‘ଆସିଆନ-ଭାରତ ସଂପର୍କ ପ୍ରାଚୀନ’

News Story - Posted on 2018-01-25

ଭାରତ ଗସ୍ତରେ ଆସିଥିବା ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲିଃ ଲି ସିଏନ୍ ଲୁଙ୍ଗ୍ ଦି ଟାଇମ୍ସ ଅଫ୍ ଇଣ୍ଡିଆର ସମ୍ପାଦକୀୟ ପୃଷ୍ଠାରେ ପ୍ରକାଶିତ ତାଙ୍କର ସହସ୍ରାବ୍ଦୀ ଭାଗିଦାରୀର ପୁନରୁଦ୍ଧାର : ଆସିଆନ୍ ସହ ଭାରତର ଘନିଷ୍ଠତାରେ ସିଙ୍ଗାପୁର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଶୀର୍ଷକ ଲେଖାରେ ଲେଖିଛନ୍ତି କି ଭାରତ ଓ ଆସିଆନ ମଧ୍ୟରେ ଯୁଗଯୁଗ ଧରି ପୁରୁଣା ବ୍ୟବସାୟ, ବାଣିଜ୍ୟ ଓ ସାଂସ୍କୃତିକ ସମ୍ବନ୍ଧ ପାରସ୍ପରିକ ସମ୍ପର୍କକୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ।

 

ସେ ଲେଖିଛନ୍ତି ଯେ, ଆମେ ଆସିଆନ-ଭାରତ ସମ୍ବନ୍ଧର ୨୫ବର୍ଷର ଉତ୍ସବ ପାଳନ କରୁଥିବାବେଳେ ଦକ୍ଷିଣ ପୂର୍ବ ଏସିଆ ସହ ଭାରତର ସମ୍ବନ୍ଧ ୨୦୦୦ ବର୍ଷରୁ ମଧ୍ୟ ଅଧିକ ପୁରୁଣା । ଭାରତ ଓ କାମ୍ବୋଡ଼ିଆ, ମାଲେସିଆ ଓ ଥାଇଲାଣ୍ଡ ଭଳି ରାଷ୍ଟ୍ର ମଧ୍ୟରେ ପ୍ରାଚୀନ କାରବାରର ପୂରା ଦସ୍ତାବିଜ୍ ରହିଛି । ଦକ୍ଷିଣ ପୂର୍ବ ଏସିଆର ସଂସ୍କୃତି, ପରମ୍ପରା ଓ ଭାଷା ଉପରେ ଏହି ପ୍ରାରମ୍ଭିକ ସମ୍ପର୍କର ପୂରା ପ୍ରଭାବ ପଡ଼ିଛି । ଆମେ କାମ୍ବୋଡ଼ିଆରେ ସିଏମ୍ ରିପ୍ ନିକଟରେ ଅଙ୍କୁର ମନ୍ଦିର ପରିସର, ଇଣ୍ଡୋନେସିଆରେ ଯୋଗ୍ୟକର୍ତ୍ତା ନିକଟରେ ବୋରୋବୁଦୁର ଏବଂ ପ୍ରମ୍ବଣନ ମନ୍ଦିର ଓ ମାଲେସିଆର କେଦାହରେ ପ୍ରାଚୀନ କେଣ୍ଡିସ୍ ମନ୍ଦିର ଭଳି ଐତିହାସିକ ସ୍ଥଳୀରେ ଭାରତୀୟ ହିନ୍ଦୁ-ବୌଦ୍ଧ ପ୍ରଭାବ ଦେଖିବାକୁ ପାଇଥାଉ । ରାମାୟଣ ଇଣ୍ଡୋନେସିଆ, ମିଆଁମାର, ଥାଇଲାଣ୍ଡ ଭଳି ଦକ୍ଷିଣ-ପୂର୍ବ ଏସିଆର ଅନେକ ସଂସ୍କୃତି ସହ ଜଡ଼ିତ ଅଛି । ସିଙ୍ଗାପୁରର ମାଳୟ ନାଁ ହେଉଛି ସିଙ୍ଗାପୁରା ଯାହା ସଂସ୍କୃତରେ ଲେଖାଯାଇଛି ତଥା ଏହାର ଅର୍ଥ ହେଉଛି ‘ସିଂହର ସହର’ ।

