ପାର୍କ ରାଜସ୍ୱ ଯାଉଛି କୁଆଡ଼େ?

News Story - Posted on 2018-01-28

ବ୍ରହ୍ମପୁର ବିଜୁ ପଟ୍ଟନାୟକ ପାର୍କ ବହୁ ଅବ୍ୟବସ୍ଥା ଦେଇ ଗତିକରୁଛି । ଏହି ପାର୍କରୁ ବ୍ରହ୍ମପୁର ମହାନଗର ନିଗମ ବିପୁଳ ରାଜସ୍ୱ ଆଦାୟ କରୁଥିବା ସ୍ଥଳେ ଏହାର ରକ୍ଷଣାବେକ୍ଷଣ ଏବଂ ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ । ବ୍ୟସ୍ତବହୁଳ ଜୀବନରେ ଟିକିଏ ମନୋରଞ୍ଜନ ଏବଂ ଶାନ୍ତି ଖୋଜିବା ପାଇଁ ଲୋକେ ନିଜ ପରିବାରକୁ ନେଇ ଏହି ପାର୍କକୁ ଆସିଥାନ୍ତି । ତେବେ ଏଠାରେ ଲୋକେ ଉପଯୁକ୍ତ ସୁବିଧା ପାଇପାରୁନଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି ।

 

ଏହି ପାର୍କରେ ଆଲୁଅ, ପରିମଳ, ଯନ୍ତ୍ରପାତିର ରକ୍ଷଣାବେକ୍ଷଣ ଏବଂ ବିଶେଷକରି ଏଠାକୁ ପରିଭ୍ରମଣ ପାଇଁ ଆସୁଥିବା ଲୋକଙ୍କ ସୁରକ୍ଷା ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାନଯିବା କାରଣରୁ ଅସନ୍ତୋଷ ପ୍ରକାଶ ପାଉଛି । ଏହି ପାର୍କରେ ଛୁଆମାନଙ୍କ ପାଇଁ ରହିଥିବା ଖେଳ ସାମଗ୍ରୀ ବହୁ ବର୍ଷର ପୁରୁଣା ହୋଇଥିବା ବେଳେ କିଛି ଜିନିଷ ଭାଙ୍ଗିଯାଇଥିବା ଦେଖିବାକୁ ମିଳୁଛି । କିନ୍ତୁ ଏଗୁଡ଼ିକ ବଦଳାଯାଉନି । ଗତ ଫାଇଲିନ୍ ପରେ ବିଜୁ ପଟ୍ଟନାୟକ ପାର୍କର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ସ୍ଥଳେ ଯେଣତେଣ ପ୍ରକାରେ ପୁଣି ପାର୍କକୁ କାର୍ଯ୍ୟକ୍ଷମ କରାଯାଇଥିଲା । କିନ୍ତୁ ଏହାର ଉନ୍ନତି ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ ।

 

ସେହିଭଳି ଏଠାରେ ବୋଟିଂ ପାଇଁ ରହିଥିବା ପାଣିକୁ କିଛିଦିନ ବ୍ୟବଧାନରେ ସଫା କରାଯାଉନଥିବାରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହୋଇଛି । ଏହା ସ୍ୱାସ୍ଥ୍ୟପ୍ରତି ମଧ୍ୟ ବିପଦ ରହିଥିବା ଅଭିଯୋଗ ହେଉଛି । ପାର୍କ ମଧ୍ୟରେ ଆବଶ୍ୟକ ମୁତାବକ ଆଲୋକ ବ୍ୟବସ୍ଥା ନଥିବାରୁ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ଦୀର୍ଘଦିନ ଧରି ଅଭିଯୋଗ ହୋଇ ଆସୁଛି । ବିଭିନ୍ନ ସମୟରେ ଏଠାକୁ ବୁଲିବା ପାଇଁ ଆସୁଥିବା ଲୋକେ ଏହି ଅସାମାଜିକ ଯୁବକମାନଙ୍କ ଶିକାର ହୋଇଥିବା ମଧ୍ୟ ଅଭିଯୋଗ ହେଉଛି । ତେଣୁ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟିହୁଏ ତେବେ ଏଥିପାଇଁ କିଏ ଦାୟୀ ରହିବ ତାହା ବିରାଟ ପ୍ରଶ୍ନବାଚୀ । ଅନ୍ୟପକ୍ଷରେ ସ୍ୱଚ୍ଛ ଭାରତ ଅଭିଯାନରେ ଫୋଟ ଉଠା ଅଭିଯାନ ଚାଲୁଥିବା ବେଳେ ପାର୍କ ମଧ୍ୟରେ ସ୍ୱଚ୍ଛତା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଦିନକୁ ଦିନ ଲୋକଙ୍କ ସଂଖ୍ୟା କମିବାରେ ଲାଗିଲେଣି ।

 

ଲୋକଙ୍କଠାରୁ ଟିକଟ ଆକାରରେ ଲକ୍ଷଲକ୍ଷ ଟଙ୍କା ରାଜସ୍ୱ ଆଦାୟ ହେଉଥିବା ସ୍ଥଳେ ଏସବୁ ଟଙ୍କା ଯାଉଛି କୁଆଡ଼େ ତାହା ତଦନ୍ତ ସାପେକ୍ଷ । ଉକ୍ତ ଟଙ୍କା ପାର୍କର ଉନ୍ନତି ପାଇଁ ବିନିଯୋଗ ହେଉନାହିଁ କାହିଁକି ବୋଲି ସହରବାସୀ ଏବଂ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ବାରମ୍ବାର ଅଭିଯୋଗ ହେବା ସତ୍ୱେ ବିଏମ୍ସି ପକ୍ଷରୁ ଏଥିପ୍ରତି ଗୁୁରୁତ୍ୱ ଦିଆଯାଉନାହିଁ । ତେଣୁ ଯଥାଶୀଘ୍ର ଏହି ପାର୍କର ଉନ୍ନତି ପାଇଁ ବଭିନ୍ନ ମହଲରେ ଦାବୀ ହେଉଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top