ଫେବୃଆରୀ ୧ରେ ବଜେଟ୍

News Story - Posted on 2018-01-28

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଉଭୟ ସଦନର ମିଳିତ ବୈଠକରେ ପାରମ୍ପାରିକ ଅଭିଭାଷଣ ଦେଇ ଏହି ଅଧିବେଶନର ଆରମ୍ଭ କରିବେ । ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ପରେ ଆସନ୍ତାକାଲି ଉଭୟ ସଦନରେ ଆର୍ଥନୀତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପିତ ହେବ । ଚଳିତ ଅଧିବେଶନ କାଳରେ ଫେବୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ୨୦୧୮-୧୯ ବର୍ଷ ପାଇଁ ଏନଡିଏ ସରକାରଙ୍କ ବଜେଟ ଉପସ୍ଥାପନ କରିବେ ।

 

ସଂସଦର ବଜେଟ ଅଧିବେଶକୁ ସଫଳ କରିବା ଉଦ୍ଦେଶ୍ୟରେ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜନୀତିକ ଦଳର ସହଯୋଗ ଲୋଡ଼ିଥିଲେ । ବଜେଟ ଅଧିବେଶନ ଦେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ । ଏହି ଅଧିବେଶନକୁ ସଫଳ କରିବା ପାଇଁ ସଂସଦର ସମସ୍ତ ଦଳର ସଦସ୍ୟମାନେ ସହଯୋଗ କରିବେ ବୋଲି ପ୍ରଧାନମନ୍ତ୍ରୀ ସେମାନଙ୍କୁ ଅନୁରୋଧ କରିଥିଲେ । ବୈଠକ ପରେ ଏହି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର । ଏହି ବୈଠକରେ ବିରୋଧୀ ଦଳଗୁଡ଼ିକ ଦେଇଥିବା ପ୍ରସ୍ତାବକୁ ସରକାର ଗମ୍ଭୀରତାର ସହିତ ଗ୍ରହଣ କରିଛନ୍ତି ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି ।

 

ସଂସଦୀୟ ବ୍ୟାପାର ମନ୍ତ୍ରୀ କହିଛନ୍ତି ଯେ ଏହି ଅଧିବେଶନ କାଳରେ ତିନ ତଲାକ ବିଲ୍ ପାଶ୍ କରିବାକୁ ସରକାର ସବୁ ପ୍ରକାର ଉଦ୍ୟମ କରିବେ । ଏ ନେଇ ଯେପରି ସମସ୍ତ ଦଳ ମଧ୍ୟରେ ସହମତି ସୃଷ୍ଟି ହୁଏ ସେ ଦିଗରେ ଚେଷ୍ଟା କରାଯିବ । ବିଭିନ୍ନ ଦଳର ସଦସ୍ୟମାନେ ଯେପରି ଜିଏସଟି ବିଲ୍ ପାଶ୍ କରିବାକୁ ସହମତ ହୋଇଥିଲେ ତିନ୍ ତଲାକ ବିଲ୍ ପାଶ୍ କରିବାକୁ ସେହିପରି ସହମତ ହେବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

 

ଏହି ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ଅରୁଣ ଜେଟଲି, କଂଗ୍ରେସ ନେତା ମଲ୍ଲିକାର୍ଜ୍ଜୁନ ଖରଗେ, ସମାଜବାଦୀ ପାର୍ଟିର ମୁଲାୟମ ସିଂହ ଯାଦବ, ସିପିଆଇର ଡି. ରାଜା, ଡିଏମକେର କାନିମୋଝି, ତୃଣମୂଳ କଂଗ୍ରେସର ଡେରିକ ଓ’ବ୍ରିଏନ ଓ ସୁଦୀପ ବନ୍ଦୋପାଧ୍ୟାୟ ଏବଂ ଏନସିପିର ତାରିକ ଅନୱାର ପ୍ରମୁଖ ଉପସ୍ଥିତ ଥିଲେ । ବୈଠକରେ ଉପସ୍ଥିତ ଥିବା ଏନଡିଏର ଅଂଶୀଦାର ସଂଯୁକ୍ତ ଜନତା ଦଳର ସଦସ୍ୟ ହରିବଂଶ ନାରାୟଣ ସିଂହ କହିଛନ୍ତି ଯେ ବୈଠକରେ ତାଙ୍କ ଦଳ ଦେଶ ସମ୍ମୁଖୀନ ହୋଇଥିବା ଅନେକ ଗମ୍ଭୀର ସମସ୍ୟା ପ୍ରସଙ୍ଗ ଉଠାଇଛି । ଶିକ୍ଷାଠାରୁ ଆରମ୍ଭ କରି ଅନ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ସଂପର୍କରେ ତାଙ୍କ ଦଳ କେତେକ ପ୍ରସ୍ତାବ ଦେଇଛି ବୋଲି ସେ କହିଛନ୍ତି ।

 

