ବିଖଣ୍ଡିତ ବିଶ୍ୱରେ ସମ୍ମିଳିତ ଭବିଷ୍ୟତ

News Story - Posted on 2018-01-24

ନରେନ୍ଦ୍ର ମୋଦୀ, ଭାରତର ପ୍ରଧାନମନ୍ତ୍ରୀ

 

ଡାଭୋସକୁ ଶେଷ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀଙ୍କ ଗସ୍ତ ୧୯୯୭ ମସିହାରେ ହୋଇଥିଲା, ଯେତେବେଳେ ଶ୍ରୀ ଦେବେଗୌଡ଼ା ଏଠାକୁ ଆସିଥିଲେ । ୧୯୯୭ରେ ଭାରତର ଜିଡିପି ମାତ୍ର ୪୦୦ ବିଲିୟନ ଡଲାର ଠାରୁ ଅଳ୍ପକିଛି ଥିଲା । ଏବେ ଦୁଇ ଦଶକ ପରେ ଏହାତ ପାଖାପାଖି ୬ ଗୁଣା ହୋଇସାରିଛି । ସେହି ବର୍ଷ ଏହି ଫୋରମର ବିଷୟ ବସ୍ତୁ ବିଲ୍ଡିଂ ଦି ନେଟୱାର୍କ ସୋସାଇଟି ଥିଲା । ଆଜି ୨୧ ବର୍ଷ ପରେ ଟେକ୍ନୋଲଜି ଏବଂ ଡିଜିଟାଲ ଏଜର ଉପଲବ୍ଧି ଏବଂ ପ୍ରାଥମିକତାକୁ ଦେଖିଲେ ଏହି ବିଷୟ ଶହ ଶହ ବର୍ଷ ପୁରୁଣା ଭଳି ଲାଗିୁଛି । ଆଜି ଆମେ କେବଳ ନେଟୱାର୍କ ସୋସାଇଟି ହିଁ ନୁହେଁ, ବରଂ ବୃହତ ଡାଟା, କୃତ୍ରିମ ଜ୍ଞାନ ବା ଆର୍ଟିଫିସିଆଲ ଇଂଟେଲିଜେନ୍ସ ତଥା ରୋବୋଟିକ୍ସର ଦୁନିଆରେ ଅଛୁ । ୧୯୯୭ରେ ୟୁରୋ ମୁଦ୍ରା ପ୍ରଚଳିତ ହୋଇନଥିଲା । ଆହୁରି ଏସିଆରେ ଆର୍ଥିକ ସଂକଟର କୌଣସି ଠିକ-ଠିକଣା ନଥିଲା, ବ୍ରେକଜିଟର ସମ୍ଭାବନା ମଧ୍ୟ ନଥିଲା । ୧୯୯୭ରେ ଖୁବ କମ ଲୋକ ଓସାମା ବିନ ଲାଦେନ ବିଷୟରେ ଶୁଣିଥିଲେ ଏବଂ ହାରୀ ପୋର୍ଟର ନାଁ ମଧ୍ୟ ଅଜଣା ଥିଲା । ସେତେବେଳେ ଚେସ ଖେଳାଳୀଙ୍କୁ କମ୍ପ୍ୟୁଟରଠାରୁ ହାରିବାର ଗୁରୁତର ବିପଦ ନଥିଲା । ସେତେବେଳେ ସାଇବର ସ୍ପେସରେ ଗୁଗଲର ଅବତାର ମଧ୍ୟ ହୋଇନଥିଲା ।

 

ଆହୁରି ଯଦି ୧୯୯୭ରେ ଆପଣ ଇଂଟରନେଟରେ ଆମାଜନ ନାମକ ଶବ୍ଦ ଖୋଜିଥା’ନ୍ତେ ତା’ହେଲେ ଆପଣଙ୍କୁ ନଦୀ ଏବଂ ଘନ ଜଙ୍ଗଲ ବିଷୟରେ ସୂଚନା ମିଳିଥା’ନ୍ତା । ସେ ସମୟରେ ଟ୍ୱିଟ କରିବା ଚଢ଼େଇଙ୍କ କାମ ଥିଲା, ମନୁଷ୍ୟଙ୍କର ନୁହେଁ । ତାହା ବିଗତ ଶତାବ୍ଦୀ ଥିଲା । ଆଜି, ଦୁଇ ଦଶକ ପରେ ଆମ ବିଶ୍ୱ ଏବଂ ଆମ ସମାଜ ଅତ୍ୟନ୍ତ ଜଟିଳ ନେଟୱାର୍କଗୁଡ଼ିକର ନେଟୱାର୍କ ଅଟେ । ସେ ସମୟରେ ମଧ୍ୟ ଡାଭୋସ ନିଜ ସମୟ ଠାରୁ ଆଗରେ ଥିଲା, ଏବଂ ଏହା ବିଶ୍ୱ ଅର୍ଥନୈତିକ ଫୋରମର ଭବିଷ୍ୟତର ପରିଚାୟକ ଥିଲା । ଆଜି ମଧ୍ୟ ଡାଭୋସ ନିଜ ସମୟ ଠାରୁ ଆଗରେ ରହିଛି ।

 

