କୁନ୍ଦୁଲିର କ୍ରନ୍ଦନ-ଶାସନର ଆତ୍ମହତ୍ୟା!

News Story - Posted on 2018-01-26

କୁନ୍ଦୁଲି ଗଣଧର୍ଷଣ ଘଟଣାରେ ପୀଡ଼ିତା ଝିଅଟି ସହିତ ରାଜ୍ୟ ସରକାର ବି ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି କି? ଦିନ ଗଡ଼ି ଚାଲିବା ସହିତ ଏହି ଘଟଣା ସଂପର୍କରେ ନୂଆ ନୂଆ ତଥ୍ୟ ପଦାକୁ ଆସୁଥିବାରୁ ରାଜନୀତିକ ମହଲରେ ଏପରି ଏକ ପ୍ରଶ୍ନ ଉପରେ ଆଲୋଚନା ହେବାରେ ଲାଗିଛି। କୁନ୍ଦୁଲି ପୀଡ଼ିତାକୁ ଧର୍ଷଣ କରାଯାଇ ନାହିଁ ବୋଲି ସାବିତ କରିବା ପାଇଁ ପୁଲିସ ଓ ପ୍ରଶାସନ ଯେଉଁ ସବୁ ଫନ୍ଦିଫିକର କରି ଚାଲିଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ ବେକରେ ଫାଶ ହୋଯାଇଛି।

 

୨୦୧୬ ଅକ୍ଟୋବର ୮ ତାରିଖରେ କୁନ୍ଦୁଲିର ସେଇ ୧୪ ବର୍ଷ ବୟସ୍କା ବାଳିକାକୁ ୟୁନିଫର୍ମ ପିନ୍ଧା ‘ଚାରି ଜଣ ଯବାନ’ ଧର୍ଷଣ କରିଥିଲେ। ଏ ବିଷୟରେ ଅକ୍ଟୋବର ୧୦ ତାରିଖରେ ଅଭିଯୋଗ ହେଲା। ଅଭିଯୋଗ ଉପରେ ତୁରନ୍ତ ତଦନ୍ତ ଆରମ୍ଭ ହେଲା। ତଦନ୍ତ ନିୟମ ଅନୁଯାୟୀ ପୀଡ଼ିତାର ଅନ୍ତର୍ବସ୍ତ୍ରର ପରୀକ୍ଷା ପାଇଁ ଭୁବନେଶ୍ବର ସ୍ଥିତ ରାଜ୍ୟ ଫୋରେନ୍ସିକ ଲାବୋରେଟୋରିକୁ ପଠାଗଲା। କିନ୍ତୁ ସେହି ରିପୋର୍ଟ ଆସିବା ପୂର୍ବରୁ ନଭେମ୍ବର ୮ ତାରିଖରେ କୋରାପୁଟ ଜିଲ୍ଳା ଆରକ୍ଷୀର ଅଧୀକ୍ଷକ କହିଲେ ଯେ ଧର୍ଷଣ ଅଭିଯୋଗ ମିଛ। ସେ ଏହା ଡାକ୍ତରୀ ରିପୋର୍ଟ ଆଧାରରେ କହିଥିଲେ। ଏହି ରିପୋର୍ଟ ଆଧାରରେ କ୍ରାଇମ ବ୍ରାଞ୍ଚ ପୁଲିସ ବି ଏକ କାହାଣୀ ବନାଇ କହିଲା ଯେ ଏହା ଏକ ପ୍ରେମଜନିତ ବ୍ୟାପାର! ଠିକ ଯେମିତି କୃଷକମାନେ ପ୍ରେମ ବ୍ୟାପାରରେ ବିଫଳ ହୋଇ ବିଲମୁଣ୍ଡରେ ଆତ୍ମହତ୍ୟା କରୁଛନ୍ତି!

 

ଦାମିନୀ ଫିଲ୍ମର ମୀନାକ୍ଷି ଶେଷାଦ୍ରୀଙ୍କ ପରି ତାଙ୍କୁ ପାଗଳି ସଜେଇବାକୁ ଉଦ୍ୟମ ହେଲା। ଉଦ୍ୟମ କଲେ ପୁଣି ଖୋଦ ପ୍ରାଶାସନିକ କଳ। ତା’ର ଅସୁସ୍ଥ ଶରୀର ଓ ଆହତ ମନର ଆବଶ୍ୟକତାକୁ ଏ କଳ ଭୁଲିଗଲା। ତା’ ମାନସିକ ଅବସ୍ଥା ଖରାପ ବୋଲି ଦର୍ଶାଇ କାଉନସେଲିଂ କରାଗଲା। କଟକ ବଡ଼ ଡାକ୍ତରଖାନା ଆଣି ମେଡିସିନ ବିଭାଗରେ ମାନସିକ ଚିକିତ୍ସା କରାଗଲା। କେତେ ଜେରା ଓ କେତେ ଅପବାଦ। କେତେ ମିଛ ଅଭିଯୋଗ ଓ ସାମାଜିକ ଅପମାନ।

