ଅପରାଧୀଙ୍କ ଦଣ୍ଡମୁକ୍ତ ଇଲାକା ଓଡ଼ିଶା

News Story - Posted on 2018-01-28

ପ୍ରହଲାଦ କୁମାର ସିଂହ

 

ମା’ ସମସ୍ତଙ୍କର ପ୍ରିୟ। ତେଣୁ ମା’ ମଲା ଦୁଃଖ ଭାରି ବାଧେ। ତେବେ ମାମଲାର ଦୁଃଖ କିନ୍ତୁ ମା’ ମଲା ଦୁଃଖଠାରୁ ଢେର ଅଧିକ। ଅାଇନ୍ ମାନି ଚାଲୁଥିବା ଲୋକଙ୍କ ପାଇଁ ମାମଲା ଦୁଃଖର ପାହାଡ଼ ନେଇ ଅାସୁଥିବା ବେଳେ ଅାଇନ ଉଲ୍ଲଙ୍ଘନ କରି ଅପରାଧ ପରେ ଅପରାଧ ଘଟାଇ ଚାଲୁଥିବା ଅଭିଯୁକ୍ତମାନଙ୍କ ଲାଗି କିନ୍ତୁ ମାମଲା ଏକ ମାମୁଲି କଥା। ଏହାର କାରଣ ହେଉଛି ବର୍ଷ ବର୍ଷ ଧରି ମାମଲା ଗଡ଼ି ଚାଲିବା ସହ ସଂଖ୍ୟାଧିକ କ୍ଷେତ୍ରରେ ଅଭିଯୁକ୍ତମାନେ ଅାଇନର ଫାଙ୍କ ଦେଇ ଖସିଯିବା। ବିଳମ୍ବିତ ଓ ନାମମାତ୍ର ଦଣ୍ଡବିଧାନ ବ୍ୟବସ୍ଥା ଯୋଗୁ ଅପରାଧ ସଂଖ୍ୟା ବଢ଼ି ଚାଲୁଥିବା ବେଳେ ସାଧାରଣ ଲୋକଙ୍କ ଧନଜୀବନ ବିପର୍ଯ୍ୟସ୍ତ ହୋଇଚାଲିଛି।

 

ଓଡ଼ିଶାରେ ବିଭିନ୍ନ କିସମର ପ୍ରାୟ 15 ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ। ଅନେକ ଦେୱାନୀ ମାମଲା ପୁରୁଷ ପୁରୁଷ ଧରି ଗଡ଼ି ଚାଲୁଥିବା ବେଳେ ବହୁ ଚର୍ଚ୍ଚିତ ବଲାଙ୍ଗୀର ପର୍ଶୁରାମ ଶତପଥୀ ହତ୍ୟା ମାମଲାର ଫଇସଲା ପାଇଁ 40 ବର୍ଷରୁ ଅଧିକ ସମୟ ଲାଗିଥିବା ବେଳେ ଜଗତସିଂହପୁରର ବିଲୁଅାଖାଇ ନଈ ପଠାରେ ଘଟିଥିବା ଲୋମହର୍ଷଣକାରୀ ଛବିରାଣୀ ହତ୍ୟାକାଣ୍ଡର ବିିଚାର ସରିବାକୁ ଲାଗିଗଲା 25 ବର୍ଷରୁ ଅଧିକ ସମୟ। ଏଭଳି ତାଲିକା ବେଶ୍ ଲମ୍ବା।

 

2017ର ଶେଷ ଅାଡ଼କୁ କେନ୍ଦ୍ର ସରକାରଙ୍କ ଜାତୀୟ କ୍ରାଇମ୍ ରେକର୍ଡ ବ୍ୟୁରୋ ପ୍ରକାଶ କରିଛି ପ୍ରାୟ 700 ପୃଷ୍ଠାର କ୍ରାଇମ୍ ଇନ୍ ଇଣ୍ଡିଅା-2016 ରିପୋର୍ଟ। ଏଥିରେ ପ୍ରକାଶ ପାଇଥିବା ତୁଳନାତ୍ମକ ତଥ୍ୟରୁ ଓଡ଼ିଶାରେ 90 ପ୍ରତିଶତରୁ ଅଧିକ ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହେଉଥିବା ବେଳେ ବିଚାର ପ୍ରତୀକ୍ଷାରେ ଥିବା ମାମଲାରୁ 10 ପ୍ରତିଶତ ମଧ୍ୟ ବର୍ଷକରେ ଫଇସଲା ହୋଇପାରୁନି। ଏ ହେଲା ଓଡ଼ିଶାରେ ସରକାରୀ ମାମଲାର ବିକଳ ଚିତ୍ର।

