ବୌଦ୍ଧଧର୍ମରେ ତନ୍ତ୍ରର ପ୍ରବେଶ

News Story - Posted on 2018-01-25

ମାନସ କୁମାର ରାଉତ

 

ମଧ୍ୟଯୁଗରେ ସଂଗଠିତ ହୋଇଥିବା ଧର୍ମ ସଂସ୍କାର ଆନ୍ଦୋଳନ ମଧ୍ୟରୁ ସୁଫି ଏବଂ ଭକ୍ତି ବାଦ ସର୍ବଧିକ ଲୋକପ୍ରିୟ ହୋଇପାରିଥିବା ବେଳେ ତନ୍ତ୍ରବାଦ ମଧ୍ୟ ଭାରତରେ ଉଭୟ ବ୍ରାହ୍ମଣ ଏବଂ ବୌଦ୍ଧଧର୍ମରେ ଜନାଦୃତ ହୋଇପାରିଥିଲା । ମଧ୍ୟଯୁଗର ଧାର୍ମିକ ଆନ୍ଦୋଳନ ମଧ୍ୟରେ ତନ୍ତ୍ରବାଦ ଅନ୍ୟତମ । ଧର୍ମରେ ତନ୍ତ୍ରର ପ୍ରବେଶ ଏବଂ ବିକାଶ ସମ୍ପର୍କରେ ଅନେକ ତନ୍ତ୍ରଗ୍ରନ୍ଥରେ ଆଲୋଚନା ହୋଇଛି । ଏହି ଧର୍ମଗ୍ରନ୍ଥ ମଧ୍ୟରେ ଶାରଦାତିଳକ, କୁଳାର୍ଣ୍ଣବ, ୟାମଲ, କୁବଜିକା ତନ୍ତ୍ର, ପିଙ୍ଗଳାମତ, ଯୋନିତନ୍ତ୍ର ପ୍ରଧାନ । ବାସ୍ତବରେ ଦେଖିବାକୁ ଗଲେ ତନ୍ତ୍ରରେ ଧାର୍ମିକ କାର୍ଯ୍ୟକଳାପ ବୈଦିକ ପରମ୍ପରା ସହିତ ସମାନ ଅଟେ । ଯାହାକି ବୈଦିକ ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ତାନ୍ତ୍ରିକମାନେ ହେଉଛନ୍ତି ଉଭୟ ଶିବ ଏବଂ ଶକ୍ତିଙ୍କ ଉଗ୍ରରୂପର ପରମ ଉପାସକ ।

 

ଏହି ଧର୍ମର ମୂଳନୀତି ଭାବେ ତାନ୍ତ୍ରିକମାନେ ବିଶ୍ୱାସ କରୁଥିଲେ ବିଶ୍ୱ ବ୍ରହ୍ମାଣ୍ଡ ହେଉଛି ଧାର୍ମିକ ଓ ଆଧ୍ୟାତ୍ମିକ ଶକ୍ତିର ସମ୍ପୂର୍ଣ୍ଣ ପ୍ରକାଶ ଏବଂ ମୁକ୍ତିର ସରଳ ମାର୍ଗ, ଯାହାକି ମନୁଷ୍ୟର ଅନ୍ତରଆତ୍ମା ବା ଚେତନାକୁ ଜ୍ରାଗତ କରାଇ ଫଲଗୁଧାରା ପ୍ରବାହିତ କରିଥାଏ । ଏହା ଶିବ ଏବଂ ଶକ୍ତିର ପରିପ୍ରକାଶ ଅଟେ । ଏହି ତନ୍ତ୍ରଧର୍ମରେ ଶିଷ୍ୟ ଅଥବା ଭକ୍ତ ରୂପରେ ଯେଉଁମାନେ ସମ୍ମଳିତ ହୋଇଥାନ୍ତି ସେହିମାନଙ୍କୁ ଶିକ୍ଷା ଦିଆଯାଇଥାଏ । ତେଣୁ ଏହାକୁ ଇନ୍ଦ୍ରଜାଲ ସହିତ ତୁଳନା କରାଯାଇଛି । ସଂକ୍ଷେପରେ ତନ୍ତ୍ରର ବାଖ୍ୟା କରିବାକୁ ଗଲେ ଏହା ଏକ ପ୍ରାଗାଢିକ ଧାର୍ମିକ ବିଶ୍ୱାସ ସ୍ୱରୂପ ଯାହାକି ବ୍ରାହ୍ମଣ, ଶାକ୍ତଧର୍ମ ଏବଂ ବୌଦ୍ଧଧର୍ମରେ ପ୍ରବେଶ କରି ଏକ ଅନ୍ତର୍ନିହିତ ସ୍ରୋତର ସୃଷ୍ଟି କରିଅଛି ।

