ବ୍ରହ୍ମପୁର ଭାଷା ଆନ୍ଦୋଳନର ସାରଥୀ

News Story - Posted on 2018-01-29

ଉକ୍ରଳୀୟ ଭାଷା, ସାହିତ୍ୟ ଓ ସଂସ୍କୃତି ଉପାସନାରେ ନିଜର ଅଧ୍ୟବସାୟ ସହ ଜୀବନ ତମାମ ରାଶି ରାଶି ଶବ୍ଦରେ ଭାବ ଓ ଭାଷାରେ ଫୁଟାଇପାରନ୍ତି ନିର୍ଭୀକତା । ସ୍ୱାସ୍ଥ୍ୟ, ପରିବେଶ, ରାଜନୀତି ଓ ସାମ୍ପ୍ରତିକ ଘଟଣାବଳୀ ସଂପର୍କରେ ନିର୍ଭୀକ ମତ ଉପସ୍ଥାପନ କରିବାରେ ଜଣେ ଧୂରୀଣ ଯୁବ ପ୍ରତିଭା ହେଲେ ଡାକ୍ତର ସାଗର ରଂଜନ ତ୍ରିପାଠୀ । ଜୀବନ ଓ ଜୀବିକା ସହ ସମାନ୍ତରାଳ ଭାବରେ ସ୍ୱାସ୍ଥ୍ୟସେବା ଓ ସମାଜସେବା କରି ୪୫ ବର୍ଷ ବୟସରେ ପାଦ ଥାପିଥିବା ମଣିଷଟି ଓଡ଼ିଆ ମାତୃଭାଷାର ଉନ୍ନତି ପାଇଁ ଶତ ଚେଷ୍ଟିତ ଓ ସମର୍ପିତ ।

 

ଓଡ଼ିଶାରେ ଭାଷା ଆନ୍ଦୋଳନ ତାଙ୍କୁ ଗଭୀର ଭାବେ ରେଖାପାତ କରିଥିଲା । ଓଡ଼ିଶା ଭାଷା ଆନ୍ଦୋଳନର ମୁରବୀ ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ତଥା ଭାଷା ଆନ୍ଦୋଳନର ସଭାପତି ପ୍ରଦ୍ୟୁମ୍ନ ଶତପଥୀ, ଆବାହକ ପବିତ୍ର ମହାରଥାଙ୍କ ପରି ଭାଷାପ୍ରେମୀମାନେ ଛୁଟି ଆସିଥିଲେ ଭଞ୍ଜଭୂମି ଗଞ୍ଜାମ ମାଟିକୁ ଭାଷା ଆନ୍ଦୋଳନକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ । ଚାରି ଗୋଟି କଳା ପତାକା ନୀରବ ପଦ ଯାତ୍ରାର ଗୁରୁଦାୟିତ୍ୱ ମୁଣ୍ଡାଇବାର ସଂକଳ୍ପ ନେଇଥିଲେ ସେହିଦିନ ଏଇ ଡାକ୍ତର ଜଣକ । ଭୁଲିଯାଇଥିଲେ ନିଜର ଜୀବିକା, ମନରେ ଆସିଥିଲା ଅହଂକାର, ମୁଁ ବି ଜଣେ ସ୍ୱାଭିମାନୀ ଓଡ଼ିଆ । ମୋର ବି ନୈତିକ ଦାୟିତ୍ୱ ରହିଛି ମାତୃଭାଷାର ସମ୍ମାନ ପାଇଁ । ଏପରି ଏକ ଭାବନା ଓ ବିଚାର ନେଇ ଡାକ୍ତର ସାଗର ରଞ୍ଜନ ତ୍ରିପାଠୀ ୫୦ ସପ୍ତାହ ଧରି ହାତରେ କଳା ପତାକା, କାନ୍ଧରେ ଝୁଲାମୁଣା, ପାଟିରେ ବନ୍ଦେ ଉକ୍ରଳ ଜନନୀର ସ୍ୱର ବୋଲି ସାଥୀ ୪ ଜଣଙ୍କୁ ନେଇ ଗୋପବନ୍ଧୁ ଛକ ଗିରିରୋଡ୍ରୁ ବାହାରୁଛନ୍ତି ପ୍ରତି ରବିବାର ସନ୍ଧ୍ୟାରେ ବ୍ରହ୍ମପୁର ରାଜପଥରେ ।

 

ଡାକ୍ତର ସାଗର ତ୍ରିପାଠୀ ବ୍ରହ୍ମପୁର ସହରର ଜଣେ ଜଣାଶୁଣା ଚର୍ଚ୍ଚିତ ଚେହେରା । ସାହିତ୍ୟ, ସଂସ୍କୃତି, ସମାଜସେବା ପରିବେଶର ମଞ୍ଚରେ ଯିଏ କହି ଯାଆନ୍ତି ଅନର୍ଗଳ ନିର୍ଭୀକ ଭାବରେ । ଜଣେ ଡାକ୍ତର ଆଜି ଭାଷା ପ୍ରେମରେ ବନ୍ଧା । ଛନ୍ଦିହୋଇ ଯାଇଛି ଯାହାଙ୍କ ଚିନ୍ତା ଓ ଚେତନାର ଅନ୍ତଃସ୍ୱର ଭାଷା ପାଇଁ । ଭାଷା ଆଇନ ଖିଲାପକାରୀଙ୍କୁ ଦଣ୍ଡ ବିଧାନ ପାଇଁ ଓଡ଼ିଶା କାହିଁକି ଭାରତ ବର୍ଷରେ ଜଣେ କବିରାଜି ବୈଦ୍ୟ ପରମ୍ପରାର ଡିଗ୍ରୀଧାରୀ ଡାକ୍ତର ଦାଣ୍ଡରେ କଳା ପତାକା ଧରି ବୁଲିବାର ଦୃଶ୍ୟ ବିରଳ ଓ ପ୍ରଥମ ଘଟଣା ।

 

ସ୍ୱାସ୍ଥ୍ୟ ସେବାରେ ଆୟୁର୍ବେଦ ଚିକିତ୍ସା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ପାଇଁ ଅନେକ ପରାମର୍ଶ ଦେଇ ଆସିଥିବା ସାର୍ଥକ ମଣିଷଟି ବ୍ରହ୍ମପୁର ଭାଷା ଆନ୍ଦୋଳନର ସାର୍ଥକ ସାରଥୀ ଭାବେ ବିବେଚିତ । ଉଚ୍ଚ ବିଚାର, ସରଳ ଜୀବନ ଓ ବାସ୍ତବବାଦୀ ମଣିଷଟି ହାତରୁ କଳା ପତାକାଟି କେବେ ଖସିବ ସମୟ ତା’ର ଅପେକ୍ଷା କରିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top