 

ଏନସିଅାରବି ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ମହିଳାମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧ କ୍ଷେତ୍ରରେ ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର 6.2 ପ୍ରତିଶତ ରହୁଥିବା ବେଳେ ଶିଶୁମାନଙ୍କ ପତି ଘଟୁଥିବା ଅପରାଧ କ୍ଷେତ୍ରରେ ଏହି ହାର 9.2 ପ୍ରତିଶତ। ଅର୍ଥନୈତିକ ଅପରାଧ ମାମଲା କ୍ଷେତ୍ରରେ ଓଡ଼ିଶାରେ ଦଣ୍ଡବିଧାନ ହାର 12 ପ୍ରତିଶତ ଥିବା ବେଳେ ଭିଜିଲାନ୍ସ ମାମଲାରେ କିନ୍ତୁ ଏହାର ରେକର୍ଡ 46.9 ପ୍ରତିଶତ। ଭାରତୀୟ ପିଙ୍ଗଳ କୋଡର ବିଭିନ୍ନ ଦଫାରେ ଓଡ଼ିଶାରେ ଯେତେ ଅପରାଧିକ ମାମଲା ଉକ୍ତ ବର୍ଷରେ ଫଇସଲା ହୋଇଛି ସେଥିରେ ଦଣ୍ଡବିଧାନ ହାର ମାତ୍ର 10.04 ପ୍ରତିଶତ। ଏହାଛଡ଼ା ବିଭିନ୍ନ ସ୍ବତନ୍ତ୍ର ଓ ଅାଂଚଳିକ ଅାଇନ ଅାଧାରରେ ରୁଜୁ ଅପରାଧିକ ମାମଲାରେ ଓଡ଼ିଶାର ଦଣ୍ଡବିଧାନ ହାର 19.3 ପ୍ରତିଶତ। ରାଷ୍ଟ୍ର ବିରୋଧୀ କାର୍ଯ୍ୟକଳାପ ଲାଗି ରୁଜୁ ମାମଲାରେ ତ ଓଡ଼ିଶାରେ ଦଣ୍ଡବିଧାନ 2016 ବର୍ଷରେ ଅାଦୌ ହୋଇନାହିଁ। ବରିଷ୍ଠ ନାଗରିକମାନଙ୍କ ପ୍ରତି ହେଉଥିବା ବିଭିନ୍ନ ଅପରାଧ ସଂକ୍ରାନ୍ତୀୟ ମାମଲାଗୁଡ଼ିକରେ ବି ଓଡ଼ିଶାରେ ଦଣ୍ଡବିଧାନ ହାର ମାତ୍ର 3.8 ପ୍ରତିଶତ।

 

