ବିଜେପୁର- ଛକାପଞ୍ଝା ଜୋରଦାର

News Story - Posted on 2018-01-29

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ରାଜ୍ୟରେ ହଠାତ ପାରଦ ଖସି ଥଣ୍ଡା ଅନୁଭୂତ ହୋଇଥିବାବେଳେ ବିଜେପୁର ବିଧାନସଭା ଉପନିର୍ବାଚନ ରାଜ୍ୟ ରାଜନୀତିକୁ ସରଗରମ କରିଦେଇଛି । ଯାହାକୁ ନେଇ ସାରା ରାଜ୍ୟରେ ରାଜନୈତିକ ଉଷ୍ମତା ଦେଖା ଦେଇଛି । ଜାନୁଆରୀ ୨୪ରୁ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଆସନ୍ତାକାଲି ବିଜେପୁର ଉପନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲିି ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଡିଏନ ଗୁପ୍ତା ସୂଚନା ଦେଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତ ତଥା ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ପ୍ରସ୍ତୁତି ଜାରି ହୋଇଛି । ନିର୍ବାଚନ ପରିଚାଳନା ନେଇ ଯୋଜନା ପ୍ରସ୍ତୁତି ଚାଲିଥିବାବେଳେ ନିର୍ବାଚନ ଆଚରଣ ବିଧିର ତଦାରଖ ପାଇଁ କମିଟି ଗଠନ ହେବ । ଏହା ବ୍ୟତୀତ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ୨ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତି ହୋଇଛନ୍ତି । ଜଣେ ସାଧାରଣ ପର୍ଯ୍ୟବେକ୍ଷକଭାବେ ନିଯୁକ୍ତି ହୋଇଥିବାବେଳେ ଆଉ ଜଣେ ବ୍ୟୟ ତଦାରଖ ପାଇଁ ନିଯୁକ୍ତି ହୋଇଛନ୍ତି ।

 

ବିଜେପୁର ଉପନିର୍ବାଚନକୁ ନେଇ ବିଗୁଲ ବାଜି ସାରିଥିବାବେଳେ ତିନି ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇ ଯାଇଛି । ଏହି ପ୍ରତିଦ୍ୱନ୍ଦ୍ୱିତାରେ ଶାସକ ବିଜେଡି ଆଗୁଆ ଥିବାବେଳେ ବିରୋଧୀ ବିଜେପି ଓ କଂଗ୍ରେସ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି । ସମସ୍ତ ରାଜନୈତିକ ଦଳ ଏହି ଆସନକୁ ଦଖଲ କରିବା ପାଇଁ ନିଜ ନିଜର ବ୍ଳୁ ପ୍ରିଂଟ ପ୍ରସ୍ତୁତ କରି ସାରିଛନ୍ତି । ବିଜେପୁର ଆସନକୁ ହାତେଇବା ପାଇଁ ବିଜେଡି ଓ ବିଜେପି ପ୍ରାଣ ମୂର୍ଚ୍ଛା ଉଦ୍ୟମ କରୁଥିବାବେଳେ କଂଗ୍ରେସ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଯାଇଛି । ଭୋଟରଙ୍କୁ ଆକୃଷ୍ଟ କରିବାପାଇଁ ବିଜେପୁର ଉପନିର୍ବାଚନର ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ ମଞ୍ଜୁରୀ କରିଛନ୍ତି ।

 

ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ତଥା ସରକାରଙ୍କ ସଫଳତା ଏବଂ କେନ୍ଦ୍ର ସରକାରଙ୍କ ବିଫଳତାକୁ ପ୍ରସଙ୍ଗ କରି ବିଜେଡି ନିର୍ବଚନୀ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛି । ସେପଟେ ବିରୋଧୀ ଦଳ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ଅପାରଗତା ଓ ବିଫଳତାକୁ ପ୍ରସଙ୍ଗକରି ନିର୍ବାଚନ ମଇଦାନକୁ ଓହ୍ଲାଇବ । କୁନ୍ଦୁଲି ପ୍ରସଙ୍ଗ ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଦଳରୁ ନିଲମ୍ବନ ରାଜ୍ୟ ସରକାରଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ଗତକାଲି ଏନେଇ ନବୀନ ନିବାସରେ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା । ଆସନ୍ତା ୫ ତାରିଖରେ ବିଜେଡି ପ୍ରାର୍ଥୀ ରୀତା ସାହୁ ପ୍ରାର୍ଥୀପତ୍ର ଦାଖଲ କରିବେ । ନିର୍ବାଚନର ବହୁ ପୂର୍ବରୁ ଦିବଂଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତାଙ୍କୁ ଦଳକୁ ଆଣି ପ୍ରାର୍ଥୀ ଘୋଷଣା କରିଛି । ନିର୍ବାଚନ ମଣ୍ଡଳୀକୁ ଚାରି ଭାଗରେ ବିଭକ୍ତ କରି ୧୫ ଜଣ ନେତାଙ୍କ ମଧ୍ୟରେ ଏସବୁ ଅଂଚଳକୁ ବାଣ୍ଟି ଦିଆ ଯାଇଛି । ସୁପ୍ରିମୋଙ୍କ ନିର୍ଦ୍ଦେଶ ଅନୁସାରେ ହେଭିୱେଟ ନେତାମାନେ ଖୁବ୍ ଶୀଘ୍ର ବିଜେପୁରରେ ଡେରା ପକାଇବେ ।

 