 

ତନ୍ତ୍ର ହେଉଚି ଭାରତୀୟ ଭାବଧାରା କଳା ଧର୍ମର ପରିପ୍ରକାଶ । ତନ୍ତ୍ରର ବିଧିବିଧାନ ମଧ୍ୟରେ ସମସ୍ତ ଧର୍ମର ଆତ୍ମା ପ୍ରକାଶିତ ଯାହାକୁ ତନୁ ଅଥବା ଶରୀର ରୂପରେ ଗ୍ରହଣ କରାଯାଇଛି । ଧର୍ମକୁ ଛାଡ଼ି ବିଧିବିଧାନ ନାହିଁ ଏବଂ ଯେଉଁଠି ରହିଛି ସେଠାରେ ତନ୍ତ୍ର ଏବଂ ମନ୍ତ୍ର ରହିଛି । ତନ୍ତ୍ର ଶବ୍ଦଟି ମୂଳଶବ୍ଦ ‘ତନ୍’ରୁ ତ୍ରି ନିଷ୍କନ ହୋଇ ‘ତନୋତି’ ବା ତ୍ରାୟତିକୁ ପ୍ରକାଶ କରିଥାଏ । ଯାହାର ଅର୍ଥ ଆତ୍ମାକୁ ଶାରୀରିକ, ମାନସିକ ଯନ୍ତ୍ରଣାରୁ ମୁକ୍ତ କରି ପରତ୍ମାଙ୍କ ସହିତ ମିଳିତ ହେବା । ତନ୍ତ୍ର ଶଦ୍ଦଟି ମୂଳତଃ ‘ତନ୍’ ଶଦ୍ଦରୁ ଆସିଛି । ଏହି ଶଦ୍ଦର ଅର୍ଥ ହେଉଛି ପ୍ରସାର କରିବା । କଳିଯୁଗରେ ତନ୍ତ୍ରକୁ ପ୍ରାମାଣିକ ଗ୍ରନ୍ଥ ଭାବେ ଗ୍ରହଣ କରାଯାଇ ପଂଚମ ବେଦ ବୋଲି ବିବେଚନା କରାଯାଉଛି । ଯଜୁର୍ବେଦରେ ତନ୍ତ୍ରରେ ଉଚ୍ଚାରିତ ହେଉଥିବା କେତେକ ଧ୍ୱନି ଦେଖିବାକୁ ମିଳେ ଯଥା-ଓଁ, ଆମ୍,ସ୍ୱାଧା, ହମ୍, ସ୍ୱାହା, ବସଟ୍, ବାତ୍, ଭଟ୍, ଆଦି । ପରବର୍ତ୍ତୀ ସମୟରେ ଏଥିରେ ପରିବର୍ତ୍ତନ କରଯାଇ ଓଁ, ଆମ୍, ହମ୍, କ୍ରୋମ୍ , ଫଟ୍ ଇତ୍ୟାଦି ହୋଇଛି ।

 

