ବିଜେଡି ବ୍ୟୁରୋକ୍ରାସିରେ ପଣ୍ଡାଙ୍କ ପରାଜୟ!

News Story - Posted on 2018-01-26

ଦେବେନ୍ଦ୍ର ପୃଷ୍ଟି

 

ବିଜୁ ଜନତା ଦଳରୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନିଲମ୍ବନ ଘଟଣା ଦଳ ପରିଚାଳନା କାହା ନିୟନ୍ତ୍ରଣରେ ରହିଛି ସେନେଇ ଅନେକ ଆଭାସ ଦିଏ। ପଣ୍ଡାଙ୍କୁ ନିଲମ୍ବିତ କରାଯିବା ପୂର୍ବର ଘଟଣା, ନିଲମ୍ବନ ଘୋଷଣା ସଂକ୍ରାନ୍ତ ସାମ୍ବାଦିକ ସମ୍ମିଳନୀ ଏବଂ କେନ୍ଦ୍ରାପଡ଼ାରେ ପୁଣି ଆଉ ଏକ ସାମ୍ବାଦିକ ସମ୍ମିଳନୀ ଆଦି ଯେପରି ଉପସ୍ଥାପିତ ହୋଇଛି ସେଥିରୁ ଦଳଟି ଯେ ଅମଲାତନ୍ତ୍ରିକ ଢଙ୍ଗରେ ପରିଚାଳିତ ହେଉଛି ତାହା ଜଣାପଡ଼ିଯାଉଛି। ଦଳର ନେତାମାନେ ବୈଜୟନ୍ତଙ୍କୁ ଦଳରୁ ବାହାର କରିବାକୁ ଯାଇଁ ସେ ଉଠାଇଥିବା ଅଭିଯୋଗଗୁଡ଼ିକୁ ସତ ବୋଲି ପ୍ରମାଣିତ କରିଚାଲିଛନ୍ତି।

 

ସାଂସଦ ବୈଜୟନ୍ତ ପଣ୍ଡା ଆଗେ ତୃତୀୟ ମହଲା କଥା ଉଠାଇଲେ ନା ଆଗ ତାଙ୍କ ଉପରେ ଅଣ୍ଡା ଆକ୍ରମଣ ହେଲା? ଏକଥା ତୃତୀୟ ମହଲାର ଅଫିସର ବୁଝିବା ଉଚିତ ଥିଲା। ପଣ୍ଡାଙ୍କ ବିରୋଧରେ କେନ୍ଦ୍ରାପଡ଼ାର ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ବିଜେଡି ନେତା ଓ କର୍ମୀ ଆରମ୍ଭରୁ ଅସନ୍ତୁଷ୍ଟ ଥିବା ଦାଣ୍ଡରେ ପଡ଼ି ବାଟରେ ଗଡ଼ୁଥିଲା। ସେ ତାଙ୍କ ସାଂସଦ ପାଣ୍ଠିରେ ତାଙ୍କ ପାଇଁ ଡାକ ବଙ୍ଗଳା ତିଆରି କରୁ ନଥିଲେ କି ନିଜ ଜମିରେ ପୋଖରୀ ଖୋଳୁ ନଥିଲେ। ସେଥିରେ ସେ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ବିଭିନ୍ନ ପ୍ରକଳ୍ପ ନିର୍ମାଣ କରାଉଥିଲେ। କିନ୍ତୁ ବୋଧହୁଏ ସେହିସବୁ କାର୍ଯ୍ୟରେ ଦଳୀୟ ଠିକାଦାରମାନଙ୍କୁ ସନ୍ତୁଷ୍ଟ କରିପାରୁ ନଥିଲେ। କାର୍ଯ୍ୟରେ ସ୍ବଚ୍ଛତା ରକ୍ଷା କରିବା ସହିତ ଯେପରି ତାହା ନିମ୍ନମାନର ନହୁଏ ସେଥିପାଇଁ ସେ ବାରମ୍ବାର ଯାଇଁ ତାହାର ସମୀକ୍ଷା ଓ ଅନୁଧ୍ୟାନ କରୁଥିଲେ। ସେ ଏପରି କରିବା କ’ଣ ଭୁଲ ଥିଲା? ଦଳୀୟ ଠିକାଦାରମାନେ ଲୋକଙ୍କ ପାଇଁ ଆସୁଥିବା ପାଣ୍ଠିକୁ ନିଜ ପାଣ୍ଠିରେ ପରିଣତ କରିବା କ’ଣ ସ୍ବଚ୍ଛ ଶାସନ ଓ ସଚ୍ଚୋଟ ଗଣତନ୍ତ୍ର? ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ଆଦି ସଂପର୍କରେ ଦଳୀୟ ନେତାମାନଙ୍କୁ କାଳେ ସାଂସଦ ନିଜେ ଜଣାନ୍ତି ନାହିଁ, ତାଙ୍କ ବେତନଭୋଗୀ କର୍ମଚାରୀ ଜଣାଇଥାନ୍ତି। ଏହା ସତ ହୋଇଥାଇ ପାରେ। ତେବେ ନବୀନବାବୁଙ୍କ ଗସ୍ତ ଓ କାର୍ଯ୍ୟକ୍ରମ ବିଷୟରେ ସେ ନିଜେ କ’ଣ ତାଙ୍କ ଜିଲ୍ଲା ସଭାପତିମାନଙ୍କୁ ଫୋନ କରି ଜଣେଇଥାନ୍ତି? ସେ କାମ ତାଙ୍କର ବା ରାଜ୍ୟ ସରକାରଙ୍କର ବେତନଭୋଗୀ କର୍ମଚାରୀମାନେ କରି ନଥାନ୍ତି କି? ନବୀନବାବୁ ସେମାନଙ୍କୁ ନଜଣାଇ ତାଙ୍କ ଜିଲ୍ଲା ପାଇଁ ଅନେକ ପ୍ରକଳ୍ପ ଓ ଯୋଜନା ଘୋଷଣା କରିଥିବାରୁ କେତେ ବିଜେଡି କର୍ମୀ ତାଙ୍କ ଉପରକୁ ଅଣ୍ଡା ଫୋଫାଡ଼ିଛନ୍ତି?