ଏନସିଅାରବିର କ୍ରାଇମ୍ ଇନ୍ ଇଣ୍ଡିଅା-2016 ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ଅନୁସୂଚିତ ଜାତି ବର୍ଗର ଲୋକଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅତ୍ୟାଚାର ଓ ଅପରାଧ ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର 3.3 ପ୍ରତିଶତ ରହିଥିବା ବେଳେ ଅନୁସୂଚିତ ଜନଜାତିଙ୍କ ପ୍ରତି ଘଟୁଥିବା ଅତ୍ୟାଚାର ମାମଲା ମାମଲାରେ ଏହା 5.7 ପ୍ରତିଶତରେ ସୀମିତ ରହିଛି। ସାଇବର ଅପରାଧ କ୍ଷେତ୍ରରେ ଅାମ ରାଜ୍ୟରେ ଦଣ୍ଡବିଧାନ ହାର 17.4 ପ୍ରତିଶତରେ ସୀମିତ ଅଛି। ପରିବେଶ ପ୍ରଦୂଷଣ ଘେନି ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ଉଦବେଗ ପ୍ରକାଶ କରୁଥିବା ବେଳେ ଉକ୍ତ ବର୍ଷରେ ଓଡ଼ିଶାରେ ଗୋଟିଏ ହେଲେ ପରିବେଶ ସଂକ୍ରାନ୍ତୀୟ ମାମଲା ଫଇସଲା ହୋଇନଥିବା ଏହି ରିପୋର୍ଟରୁ ଜଣାଯାଇଛି। 2016 ଶେଷ ସୁଦ୍ଧା ରାଜ୍ୟରେ 18,619 ମହିଳାଙ୍କ ସମେତ ପ୍ରାୟ 24 ହଜାର ନିଖୋଜ ଲୋକଙ୍କ ପତ୍ତା ମିଳିନାହଁି। 18 ବର୍ଷ ବୟସରୁ କମ୍ 3,836 ଝିଅଙ୍କ ସମେତ 5,202 ପିଲା ବି ଓଡ଼ିଶାରେ ନିଖୋଜ ଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି। ସମସ୍ତ କିସମର ଯେତେ ମାମଲା 2016 ସୁଦ୍ଧା ରହିଥିଲା ସେଥିରୁ 10 ପ୍ରତିଶତ ବି ଫଇସଲା ହୋଇନାହଁି। ସବୁଠାରୁ ଉଦବେଗଜନକ ତଥ୍ୟ ହେଉଛି ମହିଳା ଓ ଶିଶୁମାନଙ୍କ ପ୍ରତି ଘଟୁଥିବା ବିଭିନ୍ନ ଅପରାଧ, ଅାଇପିସି ମାମଲା, ବରିଷ୍ଠ ନାଗରିକମାନଙ୍କ ପ୍ରତି ଅପରାଧ ଅାଦି କ୍ଷେତ୍ରରେ ଓଡ଼ିଶାର ଦଣ୍ଡବିଧାନ ହାର ଜାତୀୟ ସ୍ତରଠାରୁ ଓ ବହୁ ରାଜ୍ୟ ତୁଳନାରେ ଢେର୍ କମ୍। ଏହି ରିପୋର୍ଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଓଡ଼ିଶାରେ ମହିଳା ଚାଲାଣ ସ୍ଥିତି ଅତ୍ୟନ୍ତ ଗମ୍ଭୀର ରାଜ୍ୟରେ ବିଗିଡ଼ି ଚାଲିଥିବା ଅାଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ଏହା ଏକ ବଡ଼ ଅାହ୍ବାନ ସୃଷ୍ଟି କରୁଛି।

 

ରାଜ୍ୟ ସରକାରଙ୍କ ଗତ ମାର୍ଚ୍ଚ ମାସର ତଥ୍ୟ ଅନୁଯାୟୀ ଓଡ଼ିଶା ହାଇକୋର୍ଟରେ 1,68,003 ମାମଲା ବିଚାର ପ୍ରତୀକ୍ଷାରେ ପଡ଼ିରହିଥିବା ବେଳେ ଏଥିରୁ 10 ବର୍ଷରୁ ପୁରୁଣା ମାମଲା ସଂଖ୍ୟା 39,653 ଓ 5ରୁ 10 ବର୍ଷର ପୁରୁଣା ମାମଲା ସଂଖ୍ୟା 40,696। ଏହାଛଡ଼ା ରାଜ୍ୟରେ ନିମ୍ନ ଅଦାଲତଗୁଡ଼ିକରେ ଏହି ସମୟ ସୁଦ୍ଧା 10,49,325 ମାମଲା ବିଚାର ପ୍ରତୀକ୍ଷାରେ ଥିବା ବେଳେ ସେଥିରୁ 10 ବର୍ଷର ପୁରୁଣା ମାମଲା 1,29,630 ଓ 5ରୁ 10 ବର୍ଷର ପୁରୁଣା ମାମଲା ସଂଖ୍ୟା ଥିଲା 2,15,116। ସବୁଠାରୁ ଉଦବେଗଜନକ କଥା ହେଉଛି ରାଜ୍ୟରେ 10 ବର୍ଷରୁ ପୁରୁଣା ପ୍ରାୟ 1 ଲକ୍ଷ 14 ହଜାର ଫୌଜଦାରୀ ମାମଲା ବିଚାର ପାଇଁ ପଡ଼ି ରହିଥିବା ବେଳେ ଏ କିସମର 5ରୁ 10 ବର୍ଷର ପୁରୁଣା ପ୍ରାୟ 1 ଲକ୍ଷ 81 ମାମଲା ରହିଛି। ଦେୱାନୀ ମାମଲା ତ ପୁରୁଷ ପୁରୁଷ ଧରି ଗଡ଼ିବା ଏକ ପ୍ରଥାରେ ପରିଣତ ହେଲାଣି। ସରକାରୀ ତଥ୍ୟ ମୁତାବକ ଏବେ ଓଡ଼ିଶା ହାଇକୋର୍ଟରେ 27ଟି ମଞ୍ଜୁରପ୍ରାପ୍ତ ବିଚାରପତି ପଦବୀରୁ 10ଟି ଖାଲି ପଡ଼ିଥିବା ବେଳେ ନିମ୍ନ ଅଦାଲତରେ 176ଟି ବିଚାରପତି ପଦବୀ ଖାଲି। ସେହିପରି ଗତ ମାର୍ଚ୍ଚ ମାସ ଶେଷ ସୁଦ୍ଧା ପୋଲିସ ପ୍ରଶାସନକୁ ନିୟନ୍ତ୍ରଣ କରୁଥିବା ରାଜ୍ୟର ଗୃହ ବିଭାଗରେ ଖାଲିଥିଲା 16 ହଜାରରୁ ଅଧିକ ପଦବୀ।

