ଓଡ଼ିଶାରେ ଏବେ ଦୁଷ୍କର୍ମ ଋତୁ!

News Story - Posted on 2018-01-25

ଜ୍ୟୋତିପ୍ରଭା ଆଚାର୍ଯ୍ୟ

 

ଯେଉଁ ଦିନ ଜଣେ ଝିଅ ମଧ୍ୟରାତ୍ରିରେ ରାଜରାସ୍ତାରେ ଏକାକୀ ଘରୁ ବାହାରି ସୁରକ୍ଷିତ ଭାବେ ଘରକୁ ଫେରି ଆସିବ, ସେହି ଦିନ ହିଁ ଆମେ ପ୍ରକୃତରେ ଏକ ସ୍ୱାଧୀନ ତଥା ଗଣତାନ୍ତ୍ରିକ ରାଷ୍ଟ୍ରର ନାଗରିକ ବୋଲି ଗର୍ବ କରିବା । - ମହାତ୍ମା ଗାନ୍ଧୀ

 

ମୁଁ ଜଣେ ଝିଅ ହୋଇଥିବାରୁ ଏ ପ୍ରସଙ୍ଗର ନାମକରଣ କଲାବେଳେ ମୋତେ ବି ଲଜ୍ଜା ଲାଗୁଛି । ତଥାପି ସାଂପ୍ରତିକ ପରିସ୍ଥିତିରେ ବାରମ୍ବାର ଘଟୁଥିବା ଏଭଳି ସମ୍ବେଦନଶୀଳ ଘଟଣାଗୁଡିକୁ ଦେଖି ତଥା ପ୍ରସଙ୍ଗର ପ୍ରାସଙ୍ଗିକତାକୁ ନେଇ ମୁଁ ଏଭଳି ଶିରୋନାମା କରିବାକୁ ବାଧ୍ୟ ହେଉଛି ।

 

ରାଜ୍ୟରେ କୁନ୍ଦୁଲି ନିଆଁ ଥମିବାର ନା ନେଉନଥିବା ବେଳେ ପୁଣି ଗୋଟିଏ ପରେ ଗୋଟିଏ ଦୁଷ୍କର୍ମ ଘଟଣା ପ୍ରତିଦିନ ସାମନାକୁ ଆସୁଛି । କେତେବେଳେ ନ୍ୟାୟ ନପାଇ ପୀଡିତା ଆତ୍ମହତ୍ୟା ଭଳି ଚରମ ନିଷ୍ପତି ବାଛି ନେଉଛନ୍ତି ତ ଆଉ କେତେବେଳେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଉଛନ୍ତି । ଏ ଆଦର୍ଶମାନେ ସେମାନଙ୍କ ଅଜାଣତରେ ଆଉ ନୀରବରେ ଆମ ବ୍ୟବସ୍ଥାକୁ ଶକ୍ତ ଚାପୁଡା ଦେବା ସହ ନୀର୍ଭିକ ଭାବେ ନିଜ ସ୍ୱାଭିମାନ ଓ ଇଜ୍ଜତ ପାଇଁ ସାହସର ସହ ମୃତ୍ୟୁକୁ ବରଣ କରୁଛନ୍ତି । ମୃତ୍ୟୁକୁ କେହି କେବେ ଖୁସିରେ ବରଣ କରେନାହିଁ ।

 