ଅର୍ଥବବେଦ ଏବଂ ବୌଦ୍ଧ ଧର୍ମଗ୍ରନ୍ଥରେ ମଧ୍ୟ ଏଭଳି କେତକ ଶବ୍ଦ ରହିଥିବାର ଦୃଷ୍ଟିଗୋଚର ହୋଇଥାଏ । ଅନ୍ୟପଟରେ ତନ୍ତ୍ର ଶବ୍ଦଟି ବେଦରୁ ଉତ୍ପତ୍ତି ହୋଇଛି ବୋଲି କୁହାଯାଏ । ତନ୍ତ୍ର ହେଉଛି ଏକ ଗୂଢ଼ ତତ୍ତ୍ୱ ଭିତ୍ତିକ ଉପାସନା ପଦ୍ଧତି ଯାହା ଉଗ୍ରରୂପଧାରୀ ଦେବାଦେବୀଙ୍କୁ ଆରାଧନା କରିବାର ମାର୍ଗ ଏବଂ ବରପ୍ରାପ୍ତ ହେବାର ଏକ ବିଶ୍ୱାସ । ଏଥିରୁ ବଳିପ୍ରଥା ଉତ୍ପତ୍ତି ହୋଇଛି । ଭୁବନଶ୍ୱରରେ ଥିବା ବୈତାଳ ମନ୍ଦିର ନିକଟରେ ଏକ ଖନ୍ଧ(ବଳି ରଖିବା ସ୍ଥାନ) ରହିଛି । ଏହାର ଅଧ୍ୟୟନ କଲେ ସେଠାରେ ବଳି ପଡ଼ୁଥିବା ଜଣାଯାଏ ।

 

ତନ୍ତ୍ରର ବିଭିନ୍ନ ତୁଳନାତ୍ମକ ନାମ ରହିଛି । ଯେପରି ନ୍ୟାୟତନ୍ତ୍ର, ଧର୍ମତନ୍ତ୍ର, ବ୍ରହ୍ମତନ୍ତ୍ର, ଯୋଗତନ୍ତ୍ର, ଏପରିକି ସାଂଖ୍ୟାଦର୍ଶନରେ ମଧ୍ୟତନ୍ତ୍ରକୁ ଶ୍ରେଣୀଭୁକ୍ତ କରାଯାଇଅଛି । ପ୍ରସିଦ୍ଧ ବାଖ୍ୟାକାର କୁଲ୍ଲକ ଭଟ୍ଟଙ୍କ ମତ ଅନୁସାରେ ବେଦରେ ଦୁଇପ୍ରକାରର ଶ୍ରୁତି ରହିଛି । ଗୋଟିଏ ବୈଦିକ ଏବଂ ଅନ୍ୟଟି ତାନ୍ତ୍ରିକ । ବ୍ରାହ୍ମଣ ଧର୍ମରେ ତାନ୍ତ୍ରିକ ଦେବୀଙ୍କ ପୂଜା ପଂଚ ‘ମ’କାରରେ କରାଯାଇଥାଏ । ଏହାକୁ ପଂଚତତ୍ତ୍ୱ କୁହାଯାଏ । କୁଣ୍ଡଳିନୀ ଶକ୍ତିର ଷଡ଼ଚକ୍ର (ମୂଳାଧାର, ସ୍ୱାଧିଷ୍ଠାନ, ମଣିପୁର, ଅନାହତ, ବିଶୁଦ୍ଧ ଓ ଆଜ୍ଞା) ଭେଦ କରିବା ପାଇଁ ଏହି ପଂଚ ‘ମ’ କାରର ପୂଜା ଆବଶ୍ୟକ ହୋଇଥାଏ ।

 

ଆଗମସାର ଅନୁସାରେ- ମଦ୍ୟଂ ମାଂସଂ ତଥା ମୁଦ୍ରା ମୈଥୁନାମବଚ, ‘ମ’କାର ପଂଚକଂ କୃତ୍ୱା ପୂନର୍ଜନ୍ମ ନ ବିଦ୍ୟତେ ।

 

ଗୁପ୍ତସାଧନ ତନ୍ତ୍ର ଅନୁସାରେ- ମଦ୍ୟଂ ମାସଂ ତଥା ମସ୍ୟୋ ମୁଦ୍ରା ମୈଥୁନ ମେବଚ, ପଂଚତତ୍ତ୍ୱମିଦଂ ଦେବୀ ନିର୍ବାଣ ମୁକ୍ତି ହେତବେ ।

 

