ଗାଣ୍ଡିବ ଧରିବ କିଏ?

News Story - Posted on 2018-01-25

ହେମାଙ୍ଗ ପ୍ରସାଦ ରାଉଳ

 

କୁନ୍ଦୁଲି ଝିଅର ଅପମୃତ୍ୟୁ ଏବଂ ତା’ର ଜୀବନ ଦଗ୍ଧିଭୂତ କାହାଣୀ ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଲା ପରେ ଆଜି ରାଜନୈତିକ କ୍ଷେତ୍ରରେ ଦେଖାଦେଇଛି ଉଷ୍ମତା । ବହୁ ଜଟିଳତା ଭିତରକୁ ଟାଣି ହୋଇଛି ରାଜ୍ୟ ଗୃହ ବିଭାଗ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ବିଭାଗରେ ଜଣେ ଧର୍ଷଣ ପୀଡ଼ିତାର ସଂଘର୍ଷମୟ କାହାଣୀ ଶେଷରେ ତା’ର ଜୀବନ ଦୀପିକା ନିର୍ବାପିତ ହୋଇଛି । ଏପରି ଏକ ହୃଦୟଥରା ଦୁଃସମ୍ବାଦ ସମସ୍ତଙ୍କୁ ବ୍ୟଥିତ କେବଳ କରିନି, ଓଡ଼ିଶାରେ ନାରୀର ଅସୁରକ୍ଷା ଭାବକୁ ବହୁଗୁଣିତ କରି ଦେଇଛି ।

 

ଅତ୍ୟନ୍ତ ସରଳ ନିରୀହ ଆଦିବାସୀ ନିଷ୍ପାପ ନାବାଳିକା ପ୍ରତି ରକ୍ଷକ (ପୋଲିସ୍) ରାକ୍ଷସ ଭଳି ଝାମ୍ପିନେଲେ ତା’ର କୋମଳ ଅଙ୍ଗ ଅବୟବକୁ । ଦାନବର କ୍ଷତାକ୍ତ ଆଚରଣଠାରୁ ବଳିଗଲା ତା’ ପରବର୍ତ୍ତୀ ବିଶ୍ଳେଷଣ । ସରକାରୀ ବ୍ୟବସ୍ଥାରେ ସେ ବାରମ୍ବାର ଧର୍ଷିତା ହେଲା । ଗୁହାରୀ ଶୁଣିବାର ଭୟାନକ ଅଭିନୟ କରି ଭଣ୍ଡ ପ୍ରକ୍ରିୟାରେ ଯୋଡ଼ିଦେଲେ ତା’ର ଅସମୟକୁ । ଆକସ୍ମିକ ଭାବରେ ସେ ଯେ ଶେଷରେ ଆଉ ପାରିବିନି କହି ନିଜ ପ୍ରିୟ ସଦନରେ ଝୁଲାଇ ଦେବ ନିଜକୁ, ଏହା କିଏ ବିଶ୍ୱାସ କରିଥିବ?

 

ଶେଷ ବାକ୍ୟରେ ସିଏ ବେଦନାସିକ୍ତ ମନର ଅକୁହା ବେଦନା ପ୍ରପୀଡ଼ିତ ଉନ୍ମାଦନା ଶେଷରେ ଘର କୋଣର ବନ୍ଦୀଗୃହରେ ପଟେ ଦଉଡ଼ିକୁ ସାହାରା କରି ଫେରିଗଲା ଅଜଣା ପୁରକୁ । ପ୍ରଶ୍ନ ଉଠୁଛି ବେଟି ପଢ଼ାଓ ବେଟି ବଚାଓ ନାରା ଦେଉଥିବା ବିଜେପିି, ମାଆକୁ ସମ୍ମାନ ମାଟିକୁ ସମ୍ମାନ କହୁଥିବା ବିଜେଡ଼ି ଓ ମାଆ ମାଟି ଆଗରେ ପାର୍ଟି ପଛରେ କହୁଥିବା କଂଗ୍ରେସ ଉତ୍ତରଦାୟୀ ନୁହନ୍ତି କି କୁନ୍ଦୁଲି ପୀଡ଼ିତାଙ୍କ ପାଇଁ? ଆଜି ଓଡ଼ିଶାରେ ଆନ୍ଦୋଳନ, ଧର୍ମଘଟ, ରାଲି, କ୍ୟାଣ୍ଡଲ୍ ଯାତ୍ରା, ପ୍ରତିବାଦ ସଭା, ଶେଷରେ ଓଡ଼ିଶା ବନ୍ଦର ଚିତ୍ର ଭିତରେ କୁନ୍ଦୁଲି ପୀଡ଼ିତାର ଆତ୍ମା କ’ଣ ଶାନ୍ତି ପାଇବ?

