‘ଲୋକେ ହିଁ ଗଣତନ୍ତ୍ରର ମୂଳାଧାର’

News Story - Posted on 2018-01-25

ଦେଶର ଲୋକମାନଙ୍କୁ ନେଇ ହିଁ ଗଣତନ୍ତ୍ର ନିର୍ମିତ ହୁଏ । ଆମର ନାଗରିକ, କେବଳ ଗଣତନ୍ତ୍ରର ନିର୍ମାତା ଏବଂ ସଂରକ୍ଷକ ନୁହନ୍ତି, ବରଂ ସେମାନେ ହିଁ ଏହାର ଆଧାର ସ୍ତମ୍ଭ ଅଟନ୍ତି । ଆମର ପ୍ରତ୍ୟେକ ନାଗରିକ, ଆମ ଗଣତନ୍ତ୍ରକୁ ଶକ୍ତି ଦେଇଥାନ୍ତି । ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେଇ ଏହି କଥା କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

 

ସେ କହିଛନ୍ତି ଯେ ଆମ ସମ୍ବିଧାନ ନିର୍ମାତା ଅତ୍ୟନ୍ତ ଦୂରଦୃଷ୍ଟିସମ୍ପନ୍ନ ଥିଲେ । ସେମାନେ ‘ଆଇନର ଶାସନ’ ଏବଂ ‘ଆଇନ ଦ୍ୱାରା ଶାସନ’ର ମହତ୍ୱ ଏବଂ ଗରିମାକୁ ଭଲଭାବେ ବୁଝୁଥିଲେ । ରାଷ୍ଟ୍ର ନିର୍ମାଣ ଏକ ଭବ୍ୟ ଏବଂ ବିଶାଳ ଅଭିଯାନ ଅଟେ । ଏଥିସହିତ, ଏହା ଲକ୍ଷ ଲକ୍ଷ ନୁହେଁ, ବରଂ କୋଟି କୋଟି ଛୋଟ-ବଡ଼ ଅଭିଯାନକୁ ଯୋଡ଼ି ନିର୍ମିତ ହୋଇଥିବା, ଏକ ସମ୍ପୂର୍ଣ୍ଣ ଅଭିଯାନ ଅଟେ । ଏ ସମସ୍ତ ଛୋଟ-ବଡ଼ ଅଭିଯାନ ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ । ନାଗରିକମାନଙ୍କ ଚରିତ୍ରର ନିର୍ମାଣ କରିବା, ପରିବାର ଦ୍ୱାରା ଉତ୍ତମ ସଂସ୍କାରର ମୂଳଦୂଆ ପକାଇବା, ଗଳି - ସାହି - ଗ୍ରାମ ଏବଂ ସହରରେ ଭ୍ରାତୃତ୍ୱଭାବର ପରିବେଶ ସୃଷ୍ଟି କରିବା, ଛୋଟ-ବଡ଼ କାରବାର ଆରମ୍ଭ କରିବା, ସଂସ୍ଥାଗୁଡ଼ିକୁ ସିଦ୍ଧାନ୍ତ ଏବଂ ନୀତିଆଦର୍ଶରେ ଚଳାଇବା, ଏବଂ ସମାଜରୁ ଅନ୍ଧ-ବିଶ୍ୱାସ ତଥା ଅସମାନତାକୁ ଦୂର କରିବା, ଏ ସବୁ ରାଷ୍ଟ୍ର ନିର୍ମାଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଅଟେ ।

 

ଭାରତର ରାଷ୍ଟ୍ରନିର୍ମାଣ ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ, ଏକ ଉନ୍ନତ ବିଶ୍ୱ ନିର୍ମାଣରେ ମଧ୍ୟ ଯୋଗଦାନ ଦେବା-ଏପରି ବିଶ୍ୱ, ଯାହା ମିଳାମିଶା ଏବଂ ଆପୋସ ସୌହାର୍ଦ୍ଦ୍ୟରେ ପରିପୂର୍ଣ୍ଣ ହୋଇଥିବ ଏବଂ ଯାହାର ନିଜ ସହିତ ଏବଂ ପ୍ରକୃତି ସହିତ, ଶାନ୍ତିପୂର୍ଣ୍ଣ ସମ୍ପର୍କ ଥିବ । ଏହା ହିଁ ‘ବସୁଧୈବ କୁଟୁମ୍ବକମ’ର ସଠିକ ଅର୍ଥ ଅଟେ ବୋଲି ସେ କହିଛନ୍ତି । ଆଜିର ଉତ୍ତେଜନାପୂର୍ଣ୍ଣ ଏବଂ ଆତଙ୍କବାଦ ଦ୍ୱାରା ପ୍ରଭାବିତ ଯୁଗରେ ଏହି ଆଦର୍ଶ ହୁଏତ ବ୍ୟାବହାରିକ ଲାଗିନପାରେ, କିନ୍ତୁ ଏହି ଆଦର୍ଶ ହଜାର ହଜାର ବର୍ଷ ଧରି ଆମ ସମସ୍ତଙ୍କୁ ପ୍ରେରଣା ଦେଇ ଆସିଛି । ଏହାର ଝଲକ ଆମ ସମ୍ବିଧାନ ମୂଲ୍ୟବୋଧରେ ମଧ୍ୟ ପ୍ରତିଫଳିତ ହୋଇଥାଏ । ଆମ ସମାଜ ଏହି ସିଦ୍ଧାନ୍ତ ଉପରେ ଆଧାରିତ ।