ବାଣପୁର ଥାନାର ତୁମୁରାପୁଟ ପଂଚାୟତର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ନାବାଳିକାର ବାପା ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଥଲେ । ଅଭିଯୋଗକୁ ୨୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ପୋଲିସ ମାମଲା ରୁଜୁ କରି ଚୁପ୍ ହୋଇଯାଇଥିଲା । ଆଉ ସେପଟେ ଅଭିଯୁକ୍ତ ଖୁଲମଖୁଲା ବାହାରେ ବୁଲୁଥିଲା । ପୋଲିସର ନିଷ୍କ୍ରିୟତା ଓ ଲୋକ ଲଜ୍ଜା ଯୋଗୁଁ ନାବାଳିକା ଜଣକ ନିରାଶ ହୋଇ ଜାନୁଆରୀ ୨୪ ତାରିଖ ବୁଧବାର କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ସେଭଳି ଗଣଦୁଷ୍କର୍ମର ଶିକାର ହୋଇଥିବା ମାଲକାନଗିରିି ଜିଲ୍ଲା ଗୋବିନ୍ଦପାଲ୍ଲୀର ପୀଡିତା ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବ ବୋଲି ଚେତାବନୀ ଦେଇଛନ୍ତି । ନ୍ୟାୟ ପାଇଁ ସେ ମୁଖ୍ୟମନ୍ତ୍ରୀ, ପୁଲିସ ଡିଜି, ହାଇକୋର୍ଟ ବିଚାରପତି, ମାନବାଧିକାର କମିଶନ, ମହିଳା କମିଶନ ସମସ୍ତଙ୍କୁ ଦେଖା କରିଥିଲେ ସୁଦ୍ଧା ତାଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳି ନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଗତ ଡିସେମ୍ବର ମାସରେ ପୀଡିତା ଗଣ ଦୁଷ୍କର୍ମ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୀଡିତା ଅଭିଯୁକ୍ତଙ୍କ ସଂପର୍କରେ ସମସ୍ତ ତଥ୍ୟ ଦେଲାପରେ ମଧ୍ୟ ପୋଲିସ ଜଣକୁ ଗିରଫ କରି ଅନ୍ୟ ୩ ଜଣଙ୍କୁ ଛାଡ଼ି ଦେଇଛି । ତେଣୁ ସେ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଛନ୍ତି ।

 

ବାରମ୍ବାର ଖାକିରେ ଦାଗ ଲାଗିଲାଣି । ସବୁ ଘଟଣାରେ ପୋଲିସର ଉଦାସୀନତା ଓ ଶିଥିଳ ନ୍ୟାୟିକ ବ୍ୟବସ୍ଥା ନେଇ ପ୍ରଶ୍ନ ଉଠୁଛି । କେତେବେଳେ ଏଫଆଇଆର ଦେବା ପାଇଁ ଥାନା ବାରଣ୍ଡାରେ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡ଼େ ତ ଆଉ କେତେବେଳେ ଜାଣି ଶୁଣି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରେ ପୋଲିସ । ବାସ୍ତବରେ ପଇସା ଓ ପାୱାର ବିନା ପୋଲିସ ବାଲା କୌଣସି ଅଭିଯୋଗର ତଦନ୍ତ କରନ୍ତି ନାହିଁ । ସେପଟେ ପୀଡିତାକୁ ନିଜ ସହ ହୋଇଥିବା ଜଘନ୍ୟ ଦୁର୍ଘଟଣା କୌଣସି ଫିଲ୍ମର କାହାଣୀ ପରି ବାରମ୍ବାର ବଖାଣିବାକୁ ପଡ଼େ । ସତେ ଯେମିତି ପୀଡ଼ିତା ସେହି କାହାଣୀର ମୁଖ୍ୟ ନାୟିକା । ଆଉ ଏସବୁ ଯନ୍ତ୍ରଣା ଶୁଣିବାକୁ ସମସ୍ତଙ୍କୁ ବହୁତ ଭଲ ଲାଗେ ।

 

