ସଂଘ-ବିଜେପି ସଂପର୍କର ମିଶାଣ-ଫେଡ଼ାଣ

News Story - Posted on 2018-01-27

ସୂର୍ଯ୍ୟମଣି ମିଶ୍ର

 

ତ୍ୟାଗ, ତପସ୍ୟା ଏବଂ ବଳିଦାନ । ଭାରତୀୟ ରାଷ୍ଟ୍ର ଭାବନାର ମୂଳତତ୍ତ୍ୱ ।

 

ଅୟମ ନିଜଃ ପରୋବେତି ଗଣନା ଲଘୁ ଚେତସାମ୍‍
ଉଦାର ଚରିତାନାତୁ ବସୁଧୈବ କୁଟୁମ୍ବକମ୍‍ ।

 

ଅର୍ଥାତ ଇଏ ନିଜର ବା ଆପଣର, ସିଏ ପର- ଏଭଳି ଭାବନା ନୀଚ୍ଚସ୍ତରର, ଉଦାର ଚରିତ୍ରର ଲୋକଙ୍କ ପାଇଁ ସମଗ୍ର ବିଶ୍ୱ ପରିବାର ସଦୃଶ । ‘ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦପି ଗରିୟସୀ’ । ଦେଶର ମାଟି ସ୍ୱର୍ଗଠାରୁ ଅଧିକ ଉଚ୍ଚରେ । ବାଲ୍ମିକୀ ରାମାୟଣର ଲଙ୍କାକାଣ୍ଡରୁ ଆସିଥିବା ଶ୍ଳୋକ, ଯୁଦ୍ଧ ଶେଷ ପରେ ଶ୍ରୀରାମ ନିଜର ଭାଇ ତଥା ସହଯୋଦ୍ଧା ଲକ୍ଷ୍ମଣଙ୍କୁ ନିଜ ହୃଦୟର କଥା କହିଛନ୍ତି । ଅପି ସ୍ୱର୍ଣ୍ଣମୟୀ ଲଙ୍କା ଲକ୍ଷ୍ମଣ ନୋପିରୋଚତେ, ଜନନୀ ଜନ୍ମଭୂମୀଶ୍ଚ ସ୍ୱର୍ଗାଦପୀ ଗରିୟସୀ । ଲଙ୍କାରେ ସୁନା ଭରପୂର, କିନ୍ତୁ ମୋ ପାଇଁ ମୋ ମାଆ ଏବଂ ଜନ୍ମଭୂମିି ସ୍ୱର୍ଗଠାରୁ ଅଧିକ ମୂଲ୍ୟବାନ ।

 

ଦେଶବାସୀଙ୍କ ପାଇଁ ଏହି ଦୁଇଟି ପୌରାଣିକ ଉଦାହରଣ ଭାରତୀୟ ରାଷ୍ଟ୍ରଭାବନାର କଥା କହିଛି । ଆଜିର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି-୧୩୫ କୋଟି ଭାରତୀୟ ବନାମ ୩୩ କୋଟି ଦେବତାଙ୍କ ସହ ମୁସଲମାନ ଏବଂ ଖ୍ରୀଷ୍ଟିଆନ୍‍ ଦେବତାଙ୍କୁ ଯୋଡ଼ି ରାଷ୍ଟ୍ରୀୟ ଭାବରେ କିପରି ଉଚ୍ଚକୁ ଓ ନୀଚକୁ ଯାଉଛି, ସେ ସଂପର୍କରେ ବିତର୍କ । ଈଶ୍ୱରଙ୍କ ସୃଷ୍ଟି, ସ୍ଥିିତି ଏବଂ ଅସ୍ତିତ୍ୱ ଭାରତୀୟ ରାଷ୍ଟ୍ରବାଦ ସହ ବହୁକାଳ ଧରି ଯୋଡ଼ିହୋଇ ରହିଛି । ଆଧ୍ୟାତ୍ମିକତା ହିଁ ଭାରତୀୟ ରାଷ୍ଟ୍ରବାଦର ବିଶେଷତ୍ୱ । ଭାରତର ୩୩ କୋଟି ଦେବତା, ଦେବତାଙ୍କ ସଂଖ୍ୟାକୁ ନେଇ କିସମ କିସମ ସଂକୀର୍ଣ୍ଣନତା ଏବଂ ସଂକୀର୍ଣ୍ଣତାର ରାଜନୀତି । ଧାର୍ମିକ ସଂକୀର୍ଣ୍ଣତା ସାମାଜିକ ସଂକୀର୍ଣ୍ଣତାକୁ ଜନ୍ମ ଦେଇଛି । ଏହାକୁ ସାଂପ୍ରଦାୟିକ ମୌଳିବାଦୀ ଶକ୍ତି ମାନିବାକୁ ନାରାଜ । ରାଜନୀତିରେ ବିଭାଜନ ରାଜନୀତି ସୃଷ୍ଟି କରିବା ମୌଳବାଦୀଙ୍କ ମୂଳମନ୍ତ୍ର ହୋଇଛି । ଫଳରେ ପ୍ରକୃତ ରାଷ୍ଟ୍ରବାଦ ଦୂରେଇ ଯାଉଛି ।

