ଅଷ୍ଟଶମ୍ଭୁ ବାବା ସକଳେଶ୍ୱର

News Story - Posted on 2018-01-27

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ରେଶମ ସହର ବ୍ରହ୍ମପୁର । ନିଜ କଳା, ସଂସ୍କୃତି, ପରମ୍ପରାକୁ ନେଇ ଯେତିକି ସମୃଦ୍ଧ ନିଜ ଐତିହ୍ୟକୁ ନେଇ ସେତିକି ରୁଦ୍ଧିମନ୍ତ । ମାଁ ବୁଢୀଠାକୁରାଣୀ ବ୍ରହ୍ମପୁରର ପ୍ରାଣକେନ୍ଦ୍ର ହୋଇଥିବାବେଳେ ସହରର ଅନତି ଦୂରରେ ଅଷ୍ଟଶମ୍ଭୁ ବିରାଜମାନ କରିଛନ୍ତି । ଭାବିନିପୁରର ଶ୍ରୀ ସକଳେଶ୍ୱର, ସୁକୁଣ୍ଡାର ଗୋକର୍ଣ୍ଣେଶ୍ୱର, ଲାଠିର ଶ୍ରୀ ବ୍ରହ୍ମେଶ୍ୱର, ଗୋଳନ୍ଥରାର ଇଶାଣେଶ୍ୱର, ରାଳବର ଶ୍ରୀ ଷଣ୍ଢେଶ୍ୱର, କୋଳଥିଗାଁର ଶ୍ରୀ ଖୋଳେଶ୍ୱର, ଗଅଞ୍ଜୁର ଶ୍ରୀ ଶାମ୍ବେଶ୍ୱର, ସୁନ୍ଦରପୁରର ଶ୍ରୀ ସିଦେ୍ଧଶ୍ୱର ଅଷ୍ଟଶମ୍ଭୁ ଭାବେ ବିଦିତ । ଏହି ସବୁ ସ୍ଥାନଗୁଡିକରେ ବିରାଜମାନ ହୋଇଥିବା ଦେବ ଦେବ ମହାଦେବଙ୍କ ଲିଙ୍ଗ ଗୁଡିକ ନିଜେ ଉଦଭବ । ଏହି ଅଷ୍ଟଶମ୍ଭୁମନ୍ଦିର ଗୁଡିକ ମହୁରୀ ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ।

 

ବ୍ରହ୍ମପୁର ସହରଠାରୁ ମାତ୍ର ୨ କିମି ଦୂରରେ ଭାବିନିପୁର ଗ୍ରାମରେ ଶ୍ରୀ ଶ୍ରୀ ସକଳେଶ୍ୱର ବିଦ୍ୟମାନ । ମନ୍ଦିରଟି ବହୁ ପୁରାତନ ହୋଇଥିବାବେଳେ ବର୍ତ୍ତମାନ କିନ୍ତୁ ଏହାର ଆଧୁନିକିକରଣ କରାଯାଇଛି । ଏହି ଶିବ ଲିଙ୍ଗର ସ୍ୱତନ୍ତ୍ରତା ହେଲା ଏହାର ଆକାର ଅନ୍ୟ ଶିବଲିଙ୍ଗଙ୍କ ଆକାରଠାରୁ ଭିନ୍ନ । କଳା ଖଦଡିଆ ଶିଳାରେ ନିର୍ମିତ ଶିବ ଲିଙ୍ଗଟି ସଂପୂର୍ଣ୍ଣ ଆବୁଡା ଖାବୁଡା । ଏପରିକ ହାତରେ ଠାକୁରଙ୍କୁ ପଂଚାମୃତ ଓ ଟଭା ରସରେ ଅଭିଷେକ ଓ ମର୍ଦ୍ଦନ କଲାବେଳେ ବେଳେ ମଧ୍ୟ କଷ୍ଟ ହୋଇଥାଏ । ମହାଶିବରାତ୍ରୀ, ଜାଗର ଯାତ୍ରା, ଶ୍ରାବଣ ସୋମବାର ଓ କାର୍ତ୍ତିକ ପୂର୍ଣ୍ଣମା ପ୍ରଭୃତି ପର୍ବ ଧୁମଧାମରେ ପାଳିତ ହୋଇଥାଏ ।

 

ଇଂରେଜମାନେ ଯେତେବେଳେ ମହୁରୀଗଡ଼କୁ ଅଧିକାର କରିବା ପାଇଁ ଚେଷ୍ଟା କରିଥିଲେ ସେହି ସମୟରେ ନିଜ ଗଡ଼କୁ ରକ୍ଷା କରିବା ପାଇଁ ନିଜେ ମହୁରୀ ରାଜା ସକଳେଶ୍ୱରଙ୍କ ନିକଟରେ ଶରଣ ପଶିଥିଲେ ଏବଂ ବାବା ସକଳେଶ୍ୱରଙ୍କ ଆଶୀର୍ବାଦରୁ ଗଡ଼କୁ ରକ୍ଷା କରିପାରିଥିଲେ ବୋଲି ଲୋକ କଥା ରହିଛି । ସ୍ମୃତି ସ୍ୱରୁପ ଆଜି ବି ଗର୍ଭଗୃହ ମଧ୍ୟରେ ଶିବ ଲିଙ୍ଗଙ୍କ ସାମନାରେ ଏକ ଶିଳା ରହିଛି । ଯାହାକୁ ଶରଣାଗତ ରାଜାଙ୍କ ପ୍ରତୀକ ବୋଲି ମନେ କରାଯାଏ । ମହୁରିଗଡ଼ର ରାଜା ପ୍ରତିଦିନ ଅଷ୍ଟଶମ୍ଭୁଙ୍କୁ ଦର୍ଶନ କରି ସାରିବା ପରେ ହିଁ ନିଜ ରାଜ କାର୍ଯ୍ୟ ଆରମ୍ଭ କରୁଥିଲେ । ଏହି ପ୍ରତିଷ୍ଠିିତ ଅଷ୍ଟଶମ୍ଭୁଙ୍କୁ ଦର୍ଶନ କଲେ ସୁଫଳ ମିଳେ ବୋଲି ବିଶ୍ୱାସ ରହିଛି ।

 

ମନ୍ଦିରର ମନୋଜ୍ଞ ପରିବେଶ ସାଙ୍ଗକୁ ଆଧ୍ୟାତ୍ନିକ ବାତାବରଣ ସମସ୍ତଙ୍କୁ ବେଶ ଆକୃଷ୍ଟ କରିଥାଏ । ତେଣୁ ପ୍ରତ୍ୟହ କାହିଁ କେତେ ଦୂରରୁ ମାନସିକଧାରୀ ନିଜ ମାନସିକ ପୂରଣ କରିବା ପାଇଁ ଦୂର ଦୂରାନ୍ତରରୁ ଆସି ରୁଦ୍ରାଭିଷେକ କରିବା ସହ ବାବାଙ୍କ ଆଶୀର୍ବାଦ ଲାଭ କରିଥାନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top