 

ପ୍ରଧାନମନ୍ତ୍ରୀ ଲୁଙ୍ଗ୍ ଲେଖିଛନ୍ତି କି ସିଙ୍ଗାପୁର ସର୍ବଦା ଆସିଆନ୍ ସମୁଦାୟରେ ଭାରତର ସାମିଲ ହେବା ସପକ୍ଷରେ ଯୁକ୍ତି ବାଢ଼ିଛି । ଭାରତ ୧୯୯୨ ମସିହାରେ ଆସିଆନ୍ କ୍ଷେତ୍ରୀୟ ବାର୍ତ୍ତାଳାପରେ ଭାଗିଦାରୀ ହେଲା । ୧୯୯୫ ମସିହାରେ ଏକ ପୂର୍ଣ୍ଣକାଳୀନ ବାର୍ତ୍ତାଳାପ ଭାଗିଦାରୀ ହେଲା ଓ ୨୦୦୫ ମସିହାରୁ ପୂର୍ବ ଏସିଆ ସମ୍ମିଳନୀ(ଇଏଏସ୍)ରେ ଭାଗ ନେବା ଆରମ୍ଭ କଲା । ଇଏଏସ୍ ଏକ ଉନ୍ମୁକ୍ତ, ସାମଗ୍ରିକ ଓ ସୁଦୃଢ଼ ଆଂଚଳିକ କ୍ଷେତ୍ରୀୟ ସ୍ଥାପତ୍ୟର ଏକ ପ୍ରମୁଖ କାରକ ଏବଂ କ୍ଷେତ୍ରର ରଣନୀତିକ ନେତାଙ୍କର ନେତୃତ୍ୱ ନେଉଥିବା ମୁଖ୍ୟ ଫୋରମ୍ ମଧ୍ୟ ।

 

ଆସିଆନ୍-ଭାରତ ସମ୍ବନ୍ଧ ୨୦୧୨ ମସିହାରେ ଆସିଆନ୍-ଭାରତ ସମ୍ବନ୍ଧର ୨୦ଶ ବାର୍ଷିକୀରେ ଏକ ରଣନୀତିକ ଭାଗିଦାରୀରେ ପରିବର୍ତ୍ତନ ହୋଇଥିଲା । ଏବେ ଆସିଆନ୍ ଓ ଭାରତ, ଆସିଆନର ରାଜନୀତିକ- ସୁରକ୍ଷା, ଆର୍ଥିକ ଓ ସାମାଜିକ-ସାଂସ୍କୃତିକ ସ୍ତମ୍ଭରେ ବହୁମୁଖୀ ସହଯୋଗର ଲାଭ ଉଠାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ୍ଟ ଇଷ୍ଟ’ ନୀତି ଏବଂ ଆସିଆନ୍ ସହ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ୩-ସି(କମର୍ସ, କନେକ୍ଟିଭିଟି, କଲ୍ଚ୍ର) ଆମର ବ୍ୟାପକ ସହଯୋଗର ଜ୍ୱଳନ୍ତ ଉଦାହରଣ । ଆମ ପାଖରେ ଗୋଟିଏ ବାର୍ଷିକ ଲିଡର୍ସ ସମିଟ୍ ଓ ୭ଟି ମନ୍ତ୍ରିସ୍ତରୀୟ ବାର୍ତାଳାପ ସମେତ ପ୍ରାୟ ୩୦ଟି ମଂଚ ରହିଛି । ଭାରତ ସକ୍ରିୟତାପୂର୍ବକ ଆସିଆନ୍ କ୍ଷେତ୍ରୀୟ ଫୋରମ୍, ଆସିଆନ୍ ରକ୍ଷା ମନ୍ତ୍ରୀମାନଙ୍କ ମିଟିଂ ପ୍ଲସ୍ ଏବଂ ପୂର୍ବ ଏସିଆ ସମିଟ୍ ସମେତ ଆସିଆନ୍ ନେତୃତ୍ୱ ନେଉଥିବା ପ୍ଲାଟଫର୍ମରେ ଭାଗ ନେଇଛି ।