‘ମ’କାର ପଂଚକଂ ଦେବୀ ଦେବାନାମପି ଦୁର୍ଲ୍ଲଭମ ।

 

ଏହାର ଅର୍ଥ ଅଂହଙ୍କାର ନାଶ, ଶରୀର ନିୟନ୍ତ୍ରଣ, ଗୁରୁଚରଣାମୃତ ମଦିରାପାନ କରିବା ତଥା ପରମ ଶିବଙ୍କ ସହିତ ମୈଥୁନରତ ହେବ ।

 

ମହାଯାନ ବୌଦ୍ଧଧର୍ମର ଅନ୍ୟତମ ଶ୍ରେଷ୍ଠ ଗୁରୁଥିଲେ ଅତ୍ସଙ୍ଗ । ସେଥିଲେ ଯୋଗାଚାର ଦର୍ଶନର ପ୍ରବକ୍ତା । ତାଙ୍କଦ୍ୱାରା ରଚିତ ହୋଇଥିଲା ପ୍ରସିଦ୍ଧ ଗ୍ରନ୍ଥ ସୂତ୍ରାଳଙ୍କାର । ଖୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରେ ହିନ୍ଦୁଧର୍ମରେ ତନ୍ତ୍ରପୂଜାର ପ୍ରବାଳିକା ହେତୁ ସହଜରେ ସିଦ୍ଧିପାଇଁ ଲୋକମାନେ ଏହି ତାନ୍ତ୍ରିକ ହିନ୍ଦୁ ଧର୍ମାଭିମୁଖୀ ହେବାକୁ ଲାଗିଲେ । ଏହାକୁ ଦୃଷ୍ଟିରେ ରଖି ଅତ୍ସଙ୍ଗ ଯେଉଁ ସୂତ୍ରାଳଙ୍କାର ରଚନା କରିଥିଲେ ସେଥିରେ କେତେକ ମନ୍ତ୍ର ଏବଂ ଯନ୍ତ୍ର ସର୍ମ୍ପକରେ ଉଲ୍ଲେଖ କରିଥିଲେ । ପରବର୍ତ୍ତୀ ସମୟରେ ଏହି ମନ୍ତ୍ର ଏବଂ ଯନ୍ତ୍ରକୁ ଅଧାରକୁ ନେଇ ବୌଦ୍ଧତନ୍ତ୍ରର ପରିକଳ୍ପନା କରାଯାଇଥିବା ମନେହୁଏ । ଏପରକି ହିନ୍ଦୁମାନଙ୍କ ଭଳି ବୌଦ୍ଧମାନେ ମଧ୍ୟ ତନ୍ତ୍ର ଉପାସନା ପାଇଁ ବଭିନ୍ନ ଦେବାଦେବୀଙ୍କର ସୃଷ୍ଟି କରିଥିଲେ । ଏହି ବୌଦ୍ଧତନ୍ତ୍ର ଦେବାଦେବୀଙ୍କ ମଧ୍ୟରେ କୁରୁକୁଲ୍ଲା, ତାରା, ହେରୁକା, ମାରିଚୀ ଆଦି ରହିଥିବା ବେଳେ ସେମାନଙ୍କୁ ପାର୍ବତୀଙ୍କ ସହିତ ତୁଳନା କରାଯାଉଥିଲା । ପରେ ତାରାଙ୍କୁ ଅବଲୋକିତେଶ୍ୱର ପଦ୍ମପାଣିଙ୍କ ପତ୍ନୀଭାବେ ଉଭା କରି ଅନ୍ୟାନ୍ୟ ଦେବାଦେବୀ ସୃଷ୍ଟି କରାଗଲା । ସେମାନଙ୍କ ମଧ୍ୟରେ ମାତଙ୍ଗୀ, ପିଶାଚୀ, ଯୋଗିନୀ, ଡାକିନୀ ଅନ୍ୟତମ ଭାବେ ପରିଗଣିତ ହେବାକୁ ଲାଗିଲେ ।

 