 

ଦେଶର ଅନ୍ନଦାତା କୃଷକମାନଙ୍କ ସଂପର୍କରେ ସେ କହିଛନ୍ତି ଯେ ଯେପରି ଜଣେ ମା’, ନିଜ ଶିଶୁର ପେଟ ଭରିବା ଲାଗି, ସବୁବେଳେ ତତ୍ପର ରହିଥାଏ, ସେହିପରି, ଏ ଦେଶର ୧୩୦ କୋଟିରୁ ଅଧିକ ଲୋକମାନଙ୍କ ପେଟ ଭରିବା ଲାଗି ଆମର କୃଷକ, ଦିନ ରାତି କଠିନ ପରିଶ୍ରମ କରିଥା’ନ୍ତି । ଆମକୁ ଆମ କୃଷକ ଭାଇ-ଭଉଣୀଙ୍କ ଜୀବନକୁ ଉନ୍ନତ କରିବା ଲାଗି, ଆହୁରି ଅଧିକ ପ୍ରୟାସ କରିବାର ଆବଶ୍ୟକତା ରହିଛି ।

 

ରାଷ୍ଟ୍ରପତି କହିଛନ୍ତି ଯେ ଆଜି ମଧ୍ୟ ଆମର ଅନେକ ଦେଶବାସୀ, ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ପଛୁଆ ଅଛନ୍ତି । ସେମାନେ ଦାରିଦ୍ର୍ୟରେ, କୌଣସି ପ୍ରକାରେ ନିଜ ଜୀବନ ବିତାଉଛନ୍ତି । ଆମର ଏହି ଭାଇ ଓ ଭଉଣୀମାନଙ୍କୁ ସମ୍ମାନ ଦେଇ ସେମାନଙ୍କ ମୌଳିକ ଆବଶ୍ୟକତା ପର୍ଯ୍ୟାପ୍ତ ମାତ୍ରାରେ ପୂରଣ କରିବା ଏବଂ ବିକାଶର ସୁଯୋଗ ନିରନ୍ତର ପ୍ରଦାନ କରିବା, ଆମ ଗଣତନ୍ତ୍ରର ସବୁଠୁ ବଡ଼ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ଅଟେ । ସେମାନଙ୍କ ଜୀବନକୁ ସୁଖଦ କରିବାରେ ହିଁ, ଆମ ଗଣତନ୍ତ୍ରର ସଫଳତା ନିହିତ ରହିଛି । ଦାରିଦ୍ର୍ୟର ଅଭିଶାପ, ଯଥାସମ୍ଭବ କମ ସମୟରେ, ସମ୍ପୂର୍ଣ୍ଣ ଭାବେ ଦୂର କରିବା ଆମର ପ୍ରମୁଖ କର୍ତ୍ତବ୍ୟ ଅଟେ । ଏହି କର୍ତ୍ତବ୍ୟ ପୂରଣ କରି ହିଁ, ଆମେ ସନ୍ତୋଷ ପାଇପାରିବା ।

 

ଆମ ସମସ୍ତଙ୍କ ସ୍ୱପ୍ନ ହେଉଛି ଭାରତ ଏକ ବିକଶିତ ରାଷ୍ଟ୍ର ହେଉ । ସେହି ସ୍ୱପ୍ନକୁ ପୂରଣ କରିବା ଲାଗି ଆମେ ଆଗକୁ ବଢ଼ିଚାଲିଛୁ । ଆମର ଯୁବପିଢ଼ି-ନିଜ ପରିକଳ୍ପନା, ଆକାଂକ୍ଷା ଏବଂ ଆଦର୍ଶ ବଳରେ ଦେଶକୁ ଆଗେଇ ନେଇଯିବ । ସେ କହିଛନ୍ତି ଯେ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଯେ ଆମ ଦେଶବାସୀ ନିଜର ପରିକଳ୍ପନା, ଆକାଂକ୍ଷା ଏବଂ ଆଦର୍ଶ ଲାଗି ନିଜର ଗଣତାନ୍ତ୍ରିକ ମୂଲ୍ୟବୋଧ, ଏବଂ ଭାରତର ପ୍ରାଚୀନ ଆଦର୍ଶରୁ, ସବୁବେଳେ ପ୍ରେରଣା ନେଇଚାଲିଥିବେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top