 

ଅସହ୍ୟ ହେବାରୁ ବିଚାରୀ ସରସ୍ବତୀ ପୂଜା ଦିନ ଘରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କଲା। ଏବେ ଏକ ପ୍ରମୁଖ ଗଣମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଏକ ଫୋରେନ୍ସିକ ରିପୋର୍ଟ କିନ୍ତୁ ପୁଲିସ ପ୍ରଶାସନର ଚକ୍ରାନ୍ତକୁ ପଦାରେ ପକାଇ ଦେଇଛି। ଏହି ରିପୋର୍ଟରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ କୁନ୍ଦୁଲି ପୀଡ଼ିତାର ଅନ୍ତର୍ବାସରେ ଦୁଇ ଜଣ ଅଲଗା ଅଲଗା ବ୍ୟକ୍ତିଙ୍କ ବୀର୍ଯ୍ୟର ଦାଗ ରହିଛି। ଏହାର ଅର୍ଥ ଝିଅଟି ସହିତ ଅନ୍ୟୁନ ଦୁଇ ଜଣ ଲୋକ ଦୁଷ୍କର୍ମ କରିଥିଲେ।

 

ଏହି ରିପୋର୍ଟ ପଦାକୁ ଆସିବା ପରେ ଫୋରେନ୍ସିକ ଲାବୋରେଟୋରୀର ନିର୍ଦ୍ଦେଶକ କଥା ବୁଲାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ପ୍ରଥମେ ଗଣମାଧ୍ୟମକୁ ସେ କହିଥିଲେ ଯେ ଆମ ସଂସ୍ଥା କାହା ଚାପରେ ରିପୋର୍ଟ ଦିଏ ନାହିଁ। ଯାହା ପରୀକ୍ଷାରୁ ଜଣାପଡ଼େ ସେହି ରିପୋର୍ଟ ଦିଆଯାଏ। ତେବେ କୁନ୍ଦୁଲି ଝିଅ ଅନ୍ତର୍ବାସ ରିପୋର୍ଟ ଯିଏ ଦେଇଛନ୍ତି ସେ ଆଜି ନାହାନ୍ତି ଛୁଟିରେ ଅଛନ୍ତି, ଆସିଲେ ତାଙ୍କୁ ପଚାରି ବୁଝିବି ଏହି ରିପୋର୍ଟ ସତ କି ମିଛ। ପରେ ପରେ ସଂସ୍ଥା ତରଫରୁ ଜାରି ହୋଇଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ତାହା ପ୍ରାଥମିକ ରିପୋର୍ଟ ଥିଲା। ଚୂଡ଼ାନ୍ତ ରିପୋର୍ଟ ନୁହେଁ। ଏହାର ଅର୍ଥ, ଚୂଡ଼ାନ୍ତ ରିପୋର୍ଟରେ ପ୍ରାଥମିକ ରିପୋର୍ଟର ତଥ୍ୟ ନରଖି ପୁଲିସବାବୁମାନେ କହିଥିବା ‘ଏହା ଧର୍ଷଣ ନୁହେଁ’ ମନ୍ତବ୍ୟକୁ ସତ ପ୍ରମାଣିତ କରାଯିବ। ତେବେ ଗୋଟେ ପ୍ରଶ୍ନ, ପ୍ରାଥମିକ ରିପୋର୍ଟ ଦେବାର କେତେ ଦିନ ପରେ ଚୂଡ଼ାନ୍ତ ରିପୋର୍ଟ ଦିଆଯାଏ? ଅନ୍ତର୍ବାସରେ ଲାଗିଥିବା ବୀର୍ଯ୍ୟକୁ କେତେ ଥର ପରୀକ୍ଷା କଲେ ତାହାର ଆଉ କୌଣସି ଚିହ୍ନବର୍ଣ୍ଣ ରହେ ନାହିଁ?