 

ତାଙ୍କ ବିରୋଧରେ ଯଦି ବି କିଛି ଦଳୀୟ ନେତା ଓ କର୍ମୀଙ୍କର ଅସନ୍ତୋଷ ରହିଥିଲା ସେ ବିଷୟରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କେତେ ଜଣ ଆଗରୁ ଫେରାଦ ହୋଇଥିଲେ? ଅଣ୍ଡା ଆକ୍ରମଣ ପୂର୍ବରୁ ନବୀନ ନିବାସରେ କେତେ ନେତା ଓ କର୍ମୀ ସ୍ମାରକପତ୍ର ଧରି ପହଂଚିଥିଲେ? ମନବୀନବାବୁ ଓ ତାଙ୍କର ସହଯୋଗୀ ମନ୍ତ୍ରୀମାନଙ୍କୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅଣ୍ଡାମାଡ଼ ହେବା ଘଟଣାରେ ଗୋଟେ ପ୍ରକାର ପୁଲିସ ଓ ପ୍ରାଶାସନିକ ତତ୍ପରତା ପ୍ରକାଶ ପାଇଥିବାବେଳେ ବୈଜୟନ୍ତଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ କାହିଁ ସେପରି ହେଲା ନାହିଁ? ଏଥିପାଇଁ କିଏ ଦାୟୀ? ସାଂସଦ ନା ଅଫିସର ନା ସେହି କୁଚକ୍ରୀ ଗୋଷ୍ଠୀ?