 

ବହୁ ବିଳମ୍ବ କରିଦେଲେ ଓଡ଼ିଶାର ଶାସକ । କିଏ କାହାକୁ ସମ୍ମାନ ଦେଲେନି । ଅପରାଧୀଙ୍କୁ ଖସାଇ ଦେବାର ପ୍ରୟାସ କରି ପୀଡ଼ିତାକୁ ପାଗଳି ପ୍ରାୟ କରିଦେଲେ, ବ୍ୟବସ୍ଥା ଜାଲଟିଏ ବିଛାଇଦେଲେ । ଅସହିଷ୍ଣୁ ହୋଇ ଉଠିଲା ପୀଡ଼ିତାର ମନ । କହିଲା ନା’ ଆଉ ପାରିବିନି, ନ୍ୟାୟ ନ ମିଳିଲେ ଆତ୍ମହତ୍ୟା । ଏପରି ଏକ କରୁଣ ବାକ୍ୟ ଧର୍ଷିତାଙ୍କଠାରୁ ସମସ୍ତେ ଶୁଣିଥିଲେ । ବିଜେପିର ବିଚାର ବେଟି ବଚାଓ ଓ ବେଟି ପଢ଼ାଓର ନାରା ଆଜି ନିରୁଦ୍ଦିଷ୍ଟ । ପଦ୍ମଫୁଲ କନା ଗଜ ପକାଇ ନାରୀନେତ୍ରୀମାନେ ନାରୀ ଶକ୍ତିର ପ୍ରତୀକ ବିଜେପି ବୋଲି କହନ୍ତି । କିନ୍ତୁ ସେଇ ନିଷ୍ପାପ ପ୍ରାଣରେ ପଦ୍ମଫୁଲ ହସଟିଏ ଫୁଟାଇ ପାରିଲେନି କାହିଁକି? କ’ଣ ପାଇଁ ଏମାନଙ୍କ ନୀରବତା? ଆଜି ବନ୍ଦ କରି କାହାପାଇଁ କାନ୍ଦୁଛନ୍ତି? ଏପରି ଛଳନାତ୍ମକ ସନ୍ଦେଶ କାହା ସ୍ୱାର୍ଥରେ?

 

ଆଗକୁ ନିର୍ବାଚନ ପାଇଁ ଆନ୍ଦୋଳନ ହୁଏତ ଏକ ଅସ୍ତ୍ର ହୋଇପାରେ । କିନ୍ତୁ କୁନ୍ଦୁଲିର କୋହ କ’ଣ ପୋଛି ହେବ? ବିଜେପିର କଂଗ୍ରେସ ସହ ମିଶି ଓଡ଼ିଶା ବନ୍ଦ ଶାସନ କଳ ବିଜେଡ଼ିକୁ ଘେରିବାର କୃତ୍ରିମ କାନ୍ଦଣା ନେଇ ଯିଏ ଯାହାର ସ୍ୱାର୍ଥରେ ସମୟକୁ ସାଥୀ କରି ଚାଲିବେ ରାଜ୍ୟନୈତିକ ଅଭିସନ୍ଧି ରଖି । ବିଜୁ ଜନତା ଦଳର ବିରୋଧି ଭାବରେ ଦ୍ୱିତୀୟ ନମ୍ବର ବିଜେପି ଶେଷକୁ କଂଗ୍ରେସର ସ୍ୱର ଉଠୁଛି । କିନ୍ତୁ ଏ ସ୍ୱର ଶାସନର ଅହମିକାର ଦୁର୍ଗ ପତନରେ ସମର୍ଥ ନୁହଁ । କାରଣ ବିଜୁ ଜନତା ଦଳର ୧୮ ବର୍ଷର ଶାସନରେ ତା’ର ଅନୁଚିନ୍ତା ମଧ୍ୟ ରାଜନୀତିକରଣର ଗୋଟିଏ ଗୋଟିଏ ସୁନ୍ଦର ସୁନ୍ଦର ପରିକଳ୍ପନା । ସମାଜରେ ଶାସନର ବିଚାର ଭିତ୍ତିରେ କ୍ଷମତା ଦଖଲର ସୁରକ୍ଷା ଭାବନା ନେଇ ସେ ମସ୍ଗୁଲ୍ । ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଆଦର୍ଶ ରାଜ୍ୟ ଗଠନ ନହେଲା ନାହିଁ, କିନ୍ତୁ କଳଙ୍କିତ ଦୃଶ୍ୟପଟ୍ଟରେ ମହାନାୟକ ଭାବରେ ଓଡ଼ିଶାର ଶାସନକଳର ଭବିଷ୍ୟତ ଯେ ନିଶ୍ଚ ଦୋହଲି ନଯିବ, କିଏ ବା କହିବ?

 

ଗଣତାନ୍ତ୍ରିକ ଆଦର୍ଶ ତାର ନାରୀ ଅସୁରକ୍ଷା କଳଙ୍କିତ ଧାରାର ସନ୍ଦେଶ ନେଇ ଓଡ଼ିଶାର ଆଦିିବାସୀ ଅଞ୍ଚଳରୁ କୁନ୍ଦୁଲିର ପୀଡ଼ିତା ହେଉ କି ରାୟଗଡ଼ାର ଇତିଶ୍ରୀ, ପିପିଲିର ବେବିନା ହେଉ ତ ଅତୀତର ଅଞ୍ଜନା ଅବା ଛବିରାଣୀର କୋହରେ ଓଡ଼ିଶାର ଶାସନକଳ ନିଶ୍ଚୟ ଝଟକା ପାଇ କ୍ଷତାକ୍ତ ପାଇଛି, ପାଉଛି ଏବଂ ପାଇବ ମଧ୍ୟ । ରାଜନୈତିକ ପଶାପାଲିରେ ଏମିତି ଅନେକ ଦୁର୍ଯ୍ୟୋଧନଙ୍କ ଜନ୍ମ ଏକ ସାମାଜିକ ପ୍ରକ୍ରିୟା, କିନ୍ତୁ ଗାଣ୍ଡିବ ଧନୁ ଧରିବ କିଏ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top