ସେପଟେ ଗତକାଲି ବିଜେପି କାର୍ଯ୍ୟାଳୟରେ ମଧ୍ୟ ଏନେଇ ମନ୍ତ୍ରଣା ହୋଇଥିବାବେଳେ ଉପନିର୍ବାଚନକୁ ନେଇ କସରତ ଆରମ୍ଭ ହୋଇଯାଇଛି । ବୈଠକରେ ଜିଲ୍ଲାରୁ ଆସିଥିବା ସମସ୍ତ ପ୍ରାର୍ଥୀଙ୍କ ଆବେଦନକୁ କେନ୍ଦ୍ରୀୟ କମିଟି ପାଖକୁ ପଠାଇ ଦିଆ ଯାଇଛି । ଖୁବ୍ ଶୀଘ୍ର ଦଳ ପ୍ରାର୍ଥୀଙ୍କ ନାମ ଘୋଷଣା କରିବ । ଦିନେ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ବୋଲି ଦଳ କହିଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥୀ ଚୟନ ହୋଇ ପାରିନାହିଁ । ସେପଟେ ବିଦ୍ରୋହୀ ବିଜେଡି ନେତା ଅଶୋକ ପାଣିଗ୍ରାହୀ ବିଜେପିରେ ଯୋଗଦେଇଥଲେ ହେଁ ତାଙ୍କୁ ଦଳ ପ୍ରାର୍ଥୀ କରିବ କି ନାହିଁ ତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।

 

ବିଜେପୁର ଆସନକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ଅଙ୍କ ଛିଣ୍ଡୁ ନାହିଁ । ଏହି ଅଙ୍କରେ କଂଗ୍ରେସ ଟିକେ ପଛରେ ପଡ଼ି ଯାଇଛି । କଂଗ୍ରେସର ପ୍ରାର୍ଥୀ ଘୋଷଣା ଉପରେ ବିଜେପି ନଜର ଥିବା ଅନୁମାନ କରାଯାଉଛି । ଯଦି କଂଗ୍ରେସ ପ୍ରଣୟ ସାହୁଙ୍କୁ ପ୍ରାର୍ଥୀ ନକରି ପୂର୍ବତନ ବିଧାୟକ ରିପୁନାଥ ସେଠଙ୍କ କଥା ବିଚାର କରେ ତେବେ ବିଜେପି ପ୍ରଣୟଙ୍କୁ ନିଜ ଆଡ଼କୁ ଟାଣିବାକୁ ପ୍ରୟାସ କରିବ ବୋଲି ଅନୁମାନ କରାଯାଉଛି । ତେଣୁ ସମୀକରଣ ବଦଳି ଯାଇପାରେ ।

 

ଏହି ଆସନଟି ପୂର୍ବରୁ କଂଗ୍ରେସ ହାତରେ ଥିଲା । ଦିବଂଗତ ବିଧାୟକ ସୁବଳ ସାହୁ ଏଠାରୁ ଲଗାତର ତିନି ଥର ନିର୍ବାଚିତ ହୋଇଥିଲେ । ତେଣୁ କଂଗ୍ରେସ ଗଡ଼ରେ ପୁଣି ଥରେ ନିଜ ସ୍ଥିତି ଜାହିର କରିବା ପିସିସି ସଭାପତିଙ୍କ ପାଇଁ ସମ୍ମାନର ପ୍ରଶ୍ନ ହୋଇ ଯାଇଛି । ଗତକାଲି କଂଗ୍ରେସ ପ୍ରାର୍ଥୀ ଚୟନ ଲାଗି ଦଳୀୟ ହାଇ କମାଣ୍ଡ ଏକ ଛଅ ଜଣିଆ କମିଟି ଗଠନ କରିଛନ୍ତି । କଂଗ୍ରେସ ଶିବିରରେ ମଧ୍ୟ ରଣନୀତି ପ୍ରସ୍ତୁତ ହୋଇଛି । ଯଦିଓ ଦଳ ନିର୍ବାଚନକୁ ନେଇ ସେଭଳି କୌଣିସ ଆଖି ଦୃଶିଆ ପଦକ୍ଷେପ ନେଇ ନାହିଁ ତଥାପି ନିଜ ଶକ୍ତି ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡୁଛି । ଫେବୃଆରୀ ୨୪ରେ ବିଜେପୁରରେ ଉପନିର୍ବାଚନ ଲାଗି ଭୋଟ ଗ୍ରହଣ ହେବ ଓ ୨୮ ତାରିଖରେ ଗଣତି ହେବ ବୋଲି ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି ।

 

ଏହି ଆସନ ତିନି ରାଜନୈତିକ ଦଳ ପାଇଁ ସମ୍ମାନର ପ୍ରଶ୍ନ ହୋଇଯାଇଛି । ଯଦିଓ ବିଜେଡି ଏହି ଆସନକୁ କବ୍ଚା କରିବା ନେଇ ଗୋଟେ ପ୍ରକାର ନିଶ୍ଚିତ ହୋଇ ଯାଇଛି ତଥାପି ପଂଚାୟତ ନିର୍ବାଚନର ଫଳାଫଳକୁ ନେଇ ବିଜେପି ଶିବିରରେ ମଧ୍ୟ ଉତ୍ସୁକତା ଦେଖା ଦେଇଛି । ନିଜ ଦଳ ସମ୍ଭାଳି ପାରୁନଥିବା କଂଗ୍ରେସ କିଭଳି ନିଜ ଗନ ରକ୍ଷା କରିବ ସେ ନେଇ ପ୍ରାଣ ମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଦେଇଛି । ତେବେ ଏ ରାଜନୈତକି ଅଙ୍କରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top