 

ଏହି କାରଣରୁ ଧର୍ମର ରାଜନୀତି, ଧର୍ମ ଆଧାରରେ ରାଷ୍ଟ୍ରକୁ ପୃଥକ କରିବାର ସ୍ୱର ଶୁଣିବାକୁ ମିଳୁଛି । ଧର୍ମନିରପେକ୍ଷ ସମାଜ ଏହାକୁ କେବେ, କେଉଁ ସମୟରେ ବି ଗ୍ରହଣ କରିପାରିନାହିଁ । କିନ୍ତୁ ଧର୍ମ ନାମରେ ସଂକୀର୍ଣ୍ଣ ସାଂପ୍ରଦାୟିକ ମୌଳବାଦୀ ଶକ୍ତି ଈଶ୍ୱରଙ୍କ ନାମ ନେଇ ସମାଜକୁ ଭାଗ ଭାଗ କରିବାକୁ ସର୍ବଦା ଉଦ୍ୟମ କରିଆସିଛନ୍ତି । କିନ୍ତୁ ଏହା ଭାରତୀୟ ରାଷ୍ଟ୍ରଧର୍ମ ନୁହେଁ । ଭାରତରେ ବିଶ୍ୱର ପ୍ରଥମ ଗୀର୍ଜା କେରଳରେ ପ୍ରତିଷ୍ଠା ହୋଇଥିଲା । ଏକାଧିକ ମସଜିଦ ମଧ୍ୟ ପ୍ରତିଷ୍ଠା ହେବାରେ ଭାରତୀୟ ଧର୍ମନିରପେକ୍ଷ ସମାଜ ସ୍ୱାଗତ କରିଥିଲା । ଦେଶ ପ୍ରେମ ଏବଂ ଈଶ୍ୱରଙ୍କ ପ୍ରେମରେ ଅନ୍ତର କ’ଣ, ତାହାକୁ ବିଶ୍ୱରେ ପ୍ରଥମ କରି ଭାରତୀୟମାନେ ପ୍ରମାଣିତ କରିଆସିଛନ୍ତି । ଏହାକୁ ବୁଝିବା ଅନୁଶୀଳନ କରିବା ହିଁ ରାଷ୍ଟ୍ରବାଦ ବୋଲି ଭାରତୀୟମାନେ ବିଚାର କରନ୍ତି ।

 

ଭାରତୀୟଙ୍କ ପାଖରେ ଧାର୍ମିକ ସଂକୀର୍ଣ୍ଣତା ନଥିଲା । କିନ୍ତୁ ସମୟକ୍ରମେ ରାଜନୈତିକ କ୍ଷମତା ହାସଲ ପାଇଁ ଧର୍ମକୁ ସଂପ୍ରଦାୟ ସହ ଯୋଡ଼ି ଏତାଦୃଶ ସଂକୀର୍ଣ୍ଣ ସାଂପ୍ରଦାୟିକତା ଅଧିକ ଉଗ୍ରରୂପ ଧାରଣ କରିଛି । ଭାରତୀୟମାନେ ଜାଣିଛନ୍ତି ଯେ ଦେଶ ପ୍ରେମ ଆଗରେ ଈଶ୍ୱର ପ୍ରେମ ତୁଚ୍ଛ । ଦେଶ ପ୍ରେମ ଏବଂ ଈଶ୍ୱର ପ୍ରେମର ସାମଞ୍ଜସ୍ୟକୁ ନେଇ ଆଗକୁ ବଢ଼ିଲେ ସାମାଜିକ ରାଜନୈତିକ ସ୍ତରରେ ଜାତି-ଧର୍ମ-ରାଜନୀତି ଆଦିର ବିଭିନ୍ନ କିସମର ସଂକୀର୍ଣ୍ଣତା ଜନ୍ମ ନେବ । ଭକ୍ତିଭାବ ସଂକୀର୍ଣ୍ଣତାର ବିରୋଧୀ । ଭକ୍ତି ସହ ବିବେକକୁ ଯୋଡ଼ିବାର ଆବଶ୍ୟକତା ଉପରେ ଭାରତୀୟ ଆଧ୍ୟାତ୍ମବାଦ ଶିକ୍ଷା ଦେଇଆସିଛି ।