ଅନ୍ୟପକ୍ଷରେ ଏନଡିଏ ବିରୋଧୀ ରାଷ୍ଟ୍ରୀୟ ଜନତା ଦଳର ଜୟ ପ୍ରକାଶ ନାରାୟଣ ଯାଦବ କହିଛନ୍ତି ଯେ ଦେଶରେ ବେକାରୀ ସମସ୍ୟା ବୃଦ୍ଧି ପାଇଚାଲିଛି । ଶାନ୍ତି ଓ ସଂହତି ପରିବର୍ତ୍ତେ ହିଂସାର ପ୍ରସାରଣ ଘଟିଚାଲିଛି । ଦେଶର ଏକତା ଏବେ ବିପଦରେ । କୋରେଗାଓଁରୁ ନନ୍ଦଗାଓଁ ଓ ବକ୍ସାର ଯାଏଁ ଦଳିତମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ଆମେ ସଂସଦରେ ଏହିସବୁ ପ୍ରସଙ୍ଗ ଉଠାଇବୁ । ଆମ ଦଳ ମଧ୍ୟ କୃଷକ ଆତ୍ମହତ୍ୟା ଘଟଣା ଉଠାଇବ ବୋଲି ସେ କହିଛନ୍ତି । ଏହି ଅଧିବେଶନରେ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବୃଦ୍ଧି ପାଉଥିବା ଧର୍ଷଣ ଓ ସାମ୍ବିଧାନିକ ସଂସ୍ଥାଗୁଡ଼ିକ ଉପରେ ହେଉଥିବା ଆକ୍ରମଣକୁ ପ୍ରସଙ୍ଗ କରାଯିବ ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରମୋଦ ତିୱାରୀ ।

 

ଆସନ୍ତାକାଲି ସଂସଦର ଉଭୟ ସଦନର ଏକ ମିଳିତ ଅଧିବେଶନ ବସିବ । ଏହି ପାରମ୍ପାରିକ ମିଳିତ ଅଧିବେଶନକୁ ରାଷ୍ଟ୍ରପତି ରାମନାତ କୋବିନ୍ଦ ଉଦବୋଧନ ଦେବେ । ସେ ତାଙ୍କ ଅଭିଭାଷଣରେ ମୋଦି ସରକାରଙ୍କର ସଫଳତା ବିଷୟ ଉପସ୍ଥାପନ କରିବେ । ଆର୍ଥନୀତିକ ଅଭିବୃଦ୍ଧି, କୃଷି କ୍ଷେତ୍ରର ଅଭିବୃଦ୍ଧି, ରୋଜଗାର ବୃଦ୍ଧି, ଗରୀବ ଓ ଦୁର୍ବଳ ଶ୍ରେଣୀର ସଶକ୍ତିକରଣ ଆଦି ପ୍ରସଙ୍ଗରେ ସେ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବେ ।

 

ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ବିତର୍କ ହେବା ପରେ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ଅରୁଣ ଜେଟିଲ ଆସନ୍ତା ଆର୍ଥିକ ବର୍ଷ ପାଇଁ ମୋଦି ସରକାରଙ୍କ ବଜେଟ ଉପସ୍ଥାପନ କରିବେ । ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବଜେଟରେ ସରକାର କେତେକ ଲୋକାଭିମୁଖୀ ପ୍ରସ୍ତାବ ଆଗତ କରିପାରନ୍ତି ବୋଲି ଆଶା କରାଯାଉଛି । ବିଶେଷ କରି ଗରୀବ ଓ କୃଷକ ଶ୍ରେଣୀର ଆର୍ଥିକ ପ୍ରଗତି ଦିଗରେ ବଜେଟରେ ଅନେକ ପ୍ରସ୍ତାବ ରହିପାରେ ବୋଲି ବିଶେଷଜ୍ଞ ମହଲର ଅନୁମାନ କରୁଛନ୍ତି ।

 

ଏହି ଅଧିବେଶନ ଦୁଇଟି ଭାଗରେ ବସିବ । ପ୍ରଥମ ଭାଗର ଅଧିବେଶନ ଫେବୃଆରୀ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ତା’ ପରେ ଅଧିବେଶନ ଛୁଟି ହେବ । ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୫ ତାରିଖରୁ ଆରମ୍ଭ ହୋଇ ଏପ୍ରିଲ ୬ ତାରିଖରେ ଶେଷ ହେବ । ଏହି ଅଧିବେଶନ କାଳରେ ସରକାର ତିନ୍ ତଲାକ ବିଲ୍ ଓ ଅନ୍ୟାନ୍ୟ ପଛୁଆ ବର୍ଗ କମିଶନ ବିଲ୍ ପାଶ୍ କରିବାକୁ ଉଦ୍ୟମ କରିବେ । ପୂର୍ବ ଅଧିବେଶନରେ ତିନ ତଲାକ ବିଲ୍ ଲୋକସଭାରେ ଗୃହୀତ ହୋଇଛି । ରାଜ୍ୟସଭାରେ ଏହା ଗୃହୀତ ହେବାକୁ ବାକି ଅଛି । ଏହି ବିଲ୍ ଆଇନରେ ପରିଣତ ହେଲେ ତିନ ତଲାକ ବ୍ୟବସ୍ଥା ଏକ ଅପରାଧରେ ପରିଗଣିତ ହେବ । ସେହିପରି ଅନ୍ୟାନ୍ୟ ପଛୁଆ ବର୍ଗ କମିଶନକୁ ସାମ୍ବିଧାନିକ ମାନ୍ୟତା ଦେବା ପାଇଁ ଏତଦ ସଂକ୍ରାନ୍ତ ଏକ ବିଲ୍ ଗୃହୀତ କରିବାକୁ ମଧ୍ୟ ସରକାର ଚେଷ୍ଟା କରିବେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top