 

ବ୍ୟବସାୟ ଓ ବାଣିଜ୍ୟ ସମ୍ପର୍କ ଉପରେ ଆଲୋଚନା କରି ସେ ଲେଖିଛନ୍ତି ଆସିଆନ୍-ଭାରତ ମୁକ୍ତ ବାଣିଜ୍ୟ କ୍ଷେତ୍ର(ଏଆଇଏଫ୍ଟିଏ) ସହ ଆସିଆନ୍-ଭାରତ ବ୍ୟବସାୟ ୧୯୯୩ର ୨୯୦ କୋଟି ଡଲାର ତୁଳନାରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇ ୨୦୧୬ ମସିହାରେ ୫୮୪୦ କୋଟି ଡଲାରରେ ପହଂଚି ଯାଇଛି । ସାମାଜିକ -ସାଂସ୍କୃତିକ କ୍ଷେତ୍ରରେ, ଆସିଆନ୍-ଭାରତ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଓ ବାର୍ଷିକ ଦିଲ୍ଲୀ ବାର୍ତ୍ତାଳାପ ଭଳି କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ବନ୍ଧକୁ ଅଧିକ ସୁଦୃଢ଼ କରାଉଛି ।

 

ଶ୍ରୀମାନ୍ ଲି ସିଏନ୍ ଲୁଙ୍ଗ୍ ଆସିଆନ୍ ଓ ଭାରତର ୧୮୦ କୋଟିର ମିଳିତ ଜନସଂଖ୍ୟାର ମହତ୍ୱ ଓ ଶକ୍ତିକୁ ରେଖାଙ୍କିତ କରିଛନ୍ତି ଯାହା ବିଶ୍ୱର ମୋଟ ଜନଂସଖ୍ୟାର ଏକ ଚତୁର୍ଥାଂଶ । ଉଭୟର ମିଳିତ ଜିଡିପି ୪.୫ ଲକ୍ଷ କୋଟିରୁ ଅଧିକ । ଏହି ଅନୁସାରେ ୨୦୨୫ ସୁଦ୍ଧା ଭାରତର ଖାଉଟି ବଜାର ବିଶ୍ୱରେ ପଂଚମ ସର୍ବବୃହତ୍ ବଡ଼ ବଜାର ହେବାର ଆଶା କରାଯାଉଛି । ସେହିପରି ଦକ୍ଷିଣ ପୂର୍ବ ଏସିଆରେ ମଧ୍ୟବିତ ପରିବାରର ସଂଖ୍ୟା ଦ୍ୱିଗୁଣ ହୋଇ ୧୬୩ ନିୟୁତରେ ପହଂଚିଯିବ । ଉଭୟ କ୍ଷେତ୍ର ଯୁବ ଜନସଂଖ୍ୟାର ଫାଇଦାକୁ ଅନୁଭବ କରୁଛନ୍ତି । ଆସିଆନ୍ ଜନସଂଖ୍ୟାର ୬୦ ପ୍ରତିଶତ ୩୫ ବର୍ଷରୁ କମ୍ ବୟସର ହୋଇଥିବାବେଳେ ଭାରତ ୨୦୨୦ ସୁଦ୍ଧା ୨୯ ବର୍ଷର ହାରାହାରି ବୟସର ବିଶ୍ୱର ସବୁଠୁ ଯୁବ ରାଷ୍ଟ୍ର ପାଲଟିବାର ଅନୁମାନ କରାଯାଉଛି । ଆସିଆନ୍ ଓ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଇଂଟରନେଟ୍ ଉପଯୋଗର ଆଧାର ମଧ୍ୟ ଅଛି ଯାହା ଡିଜିଟାଲ ଅର୍ଥବ୍ୟବସ୍ଥାକୁ ବୃଦ୍ଧିରେ ଆମର ସହାୟତା କରିବ । ଏହି ପୃଷ୍ଠଭୂମିରେ ଭାରତ-ଆସିଆନ୍ ସମ୍ପର୍କ ଏବେ ଆହୁରି ବୃଦ୍ଧି ପାଇବାର ଆଶା ରହିଛି । ୨୦୧୬ ମସିହାରେ ଆସିଆନର ବିଦେଶ ବ୍ୟାପାରରେ ଭାରତର ଭାଗିଦାରୀ ମାତ୍ର ୨.୬ ପ୍ରତିଶତ ଥିଲା ।