 

କିନ୍ତୁ ଆଜି ଦିନରେ ସଂପ୍ରଦାୟକୁ ନେଇ ରାଜନୀତି କରୁଥିବା ମୌଳବାଦ ଶକ୍ତି ହିନ୍ଦୁତ୍ୱବାଦ ଏବଂ ଇସଲାମିକରଣ ଉପରେ ଗୁରୁତ୍ୱ ଦେବା ଯୋଗୁଁ ଭାରତୀୟ ରାଷ୍ଟ୍ର ଭାବନାର ମହତ୍ୱ ଉପରେ ଆଞ୍ଚ ଆସିଛି । ଭାରତରେ ନକଲି ଭକ୍ତିର ଯେତେ ପ୍ରସାର ହେବ, ସଂକୀର୍ଣ୍ଣତାବାଦ ସେତେ ପ୍ରସାରିତ ହେବ । ଭକ୍ତି ବ୍ୟକ୍ତିକୁ ଉଦାର କରିଥାଏ । କିନ୍ତୁ ଆଜିଦିନରେ ଭକ୍ତିଭାବ ବ୍ୟକ୍ତିଠାରୁ ଦୂରେଇ ଯାଉଛି । ରାଷ୍ଟ୍ରବାଦ ଦୁର୍ବଳ ହେଉଛି । କାରଣ ଧର୍ମଭିତ୍ତିରେ ରାଷ୍ଟ୍ର ନିର୍ମାଣ ଉପରେ ମୌଳବାଦୀ ଶକ୍ତି ଅଧିକଭାବେ ଗୁରୁତ୍ୱ ଦେଉଛନ୍ତି । ଆଜି ଦିନରେ ଶାସନ କ୍ଷମତାରେ ଥିବା ବିଜେପି ଦଳ ପକ୍ଷରୁ ଯେଉଁ ରାଷ୍ଟ୍ରବାଦର କଥା କୁହାଯାଉଛି, ଏହି ରାଷ୍ଟ୍ରବାଦ ସହ ହିନ୍ଦୁତ୍ୱବାଦକୁ ଯୋଡ଼ୁଥିବାରୁ ବିଜେପି ଓ ତା’ର ମାତୃ ସଂଗଠନ ଆରଏସଏସ ମଧ୍ୟରେ ମିଶାଣରୁ ଫେଡ଼ାଣ ଯୋଗ ଦେଖିବାକୁ ମିଳୁଛି ।

 

ରାଷ୍ଟ୍ରଭାବନାକୁ ଉଜ୍ଜୀବିତ - ପ୍ରସାରିତ କରିବା ଲକ୍ଷ୍ୟ ନେଇ ହିନ୍ଦୁତ୍ୱବାଦକୁ ଯୋଡି ଗଠନ ହୋଇଥିଲା ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ) ଏହି ଆରଏସଏସ ଗର୍ଭରୁ ହିଁ ଜନ୍ମନେଇଥିଲା ଜନସଂଘ । ଜନସଂଘର ନାମ ବଦଳି ଜନ୍ମନେଲା ବିଜେପି । ସକ୍ଷିପ୍ତରେ କହିଲେ ବିଜେପିର ମାତୃସଂଗଠନ ହିଁ ଆରଏସଏସ । ଆଜି ତାରିଖରେ ବିଜେପି ତାର ମାତୃସଂଗଠନ ସହ ସଂପର୍କରେ ସୃଷ୍ଟି ହୋଇଛି ମିଶାଣରୁ ଫେଡ଼ାଣ ଯୋଗ ।