 

ଦେଶରେ ମାମଲା ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଫଇସଲା ଓ ଦଣ୍ଡବିଧାନ ହାର କମ୍ ରହୁଥିବା ଘଟଣାରେ ଜାତୀୟ ଅାଇନ କମିଶନର ଅଧ୍ୟକ୍ଷ ଜଷ୍ଟିସ୍ ବି.ଏସ. ଚୌହାନ ନିକଟରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଏଥିଲାଗି ବିଚାରପତି ନିଯୁକ୍ତି ପ୍ରକ୍ରିୟାଠାରୁ ଅାରମ୍ଭ କରି ଅପରାଧିକ ମାମଲାରେ ତ୍ରୁଟିପୂର୍ଣ୍ଣ ତଦନ୍ତ, ଦୁର୍ବଳ ସାକ୍ଷ୍ୟ ପ୍ରମାଣ, ରାଜନୈତିକ ଥଇଥାନ ଲାଗି ସରକାରୀ ଓକିଲ ନିଯୁକ୍ତି ଅାଦିକୁ ଜଷ୍ଟିସ୍ ଚୌହାନ ଅତି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ସୁପ୍ରିମ୍ କୋର୍ଟ, ହାଇକୋର୍ଟ ସମେତ ନିମ୍ନ ଅଦାଲତଗୁଡ଼ିକରେ 3 କୋଟି 15 ଲକ୍ଷ ମାମଲା ବିଚାର ପାଇଁ ଥିବା ବେଳେ ଦେଶର ପ୍ରାୟ 17 ହଜାର ନିମ୍ନ ଅଦାଲତରେ ଏଥିରୁ ରହିଛି 2 କୋଟି 54 ଲକ୍ଷ ମାମଲା ଓ ଏଥିମଧ୍ୟରୁ ପ୍ରାୟ 10 ପ୍ରତିଶତ ହେଉଛି 10 ବର୍ଷରୁ ପୁରୁଣା ମାମଲା। ସୁପ୍ରିମ୍ କୋର୍ଟର ପ୍ରଧାନ ବିଚାରପତି ଏ ପରିପ୍ରେକ୍ଷୀରେ ଛୁଟି ଦିନମାନଙ୍କରେ କୋର୍ଟ କାର୍ଯ୍ୟ ଚଳାଇବା ପାଇଁ ବି ମତ ଦେଲେଣି। ଗୋଟିଏ ସମୟରେ ବିଳମ୍ବିତ ବିଚାର ପ୍ରକ୍ରିୟା ଘେନି ସୁପ୍ରିମ୍ କୋର୍ଟର ତଦାନିନ୍ତନ ପ୍ରଧାନ ବିଚାରପତି ଟି.ଏସ. ଠାକୁର ଭାବବିହ୍ବଳ ହୋଇ ଏକ ଜାତୀୟ ସ୍ତରର ବୈଠକରେ ଲୁହ ଗଡ଼ାଇଲେ ବି ପରିସ୍ଥିତିରେ କିଛି ଉନ୍ନତି ଅାସିଲା ନାହଁି। ଅବସର ଗ୍ରହଣ ପୂର୍ବରୁ ଅନ୍ୟ ଜଣେ ପ୍ରଦାନ ବିଚାରପତି ଜେ.ଏସ. ବର୍ମା ଭାରତ ବର୍ଷର ବିଚାର ବ୍ୟବସ୍ଥାରେ ନ୍ୟାୟ ପାଇବା ବ୍ୟୟବହୁଳ ହୋଇପଡ଼ୁଥିବା ଘେନି ଖୋଲା ସମାଲୋଚନା କରିବାକୁ ବି ପଛାଇ ନଥିଲେ। ତାଙ୍କ ଭାଷାରେ ବିଳମ୍ବିତ ବିଚାର ହେଉଛି ନ୍ୟାୟ ପ୍ରତ୍ୟାଶୀଙ୍କ ପ୍ରତି ଚରମ ଅନ୍ୟାୟ।

