‘ଓଡ଼ିଆ ଭାଷା ସ୍ୱପ୍ନ ସାକାର ହେଉଛି’

News Story - Posted on 2018-01-28

ଓଡ଼ିଶା ସରକାର ଭାଷା ପାଇଁ ସ୍ୱତନ୍ତ୍ର କ୍ୟାବିନେଟ ବୈଠକ ଡାକିବା ସହ ଭାଷକୁ ଶାସନ, ଜ୍ଞାନ, ରୋଜଗାର, ବ୍ୟବସାର ଭାଷା କରିବା ସହ ଜନସାଧାରଣରେ ଭାଷାର ବ୍ୟବହାର ଓ ବ୍ୟାପ୍ତି ବଢ଼ାଇବା ନିମନ୍ତେ ସ୍ୱତନ୍ତ୍ର କ୍ୟାବିନେଟ୍ ମାଧ୍ୟମରେ ସରକାରଙ୍କ ଐତିହାସିକ ବିଂଶସୂତ୍ରୀ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଓଡ଼ିଶାର ବୁଦ୍ଧିଜୀବୀ । ସ୍ଥାନୀୟ ମେ ଫେୟାର କନଭେନସନ ପରିସରରେ ଆୟୋଜିତ ପ୍ରଥମ ଭାଷା ଉତ୍ସବରେ ଯୋଗଦେଇ ସାହିତ୍ୟ, ସିନେମା, ଗଣମାଧ୍ୟମ, ଗବେଷଣା, ମନୋରଂଜନ ଓ ସଂସ୍କୃତି କ୍ଷେତ୍ରର ପ୍ରତି ିତ ବ୍ୟକ୍ତିତ୍ୱମାନେ ସରକାରଙ୍କ ନିଷ୍ପତ୍ତିର ପ୍ରଶଂସା କରିଛନ୍ତି ।

 

ଉତ୍ସବକୁ ଉଦଘାଟନ କରି ଆଇନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ପ୍ରତାପ ଜେନା ସରକାର ନେଇଥିବା ଭାଷା ସମ୍ପର୍କିତ ନିଷ୍ପତ୍ତି ଓ ଏହାର ଅନୁପାଳନ ନିମନ୍ତେ ଧାରବାହିକ ଉଦ୍ୟମ ସମ୍ପର୍କରେ ମତ ରଖିଥିଲେ । ଓଡ଼ିଆ ଭାଷାକୁ ଶାସନ, ଜ୍ଞାନ ଓ ରୋଜଗାରର ଭାଷା କରିବା ପାଇଁ ଅତୀତରେ ରାଜ୍ୟର ନେତୃତ୍ୱମାନଙ୍କ ଦ୍ୱାରା ଉଦ୍ୟମ ହୋଇଥିଲେ ହେଁ ତାହା ସମ୍ଭବ ହୋଇପାରି ନଥିଲା । ତେବେ ଏ ସରକାରଙ୍କ ଦୃଢ଼ ନିଷ୍ପତ୍ତି, ଭାଷାପ୍ରେମୀଙ୍କ ସୁଚିନ୍ତିତ ପରାମର୍ଶ ଓ ନି । ସହ ଜନସାଧାରଣଙ୍କ ବିପୁଳ ଆଗ୍ରହ ଯୋଗୁଁ ଆଜି ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିବା ସହ ଏହା ଶାସନର ଭାଷା ହେବାର ସ୍ୱପ୍ନ ସାକାର ହୋଇଛି ବୋଲି ଶ୍ରୀ ଜେନା କହିଥିଲେ ।

 