 

ପ୍ରଶ୍ନ-ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ବିଜେପି ଏବଂ ଏହାର ସରକାରକୁ ନିୟନ୍ତ୍ରିତ କରୁଛି ନା ବିଜେପି ସରକାର ସଂଘକୁ ନିୟନ୍ତ୍ରିତ କରୁଛି? ସଂଘ ଏବଂ ବିଜେପି ରାଷ୍ଟ୍ରଭାବନାକୁ ନେଇ ପରିଚାଳିତ ହେଉଛି ନା କ୍ଷମତା ଦୌଡରେ? ଉତ୍ତର - ୪ ବର୍ଷ ପୂର୍ବେ ସଂଘ ହାତରେ ବିଜେପିର କମାଣ ଥିଲା, କିନ୍ତୁ ମୋଦୀଜୀଙ୍କ ଉଦୟ ପରେ ଏପରି ପୂର୍ବ ସ୍ଥିତି ଓଲଟିଗଲା । କେବେ ସଂଘ ବିଜେପିକୁ ପରିଚାଳିତ କରୁଥିଲା, ଏବେ ବିଜେପି ସରକାର ନିର୍ଣ୍ଣୟ ନେଉଛି ସଂଘ ସରକାର ସଂପର୍କରେ କ’ଣ ନିଷ୍ପତ୍ତି ନେବା ଉଚିତ, କ’ଣ ଅନୁଚିତ ।

 

ଆଉ ରାଷ୍ଟ୍ରଭାବନା ଯେତେ କ୍ରିୟାଶୀଳ ନୁହେଁ, କ୍ଷମତାପ୍ରାପ୍ତିର ପିପାସା ସେତେ ଅଧିକ କ୍ରିୟାଶୀଳ, ସାଂପ୍ରଦାୟିକ ଅଭିଯୋଗରେ ଅଭିଯୁକ୍ତ ସଂଘ ଏବଂ ବିଜେପି ଏହି ଅଭିଯୋଗକୁ ଅସତ୍ୟ ବୋଲି ପ୍ରମାଣିତ କରିବା ପାଇଁ ସଂକଳ୍ପ ନେବା ପରିବର୍ତ୍ତେ ସାଂପ୍ରଦାୟିକତାକୁ କ୍ଷମତାପ୍ରାପ୍ତିର ଅମୋଘ ଅସ୍ତ୍ର ଭାବେ ବ୍ୟବହାର କରିବାକୁ ରଣନୀତି ପ୍ରସ୍ତୁତିରେ ଅବିଚଳିତ । ଏହାକୁ ନେଇ ସଂଘ ଏବଂ ବିଜେପି ମଧ୍ୟରେ ଆଦ୍ୟ ମିଶାଣରେ ଫେଡ଼ାଣ ଯୋଗର କାରଣ ହୋଇଛି ।

 

ସଂଘ, ବିଜେପି ଏବଂ ବିଜେପି ସରକାର ମଧ୍ୟରେ ସଂପର୍କ ବଦଳିଛି । ଏହାର ସଦ୍ୟତମ ପ୍ରମାଣ ହେଉଛି-ସଂଘ ପରିବାର ମଧ୍ୟରେ ବିଶ୍ୱ ହିନ୍ଦୁ ପରିଷଦ, ଭାରତୀୟ ମଜଦୁର ସଂଘ ଏବଂ ସ୍ୱଦେଶୀ ଜାଗରଣ ମଂଚ ନେତାଙ୍କୁ ହଟାଇବାର ପ୍ରସ୍ତୁତି! ମୋଦୀ, ବିଜେପି ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟଧାରାକୁ ନେଇ ଲଗାତର ସମାଲୋଚନା କରିଆସିଥିବା ଭିଏଚପିର ପ୍ରବୀଣ ତୋଗାଡିଆ, ସ୍ୱଦେଶୀ ଜାଗରଣ ମଂଚର ରାଘବ ରେଡ୍ଡିଙ୍କ ସହ ବିଏମଏସର ବ୍ରଜେଶ ଉପାଧ୍ୟାୟ ନାମ ପ୍ରମୁଖରେ ।

 

