ସେବକ ଧନୀ, ମାଲିକ ଗରୀବ

News Story - Posted on 2018-01-29

କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀଙ୍କ ପୁଅ ତଥା ବିଜେପି ନେତା ବରୁଣ ଗାନ୍ଧୀ ଗୋଟେ ଭଲ ପ୍ରସ୍ତାବ ଦେଇଛନ୍ତି । ଧନୀ ସାଂସଦମାନେ ସଂସଦୀୟ କାର୍ଯ୍ୟ ବାବଦକୁ ପାଉଥିବା ଦରମା ଓ ଭତ୍ତା ଇତ୍ୟାଦି ପରିହାର କରିବା ଉଚିତ । ଏହି ପ୍ରସ୍ତାବକୁ ସେ ଲିଖିତ ଆକାରରେ ଲୋକସଭା ବାଚସ୍ପତିଙ୍କ ନିକଟକୁ ପଠାଇଛନ୍ତି । ଦରମା ଓ ଭତ୍ତାରେ ଶତ ପ୍ରତିଶତ ବୃଦ୍ଧି କରିବାକୁ ବାରମ୍ବାର ଉଦ୍ୟମ କରି ଆସୁଥିବା ସାଂସଦମାନେ ଏହା ଉପରେ ବିଚାର କରିବେ ନାହିଁ, ଏହା ଜଣା ଅଛି । କିନ୍ତୁ ଏହା ଏକ ବିଚାରଯୋଗ୍ୟ ତଥା ନ୍ୟାୟସଙ୍ଗତ ପ୍ରସ୍ତାବ ।

 

ଏବେ ଲୋକସଭାର ୫୪୫ ସାଂସଦଙ୍କ ମଧ୍ୟରୁ ୪୪୯ ଜଣ ହେଉଛନ୍ତି କୋଟିପତି । ସେମାନେ ନିଜେ ଏହା ଘୋଷଣା କରିଛନ୍ତି । ପୂର୍ବ ଲୋକସଭାରେ ୩୧୯ ଜଣ କୋଟିପତି ସାଂସଦ ଥିଲେ । ଚଳିତ ଲୋକସଭାର ୨୪ ପ୍ରତିଶତ ବା ୧୩୨ ଜଣ ସାଂସଦ ସେମାନଙ୍କ ସଂପତ୍ତିର ପରିମାଣ ୧୦ କୋଟିରୁ ଅଧିକ ବୋଲି ନିଜେ ଘୋଷଣା କରିଛନ୍ତି । ରାଜ୍ୟସଭାର ପ୍ରାୟ ୯୬ ଜଣ ସଦସ୍ୟ ହେଉଛନ୍ତି କୋଟିପତି । ଏହି ସମସ୍ତ ସାଂସଦ ଜନସେବା କରିବାର ପ୍ରତିଶ୍ରୁତି ଦେଇ ନିର୍ବାଚିତ ହୋଇଛନ୍ତି । ଜନସେବା ପାଇଁ ଏହି ଧନୀ ସାଂସଦମାନେ ପୁଣି ଦରମା କାହିଁକି ନେବେ?

 