 

ପ୍ରଧାନମନ୍ତ୍ରୀ ଲି ସିଏନ୍ ଲୁଙ୍ଗ୍ ପାରସ୍ପରିକ ସହଯୋଗ ପାଇଁ ଲାଭଦାୟକ ତିନିଟି ପ୍ରତିବଦ୍ଧତାପୂର୍ଣ୍ଣ କ୍ଷେତ୍ରର ପରାମର୍ଶ ଦେଇଛନ୍ତି ।

 

ପ୍ରଥମ, ଆସିଆନ୍ ଓ ଭାରତକୁ ବ୍ୟାପାର ଓ ନିବେଶକୁ ପ୍ରୋତ୍ସାହିତ କରିବା ପାଇଁ ନିଜର ଉଦ୍ୟମକୁ ଦ୍ୱିଗୁଣ କରିବା ଉଚିତ୍ । ଆମେ ଏଆଇଏଫ୍ଟିଏ ସମେତ ନିଜର ବର୍ତମାନର ମାର୍ଗକୁ ଯୁଗୋପଯୋଗୀ ଓ ପ୍ରାସଙ୍ଗିକ ରଖିବା ଉଚିତ୍ । ଆମେ ଏବେ ଏଆଇଏଫ୍ଟିଏରୁ ଆଗକୁ ଯାଇ ଏକ ଉଚ୍ଚ ଗୁଣବତ୍ତାପୂର୍ଣ୍ଣ ଆଂଚଳିକ ବ୍ୟାପକ ଆର୍ଥିକ ଭାଗିଦାରୀ(ଆରସିଇପି)ର ନିର୍ମାଣ କରିବା ନିମନ୍ତେ ଏକଜୁଟ ହୋଇ କାମ କରିବା ଉଚିତ୍ । ଏଥିରେ ଏକ ସମନ୍ୱିତ ଏସୀୟ ବଜାରର ନିର୍ମାଣ ହେବ ଯେଉଁଥିରେ ବିଶ୍ୱର ପ୍ରାୟ ଅର୍ଦ୍ଧେକ ଜନସଂଖ୍ୟା ଓ ବିଶ୍ୱର ଜିଡିପିର ଏକ ତୃତୀୟାଂଶ ଜଡ଼ିତ ହେବ ।

 

ଦ୍ୱିତୀୟ, ଆମର ଲୋକଙ୍କୁ ଉତ୍ତମ ଭୂମି, ବାୟୁ ଓ ସାମୁଦ୍ରିକ ସଂଯୋଗରେ ଅଧିକ ଲାଭ ହାସଲ ହେବ । ସେ ତ୍ରିସ୍ତରୀୟ ଭାରତ-ମିଆଁମାର-ଥାଇଲାଣ୍ଡ ରାଜମାର୍ଗର ସମ୍ପ୍ରସାରଣ ଓ ଆସିଆନ୍ ସହ ଭିତ୍ତିଭୂମି ସଂଯୋଗକୁ ବୃଦ୍ଧି କରିବା ପାଇଁ ଭାରତର ଏକ ବିଲିୟନ ଡଲାରର ଋଣ ସହାୟତା ସମେତ ସଡ଼କ ଯୋଗାଯୋଗକୁ ସୁଦୃଢ଼ କରିବା ନିମନ୍ତେ ଭାରତର ପ୍ରୟାସକୁ ପ୍ରଂଶସା କରିଛନ୍ତି ।

