୍ଶନକୁ ହତ୍ୟା କରିବା ପାଇଁ ଅହରହ ଉଦ୍ୟମ ଚଳାଇଛି। ତେବେ ଯେଉଁଥି ପାଇଁ ଗାନ୍ଧିଜୀଙ୍କ ଦୀର୍ଘ କାରାବାସ, ଉପବାସ ଓ ସତ୍ୟାଗ୍ରହ ତାହାର ସ୍ବରୂପ ଏବେ କ’ଣ? ସ୍ବାଧୀନତା ସଂଗ୍ରାମର ଯଜ୍ଞ ବେଦୀରେ ଯେଉଁ ହଜାର ହଜାର ସହିଦ ବଳିଦାନ ଦେଇଛନ୍ତି, ଲକ୍ଷ ଲକ୍ଷ ସଂଗ୍ରାମୀ କାରାବରଣ କରିଛନ୍ତି, ଆଉ କୋଟି କୋଟି ସ୍ବାଧୀନତା ପିପାସୁ କଷ୍ଟ ବରଣ କରିଛନ୍ତି ତାହା କ’ଣ ବ୍ୟର୍ଥ ଯିବ? ମହାତ୍ମାମାନଙ୍କ ଭାଷଣ ଓ କଷଣ ଅକାରଣରେ ବ୍ୟର୍ଥ ଯାଏ ନାହଁି ବୋଲି ମହାପୁରୁଷମାନେ କହିଛନ୍ତି। ଏ ପରିପ୍ରେକ୍ଷୀରେ ଗାନ୍ଧିଜୀଙ୍କ ସମେତ ଯେଉଁ ଦେଶପ୍ରେମୀମାନଙ୍କ ସାଧନାର ଫଳସ୍ବରୂପ ଆମେ ସ୍ବାଧୀନତା ପାଇଛେ ତାହାକୁ ସୁରକ୍ଷିତ ରଖିବା ସଙ୍ଗେ ସଙ୍ଗେ ସ୍ବାଧୀନତା ସଂଗ୍ରାମର ଘୋଷିତ ପ୍ରତିଶ୍ରୁତିକୁ ସାକାର କରିବା ଲାଗି ପୁଣି ଏକ ସତ୍ୟାଗ୍ରହର ଆବଶ୍ୟକତା ଅନୁଭୂତ ହେଉଛି। ଏ ସତ୍ୟାଗ୍ରହର ନେତୃତ୍ବ ନେବା ପାଇଁ ଆଉ ଗାନ୍ଧୀ କି ଗୋପବନ୍ଧୁ ଆସିବେ ନାହଁି, ଏ ନେତୃତ୍ବ ଏ ଦେଶର ଯୁବକ, ଛାତ୍ର, ମହିଳା, ଶ୍ରମଜୀବୀ  ଓ ସଚେତନ ନାଗରିକଙ୍କ ଭିତରୁ ହଁି ସୃଷ୍ଟି ହେଉ।

 

ସଭାପତି, ମହାତ୍ମାଗାନ୍ଧୀ ବିଚାର ମଞ୍ଚ

ମୋ-୯୪୩୭୦୧୭୩୯୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top