ଏ ବର୍ଷ ଫୋରମର ବିଷୟବସ୍ତୁ- କ୍ରିଏଟିଂ ଏ ଶେୟାର୍ଡ ଫୁଚର ଇନ ଏ ଫ୍ରାକଚର୍ଡ ୱାର୍ଲ୍ଡ ରଖାଯାଇଛି । ଅର୍ଥାତ୍ ବିଭେଦରେ ପରିପୂର୍ଣ୍ଣ ବିଶ୍ୱରେ ଭାଗିଦାରୀଭିତ୍ତିକ ଭବିଷ୍ୟତର ନିର୍ମାଣ । ନୂଆ ନୂଆ ପରିବର୍ତ୍ତନ ଦ୍ୱାର, ନୂଆ ନୂଆ ଶକ୍ତି ଦ୍ୱାରା ଆର୍ଥିକ କ୍ଷମତା ଏବଂ ରାଜନୈତିକ ଶକ୍ତିର ସନ୍ତୁଳନ ବଦଳୁଛି । ଏହାଦ୍ୱାରା ବିଶ୍ୱର ସ୍ୱରୂପରେ ଦୂରଗାମୀ ପରିବର୍ତ୍ତନର ଛବି ଦେଖାଦେଉଛି । ବିଶ୍ୱ ସମ୍ମୁଖରେ ଶାନ୍ତି, ସ୍ଥିରତା ଏବଂ ସୁରକ୍ଷାକୁ ନେଇ ନୂଆ ଏବଂ ଗମ୍ଭୀର ଆହ୍ୱାନ ରହିଛି । ଟେକ୍ନୋଲଜି ଦ୍ୱାରା ପରିଚାଳିତ ରୂପାନ୍ତରଣ ଆମ ରହିବା, କାମ କରିବା, ବ୍ୟବହାର, କଥାବାର୍ତ୍ତା ଏବଂ ଏପରିକି ଅନ୍ତର୍ଜାତୀୟ ଗୋଷ୍ଠୀ ଏବଂ ରାଜନୀତି ତଥା ଅର୍ଥବ୍ୟବସ୍ଥାକୁ ଗଭୀର ଭାବେ ପ୍ରଭାବିତ କରୁଅଛି । ଟେକ୍ନୋଲଜିକୁ ଯୋଡ଼ିବା, ମୋଡ଼ିବା ଏବଂ ଭାଙ୍ଗିବା-ତିନୋଟି ସୋପାନର ଏକ ବଡ଼ ଉଦାହରଣ ସୋସିଆଲ ମିଡିଆର ପ୍ରୟୋଗରେ ଦେଖିବାକୁ ମିଳୁଛି । ଆଜି ଡାଟା ସବୁଠୁ ବଡ଼ ସମ୍ପଦ ଅଟେ । ଡାଟାର ଜାଗତିକ ପ୍ରବାହ ଦ୍ୱାରା ସବୁଠୁ ବଡ଼ ସୁଯୋଗ ସୃଷ୍ଟି ହେଉଛି, ଏବଂ ସବୁଠୁ ବଡ଼ ଆହ୍ୱାନ ମଧ୍ୟ । ଡାଟାର ପାହାଡ଼ ଉପରେ ପାହାଡ଼ ନିର୍ମିତ ହେଉଛି । ସେଗୁଡ଼ିକ ଉପରେ ନିୟନ୍ତ୍ରଣ ପାଇଁ ପ୍ରତିଯୋଗିତା ଜାରି ରହିଛି । କାରଣ, ଏହା ବିବେଚନା କରାଯାଉଛି ଯେ ଯିଏ ଡାଟାକୁ ନିୟନ୍ତ୍ରଣରେ ରଖିପାରିବ, ସେ ହିଁ ଭବିଷ୍ୟତରେ ନିଜର ପ୍ରଭାବ ବିସ୍ତାର କରିପାରିବ । ଏହିପରି ସାଇବର ସୁରକ୍ଷା ଏବଂ ଆଣବିକ ନିରାପତ୍ତା କ୍ଷେତ୍ରରେ ମଧ୍ୟ ଦ୍ରୁତଗତିରେ ବଦଳୁଥିବା ଟେକ୍ନୋଲଜି ଏବଂ ବିନାଶକାରୀ ଶକ୍ତିର ବିସ୍ତାର ଦ୍ୱାରା ପୂର୍ବରୁ ଚାଲିଆସୁଥିବା ଆହ୍ୱାନ ଆହୁରି ଗମ୍ଭୀର ହୋଇଯାଇଛି । ବିଜ୍ଞାନ, ପ୍ରଯୁକ୍ତି ଏବଂ ଆର୍ଥିକ ପ୍ରଗତିର ନୂଆ ସୋପାନରେ ଗୋଟିଏ ପଟେ ମଣିଷକୁ ସମୃଦ୍ଧିର ନୂଆ ରାସ୍ତା ଦେଖାଇବାର କ୍ଷମତା ରହିଛି । ଅନ୍ୟପକ୍ଷେ ଏହି ପରିବର୍ତ୍ତନ ଫଳରେ ଏପରି ଫାଟ ମଧ୍ୟ ସୃଷ୍ଟି ହୋଇଛି ଯାହା ଯନ୍ତ୍ରଣାଦାୟକ ଆଘାତ ପହଂଚାଇପାରେ । ଅଧିକାଂଶ ପରିବର୍ତ୍ତନ ଏପରି ପ୍ରାଚୀର ସୃଷ୍ଟି କରିଛି ଯାହା ସମଗ୍ର ମାନବଜାତି ପାଇଁ ଶାନ୍ତି ଏବଂ ସମୃଦ୍ଧିର ରାସ୍ତାକୁ ଦୁର୍ଗମ ହିଁ ନୁହେଁ ଦୁଃସାଧ୍ୟ କରିଦେଇଛି । ଏହି ବିଭେଦ, ଏହି ଭାଗ ଏବଂ ଏହି ବାଧକ ବିକାଶର ଅଭାବ କାରଣରୁ, ଦାରିଦ୍ର୍ୟ କାରଣରୁ, ବେକାରୀ କାରଣରୁ, ସୁଯୋଗ ଅଭାବ କାରଣରୁ ଏବଂ ପ୍ରାକୃତିକ ତଥା ବୈଷୟିକ ସମ୍ବଳ ଉପରେ ଆଧିପତ୍ୟ କାରଣରୁ ହୋଇଛି । ଏହି ପରିବେଶରେ ଆମ ସମ୍ମୁଖରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଛି ଯାହା ମାନବଜାତିର ଭବିଷ୍ୟତ ଏବଂ ପରବର୍ତ୍ତୀ ପିଢ଼ିର ଐତିହ୍ୟ ଲାଗି ଉଚିତ ଜବାବ ମାଗୁଛି ।