ସଂଘର ଆଗାମୀ ପ୍ରତିନିଧି ସଭା ବୈଠକରେ ଏହି ଚର୍ଚ୍ଚିତ ୩ ନେତାଙ୍କୁ ନିଜ ପଦରୁ ଇସ୍ତଫା ଦେବାପାଇଁ କୁହାଯିବ । ଯଦି ଏହି ନେତା ନିଜ ପଦବୀରୁ ଇସ୍ତଫା ନ ଦିଅନ୍ତି ତେବେ ତାଙ୍କୁ ସଂଘ ପକ୍ଷରୁ ବାହାର ରାସ୍ତା ଦେଖାଇଦିଆଯିବ ବୋଲି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ପଦ-ପଦବୀରୁ ହଟିବା ତାଲିକାରେ ଥିବା ନେତାଙ୍କ ମଧ୍ୟରେ ପ୍ରଥମରେ ଥିବା ପ୍ରବୀଣ ତୋଗାଡ଼ିଆ ୨୦୦୨ ଗୁଜୁରାଟ ବିଧାନସଭା ନିର୍ବାଚନରେ ମୋଦି ଏବଂ ବିଜେପି ପାଇଁ ହେଲିକପ୍ଟରରେ ତୋଫାନୀ ଗସ୍ତକରି ନିର୍ବାଚନୀ ସଭାରେ ଭାଷଣ ଦେଉଥିଲେ । ମୋଦୀଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ବସାଇବା ଦିଗରେ ତୋଗାଡିଆଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ । ଯାହାଙ୍କୁ ନେଇ ସେ ସମୟରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଥିଲା । ଯଦିଓ ଗୁଜୁରାଟରେ ମୋଦୀଜୀଙ୍କ ୧୨ ବର୍ଷର ଶାସନ ହିନ୍ଦୁତ୍ୱବାଦୀ ଥିଲା; କିନ୍ତୁ ଶାସନ ସଂଘମୁକ୍ତ ଥିଲା । ତୋଗାଡ଼ିଆଙ୍କ ଭଳି କଠୋର ହିନ୍ଦୁତ୍ୱବାଦୀଙ୍କ ପାଇଁ ମୋଦୀଙ୍କ ନେତୃତ୍ୱଧୀନ ସରକାରରେ ହସ୍ତକ୍ଷେପ କରିବାର ସୁଯୋଗ ନଥିଲା ।

 

୨୦୧୪ ସାଧାରଣ ନିର୍ବାଚନ ପରେ ସଂଘ ପକ୍ଷରୁ ଯେତେବେଳେ ପ୍ରସ୍ତାବ ରଖାଗଲା ଯେ - ସରକାର ଏବଂ ସଂଘ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା ହେବା ଉଚିତ୍‍ । ମୋଦୀଜୀଙ୍କର ଉତ୍ତର ଥିଲା- ସରକାର ସହ ସଂଘର କୌଣସି ସମନ୍ୱୟ ପ୍ରତିଷ୍ଠା ହୋଇପାରିବ ନାହିଁ, କିନ୍ତୁ ସମନ୍ୱୟ ପ୍ରତିଷ୍ଠା ହେବ ତ ପାର୍ଟି ସହ ହେବ । ଅର୍ଥାତ୍‍ ସଂଘ ସିଧା ହସ୍ତକ୍ଷେପ କରିବା ପରିବର୍ତ୍ତେ ବିଜେପି ମାଧ୍ୟମରେ ସରକାର ଉପରେ ନିଜ ଅନୁରୋଧକୁ ପହଞ୍ଚାଇ ପାରିବ ।

 

ଏପରି ସ୍ଥିତି ୯୦ ଦଶକର ସ୍ଥିତିଠାରୁ ସଂପୂର୍ଣ୍ଣ ପୃଥକ । ୯୦ ଦଶକରେ ଯେତେବେଳେ ସଂଘ ଦାବିକରି ଲାଲକୃଷ୍ଣ ଆଡଭାନୀଙ୍କୁ ଉପପ୍ରଧାନମନ୍ତ୍ରୀ ପଦରେ ବସାଇବାରେ ସଫଳ ହେଲା, ଆଡଭାନୀଙ୍କୁ ଟାୟର୍ଡ ଏବଂ ରିଟାୟର୍ଡ ଦେବାକୁ ଅସ୍ୱୀକାର କରାଗଲା । ଅଟଳ ବିହାରୀ ବାଜପାୟୀଙ୍କ ସରକାର ସଂଘ ପ୍ରସ୍ତାବକୁ ମାନିନେବାକୁ ବାଧ୍ୟ ହୋଇଥିଲା ।