ଆମେ କେତେ ଆଧୁନିକତା ଆଡ଼କୁ ଗତିି କଲେ ମଧ୍ୟ ଏ ସମାଜ କେବେ ପୁରୁଷ ରୂପରେ ଥିବା ଏଭଳି ଜଘନ୍ୟ ଅପରାଧ କରୁଥିବା କାପୁରୁଷଙ୍କୁ ସମାଲୋଚନା କରେ ନାହିଁ, ପ୍ରଶ୍ନ କରେ ନାହିଁ କି କଳଙ୍କ ବି ଦିଏ ନାହିଁ । ଆମ ବ୍ୟବସ୍ଥା ଓ ସମାଜ ସବୁବେଳେ ଝିଅ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରେ । କେବଳ ଲୋକଙ୍କର ଚାହାଣୀ ହିଁ ପୀଡିତା ପାଇଁ ଯଥେଷ୍ଟ । କାରଣ ଲୋକଙ୍କର ଚାହାଁଣି ସବୁ କିଛି ବୟାନ କରି ଦିଏ । ସତେ ଯେମିତି ସବୁ ଭୁଲ ଝିଅର । ଆଉ ସବୁଠୁ ବଡ ଭୁଲ ଝିଅ ହୋଇ ଜନ୍ମ ହେବା । ମହିଳାମାନଙ୍କୁ ତ୍ୱରିତ ନ୍ୟାୟ ଦେବା ପାଇଁ ପ୍ରତି ମହିଳା ଥାନାରେ ମହିଳା ଡେସ୍କ ଥିବାବେଳେ ରାଜଧାନୀରେ ମହିଳା କମିଶନ ମଧ୍ୟ ରହିଛି । କିନ୍ତୁ ଆଜିର ଲଜ୍ଜାଜନକ ଘଟଣା ସବୁକୁ ଦେଖିଲେ ମନେ ହୁଏ ସତେ ଯେମିତି ଏସବୁ ଆଦର୍ଶ ବ୍ୟବସ୍ଥାରେ କଳଙ୍କି ଲାଗି ଯାଇଛି । ତେବେ ଏ ବ୍ୟବସ୍ଥା କାହାପାଇଁ? ବାସ୍ତବରେ କେହି ନ୍ୟାୟ ଦେଇ ପାରେ ପୀଡିତାକୁ? ଶାରୀରିକ, ମାନସିକ ଓ ସାମାଜିକ ଯନ୍ତ୍ରଣା ସାଙ୍ଗକୁ ନିଷ୍ଠୁର ସତକୁ କହି କହି ଶେଷରେ ପୀଡିତା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ବାଛି ନିଏ । ନା ଥାଏ କହିବାର ସାହସ ନା ସହିବାର?

 

ଗୋଟିଏ ପରେ ଗୋଟିଏ ଘଟଣା ଦେଖି ମନେ ହେଉଛି ସତେଯେମିତି ଦୁଷ୍କର୍ମର ଋତୁ ଚାଲିଛି । ଆଉ ଏ ନିଆଁରେ ଜଣେ ପରେ ଜଣେ ଆଦର୍ଶ ବଳି ପଡୁଛନ୍ତି । ଏବେ ଆମେ ନିଜେ ହିଁ ନିଜର କୁତ୍ସିତ, ହୀନ ମାନସିକତାକୁ ବଦଳାଇବା ଜରୁରୀ ହୋଇ ପଡିଛି । ଏହା ଏକ ମହାମାରୀର ରୂପ ନେବା ପୂର୍ବରୁ ଆମେ ଓ ଆମ ବ୍ୟବସ୍ଥା ସଜାଗ ହେବା ନିହାତି ଦରକାର ।

 

ରାତି ପାହିଲେ ଦେଶ ପାଳନ କରିବ ୬୯ତମ ଗଣତନ୍ତ୍ର ଦିବସ । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ସମସ୍ତଙ୍କ ସୁଖ ସ୍ୱାଚ୍ଛନ୍ଦ୍ୟରେ ସ୍ୱାଧୀନତାର ସହ ବଂଚିବାର ଅଧିକାର ଅଛି । ଆମ ସମ୍ବିଧାନରେ ପୁରୁଷ ଓ ନାରୀଙ୍କ ସମାନ ଅଧିକାର ଥିବା ଉଲ୍ଲେଖ ଅଛି । ସେପଟେ ୭୧ ବର୍ଷ ସ୍ୱାଧୀନତାର ସ୍ୱାଦ ମଧ୍ୟ ଆମେ ଚାଖି ସାରିଲେଣି । କିନ୍ତୁ ପ୍ରକୃତରେ କ’ଣ ଆମେ ସ୍ୱାଧୀନ ଓ ଗଣତାନ୍ତ୍ରିକ ରାଷ୍ଟ୍ରରେ ବାସ କରୁଛେ? ଏଇ କ’ଣ ମହାତ୍ମା ଗାନ୍ଧୀଙ୍କ ସ୍ୱପ୍ନର ରାମରାଜ୍ୟ?


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top