 

ଦେଶର ଅର୍ଥ କମିଶନ ବି ବିଳମ୍ବିତ ବିଚାର ବ୍ଯବସ୍ଥା ଘେନି ବାରମ୍ବାର ଉଦବେଗ ପ୍ରକାଶ କରିଅାସିଛନ୍ତି। ଅର୍ଥ କମିଶନଙ୍କ ସୁପାରିଶ ଅାଧାରରେ ଓଡ଼ିଶାରେ ମାମଲା ଚାପ ହ୍ରାସ ସହିତ 5 ବର୍ଷରୁ ପୁରୁଣା ଗୋଟିଏ ହେଲେ ମାମଲା ରହିବ ନାହଁି ବୋଲି ସ୍ଥିର କରି ରାଜ୍ୟ ସରକାର 2011 ମସିହାରେ ଓଡ଼ିଶା ରାଜ୍ୟ ମାମଲା ନୀତି ପ୍ରଣୟନ କରିଛନ୍ତି। ଏହି ନୀତିର କାର୍ଯ୍ୟକାରିତା ଲାଗି ରାଜ୍ୟସ୍ତରରେ ମୁଖ୍ୟ ଶାସନ ସଚିବ ଓ ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କ ଅଧ୍ୟକ୍ଷତାରେ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିମାନ ଗଢ଼ା ଗଲା। କିନ୍ତୁ ଏ କ୍ଷେତ୍ରରେ ଅାମ ପ୍ରଶାସନ ଅାନ୍ତରିକତା ନ ଥିବାରୁ 18.10.2011ରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି କମିଟିର ଥରେ ବୈଠକ ବସିବା ପରେ ଅାଉ 6 ବର୍ଷ ଧରି ଏହା ଅନୁଷ୍ଠିତ ହୋଇପାରୁନାହଁି।

 

1857ର ସିପାହୀ ବିଦ୍ରୋହ ପରେ ବ୍ରିଟିଶ୍ ସରକାର 1860ରେ ଭାରତୀୟ ପିଙ୍ଗଳ କୋଡ୍ ଓ 1861ରେ ଭାରତୀୟ ପୋଲିସ ଅାଇନ ପ୍ରଣୟନ କରିଥିଲେ ଏବେ ବି ଏହି ଅାଇନ ବଳବତ୍ତର ରହିଛି। ବହୁ କ୍ଷେତ୍ରରେ ପୋଲିସ ଅତ୍ୟାଚାରିତ ଲୋକଙ୍କ ଅଭିଯୋଗ ରଖେ ନାହଁି। ଯେତେ ଅଭିଯୋଗ ପୋଲିସ ନିକଟରେ ଦରଜ ହୁଏ ସେଥିରୁ ଅନେକରେ ରାଜନୈତିକ ଉଦ୍ଦେଶ୍ୟରେ ମନଇଚ୍ଛା ଦଫା ଯୋଡ଼ା ଯାଏ। ବହୁ ଅବସରପ୍ରାପ୍ତ ବିଚାରପତି, ଅବସରପ୍ରାପ୍ତ ପୋଲିସ ଅଫିସର ଓ ବରିଷ୍ଠ ଓକିଲମାନେ କୁହନ୍ତି ଯେ ଅାମ ପୋଲିସ ବ୍ୟବସ୍ଥା କୁଅାଡ଼େ ଏକ ମିଛ ମାମଲା ତିଅାରି କାରଖାନା। ଓଡ଼ିଶାରେ ଦଣ୍ଡବିଧାନ ହାର ଅପରାଧିକ ମାମଲାରେ କମ୍ ରହିବାର ଏହା ଅନ୍ୟତମ କାରଣ। ଯଦି ନିୟମିତ ବ୍ୟବଧାନରେ ମାମଲାଗୁଡ଼ିକର ସମୀକ୍ଷା କରାଯାଇ ମିଛ, ହାଲକା ଓ ମୁତଫରକା ମାମଲାଗୁଡ଼ିକୁ ପ୍ରତ୍ୟାହାର କରିନିଅା ଯାଅାନ୍ତା ତା’ ହେଲେ ଓଡ଼ିଶାରେ ଅପରାଧିକ ମାମଲା ସଂଖ୍ୟା ଅଧାରୁ ଅଧିକ କମିଯାଅାନ୍ତା ଏବଂ ସତ ତଥା ସମ୍ବେଦନଶୀଳ ମାମଲାଗୁଡ଼ିକର ତ୍ବରିତ ଫଇସଲା ପାଇଁ ଅଦାଲତଗୁଡ଼ିକୁ ସୁଯୋଗ ମିଳନ୍ତା। ଏହାଛଡ଼ା ଅଦାଲତଗୁଡ଼ିକରେ ଖାଲି ପଡ଼ିଥିବା ବିଚାରପତି ଓ ଅନ୍ୟାନ୍ୟ ପଦବୀ ଅଗ୍ରାଧିକାର ଭିତ୍ତିରେ ପୂରଣ କରାନଯିବା ମଧ୍ୟ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଅନ୍ୟତମ ବାଧକ।