 

ଏବେ କିନ୍ତୁ ହିନ୍ଦୁତ୍ୱ ରାଜନୀତିରେ ବିଜେପି ଉପରେ ସଂଘର ପ୍ରଭାବ ପୂର୍ବସ୍ଥିତି ଅନୁଯାୟୀ ନାହିଁ ବରଂ ହ୍ରାସ ପାଇଛି । ବିଜେପି ନେତା ସ୍ଥିର କରୁଛନ୍ତି ଅନ୍ୟଦଳରୁ କେଉଁ ନେତାଙ୍କୁ ଅଣାଯିବ, କାହାଙ୍କୁ ଉପଯୁକ୍ତ ତାଲିକାରେ ରଖାଯିବ ଏବଂ କେଉଁ ନେତାଙ୍କୁ ଆଲୋଡା କରାଯିବ । କାଲି ଯିଏ ଆଡ଼ଭାନୀଙ୍କ ରଥକୁ ଅଟକାଇ ତାଙ୍କୁ ଗିରଫ କରିଥିଲେ- ସେ ସେହି ବିକେ ସିଂହ ଆଜି ବିଜେପିର ପ୍ରଭାବୀ ନେତା ତାଲିକାରେ । ଗୋଆରେ ଇଂରାଜୀ ଏବଂ କଂକଣ ଭାଷାକୁ ନେଇ ସଂଘ ପ୍ରଦେଶ ମୁଖ୍ୟ ସୁବାଷ ବେଲିଙ୍ଗକରଙ୍କ ସହ ମନୋହର ପାରିକରଙ୍କ ମତଭେଦ ହେଲା । ସଂଘ ପାରିକରଙ୍କୁ ବାଧ୍ୟ କରିପାରିଲା ନାହିଁ ବେଲିଙ୍ଗକରଙ୍କ ପ୍ରସ୍ତାବକୁ ମାନିନେବାକୁ, ଯଦିଓ ବେଲିଙ୍ଗକର ଏକଦା ପାରିକରଙ୍କର ଗୁରୁଥିଲେ । ଆଜି ସଂଘ ବିଜେପି ସରକାରଙ୍କ ଆଭ୍ୟନ୍ତରୀଣ ଆଲୋଚକ ଭୂମିକା ନିର୍ବାହ କରିବା ସ୍ଥିତିରେ ଆଉ ନାହିଁ । ବିଜେପି ଏକାକୀ ନେଉଛି ନୀତିନିର୍ଣ୍ଣୟ ।

 

ମୋଦିଜୀଙ୍କ ସରକାର ଗଠନର କିଛିଦିନ ପରେ ସଂଘ ନେତୃତ୍ୱକୁ କହିଦିଆଗଲା ଯେ, ଅତି କମରେ ଗୋଟିଏ ବର୍ଷପାଇଁ ମୁହଁ ମନ୍ଦ ରଖ, ଗୋଟିଏ ବର୍ଷର ଶାସନ ପରେ ସଂଘ ସମୀକ୍ଷା କରିବ । କିନ୍ତୁ ତା’ ପୂର୍ବରୁ ବିଶ୍ୱ ହିନ୍ଦୁ ପରିଷଦ, ସ୍ୱଦେଶୀ ଜାଗରଣ ମଂଚ ଏବଂ ଭାରତରେ ମଜଦୁର ସଂଘ ପକ୍ଷରୁ ସଂଗଠନର ନେତା ସରକାରଙ୍କ କାର୍ଯ୍ୟକୁ ନେଇ ଆଲୋଚନା-ସମାଲୋଚନା କଲେ । ଭୂମିଅଧିଗ୍ରହଣ ଆଇନ, ବିମୁଦ୍ରୀକରଣ, ବିଦେଶୀ ପୁଞ୍ଜିନିବେଶ ଏପରିକି ଶିକ୍ଷା ସମ୍ବନ୍ଧୀୟ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରତିକୂଳ ଟିପ୍ପଣୀ ଦେବାକୁ ପଛାଇଲେ ନାହିଁ ।

 