 

ଆମ ଅର୍ଥବ୍ୟବସ୍ଥା କ’ଣ ଏସବୁ ଫାଟ ଏବଂ ଦୂରତ୍ୱକୁ ପ୍ରୋତ୍ସାହନ ଦେଉଛି? ଏପରି କେଉଁ ଶକ୍ତି ରହିଛି ଯାହା ସାମଞ୍ଜସ୍ୟ ଉପରେ ବିଚ୍ଛନ୍ନତାକୁ ଗୁରୁତ୍ୱ ଦେଉଛି, ଯାହା ସହଯୋଗ ଉପରେ ସଂଘର୍ଷକୁ ପ୍ରଭାବଶାଳୀ କରୁଛି? ଆହୁରି ଆମ ପାଖରେ ଏପରି କେଉଁ ସାଧନ ରହିଛି, କେଉଁ ମାର୍ଗ ରହିଛି ଯାହା ଜରିଆରେ ଆମେ ଏହି ଫାଟ ଏବଂ ଦୂରତ୍ୱ ଦୂର କରି ଏକ ସୁଗମ ଏବଂ ଭାଗିଦାରୀଭିତିକ ଭବିଷ୍ୟତର ସ୍ୱପ୍ନକୁ ସାକାର କରିପାରିବା?

 

ଭାରତ, ଭାରତୀୟତା ଏବଂ ଭାରତୀୟ ଐତିହ୍ୟର ପ୍ରତିନିଧି ହୋଇଥିବା ଦୃଷ୍ଟିରୁ ମୋ ପାଇଁ ଏହି ଫୋରମର ବିଷୟ ଯେତିକି ସମକାଳୀନ ଅଟେ ସେତିକି ସମୟାତୀତ ମଧ୍ୟ । ସମୟାତୀତ ଏଥିପାଇଁ କାରଣ ଭାରତରେ ଅନାଦିକାଳରୁ ଆମେ ମାନବ ମାତ୍ରକେ ଯୋଡ଼ିବାରେ ବିଶ୍ୱାସ କରିଆସିଛୁ, ତା’କୁ ଭାଙ୍ଗିବାରେ ନୁହେଁ, ତା’କୁ ଯୋଡ଼ିବାରେ ନୁହେଁ । ହଜାର ହଜାର ବର୍ଷ ପୂର୍ବେ ସଂସ୍କୃତ ଭାଷାରେ ଲିଖିତ ଗ୍ରନ୍ଥରେ ଭାରତୀୟ ଚିନ୍ତାନାୟକମାନେ କହିଥିଲେ, ବସୁଧୈବ କୁଟୁମ୍ବକମ । ଅର୍ଥାତ ସମଗ୍ର ବିଶ୍ୱ ଏକ ପରିବାର ଅଟେ । ତତ୍ତ୍ୱ ଦୃଷ୍ଟିରୁ ଆମେ ସମସ୍ତେ ଗୋଟିଏ ପରିବାର ଭଳି ବାନ୍ଧି ହୋଇଛୁ, ଆମର ଭାଗ୍ୟ ଏକ ଭାଗିଦାରୀର ସୂତ୍ରରେ ଆମକୁ ଯୋଡ଼ୁଛି । ବସୁଧୈବ କୁଟୁମ୍ବକମର ଏହି ଧାରଣା ନିଶ୍ଚିତ ଭାବେ ଆଜି ଫାଟ ଏବଂ ଦୂରତ୍ୱକୁ ଦୂର କରିବା ଲାଗି ଆହୁରି ଅଧିକ ସାର୍ଥକ । କିନ୍ତୁ ଆଜି ଏକ ଗମ୍ଭୀର ପ୍ରସଙ୍ଗ ଏହା ଯେ ଏହି ସମୟର ବିକଟ ଆହ୍ୱାନର ମୁକାବିଲା ଲାଗି ଆମ ମଧ୍ୟରେ ସହମତିର ଅଭାବ ରହିଛି । ପରିବାରରେ ଯେଉଁ ଗୋଟିଏ ପଟେ ସୌହାର୍ଦ୍ଦ୍ୟ ଏବଂ ସହଯୋଗ ରହିଛି ସେଇଠି କିଛି ନା କିଛି ମତଭେଦ ଏବଂ ଝଗଡ଼ା ମଧ୍ୟ ଥାଇପାରେ । କିନ୍ତୁ ପରିବାରର ପ୍ରାଣ, ଏହାର ପ୍ରେରଣା ଏପରି ଭାବନା ଆଣିଥାଏ ଯେ ଯେତେବେଳେ ଆହ୍ୱାନ ସାମ୍ନାକୁ ଆସୁଛି ସମସ୍ତେ ମିଶି ତାହାର ମୁକାବିଲା କରିଥା’ନ୍ତି, ଆହୁରି ଏକଜୁଟ ହୋଇ ଉପଲବ୍ଧି ଏବଂ ଆନନ୍ଦର ଭାଗିଦାର ହୋଇଥାଉ । କିନ୍ତୁ ଚିନ୍ତାର ବିଷୟ ହେଉଛି ଯେ ଆମ ବିଭାଜନ, ଦୂରତ୍ୱ ଏହି ଆହ୍ୱାନ ବିରୋଧରେ ମାନବ ଜାତିର ସଂଘର୍ଷକୁ ଆହୁରି ମଧ୍ୟ କଠୋର କରିଦେଇଛି । ଯେଉଁ ଆହ୍ୱାନ ଦିଗରେ ମୁଁ ଇସାରା କରୁଛି ତାହାର ସଂଖ୍ୟା ମଧ୍ୟ ବହୁତ ଏବଂ ବିସ୍ତାର ମଧ୍ୟ ବ୍ୟାପକ ଅଟେ ।