 

ତ୍ବରିତ ନିରପେକ୍ଷ ତଦନ୍ତ ଓ ତୁରନ୍ତ ନ୍ୟାୟ ବିଚାର ହେଲେ ଅାଇନ୍ ଅଦାଲତ ଉପରେ ଲୋକଙ୍କ ଅାସ୍ଥା ଅାହୁରି ବଢ଼ନ୍ତା। ସମ୍ବିଧାନର 21 ଧାରାରେ ବଂଚିବାର ଯେଉଁ ଅଧିକାର ଦିଅାଯାଇଛି ବିଳମ୍ବିତ ବିଚାର ଓ ନଗଣ୍ୟ କ୍ଷେତ୍ରରେ ଦଣ୍ଡବିଧାନ ଯୋଗୁ ଅାଇନ୍ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଚାଲିବା ପରିପ୍ରେକ୍ଷୀରେ ଏହି ସାମ୍ବିଧାନିକ ଅଧିକାର କ୍ଷୂର୍ଣ୍ଣ ହେଉଛି। ରାଜନୀତିରେ ଅପରାଧିକରଣ ସହ ଅପରାଧର ରାଜନୀତିକରଣ ପରିପ୍ରେକ୍ଷୀରେ ଦୁର୍ନୀତି, ଭ୍ରଷ୍ଟାଚାର ଠାରୁ ଅାରମ୍ଭ କରି ନିଶାର ପ୍ରସାର ଓ ଜଘନ୍ୟ ଅପରାଧମାନ ବଢ଼ି ଚାଲିବା ଅାମ କଷ୍ଟଲବ୍ଧ ସ୍ବାଧୀନତା ଓ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଗୁରୁତର ଅାହ୍ବାନ ସୃଷ୍ଟି କରିଛି। ଭାଷଣରେ ଭୋକ କି କଷଣ ଦୂର ହୁଏ ନାହଁି କିମ୍ବା ପ୍ରଚାର ସର୍ବସ୍ବ ବିଜ୍ଞାପନରେ ବିକାଶ ଅାସେନାହଁି। ଅାମ ବିଚାର ବ୍ୟବସ୍ଥା ଦୁର୍ବଳ ହେଲେ ଗଣତନ୍ତ୍ରର ଅନ୍ୟ ଅଙ୍ଗଗୁଡ଼ିକ ସ୍ବେଚ୍ଛାଚାରିତା, ଭ୍ରଷ୍ଟାଚାର, ଏକଛତ୍ରବାଦ ଅାଦିରେ ସଂକ୍ରମିତ ହେବ। ଏହି ଗୁରୁତର ସମସ୍ୟାରୁ ରାଷ୍ଟ୍ର ତଥା ରାଜ୍ୟକୁ ରକ୍ଷା କରିବା ଲାଗି ବିଚାର ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ଲାଗି ସତ୍ଯସିଦ୍ଧ ସମର୍ପିତ ସମୟ ଭିତ୍ତିକ ବାସ୍ତବାଭିମୁଖୀ କାର୍ଯ୍ୟକ୍ରମ ଲୋଡ଼ା।

 

ମୋ- 9437017395


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top