ଏହି ତତ୍ତ୍ୱର ପରିପ୍ରକାଶ ଘଟିଥିଲା ଦେବାଦେବୀମାନଙ୍କୁ ସନ୍ତୁଷ୍ଟ କରିବା ବଦଳରେ ସିଦ୍ଧି ପାଇଁ ଏକ ପ୍ରକାରର ବାଧ୍ୟ କରିବା । ଫଳ ସ୍ୱରୂପ ସିଦ୍ଧି ପାଇବା ସହଜ ହେବା ସହିତ ମଳିବା ଏକ ପ୍ରକାରର ନିଶ୍ଚିତତା ବୋଲି ମନେ କରାଯାଉଥିଲା । ଯାହାକି ତନ୍ତ୍ରର ପରିପ୍ରକାଶ ଘଟାଇବାରେ ସଫଳ ହେବା ସହିତ ତନ୍ତ୍ର ଏବଂ ମନ୍ତ୍ରକୁ ମିଳିତ କରାଇ ଦେବତାମାନଙ୍କର ଆବାହନ ଆରମ୍ଭ ହୋଇଥିଲା । ଏପରକି କେତେକ ଯନ୍ତ୍ର ଆକୃତି କରିବା, ମଣ୍ଡଳ କରି ସେଥିରେ ବିଭିନ୍ନ ସ୍ଥାନରେ ଦେବାଦବୀଙ୍କୁ ଅବସ୍ଥାପିତ କରି କୃପାଦୃଷ୍ଟି ଦେବା ପାଇଁ ବାଧ୍ୟ କରାଗଲା ।

 

ବୌଦ୍ଧଧର୍ମରେ ଏପରି ଅନେକ ସିଦ୍ଧାନ୍ତ ମଧ୍ୟରୁ ଷଢଷ୍କର ସିଦ୍ଧାନ୍ତ ବିଶେଷ ପ୍ରସିଦ୍ଧ ଲାଭ କରିଥିଲା । ତାନ୍ତ୍ରିକ ବୌଦ୍ଧଧର୍ମର ମୂଳମନ୍ତ୍ରଥିଲା ସର୍ବୋକ୍ରୃଷ୍ଟ କ୍ଷମତାପ୍ରାପ୍ତ । ବଜ୍ରଜାନ ପ୍ରାର୍ଥନାଗୁଡିକ ତାଙ୍କ ନିକଟରୁ ଉତ୍ପତ୍ତି ହୋଇଛି ବୋଲି ବିବେଚନା କରାଯାଉଥିଲା । ଦେହସୁଖ ଦ୍ୱାରା ଉଭୟ ବୁଦ୍ଧ ଏବଂ ତାରା ହୋଇଯିବାର ବିଶ୍ୱାସ ଆରମ୍ଭ ହେବା ସହିତ ଏକ ଅଦ୍ୱିତୀୟ ରୂପ ଧାରଣ କରିଥିଲା । ଏହି ତନ୍ତ୍ର ସାଧନାରେ ଏକ ପ୍ରକାର ବନ୍ଧର ଉପଯୋଗ ହେଉଥିଲା । ଏପରକି ରକ୍ତସମ୍ପର୍କ କିମ୍ବା ନିକଟ ସମ୍ପର୍କୀୟମାନଙ୍କ ସହିତ ରତିକ୍ରୀଡା କରିବା ପ୍ରଥା ମଧ୍ୟ ପ୍ରଚଳିତ ହେବାରେ ଲାଗିଲା । ସମୟ ସମୟରେ ପଶୁମାନଙ୍କ ସହିତ ମଧ୍ୟ ରତିକ୍ରୀଡା ହେଉଥିଲା । ଏହି ତନ୍ତ୍ରରେ ଅପ୍ରାକୃତିକ ଯୌନକ୍ରିୟା ଏବଂ ଅନୈତିକ କାର୍ଯ୍ୟ କରିବା ପାଇଁ ମଧ୍ୟ ଅନୁମତି ମିଳିଥିଲା । ଏହାକୁ ଶୁଦ୍ଧ କରିବା ପାଇଁ ଅନେକ ବିଧିବଧାନ କରିବାକୁ ପଡ଼ୁଥିଲା । ଚତୁର୍ଥ ଶତାବ୍ଦୀରେ ରଚିତ ହୋଇଥିବା ମହାଯାନ ସୂତ୍ରାଳଙ୍କାରରେ ସମ୍ଭୋଗ ଉପରେ ସହଜରେ ସିଦ୍ଧି ମିଳିପାରୁଥିବା କଥା ଉଲ୍ଲେଖ କରାଯାଇଥିଲା: ମୈଥୁନସ୍ୟ ପରାବୃତ୍ତେ ବିଭୁବକ୍ତ ଲଭ୍ୟତେ ପରମ, ବୁଦ୍ଧ ସୌଖ୍ୟ ବିହାରଥେ ଦାରାସିଂ କ୍ଲେଶ ଦର୍ଶନେ ।