ଉତ୍ସବର ମୁଖ୍ୟଅତିଥି ପଦ୍ମଭୂଷଣ କବି ରମାକାନ୍ତ ରଥ ନିଜ ବକ୍ତବ୍ୟରେ ସରକାରଙ୍କ ଭାଷା ସମ୍ପର୍କିତ ନିଷ୍ପତ୍ତି ଉନ୍ନୟନମୂଳକ ବୋଲି କହିଥିଲେ । କ୍ରମଶଃ ହଜିଯାଉଥିବା ପ୍ରାଚୀନ ସାହିତ୍ୟ ସବୁକୁ ଆଧୁନିକ ସାହିତ୍ୟ ଓ ସମାଜ ସହ ଯୋଡ଼ିପାରିଲେ ଭାଷା ଅଧିକ ପ୍ରାଣବନ୍ତ ହୋଇପାରିବ ବୋଲି ଶ୍ରୀ ରଥ ମତବ୍ୟକ୍ତ କରିଥିଲେ । ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ପଟ୍ଟନାୟକ କହିଥିଲେ ଯେ କେବଳ ସରକାର ଆଇନ ପ୍ରଣୟନ କରିଦେଲେ ବା ନିଷ୍ପତ୍ତି ନେଇଗଲେ ହେବନାହିଁ । ଏହାର କାର୍ଯ୍ୟକାରୀତା ନିମନ୍ତେ ଜନସାଧାରଣଙ୍କର ସହଭାଗିତା ଲୋଡ଼ା । ଜନସାଧାରଣ ନିଜଆଡ଼ୁ ଯେ ଯାଏଁ ଭାଷା ପ୍ରତି ଆଗ୍ରହ ଓ ଭଲପାଇବା ଦେଖାଇନାହାନ୍ତି ସେଯାଏଁ ସରକାରଙ୍କର ଭାଷା ସ୍ୱପ୍ନ ପୂର୍ଣ୍ଣାଙ୍ଗ ରୂପ ପାଇବ ନାହିଁ ।

 

ଭାଷା ପାଇଁ ବୁଦ୍ଧିଜୀବୀମାନେ ଯେଉଁ ସବୁ ପରାମର୍ଶ ଦେଇଥିଲେ ସେଥିରୁ ଅଧିକାଂଶକୁ ସରକାର ଗ୍ରହଣ କରିନେଇଥିବାରୁ ସନ୍ତୋଷ ପ୍ରକାଶ କରିଥିଲେ ବରି କବି ରାଜେନ୍ଦ୍ର କିଶୋର ପଣ୍ଡା । ବିଭିନ୍ନ ସମୟରେ ସରକାରମାନଙ୍କୁ ସମାଲୋଚନା କରିଥିଲେ ବି ଭାଷାକୁ ନେଇ ଏ ସରକାରର ନିଷ୍ପତ୍ତି ପ୍ରଶାଂସାଜନକ ବୋଲି ସେ କହିଥିଲେ । ବିଶ୍ୱବିଦ୍ୟାଳୟ ସ୍ତରରେ ଭାଷା ପାଇଁ ବ୍ୟାପକ ସୁଯୋଗ ତିଆରି କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଣ୍ଡା କହିଥିଲେ ।

 

ଭାଷା କେବଳ ସାହିତ୍ୟ ପରିସରର ସମ୍ପତ୍ତି ନୁହେଁ । ସାହିତ୍ୟ ବାହାରେ ଭାଷାର ବ୍ୟାପକ କ୍ଷେତ୍ର ରହିଛି ବୋଲି ବରି କବି ଓ ଚିନ୍ତକ ହରପ୍ରସାଦ ଦାସ କହିଥିଲେ । ସରକାର ଏ ଦିଗରେ ନେଇଥିବା ନିଷ୍ପତ୍ତି ସବୁ ନିଶ୍ଚିତ ଭାବରେ ସ୍ୱାଗତଯୋଗ୍ୟ । ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଥିବାରୁ, ଏହାର ସଂସ୍କୃତସଂଯୋଗ ବନ୍ଦ କରି ମୌଳିକ ଓଡ଼ିଆ ଭଷା ବ୍ୟବହାରକୁ ପ୍ରୋତ୍ସାହନ ଦେବାର ସମୟ ଆସିଛି । ତେବେ ନବଲେଖକ ମାନେ ଯେଉଁ ଭାଷା ବ୍ୟବହାର କରୁଛନ୍ତି, ତାହା ଏବେ ସାଧାରଣ ଲୋକଙ୍କ ଭାଷା ବୋଲି କହିଥିଲେ ଶ୍ରୀ ଦାସ ।