 

ମାହାଙ୍ଗାରେ ଅଣ୍ଡାମାଡ଼ ହେବା ପରେ ହଠାତ କାହିଁକି ପଣ୍ଡା-ବିରୋଧୀଙ୍କ କୌଶଳ ବଦଳିଗଲା? ସେମାନେ କାହାର ମଦତ ପାଇଲେ? ଏହି ସମୟରେ ସାଂସଦ ପଣ୍ଡା କେନ୍ଦ୍ରାପଡ଼ାର ଦଳୀୟ ବିବାଦରେ ତୃତୀୟ ମହଲାକୁ ପକ୍ଷଭୁକ୍ତ କରିବା ପରେ ତାଙ୍କ ବିରୋଧରେ ନବୀନ ନିବାସରେ ଫେରାଦୀଙ୍କ ଉପସ୍ଥିତି ଦେଖିବାକୁ ମିଳିଲା। ଜିଲ୍ଲାର ଗୋଟେ ପରେ ଗୋଟେ ବ୍ଲକର ଦଳୀୟ ନେତା ଓ କର୍ମୀ ସ୍ମାରକପତ୍ର ନେଇ ନବୀନବାବୁଙ୍କୁ ଦେଲେ। ସେମାନଙ୍କ ଭିତରେ ଯଦି ଏତେ ଅସନ୍ତୋଷ ଥିଲା ତେବେ ସେମାନେ ଆଗରୁ କାହିଁକି ସେନେଇ ନବୀନବାବୁଙ୍କୁ ଅଭିଯୋଗ କରୁ ନଥିଲେ? ଅଣ୍ଡାମାଡ଼ କ’ଣ ବିଜେଡି ସମ୍ବିଧାନରେ ଏକ ଅନୁମୋଦିତ ରାଜନୀତିକ କୌଶଳ? ବୈଜୟନ୍ତ ପଣ୍ଡା ଆଜି ନୁହେଁ ୨୦୦୯ ମସିହାରୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରତିନିଧିତ୍ବ କରୁଛନ୍ତି। ସେ ସାଂସଦ ପାଣ୍ଠି ପ୍ରକଳ୍ପରେ ଦଳୀୟ କର୍ମୀ ଓ ନେତାଙ୍କୁ ସନ୍ତୁଷ୍ଟ କରିବାକୁ କ’ଣ ସରକାରୀ ଗାଇଡ଼ ଲାଇନରେ ଅଛି?

 

ହେଲା, ଲୋକ ଅଭିଯୋଗ କଲେ ଓ ନେତା ନବୀନ ପଟ୍ଟନାୟକ ତାହାର ତଦନ୍ତ ନିର୍ଦ୍ଦେଶ ଦେଲେ? ପ୍ରମିଳା ମଲ୍ଲିକ ଓ ଉଷା ଦେବୀ ଦିନିକିଆ କେନ୍ଦ୍ରାପଡ଼ା ଗସ୍ତରେ ଯାଇଁ କର୍ମୀଙ୍କ ଅଭିଯୋଗ ଶୁଣିଲେ। ବାସ୍ତବରେ ନବୀନ ନିବାସରେ ଦିଆଯାଇଥିବା ସ୍ମାରକପତ୍ରର ଆଉ ଗୋଟେ ଗୋଟେ ନକଲ ଧରି ଫେରିଲେ। କିନ୍ତୁ ବୈଜୟନ୍ତ ପଣ୍ଡାଙ୍କୁ କାଳେ ସେମାନେ ଭେଟି ପାରିଲେ ନାହିଁ! ବୈଜୟନ୍ତ କହିଲେ, ମତେ ଲିଖିତ ଆକାରରେ ଅଭିଯୋଗ ଦିଅ ମୁଁ ଲିଖିତ ଆକାରରେ ଉତ୍ତର ଦେବି। ତାହା କାହିଁକି କରାଗଲା ନାହିଁ? ଏହା କ’ଣ ଏକ ଅଗଣତାନ୍ତ୍ରିକ ଦାବି ଥିଲା ନା ଅଯୌକ୍ତିକ?