 

ବୌଦ୍ଧଧର୍ମଗ୍ରନ୍ଥ ‘ମହାଭାଗ’ରେ ଜଣେ ସାଧରଣ ନାଗରିକ ସମ୍ପୂର୍ଣ୍ଣ ପରିବାରର ଅଲୌକିକ ଶକ୍ତି (ଭୋଜବିଦ୍ୟା) ସମ୍ବନ୍ଧରେ ଉଲ୍ଲେଖ ରହିଛି । ଚୁଲ୍ଲ ଭାଗରେ ଉଲ୍ଲେଖ ଅଛି ଯେ, ବୌଦ୍ଧ ଭିକ୍ଷୁମାନେ ଛୋଟଛୋଟ ବେଯୋଡ଼ ହାଡ଼ଖଣ୍ଡ ଏବଂ ମଣିଷ ଖପୁରିପାତ୍ରରେ ଅପବିତ୍ର ଜଳ ଧରି ଯାଉଥିଲେ । କିନ୍ତୁ ଏପରିସ୍ଥଳେ ଡଃ ବିନୟତୋଷ ଭଟ୍ଟାଚାର୍ଯ୍ୟ ବୁଦ୍ଧଙ୍କୁ ଜଣେ ଚତୁର ସଂଗଠକର ଆଖ୍ୟାଦେଇ ତାଙ୍କ ଧର୍ମକୁ ଲୋକପ୍ରିୟ କରିବାକୁ କୁହୁକ ବିଦ୍ୟା (ଇନ୍ଦ୍ରଜାଲ) ପ୍ରଣାଳୀର ପ୍ରବେଶ କରାଇଥିଲେ ବୋଲି କହିଛନ୍ତି । ପୁନଶ୍ଚଃ ମୂଳଧର୍ମରେ ସମୃଦ୍ଧି ପାଇଁ ମୁଦ୍ରା, ମନ୍ତ୍ର, ମଣ୍ଡଳ,ଧାରଣୀ, ସମାଧି ଆଦିକୁ ବୀଜ ସବୁ ରହିଥିଲା । ପ୍ରାଥମିକ ଧର୍ମରେ ବୁଦ୍ଧଙ୍କ ସମୟରୁ ଯୋଗ ଏବଂ ସମାଧି ତାନ୍ତ୍ରିକ ଧର୍ମଠାରୁ ଭିନ୍ନ ଥିଲା । ଏମ. ସିଲଭାନଲେଭି ଏବଂ ଜି. ଟୁସି ବୌଦ୍ଧଧର୍ମରେ ତନ୍ତ୍ରର ପ୍ରବେଶ ଖ୍ରୀଷ୍ଟପୂର୍ବ ୪ର୍ଥ ଶତାବ୍ଦୀରେ ଅତ୍ସଙ୍ଗଠାରୁ ହୋଇଥିବାର ମତପୋଷଣ କରିଛନ୍ତି । ମହାଯାନ ସୂତ୍ରାଳଙ୍କାର ଅନୁସାରେ ମୈଥୁନ ହେଉଛି ପରମ ଆନନ୍ଦ ପ୍ରାପ୍ତିର ମହତ୍ତ୍ୱପୂର୍ଣ୍ଣ ପନ୍ଥା ଏବଂ ପରମବୁଦ୍ଧ ସୁଖ । ପତ୍ନୀଙ୍କୁ ସନ୍ଦେହ ଚକ୍ଷୁରେ ଦେଖିବା ଉଚିତ ନୁହେଁ । ଅତ୍ସଙ୍ଗ ‘ମତ୍ରେୟ ବୁଦ୍ଧଙ୍କ’ଙ୍କୁ ତନ୍ତ୍ର ସହିତ ସଂଯୋଗ କରି ତନ୍ତ୍ରର ଆରମ୍ଭ କରିଥିଲେ । ଅନ୍ୟ ଏକ ପ୍ରସିଦ୍ଧ ତନ୍ତ୍ରଗ୍ରନ୍ଥ ହେଉଛି ‘ଗୃହସମାଜ ତନ୍ତ୍ର’ (ଯୋଗ ଏବଂ ମହାଯୋଗ ତନ୍ତ୍ର) । ଏହା ତାନ୍ତ୍ରିକ ବିଦ୍ୟାଳୟ ପ୍ରଥମ କୃତି ଥିଲା । ଏହା ଉପରେ ମତଦେଇ ଡଃ ବିନୟତୋଷ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ ବୁଦ୍ଧଙ୍କ ଉପାସନା ପାଇଁ ଚଣ୍ଡାଳ ଝିଅ,ଏବଂ ସୁନ୍ଦରୀ ସ୍ତ୍ରୀଙ୍କ ସହିତ ଦୈହିକ ସୁଖ ମିଳନ କରିବା ଆବଶ୍ୟକ ବୋଲି ଏଥିରେ କୁହାଯାଇଛି ।