 

ଡିଜିଟାଲ ସଂଯୋଗ ହେଉଛି ସହଯୋଗର ଏକ ଅନ୍ୟ ମହତ୍ୱପୂର୍ଣ୍ଣ କ୍ଷେତ୍ର । ଏହା ଭବିଷ୍ୟତ ପାଇଁ ଲୋକଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ ଆକାର ଦେଇପାରିବ । ଉଦାହରଣସ୍ୱରୂପ ଭାରତର ଆଧାର ବ୍ୟବସ୍ଥା ଭାରତ-ଆସିଆନ୍ ଫିନ୍ଟେକ୍ ପ୍ଲାଟଫର୍ମକୁ ସମନ୍ୱିତ କରିବା ଅବା ଇ-ପେମେଂଟ୍ ପ୍ରଣାଳୀକୁ ସଂଯୋଗ କରିବା ନିମନ୍ତେ ଅନେକ ନୂଆ ସୁଯୋଗୁ ସୃଷ୍ଟି କରୁଛି ।

 

ଶ୍ରୀମାନ୍ ଲି ସିଏନ୍ ଲୁଙ୍ଗ୍ କହିଛନ୍ତି ଯେ, ଭାରତ ଓ ଆସିଆନ୍ କ୍ରମାଗତ ନୂଆ ସମନ୍ୱୟର ଆଶା କରୁଛନ୍ତି । ସିଙ୍ଗାପୁରର ଅଧ୍ୟକ୍ଷତାର ଉଦ୍ଦେଶ୍ୟ ହେଉଛି ଏକ ଆସିଆନ୍ ସ୍ମାର୍ଟ ସିଟି ନେଟୱାର୍କର ବିକାଶ କରିବା ମଧ୍ୟ । ଆଉ ଏହି ମାମଲାରେ ସିଙ୍ଗାପୁର ଓ ଭାରତ ସ୍ୱାଭାବିକ ଭାଗିଦାର । ଭାରତରେ ଦ୍ରୁତ ଗତିରେ ସହରୀକରଣ ହେଉଛି ଓ ଏଥିରେ ୧୦୦ ସ୍ମାର୍ଟ ସିଟିର ସ୍ଥାପନ କରିବାର ଲକ୍ଷ୍ୟ ରଖାଯାଇଛି ।

 

ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ନିଜର ସମ୍ପାଦକୀୟ ଲେଖାର ସମାପ୍ତି କରି କହିଛନ୍ତି ଯେ ଆସିଆନ୍ର ଅଧ୍ୟକ୍ଷ ଦେଶ ସିଙ୍ଗାପୁର, ଆସିଆନ୍-ଭାରତ ସମ୍ବନ୍ଧକୁ ସୁଦୃଢ଼ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଯଦି ଉଭୟ ପକ୍ଷ ନିଜର ଐତିହାସିକ ଓ ସାଂସ୍କୃତିକ ସମ୍ବନ୍ଧର ଉପଯୋଗ ଆଜିର ଚାଲେଞ୍ଜର ମୁକାବିଲା ତଥା ଭବିଷ୍ୟତ ପାଇଁ ସେତୁ ସ୍ଥାପନ ପାଇଁ କରନ୍ତି ତା’ହେଲେ ଆମର ଯୁବ ଓ ଭବିଷ୍ୟତ ପିଢ଼ିକୁ ଏହାର ସର୍ବାଧିକ ଫାଇଦା ମିଳିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top