ସେବା ପାଇଁ ନିଯୁକ୍ତ ହୋଇଥିବା ଲୋକମାନେ ଦରମା ଓ ଭତ୍ତା ପାଇବାକୁ ଯୋଗ୍ୟ । ସେମାନେ ହେଲେ ଦରମାଖିିଆ କର୍ମଚାରୀ । କିନ୍ତୁ ଏହି ସାଂସଦମାନେ ଲୋକଙ୍କ ଦ୍ୱାରା ନିର୍ବାଚିତ ହୋଇଥାନ୍ତି । ଲୋକେ ଜାଣନ୍ତି ସେମାନେ ହେଉଛନ୍ତି ପ୍ରତିନିଧି । ନିର୍ବାଚନରେ ପ୍ରାର୍ଥୀ ହେବାବେଳେ ସେମାନେ ସମସ୍ତେ ପ୍ରତିଶ୍ରୁତି ଦେଇଥାନ୍ତି ସେମାନେ ହେଉଛନ୍ତି ଜନସେବକ । ଏହି ଜନସେବକମାନେ ଏବେ ମାସିକ ଅତି କମରେ ୨ ଲକ୍ଷ ଟଙ୍କାର ଦରମା ଓ ଭତ୍ତା ପାଉଛନ୍ତି । ସେମାନଙ୍କର ଦରମା ହେଉଛି ମାସିକ ୫୦ ହଜାର । ଦୈନିକ ଭତ୍ତା ୨ ହଜାର ହିସାବରେ ମାସିକ ୬୦ ହଜାର । ଏହା ବ୍ୟତିତ ନିର୍ବାଚନ ମଣ୍ଡଳୀ ଖର୍ଚ୍ଚ ୪୫ ହଜାର ଓ ଅଫିସ ଖର୍ଚ୍ଚ ୪୫ ହଜାର । ଏହି ଦରମା ଓ ଭତ୍ତା ବ୍ୟତିତ ସେମାନେ ମାଗଣା ବିମାନ ଓ ରେଳ ଯାତ୍ରା ସହିତ ମାଗଣା ଟେଲିଫୋନର ସୁବିଧା ପାଇଥାନ୍ତି । ସରକାରୀ ଘରଭଡ଼ା ଅତ୍ୟନ୍ତ ନଗଣ୍ୟ । ପାଣି ଓ ବିଦ୍ୟୁତ ଦେୟ ମଧ୍ୟ ସେହିପରି । ଏହା ସତ୍ତେ୍ୱ ସେମାନଙ୍କର ପେଟ ପୂରେ ନାହିଁ ଯେ ସେମାନେ ନାନାଦି ଦୁର୍ନୀତି କରିବାକୁ ପଛାନ୍ତି ନାହିଁ । ଅନେକ ସାଂସଦ ସେମାନଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରୁ ପର୍ସେଣ୍ଟ ନେଇଥାନ୍ତି । ସ୍ଥଳ ବିଶେଷରେ ଏହା ୧୦ରୁ ୨୦ ପ୍ରତିଶତ ।

 

ଲୋକଙ୍କ ଟିକସରୁ ସାଂସଦଙ୍କ ଦରମା ଓ ଭତ୍ତା ଇତ୍ୟାଦି ଖର୍ଚ୍ଚ ଭରଣା ହୋଇଥାଏ । ସେମାନେ କାମ ନକଲେ ମଧ୍ୟ ଦରମା ଓ ଭତ୍ତା କମେ ନାହିଁ । ସାଧାରଣ ଜନତା କାମ ନକଲେ ମଜୁରୀ ପାଆନ୍ତି ନାହିଁ । କିନ୍ତୁ ଏ ବିଧି ସାଂସଦଙ୍କ ପାଇଁ ଲାଗୁ ହୁଏ ନାହିଁ । ସାଂସଦମାନଙ୍କ ମୁଖ୍ୟ କାମ ହେଉଛି ବିଧି ପ୍ରଣୟନ । ଏ କାମରେ କିନ୍ତୁ ସେମାନଙ୍କର ମନ ଲାଗେ ନାହିଁ । ସଂସଦ ଅଧିବେଶନର ଅଧେ ସମୟ ହୋହାଲ୍ଲା ଓ ଗଣ୍ଡଗୋଳରେ ବରବାଦ ହୁଏ । ସାଂସଦମାନେ ନିଜ ଅଂଚଳର ବିକାଶ କାମ ଆଳରେ ବିଭିନ୍ନ ମନ୍ତ୍ରୀ ଓ ମନ୍ତ୍ରଣାଳୟରେ ଅଧିକ ସମୟ କଟେଇଥାନ୍ତି । ବିକାଶ କାମ ତଦାରଖ କରିବା କାମ ହେଉଛି ସରକାରୀ କର୍ମଚାରୀଙ୍କର । କିନ୍ତୁ ଗତ କେଇ ଦଶନ୍ଧି ହେଲାଣି ସାଂସଦମାନେ ବିଧି ପ୍ରଣୟନ ଉପରେ ଗୁରୁତ୍ୱ ନଦେଇ ବିକାଶ ଓ ରାଜନୀତିକ କାର୍ଯ୍ୟରେ ଅଧିକ ସମୟ ଦେଉଛନ୍ତି । ଏଇଥିପାଇଁ କ’ଣ ସେମାନଙ୍କୁ ଦରମା ଓ ଭତ୍ତା ମିଳେ?