 

ଏହି ସବୁ ଆଲୋଚନାରୁ ସ୍ପଷ୍ଟ ହୁଏ ଯେ, ମହାଯାନର ମନ୍ତ୍ରଯାନ ମତବାଦ ପରିଶେଷରେ ତନ୍ତ୍ରଯାନରେ ପରିଣତ ହୋଇ ବୌଦ୍ଧଧର୍ମରେ ତନ୍ତ୍ରର ଉପାସନା କରିବା ପାଇଁ ବଜ୍ରଯାନ, କାଳଚକ୍ରଯାନ ଏବଂ ସହଯଯାନର ଉତ୍ପତ୍ତି ହୋଇଥିଲା । ଏହି ତିନିଗୋଟି ମତବାଦ ଓଡ଼ିଶାର ଯାଜପୁରରୁ ପ୍ରସାର ଲାଭ କରିଥିଲା । ଏଥିରେ କେତେକ ପରିବର୍ତ୍ତନ କରାଯାଇ ତନ୍ତ୍ରର ଆଶାୟୀ ମତବାଦଗୁଡିକୁ ପ୍ରବେଶ କରାଯାଇଥିଲା । ଯେପରିକି ରହସ୍ୟମୟ ସଂଚାରକା, ଭୟ ସଂଚାରକ ମତବାଦର ପ୍ରଚଳନ ଆରମ୍ଭ କରାଯାଇପାରିଥିଲା । ଫଳରେ ଉପାସନା କରିବା ଏବଂ ଆଶୀର୍ବାଦ ପାଇବା ପାଇଁ ମସ୍ତିଷ୍କ ଚାଳନା, ଅଥବା ୭ ଦିନ କିମ୍ବା ୩୦ ଦିନ ଅନ୍ତରରେ ଅତ୍ୟନ୍ତ ଦୁଇଥର ମୈଥୁନ ରତ ହେବାର ପ୍ରଚଳନ ଆରମ୍ଭ ହୋଇଥିଲା । ଏଥିସହିତ କୁହୁକ ବିଦ୍ୟାର ପ୍ରସ୍ତୁତି ପ୍ରୟୋଗ ଆଦିର ଅଧିକ ପ୍ରଚଳନ, ପ୍ରସାର କରାଯାଇ ତାହାର ବିକାଶ କରାଯାଇପାରିଥିଲା ।

 