 

ଏଠାରେ ମୁଁ କେବଳ ତିନୋଟି ପ୍ରମୁଖ ଆହ୍ୱାନର ଉଲ୍ଲେଖ କରିବି ଯାହା ମାନବ ସଭ୍ୟତା ଲାଗି ବଡ଼ ବିପଦ ସୃଷ୍ଟି କରୁଛି । ପ୍ରଥମ ବିପଦ ହେଲା ଜଳବାୟୁ ପରିବର୍ତ୍ତନର । ବରଫ ଖଣ୍ଡ ତରଳି ଚାଲିଛି । ଆର୍କଟିକର ବରଫ ତରଳିଚାଲିଛି । ଅନେକ ଦ୍ୱୀପ ବୁଡ଼ିଚାଲିଛି, କିମ୍ବା ବୁଡ଼ିବା ସ୍ଥିତିରେ ରହିଛି । ଖୁବ ଗରମ ଏବଂ ଅତି ଥଣ୍ଡା, ଖୁବ ବର୍ଷା ଆଉ ବନ୍ୟା କିମ୍ବା ଚାରିଆଡ଼େ ମରୁଡ଼ି-ଖରାପ ପାଣିପାଗର ପ୍ରଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏପରି ପରିସ୍ଥିତିରେ ଆମକୁ ଆମର ସୀମିତ ସଂକୀର୍ଣ୍ଣ ସୀମାରୁ ବାହାରି ଏକଜୁଟ ହେବା ଉଚିତ । କିନ୍ତୁ କ’ଣ ଏପରି ହୋଇଛି? ଯଦି ହୋଇନାହିଁ, ତା’ହେଲେ କାହିଁକି? ଆହୁରି ଆମେ କ’ଣ କରିପାରିବା ଉଚିତ ଯାହା ଏହି ପରିସ୍ଥିତିରେ ସୁଧାର ଆଣିପାରିବ । ସମସ୍ତେ କହୁଛନ୍ତି ଯେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ ହେବା ଉଚିତ । କିନ୍ତୁ ଏମିତି କେତେ ଦେଶ କିମ୍ବା ଲୋକ ଅଛନ୍ତି ଯେଉଁମାନେ ବିକାଶଶୀଳ ଦେଶ ଏବଂ ସମାଜକୁ ଉପଯୁକ୍ତ ଟେକ୍ନୋଲଜି ଉପଲବ୍ଧ କରାଇବା ଲାଗି ଆବଶ୍ୟକ ସମ୍ବଳ ଯୋଗାଇ ଦେବାରେ ସହାୟତା କରିବାକୁ ଚାହୁଁଛନ୍ତି ।

 

ଆପଣମାନେ ଅନେକ ଥର ଶୁଣିଥିବେ ଭାରତୀୟ ପରମ୍ପରାରେ ପ୍ରକୃତିକ ସହ ଗଭୀର ତାଳମେଳ ବିଷୟରେ । ହଜାର ହଜାର ବର୍ଷ ପୂର୍ବେ ଆମ ଶାସ୍ତ୍ରରେ ମନୁଷ୍ୟମାତ୍ରକୁ କୁହାଯାଇଥିଲା- ଭୂମି ମାତା, ପୁତ୍ରୋ ଅହମ ପୃଥିବ୍ୟା । ଅର୍ଥାତ, ଆମେ ମଣିଷ ପୃଥିବୀ ମାତାର ସନ୍ତାନ । ଯଦି ଆମେ ପୃଥିବୀର ସନ୍ତାନ ଅଟୁ ତା’ହେଲେ ଆଜି ମାନବ ଏବଂ ପ୍ରକୃତି ମଧ୍ୟରେ ସଂଘର୍ଷ କାହିଁକି ଲାଗିଛି?

 

ହଜାର ହଜାର ବର୍ଷ ପୂର୍ବେ ଭାରତରେ ଲେଖା ହୋଇଥିବା ସବୁଠୁ ପ୍ରମୁଖ ଉପନିଷଦ ଇଶୋପନିଷଦର ଆରମ୍ଭରେ ହିଁ ତତ୍ତ୍ୱଦ୍ରଷ୍ଟା ଗୁରୁମାନେ ନିଜ ଶିଷ୍ୟମାନଙ୍କୁ ପରିବର୍ତ୍ତନଶୀଳ ଜଗତ ବିଷୟରେ କହିଛନ୍ତି, ତେନ ତ୍ୟକ୍ତେନ ଭୁଞ୍ଜୀଥା, ମାଗୃଧଃକସ୍ୟାସ୍ୱିଦ୍ଧନମ । ଅର୍ଥାତ ସଂସାରରେ ରହି ତାହାର ତ୍ୟାଗ ପୂର୍ବକ ଭୋଗ କର ଏବଂ ଅନ୍ୟ କାହାର ସମ୍ପତି ପ୍ରତି ଲୋଭ କରନାହିଁ । ଅଢ଼େଇ ହଜାର ବର୍ଷ ପୂର୍ବରୁ ଭଗବାନ ବୁଦ୍ଧ ଅପରିଗ୍ରହ ଅର୍ଥାତ ଆବଶ୍ୟକତା ଅନୁଯାୟୀ ବ୍ୟବହାରକୁ ନିଜ ସିଦ୍ଧାନ୍ତରେ ପ୍ରମୁଖ ସ୍ଥାନ ଦେଇଥିଲେ । ଭାରତର ରାଷ୍ଟ୍ରପିତା ମହତ୍ମା ଗାନ୍ଧୀଙ୍କ ଟ୍ରଷ୍ଟିସିପ ସିଦ୍ଧାନ୍ତ ମଧ୍ୟ ଆବଶ୍ୟକତା ଅନୁସାରେ ଉପଯୋଗ ଏବଂ ଉପଭୋଗ କରିବାକୁ ସମର୍ଥନ କରୁଥିଲା । ଚିନ୍ତା କରିବାର ବିଷୟ ହେଉଛି ତ୍ୟାଗପୂର୍ବକ ଭୋଗରୁ ଯାଇ ଆବଶ୍ୟକତା ଅନୁଯାୟୀ ଉପଯୋଗ କରି ଆମେ ଏବେ ଏତେ ଲୋଭର ବଶବର୍ତ୍ତୀ ହୋଇ ପ୍ରକୃତିକୁ ଶୋଷଣ କରିବା ପର୍ଯ୍ୟନ୍ତ କିପରି ପହଁଚିଯାଇଛୁ । ଏହାଦ୍ୱାରା ଆମର ବିକାଶ ହୋଇଛି ନା ପତନ? ଆମ ମସ୍ତିଷ୍କର ଏହି ଦୁରବସ୍ଥା, ଆମ ସ୍ୱାର୍ଥର ଏହି ଭୟଙ୍କର ପ୍ରତିଫଳନ, ଆମକୁ କାହିଁକି ଆତ୍ମଚିନ୍ତନ ଲାଗି ବାଧ୍ୟ କରୁନାହିଁ?