 

ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଉଦଘାଟନୀ ସଭାରେ ଯୋଗଦେଇ ନିଜର ପଠନ ରୁଚି ବାବଦରେ ସୂଚନା ଦେବା ସହ ବିଦ୍ୟାଳୟ ସ୍ତରରେ ଓଡ଼ିଆ ଭାଷାର ବାଧ୍ୟତାମୂଳକ ଶିକ୍ଷା ଉପରେ ଗୁରୁତ୍ୱ ଦେଇଥିଲେ । ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷା ଅଧିକ ବ୍ୟାପକ ହେଲେ ନୂଆପିଢ଼ିକୁ ଭାଷା ସହ ଯୋଡ଼ି ହୁଅନ୍ତା ବୋଲି ସେ କହିଥିଲେ ।

 

ଏ ଅବସରରେ ଭାଷାବିତ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ପ୍ରଥମ ଭାଷା ପୁରସ୍କାର ଦିଆ ଯାଇଥିବା ବେଳେ କବି ଭାରତ ମାଝୀଙ୍କୁ ଭାଷା ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା । ପୁରସ୍କାର ବାବଦରେ ଉଭୟଙ୍କୁ ଯଥାକ୍ରମେ ୨୫ ହଜାର ଓ ୧୦ ହଜାର ଟଙ୍କା ସହ ଭାଷା ଫଳକ, ସମ୍ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ସେହିପରି ଉଦଘାଟନୀ ସଭାରେ ପେନ୍ ଇନ୍ ବୁକ୍ସ ପ୍ରକାଶିତ ଅରୁଣ କୁମାର ପଣ୍ଡାଙ୍କ ପ୍ରବନ୍ଧ ସଙ୍କଳନ ‘ସତ୍ୟଂ ଅପ୍ରିୟମ୍’, ପବିତ୍ର ମୋହନ ଦାଶଙ୍କ କବିତା ସଂକଳନ ବିକ୍ଷୁବ୍ଧସମୁଦ୍ର’, ଅଶୋକ କୁମାର ସିଂହଙ୍କ କବିତା ସଂକଳନ ‘ମା’ ପାଇଁ ଷଳାରି’ ଓ ସୂର୍ଯ୍ୟମଣି ମିଶ୍ରଙ୍କ ପ୍ରବନ୍ଧ ସଂକଳନ ‘ଭିନ୍ନ ଭାରତ’ ଉନ୍ମୋଚିତ ହୋଇଥିଲା । ପରେ ପରେ ‘ଗଣମାଧ୍ୟମର ଭାଷା’, ‘ସାହିତ୍ୟ ଓ ମନୋରଂଜନର ଭାଷା’, କବିତା ସଂପାନ, ‘ସାମାଜିକ ବିମର୍ଶରେ କବିତା ଓ ଗଳ୍ପ’, “ନୂଆ ପିଢ଼ିର ଲେଖକ’ ଆଦି ସଂପାନ ସହ ଶେଷରେ ଯୁବ ଲେଖକମାନଙ୍କୁ ନେଇ କବିତା , ଅଣୁଗଳ୍ପ ଓ ସଂଗୀତ ପରିବେଷଣ ହୋଇଥିଲା । ଏହାକୁ ସଂଯୋଜନା କରିଥିଲେ ସନ୍ଦୀପ ମହାପାତ୍ର ।

 

ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଓଡ଼ିଆ ଯୁବ ଲେଖକ ସମ୍ମେଳନର ଅଧ୍ୟକ୍ଷ ଓ କବି ଶଙ୍କର୍ଷଣ ପରିଡ଼ା । ଉତ୍ସବର ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଦିବସବ୍ୟାପୀ ଉତ୍ସବରେ ମଞ୍ଚ ପରିଚାଳନା କରିଥିଲେ ମୃତ୍ୟୁଞ୍ଜୟ ରଥ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top