ଏହି ତନ୍ତ୍ରଯାନର ମତବାଦ ପାଳନ କରିବା ପାଇଁ ପଡ଼ ଅଭିଚାର ପ୍ରଥା ରହିଥିଲା । ଯଥା-ମାରଣ, ମୋହନ, ସ୍ତମ୍ଭନ, ବିଦ୍ୱେଷଣ । ପଂଚ ‘ମ’ କାର ଯଥା-ମଦ୍ୟ, ମାଂସ,ମତ୍ସ୍ୟ, ମୁଦ୍ରା, ଏବଂ ମୈଥୁନ । କିନ୍ତୁ ଏହାର ମାତ୍ରାଧିକ ବିକାଶ ଫଳରେ ଏହି ଧାରାଟି ସମୟ ଗର୍ଭରେ ନିଜସ୍ୱ ସତ୍ତ୍ୱା ହରାଇ ବସିଥିଲା । ଫଳରେ ବୌଦ୍ଧଧର୍ମର ବାଣୀ, ମୂଲ୍ୟବୋଧ, ଜ୍ଞାନ, ବିଚାରଧାରା ଏବଂ ସର୍ବୋପରି ନୈତିକତା ଲୋକମାନଙ୍କ ମନରୁ ଅପସରି ଯିବାକୁ ଲାଗିଲା । କିନ୍ତୁ ପରୋକ୍ଷରେ ନିଜର ସ୍ଥିତି ଜାହିର କରିବାକୁ କେତେକ ମହାମନିଷୀ ବ୍ରହ୍ମଣଧର୍ମ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ତନ୍ତ୍ରବିଦ୍ୟାକୁ ଆଦରିଥିବା ମନେହୁଏ । ଏଥିସହିତ ଅନେକ ସମୟଧରି ଉଭୟ ତନ୍ତ୍ରଧାରାକୁ ପ୍ରଚଳନ କରି ସାମନ୍ତରାଳ ଭାବେ ଗତି କରିପାରି ନିଜ ଧର୍ମକୁ ଲୋପ ହେବାରୁ ରକ୍ଷା କରିପାରିଥିବାର କୁହାଯାଇପାରେ ।

 

ଏଭଳି ତନ୍ତ୍ର ବିଦ୍ୟାର ପ୍ରଚଳନ କରି ବୌଦ୍ଧଧର୍ମ ନିଜକୁ ଲୋକମାନଙ୍କ ପାଖରେ ପଂହଚାଇପାରିଥିଲା । ଅନ୍ୟପଟରେ ଏମିତ ମନେହୁଏ ଯେପରି ବ୍ରାହ୍ମଣ ଧର୍ମରେ ବ୍ରାହ୍ମଣଙ୍କ ନିଜ ପରିବାର ବସାଇବା ସହତ ରତିକ୍ରୀଡା, ଧନସମ୍ପତ୍ତିର ଉପଭୋଗ କରିବା ପଦ୍ଧତ୍ତିକୁ ବୌଦ୍ଧଧର୍ମର କେତେକ ପଣ୍ଡିତ ତଥା ଭିକ୍ଷୁ ଲାଳସା କରି ଏହାର ପ୍ରତିଷ୍ଠା କରିପାରିବାରେ ସକ୍ଷମ ହୋଇଥିଲେ । ତେବେ ସେ ଯାହାବି ହେଉ ଏହି ନୂତନ ତନ୍ତ୍ରଧାରାର ପ୍ରବେଶ ଏବଂ ପ୍ରୟୋଗ କରାଇ ବୌଦ୍ଧଧର୍ମ ବ୍ରାହ୍ମଣ ଧର୍ମର ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ନିଜକୁ ଉପସ୍ଥାପନା କରାଇ ଅନେକ କାଳ ପର୍ଯ୍ୟନ୍ତ ନିଜ ଧର୍ମର ସ୍ଥିତି ଜାହିର କରିପାରିଥିଲା ।

ଗବେଷକ ରେଭେନ୍ସା ବିଶ୍ୱବିଦ୍ୟାଳୟ,
କଦଳା(ହରିଦାସପୁର), ଧର୍ମଶାଳା, ଯାଜପୁର ।
ମୋ-୯୪୩୭୮୧୯୭୩୫


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top