 

ଯଦି ଆମେ ଚିନ୍ତା କରିବା ତା’ହେଲେ ଜାଣିପାରିବା ଯେ ଆଜି ପରିବେଶରେ ବ୍ୟାପି ରହିଥିବା ଭୟଙ୍କର କୁପରିଣାମଗୁଡ଼ିକର ସମାଧାନ ପାଇଁ ଏକ ପ୍ରଭାବୀ ଉପାୟ ରହିଛି- ପ୍ରାଚୀନ ଭାରତୀୟ ଦର୍ଶନର ମାନବ ଏବଂ ପ୍ରକୃତି ମଧ୍ୟରେ ସାମଞ୍ଜସ୍ୟ । କେବଳ ଏହା ନୁହେଁ, ଏହି ଦର୍ଶନରୁ ଜନ୍ମ ନେଇଥିବା ଯୋଗ ଏବଂ ଆୟୁର୍ବେଦ ଭଳି ଭାରତୀୟ ପରମ୍ପରାର ସମ୍ପୂର୍ଣ୍ଣ ପଦ୍ଧତି କେବଳ ପରିବେଶ ଏବଂ ଆମ ଭିତରେ ରହିଥିବା ଫାଟକୁ ଦୂର କରିବ ନାହିଁ, ବରଂ ଆମକୁ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ସ୍ୱାସ୍ଥ୍ୟ ଏବଂ ସନ୍ତୁଳନ ମଧ୍ୟ ପ୍ରଦାନ କରିଥାଏ । ପରିବେଶକୁ ସୁରକ୍ଷା ଦେବା ଏବଂ ଜଳବାୟୁ ପରିବର୍ତନର ପ୍ରତିକାର କରିବା ଲାଗି ଏକ ବହୁତ ବଡ଼ ଅଭିଯାନ, ଏକ ବହୁତ ବଡ଼ ଲକ୍ଷ୍ୟ ମୋ ସରକାର ଦେଶ ସମ୍ମୁଖରେ ରଖିଛି । ବର୍ଷ ୨୦୨୨ ସୁଦ୍ଧା ଆମକୁ ଭାରତରେ ୧୭୫ ଗିଗାୱାଟ ନବୀକରଣଯୋଗ୍ୟ ଶକ୍ତିର ଉତ୍ପାଦନ କରିବାକୁ ହେବ । ପାଖାପାଖି ଗତ ତିନି ବର୍ଷରେ ୬୦ ଗିଗାୱାଟ, ଅର୍ଥାତ ଏହି ଲକ୍ଷ୍ୟର ଏକ ତୃତୀୟାଂଶରୁ ମଧ୍ୟ ଅଧିକ ଆମେ ପ୍ରାପ୍ତ କରିସାରିଛୁ । ୨୦୧୬ରେ ଭାରତ ଏବଂ ଫ୍ରାନ୍ସ ମିଶି ଏକ ନୂଆ ଅନ୍ତର୍ଜାତୀୟ ସନ୍ଧି ଆଧାରିତ ସଂଗଠନର ପରିକଳ୍ପନା କରିଛନ୍ତି । ଏହି ବୈପ୍ଳବିକ ପଦକ୍ଷେପ ଏବେ ଏକ ସଫଳ ପ୍ରୟୋଗରେ ପରିବର୍ତନ ହୋଇସାରିଛି । ଅନ୍ତର୍ଜାତୀୟ ସୌର ମେଂଟ ରୂପରେ ଏହି ପଦକ୍ଷେପ ଆବଶ୍ୟକ ସନ୍ଧି ସଂଶୋଧନ ପରେ ଏବେ ଏକ ବାସ୍ତବିକତା ଅଟେ । ମୁଁ ଅତି ଆନନ୍ଦିତ ଯେ ଚଳିତ ବର୍ଷ ମାର୍ଚ୍ଚରେ ଫ୍ରାନ୍ସର ରାଷ୍ଟ୍ରପତି ମାକ୍ରୋଁ ଏବଂ ମୋର ମିଳିତ ଆମନ୍ତ୍ରଣରେ ଏହି ମେଂଟର ସଦସ୍ୟ ଦେଶର ନେତାମାନେ ନୂଆଦିଲ୍ଲୀରେ ହେଉଥିବା ମେଂଟର ପ୍ରଥମ ସମ୍ମିଳନୀରେ ଭାଗ ନେବେ ।

 