 

ଏଇଭଳି ସାଂସଦମାନେ ଗଲା ୭୦ ବର୍ଷ ଧରି ଯେଉଁ ପ୍ରକାର ଦେଶସେବା ବା ଜନସେବା କରି ଆସିଛନ୍ତି ତାହାର ପରିଣାମ ହେଉଛି ସାଂପ୍ରତିକ ଭାରତର ଉକ୍ରଟ ଧନୀ-ଦରିଦ୍ର ତାରତମ୍ୟ । ଏଇ ନିକଟରେ ବିଶ୍ୱ ସ୍ତରୀୟ ସମାଜସେବା ଅନୁଷ୍ଠାନ ଅକ୍ସଫାମ ତରଫରୁ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ଗତ ବର୍ଷ ଭାରତରେ ଯେତେ ସଂପତ୍ତି ସୃଷ୍ଟି ହୋଇଥିଲା ତାହାର ୭୩ ପ୍ରତିଶତ ଉଚ୍ଚ ଧନୀକ ବର୍ଗର ୧ ପ୍ରତିଶତ ଲୋକଙ୍କ ହାତକୁ ଚାଲି ଯାଇଛି । ମୋଟ ଉପରେ ଦେଖିଲେ ଏବେ ଭାରତର ମାତ୍ର ୧ ପ୍ରତିଶତ ଉଚ୍ଚ ବର୍ଗର ଧନୀଙ୍କ ହାତରେ ଦେଶର ୬୦ ପ୍ରତିଶତ ସଂପତ୍ତି ଠୁଳ ହୋଇଛି । ୧୯୩୦ ଦଶକରେ ଏହି ଅନୁପାତ ଥିଲା ମାତ୍ର ୨୧ ପ୍ରତିଶତ । ଅର୍ଥାତ ସେତେବେଳେ ଭାରତର ୧ ପ୍ରତିଶତ ଉଚ୍ଚ ବର୍ଗର ଧନୀଙ୍କ ହାତରେ ଦେଶର ୨୧ ପ୍ରତିଶତ ସଂପତ୍ତି ଥିଲାବେଳେ ଏବେ ତାହା ୬୦ ପ୍ରତିଶତକୁ ବୃଦ୍ଧି ପାଇଛି । ଜନତାଙ୍କର ଏଇ ସେବା କରିବା ପାଇଁ କ’ଣ ସାସଂଦମାନେ ନିର୍ବାଚିତ ହୋଇଛନ୍ତି?

 

ଭାରତୀୟ ସମ୍ବିଧାନର ଏକ ସଂକଳ୍ପ ହେଉଛି ଦେଶରେ ଧନୀ-ଦରିଦ୍ର ତାରତମ୍ୟ ହ୍ରାସ କରିବା । ଲୋକମାନଙ୍କୁ ଜାତି, ଧର୍ମ, ବର୍ଣ୍ଣ ଓ ଲିଙ୍ଗଭେଦ ନିର୍ବିଶେଷରେ ସାମାଜିକ, ରାଜନୀତିକ ଓ ଆର୍ଥନୀତିକ କ୍ଷେତ୍ରରେ ସମାନ ନ୍ୟାୟ ପ୍ରଦାନ କରିବା । ତେବେ, ଦରମାଖିଆ ଏହି ସାଂସଦମାନଙ୍କର ଜନସେବା ସତ୍ତେ୍ୱ ଏ ତାରତମ୍ୟ ବଢ଼ୁଛି କିପରି? ସାଂସଦମାନେ ଅଧିକରୁ ଅଧିକ ଧନୀ ହେଉଥିବାବେଳେ ସେମାନଙ୍କୁ ନିର୍ବାଚିତ କରୁଥିବା ଲୋକମାନଙ୍କର ଅବସ୍ଥା ବଦଳୁ ନାହିଁ କାହିଁକି? ଏବେ ବି କାହିଁକି ଲୋକମାନଙ୍କୁ ଶସ୍ତା ଖାଦ୍ୟ, ଶସ୍ତା ଘର, ଶସ୍ତା ପୋଷାକ ଓ ଶସ୍ତା ଔଷଧ ଆଦି ଦେବାକୁ ପଡ଼ୁଛି? କାହିଁକି ସ୍ୱାଧୀନତାର ୭୦ ବର୍ଷ ପରେ ଦାରିଦ୍ର୍ୟ ଦୂରୀକରଣ ଏକ ସ୍ଲୋଗାନ ହୋଇ ରହିଛି?

 

ଏହି ପୃଷ୍ଠଭୂମିରେ ସାଂସଦମାନେ ବରୁଣ ଗାନ୍ଧୀଙ୍କ ପ୍ରସ୍ତାବ ଉପରେ ବିଚାର କରି ସେମାନଙ୍କ ଜନସେବା ଓ ଦେଶପ୍ରେମର ପ୍ରମାଣ ଦେବା ଉଚିତ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top