 

ତଦନ୍ତକାରୀ ନେତ୍ରୀ ଦ୍ବୟ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲା ପରେ ବି ସେ କାହିଁକି ବୈଜୟନ୍ତଙ୍କୁ ଡକାଇ ଅଭିଯୋଗ ଓ ରିପୋର୍ଟ ସଂପର୍କରେ ପଚାରିଲେ ନାହିଁ? ଅବଶ୍ୟ ଏତେ ସବୁ ଘଟଣା ଘଟୁଥିବା ଭିତରେ ବୈଜୟନ୍ତ ବି ନିଜ ଆଡ଼ୁ ନବୀନ ନିବାସ ଯାଇଁ ନବୀନ ପଟ୍ଟନାୟକଙ୍କୁ ତାଙ୍କ କଥା ଜଣାଇ ପାରିଥାନ୍ତେ। ସେ ତାହା ନକରି ଟୁଇଟର ଓ ଫେସବୁକକୁ ମାଧ୍ୟମ କରିଥିଲେ। ସେ ବୁଝିବା ଉଚିତ ଥିଲା ସବୁ ନେତା ସାମନ୍ତବାଦୀ। ସେମାନଙ୍କ ପାଖରେ ଚୁଗୁଲି କଲେ ସେମାନଙ୍କୁ ଭଲ ଲାଗେ।

 

ସେ ଯାହା ହେଉ, ତଦନ୍ତ ରିପୋର୍ଟ ମିଳିବାର କେଇଘଣ୍ଟା ପରେ ତାଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଗଲା ବୋଲି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କଲେ ଦଳର ଅନ୍ୟତମ ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର। ଅବଶ୍ୟ ସେ ମନରୁ କିଛି କହିଲେ ନାହିଁ, ଏକ ଲିଖିତ କାଗଜ ପଢ଼ିଦେଲେ, ଯେଉଁ କାଗଜରେ ନବୀନ ନିବାସରେ କରାଯାଇଥିବା ଅଭିଯୋଗ କି ପ୍ରମିଳା ଓ ଉଷା ଦେବୀ ଦେଇଥିବା ରିପୋର୍ଟର କୌଣସି ଉଲ୍ଲେଖ ନଥିଲା। ଯେଉଁ ଅଭିଯୋଗ ବିଷୟରେ ଉଲ୍ଲେଖ ଥିଲା ତାହା ଅନେକ ବର୍ଷର ପୁରୁଣା। ସେତେବେଳେ ତାହା ନବୀନ ପଟ୍ଟନାୟକଙ୍କ ସରକାର ଓ ଦଳକୁ ଅଜଣା ନଥିଲା। ଓଡ଼ିଶାର ସମସ୍ତ ଦଳର ସମସ୍ତ ରାଜନେତା ଜାଣିଥିଲେ ଯେ ଇମ୍ଫା କମ୍ପାନୀକୁ ଓଡ଼ିଶା ସରକାର ବିଦ୍ୟୁତ ଦେୟ ଛାଡ଼ କରିଛନ୍ତି, ବ୍ୟାଙ୍କଗୁଡ଼ିକ ୨୩୦୦ କୋଟି ଟଙ୍କାର ଋଣ ମାଫ କରିଛନ୍ତି ଏବଂ ବୈଜୟନ୍ତ ହେଉଛନ୍ତି ଏହି କମ୍ପାନୀର ଉପସଭାପତି। ଏସବୁ କଥା ଜାଣି ମଧ୍ୟ ନବୀନବାବୁ ତାଙ୍କୁ କାହିଁକି ଦୁଇ ଥର ରାଜ୍ୟସଭା ଓ ଦୁଇ ଥର ଲୋକସଭାକୁ ପଠାଇଥିଲେ? ସେତେବେଳେ ତାହା କ’ଣ ପାପ ନଥିଲା?

 

ପଣ୍ଡାଙ୍କୁ ନେଇ ଏପ୍ରକାର ତ୍ରୁଟି ଓ ହଇଚଇ କ’ଣ କୌଣସି ଅଭିଜ୍ଞ ତଥା ଜନସଂପର୍କ ରଖିଥିବା ରାଜନେତା କରିପାରିବେ? ଏହି ଢଙ୍ଗରେ ନିଲମ୍ବନ ଓ ସେନେଇ ଦିଆଯାଇଥିବା ସଫେଇ ରାଜନୀତିକ ବୁଦ୍ଧି ନା ଅମଲାତାନ୍ତ୍ରିକ? ଏହା ଯୁବସୁଲଭ ଫେଚକାମି ନା ବୃଦ୍ଧସୁଲଭ ରାଜନୀତି?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top