ଦ୍ୱିତୀୟ ବଡ଼ ଆହ୍ୱାନ ହେଉଛି ଆତଙ୍କବାଦ । ଏ ସମ୍ପର୍କରେ ଭାରତର ଚିନ୍ତା ଏବଂ ସାରା ବିଶ୍ୱରେ ସମଗ୍ର ମାନବଜାତି ପାଇଁ ଏହି ଗମ୍ଭୀର ବିପଦର ବୃଦ୍ଧି ଏବଂ ବଦଳୁଥିବା ସ୍ୱରୂପ ସହ ଆପଣମାନେ ଭଲ ଭାବେ ପରିଚିତ ଥିବେ । ମୁଁ ଏଠାରେ କେବଳ ଦୁଇଟି ଦିଗ ପ୍ରତି ଆପଣଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି ଚାହୁଁଛି । ଆତଙ୍କବାଦ ଯେତେ ବିପଜ୍ଜନକ ଅଟେ ତା’ଠାରୁ ଅଧିକ ବିପଜ୍ଜନକ ହେଉଛି ଭଲ ଆତଙ୍କବାଦ ଏବଂ ଖରାପ ଆତଙ୍କବାଦ ମଧ୍ୟ ନିର୍ମାଣ କରାଯାଇଥିବା କାଳ୍ପନିକ ପ୍ରଭେଦ । ଦ୍ୱିତୀୟ ସମକାଳୀନ ଗୁରୁତ୍ୱପୂର୍ଣ୍ଣ ଦିନ ଯାହା ଉପରେ ମୁଁ ଆପଣଙ୍କ ଧ୍ୟାନ ଆକର୍ଷଣ କରିବା ଲାଗି ଚାହୁଁଛି ତାହା ହେଉଛି ଶିକ୍ଷିତ ଏବଂ ସମ୍ପନ୍ନ ଯୁବକମାନେ ଉଗ୍ରବାଦର ଶିକାର ହୋଇ ଆତଙ୍କବାଦରେ ଲିପ୍ତ ରହିବ । ମୋର ଆଶା ଯେ ଏହି ଫୋରମରେ ଆତଙ୍କବାଦ ଏବଂ ହିଂସାର ପ୍ରଭେଦରୁ, ଏହା ଦ୍ୱାରା ଉତ୍ପନ୍ନ ଦୂରତ୍ୱରୁ ଆମ ସମ୍ମୁଖରେ ଥିବା ଗମ୍ଭୀର ଆହ୍ୱାନ ଉପରେ ଏବଂ ଏହାର ସମାଧାନ ବିଷୟରେ ଚର୍ଚ୍ଚା ହେବ ।

 

ତୃତୀୟ ଆହ୍ୱାନରେ ମୁଁ ଏହା ଦେଖୁଛି ଯେ ଅଧିକାଂଶ ସମାଜ ଏବଂ ଦେଶ ଅଧିକରୁ ଅଧିକ ଆତ୍ମକୈନ୍ଦ୍ରିତ ହୋଇଚାଲିଛନ୍ତି । ଏମିତି ଲାଗୁଛି ଯେ ଜଗତିକରଣର ନିଜ ନାମର ବିପରୀତ ଦିଗରେ ସଂକୁଚିତ ହୋଇଚାଲିଛି । ଏ ପ୍ରକାରର ମନୋବୃତି ଏବଂ ଭୁଲ ପ୍ରାଥମିକତାର କୁପରିଣାମକୁ ଜଳବାୟୁ ପରିବର୍ତନ କିମ୍ବା ଆତଙ୍କବାଦର ବିପଦ ଠାରୁ କମ ବୋଲି କହିହେବ ନାହିଁ । ତେବେ ଯେ କେହି ଆନ୍ତଃସଂଯୁକ୍ତ ବିଶ୍ୱର କଥା କହୁଛନ୍ତି କିନ୍ତୁ ଜଗତିକରଣର ଚମକ କମ ହେଉଛି । ମିଳିତ ଜାତି ସଂଘର ଆଦର୍ଶ ଏବେ ମଧ୍ୟ ସର୍ବମାନ୍ୟ ଅଟେ । ବିଶ୍ୱ ବାଣିଜ୍ୟ ସଂଗଠନ ମଧ୍ୟ ବ୍ୟାପକ ଅଟେ । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ନିର୍ମିତ ହୋଇଥିବା ବିଶ୍ୱ ସଂଗଠନର ଢାଂଚା, ବ୍ୟବସ୍ଥା ଏବଂ ଏହାର କାର୍ଯ୍ୟପଦ୍ଧତି କ’ଣ ଆଜିର ମାନବଜାତିର ଆକାଂକ୍ଷା ଏବଂ ତାହାର ସ୍ୱପ୍ନକୁ, ଆଜିର ବାସ୍ତବିକତା ସହ ପରିଲକ୍ଷିତ କରିପାରୁଛି?

 