ମୋଦି ସରକାର ହିନ୍ଦୁତ୍ୱବାଦୀ, ବହୁସଂଖ୍ୟକବାଦୀ କମ୍‍ ବୋଲି ଧାରଣା ସୃଷ୍ଟି ପାଇଁ ସଂଘକୁ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଏବଂ ସର୍ତ୍ତକୁ ସଂଘର ଭିନ୍ନ ଭିନ୍ନ ସଂଗଠନର ନେତାମାନେ ମାନିଲେ ନାହିଁ । ବିଜେପି ସରକାରଙ୍କୁ ନିନ୍ଦିତ କରିବାରେ ଭୂମିକା ଗ୍ରହଣ କଲେ ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହେଲା । ଏହା ବାସ୍ତବ ସତ୍ୟ ଯେ ସଂଘ ଚାହିଁଲେ ସ୍ୱଦେଶୀ ଜାଗରଣ ମଂଚ ଭଳି ସଂଗଠନକୁ ଭାଂଗି ଦେଇପାରିବ; କିନ୍ତୁ ବିଜେପିକୁ ନୁହେଁ ।

 

ଏକଦା ଜନସଂଘ ସଂପର୍କରେ ଗୁରୁ ଗୋଲୱାଲକର କହିଥିଲେ, ଜନସଂଘକୁ ଯେପରି ପରିଚାଳନା କରାଯିବ ସେପରି ପରିଚାଳିତ ହେବ । ଏବେ ଯେପରି ବିଜେପିର ସାଂଗଠନିକ ସ୍ଥିତି-ପ୍ରଚାର-ପ୍ରସାର ଘଟିଛି, ସଂଘ ନିଜର ପ୍ରଚାର-ପ୍ରସାର ପାଇଁ ବିଜେପି ଉପରେ ନିର୍ଭର କରୁଛି । ବିଜେପି ଏବେ ହିନ୍ଦୁତ୍ୱବାଦୀ ସତ; କିନ୍ତୁ ସଂଘ ନିୟନ୍ତ୍ରଣରୁ ମୁକ୍ତ । ଏଥିପାଇଁ ସଂଘର ବିଭିନ୍ନ ସଂଗଠନ ସହ ବିଜେପିର ସଂପର୍କରେ ଫେଡ଼ାଣ ଯୋଗ ଦେଖିବାକୁ ମିଳୁଛି । ସଂଘ ପରିବାର ରାଜନୀତି ଭିତରେ ବିଜେପି ବିରୋଧରେ ଠିଆ ହୋଇଥିବା ତତ୍ତ୍ୱଙ୍କୁ ପଦଚ୍ୟୁତ କରିପାରିବ, ଏପରି ସୂଚନା ମିଳିଛି । ଏକଦା ଅଟଳ ବିହାରୀ ବାଜପାୟୀ, ଗୋବିନ୍ଦାଚାର୍ଯ୍ୟଙ୍କ ଭଳି ନେତାଙ୍କୁ କ୍ଷମତାଶୂନ୍ୟ କରିଥିବାର ଅପବାଦ ଥିଲା । କିନ୍ତୁ ଆଜି ଦିନରେ ମୋଦିଜୀଙ୍କ କାର୍ଯ୍ୟକାଳରେ ଏହି ଅପବାଦ ଏବେ ନିୟମ ହୋଇଯାଇଛି । ସଂଘ ଏବଂ ବିଜେପି ଏବେ ରାଷ୍ଟ୍ରବାଦ ରାସ୍ତାରେ ଯେତେ ଅଗ୍ରସର ନୁହନ୍ତି କ୍ଷମତା ଦୌଡ଼ରେ ସେତେ ଅଧିକ । ବିଜେପି ଏବେ ସ୍ୱୟଂ ଶକ୍ତିଶାଳୀ ଏବଂ ନୀତି ନିର୍ଣ୍ଣୟକାରୀ । ପ୍ରକୃତ ରାଷ୍ଟ୍ରବାଦର ରାସ୍ତାକୁ ଭୁଲିଯାଇଛି ଦଳ, ଏହାକୁ ନେଇ ସଂଘ ଓ ବିଜେପି ମଧ୍ୟରେ ଫେଡ଼ାଣ ଯୋଗ ଦେଖିବାକୁ ମିଳିଛି!

 

ସାମ୍ବାଦିକ, ଭୁବନେଶ୍ୱର
ମୋ-୯୪୩୮୦୦୬୨୧୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top