 

ସୁପ୍ରିମ କୋର୍ଟଙ୍କ ରାୟ ଅନୁସାରେ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଓ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ବିନା ଅନୁମତିରେ ସରକାର କୌଣସି ତଦନ୍ତ ଭାର କୌଣସି କାର୍ଯ୍ୟରତ ବିଚାରପତିଙ୍କୁ ଦେଇପାରିବେ ନାହିଁ। କୁନ୍ଦୁଲି ମାମଲାରେ ମୁଖ୍ୟମନ୍ତ୍ରୀ କିପରି କୋରାପୁଟ ଜିଲ୍ଲା ଜଜଙ୍କୁ ଏହି ଦାୟିତ୍ବ ଦେଲେ? ବୋଧହୁଏ ବିଚାରପତି ମୁଖ୍ୟମନ୍ତ୍ରୀଙ୍କର ଏହି ଆଦେଶ ତ୍ରୁଟିଯୁକ୍ତ ବୋଲି ସଂପୃକ୍ତ ବିଚାରପତି ମହୋଦୟ ଜାଣିଛନ୍ତି। ଆଉ ସେଇଥିପାଇଁ ବୋଧହୁଏ କୁନ୍ଦୁଲି ଗଣଧର୍ଷଣ ଘଟଣାର ନ୍ୟାୟିକ ତଦନ୍ତ ଏଯାଏଁ ଆରମ୍ଭ ହୋଇନାହିଁ କହିଲେ ଚଳେ।

ଏହି ଘଟଣାକୁ ରାଜ୍ୟର ଶାସନ କଳ ଯେପରି ପରିଚାଳନା କରୁଛି ସେଥିରୁ ଜଣାଯାଉଛି ଯେମିତି ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଜଡ଼ିତ! ଏକଥା ସମସ୍ତ ରାଜ୍ୟବାସୀ ଜାଣନ୍ତି ଯେ ନବୀନବାବୁଙ୍କ ପରି ଅଳସୁଆ ଓ ଅପାରଗ ଲୋକ ଏପରି କାମ ଆଦୌ କରିପାରିବେ ନାହିଁ। ତେବେ ଯେଉଁମାନେ ଏପରି କାମ କରିଛନ୍ତି ସେମାନେ କ’ଣ ତାଙ୍କର ଭାଇବନ୍ଧୁ କୁଟୁମ୍ବ? ତା’ ବି ନୁହଁ। ତେବେ କାହିଁକି ଏ ମିଥ୍ୟାଚାର?

 

ସଚିବାଳୟ ଅଳିନ୍ଦରେ ବୁଲୁଥିବା ଜଣେ ସାମ୍ବାଦିକ କହୁଥିଲେ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଓ କୋବ୍ରା ବାହିନୀର କମାଣ୍ଡାଣ୍ଟ ମିଶି ଡାକ୍ତରମାନଙ୍କୁ ‘ମ୍ୟାନେଜ୍‌’ କରିଦେଲେ। ଏ ବିଷୟରେ ଡିଜି ବି କିଛି ଜାଣିପାରିଲେ ନାହିଁ। ଗୃହ ମନ୍ତ୍ରୀ କ’ଣ ଜାଣିବେ? ଗୃହମନ୍ତ୍ରୀ ହେଉଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ଦୁଇ ଜଣ ଅଫିସରଙ୍କ ଯୋଗୁଁ ସମଗ୍ର ସରକାର ଏବେ ସେନ୍ଦହ ଘେରରେ। ଏହି ସାମ୍ବାଦିକ ଯେଉଁ ସୂତ୍ରରୁ ଏ କଥା ଶୁଣିବାକୁ ପାଇଛନ୍ତି ସେହି ସୂତ୍ର ବୋଧହୁଏ ସତ କଥା ଜାଣିଛନ୍ତି। ସେ ମୁଖ୍ୟମନ୍ତ୍ରୀଙ୍କୁ ଏହି ସତ କଥା ଜଣେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ହୁଏତ କୁନ୍ଦୁଲିର ଲୁହର ଜ୍ବାଳାରୁ ସରକାର ରକ୍ଷା ପାଇଯାଆନ୍ତେ। ନହେଲେ ଜଗତସିଂହପୁରର ‘ଛବିରାଣୀ’ର ପ୍ରେତ ପରି କୁନ୍ଦୁଲି ଝିଅର ପ୍ରେତ ଏ ସରକାରଙ୍କ ଆତ୍ମହତ୍ୟାର କାରଣ ବି ହୋଇପାରେ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top