ଏହି ପ୍ରତିଷ୍ଠାନଗୁଡ଼ିକର ପୁରୁଣା ବ୍ୟବସ୍ଥା ଏବଂ ଆଜିର ବିଶ୍ୱରେ ବିଶେଷ କରି ଅଧିକାଂଶ ବିକାଶଶୀଳ ଦେଶର ଆବଶ୍ୟକତା ମଧ୍ୟରେ ଏକ ବଡ଼ ଖାଲ ରହିଛି । ଜଗତିକରଣର ବିପରୀତ ଆତ୍ମସୁରକ୍ଷା ମନୋଭବା ବିଶିଷ୍ଟ ଶକ୍ତି ମୁଣ୍ଡ ଟେକୁଛି । ସେମାନଙ୍କ ଉଦ୍ଦେଶ୍ୟ କେବଳ ନିଜକୁ ଜଗତୀକରଣର ଉଦ୍ଦେଶ୍ୟରୁ ବଂଚାଇବା ନୁହେଁ, ବରଂ ଜଗତିକରଣର ପ୍ରାକୃତିକ ପ୍ରବାହର ମୋଡ଼କୁ ମଧ୍ୟ ବଦଳାଇଦେବା । ଏହାର ପରିଣାମସ୍ୱରୂପ ନୂଆ ନୂଆ ପ୍ରକାରର ଶୁଳ୍କ ଏବଂ ଅଣ-ଶୁଳ୍କ ବାଧା ଦେଖିବାକୁ ମିଳୁଛି । ଦ୍ୱିପାକ୍ଷିକ ଏବଂ ବହୁପକ୍ଷୀୟ ବ୍ୟବସାୟିକ ବୁଝାମଣା ଏବଂ ଆଲୋଚନା ଯେପରି ଅଟକି ଯାଇଛି । ସୀମାପାର ଆର୍ଥିକ ନିବେଶ ଅଧିକାଂଶ ଦେଶରେ ହ୍ରାସ ପାଇଛି । ଆହୁରି ଜାଗତିକ ଯୋଗାଣ ଶୃଙ୍ଖଳାର ଅଭିବୃଦ୍ଧି ମଧ୍ୟ ଅଟକି ଯାଇଛି । ଜଗତୀକରଣ ବିରୋଧରେ ଏହି ଚିନ୍ତାଜନକ ସ୍ଥିତିର ସମାଧାନ ବିଚ୍ଛିନ୍ନତାରେ ନାହିଁ । ଏହାର ସମାଧାନ ପରିବର୍ତନକୁ ବୁଝିବା ଏବଂ ତା’କୁ ସ୍ୱୀକାର କରିବାରେ ରହିଛି । ବଦଳୁଥବା ସମୟ ସହିତ କ୍ଷୀପ୍ର ଏବଂ ନମନୀୟ ନୀତିର ନିର୍ମାଣ କରିବାରେ ରହିଛି । ଭାରତର ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ କହିଥିଲେ, “ମୁଁ ଚାହୁଁନାହିଁ ଯେ ମୋ ଘରର କାନ୍ଥ ଏବଂ ଝରକା ସବୁଆଡ଼ୁ ବନ୍ଦ ରହିଥିବ । ମୁଁ ଚାହୁଁଛି ଯେ ସବୁ ଦେଶର ସଂସ୍କୃତିର ପବନ ମୋ ଘରକୁ ସମ୍ପୂର୍ଣ୍ଣ ସ୍ୱାଚ୍ଛନ୍ଦ୍ୟର ସହ ଆସୁ । କିନ୍ତୁ ଏପରି ପବନ ଦ୍ୱାରା ମୋର ପାଦ ଦୋହଲିଯାଉ, ତାହା ମୁଁ ଗ୍ରହଣ କରିପାରିବି ନାହିଁ ।” ଆଜିର ଭାରତ ମହାତ୍ମା ଗାନ୍ଧୀଙ୍କ ଏହି ଦର୍ଶନ ଏବଂ ଚିନ୍ତନକୁ ଆପଣେଇ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ଏବଂ ନିର୍ଭିକତା ସହିତ ସାରା ବିଶ୍ୱରେ ଜୀବନଦାୟିନୀ ତରଙ୍ଗର ସ୍ୱାଗତ କରୁଛି ।

 

ଭାରତ କୌଣସି ରାଜନୈତିକ କିମ୍ବା ଭୌଗୋଳିକ ମହତ୍ୱାକାଂକ୍ଷା ରଖେ ନାହିଁ । ଆମେ କୌଣସି ଦେଶର ପ୍ରାକୃତିକ ସମ୍ବଳର ଶୋଷଣ କରିନଥାଉ ବରଂ ସେହି ଦେଶ ଲାଗି ତା’ସହିତ ମିଶି ତା’ର ବିକାଶ କରିଥାଉ । ଭାରତୀୟ ଭୂଭାଗରେ ହଜାର ହଜାର ବର୍ଷ ଧରି ବିବିଧତାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସ୍ଥିତି ଓ ଅସ୍ତିତ୍ୱର ସିଧା ପ୍ରଭାବ ଏହା ଯେ ଆମେ ବହୁ-ସଂସ୍କୃତି ସଂସାରରେ ଏବଂ ବହୁ-ଧ୍ରୁବୀୟ ବିଶ୍ୱବ୍ୟବସ୍ଥାରେ ବିଶ୍ୱାସ ରଖିଥାଉ । ଭାରତ ଏହା ପ୍ରମାଣ କରିଛି ଯେ ଗଣତନ୍ତ୍ର, ବିବିଧତାର ସମ୍ମାନ, ସୌହାର୍ଦ୍ଦ୍ୟ ଏବଂ ସମନ୍ୱୟ, ସହଯୋଗ ଏବଂ ସମ୍ବାଦ ଦ୍ୱାରା ସମସ୍ତ ବିବାଦ ଏବଂ ଫାଟକୁ ଦୂର କରାଯାଇପାରିବ । ଶାନ୍ତି, ସ୍ଥିରତା ଏବଂ ବିକାଶ ଲାଗି ଏହା ଭାରତର ପରୀକ୍ଷିତ ଉପାୟ । ସେତିକି ନୁହେଁ, ଏକ ବିପରୀତ ଅସ୍ଥିରତା ଏବଂ ଅବିଶ୍ରାନ୍ତ ପରିବର୍ତନର ସ୍ଥିତିରେ ଏକ ଅନୁମାନଯୋଗ୍ୟ, ସ୍ଥିର, ପାରଦର୍ଶୀ ଏବଂ ବିକଶିତ ଭାରତ ଭଲ ଖବର ନେଇ ଆସିବ । ସୌହାର୍ଦ୍ଦ୍ୟପୂର୍ଣ୍ଣ ଭାବେ ରହୁଥିବା ବ୍ୟାପକ ବିବିଧତା ପରିପୂର୍ଣ୍ଣ ଭାରତ ସବୁବେଳେ ଏକତା ଏବଂ ସୌହାର୍ଦ୍ଦ୍ୟର ଶକ୍ତି ଭାବେ କାର୍ଯ୍ୟ କରିବ । କେବଳ ନିଜ ପାଇଁ ନୁହେଁ, ନିଜ ଦେଶ ପାଇଁ ନୁହେଁ ଭାରତୀୟ ମାନସ, ଭାରତୀୟ ବିଚାରକମାନେ, ଋଷି ମୁନିମାନେ ପ୍ରାଚୀନ କାଳରୁ ହିଁ - ସର୍ବେ ଭବନ୍ତୁ ସୁଖିନଃ ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣୀ ପଶ୍ୟନ୍ତୁ, ମା କଶ୍ଚିତ ଦୁଖ ଭାଗ ଭବେତ - ଅର୍ଥାତ ସମସ୍ତେ ପ୍ରସନ୍ନ ରୁହନ୍ତୁ, ସମସ୍ତେ ସୁସ୍ଥ ରୁହନ୍ତୁ, ସମସ୍ତଙ୍କ କଲ୍ୟାଣ ହେଉ ଏବଂ କେହି ଦୁଃଖ ଭୋଗ ନକରନ୍ତୁ - ଏହି ସ୍ୱପ୍ନ ଦେଖିଛି । ଏହି ଆଦର୍ଶକୁ ପ୍ରାପ୍ତ କରିବା ଲାଗି, ଏହି ସ୍ୱପ୍ନକୁ ସାକାର କରିବା ଲାଗି ମାର୍ଗ ମଧ୍ୟ ଦେଖାଇଛି ।

 

ସହନାବବତୁ, ସହ ନୌ ଭୁନକ୍ତୁ ସହ ବୀର୍ଯ୍ୟ କରବାବହେ । ତେଜସ୍ୱିନାଧୀତମସ୍ତୁ ମା ବିଦ୍ୱେଷାବହେ । ।

 

ଏହି ହଜାର ହଜାର ବର୍ଷ ପୁରୁଣା ଭାରତୀୟ ପ୍ରାର୍ଥନାର ଅଭିପ୍ରାୟ ହେଉଛି ଯେ ଆମେ ସମସ୍ତେ ମିଶି କାମ କରିବା, ସମସ୍ତେ ମିଳିମିଶି ଚାଲିବା, ଆମର ପ୍ରତିଭା ଏକସଙ୍ଗେ ବିକଶିତ ହେବ ଏବଂ ଆମ ଭିତରେ କେବେ ବି ଦ୍ୱେଷ ରହିବ ନାହିଁ । ଗତ ଶତାବ୍ଦୀର ମହାନ ଭାରତୀୟ କବି ଏବଂ ନୋବେଲ ପୁରସ୍କାର ବିଜେତା ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଏପରି ଏକ ସ୍ୱାଧୀନ ସ୍ୱର୍ଗର ପରିକଳ୍ପନା କରିଥିଲେ, ଯେଉଁଠି ସଂକୀର୍ଣ୍ଣ ଘରୋଇ ପ୍ରାଚୀର ଦ୍ୱାରା ବିଶ୍ୱ ଭାଗ ଭାଗ ହୋଇଯାଉନଥିବ । ଆସନ୍ତୁ ଆମେ ସମସ୍ତ ମିଶି ଏପରି ଏକ ସ୍ୱାଧୀନ ସ୍ୱର୍ଗ ନିର୍ମାଣ କରିବା ଯେଉଁଠି ସହଯୋଗ ଏବଂ ସମନ୍ୱୟ ଥିବ, ବିଭେଦ ଏବଂ ଫାଟ ନଥିବ । ଆସନ୍ତୁ ଆମେ ସମସ୍ତେ ସାଥୀ ହୋଇ ବିଶ୍ୱକୁ ଏହାର ଦୂରତ୍ୱ ଏବଂ ଅନାବଶ୍ୟକ ପାଚେରିରୁ ମୁକ୍ତି ଦେବା ।

 

ଭାରତ ଏବଂ ଭାରତୀୟମାନେ ସାରା ବିଶ୍ୱକୁ ଏକ ପରିବାର ବୋଲି ଗ୍ରହଣ କରିଛନ୍ତି । ବିଭିନ୍ନ ଦେଶରେ ୩୦ ନିୟୁତ ଭାରତୀୟ ବଂଶୋଦ୍ଭବ ରହୁଛନ୍ତି । ଯେତେବେଳେ ସାରା ବିଶ୍ୱକୁ ଆମେ ନିଜ ପରିବାର ବୋଲି ମାନିଛୁ, ତା’ହେଲେ ବିଶ୍ୱ ଲାଗି ମଧ୍ୟ ଆମେ ଭାରତୀୟ ସେମାନଙ୍କ ପରିବାର ଅଟୁ । ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରୁଛି ଯେ ଯଦି ଆପଣ ସମ୍ପତି ସହିତ ମଙ୍ଗଳ ଚାହୁଁଛନ୍ତି, ତା’ହେଲେ ଭାରତରେ କାମ କରନ୍ତୁ । ଯଦି ଆପଣ ସ୍ୱାସ୍ଥ୍ୟ ସହିତ ଜୀବନର ସାମଗ୍ରୀକତା ଚାହୁଁଛନ୍ତି ତା’ହେଲେ ଭାରତକୁ ଆସନ୍ତୁ । ଯଦି ଆପଣ ସମୃଦ୍ଧି ସହିତ ଶାନ୍ତି ଚାହୁଁଛନ୍ତି ତା’ହେଲେ ଭାରତରେ ରହନ୍ତୁ । ଆପଣ ଭାରତ ଆସନ୍ତୁ, ଭାରତରେ ସବୁବେଳେ ଆପଣଙ୍କୁ ସ୍ୱାଗତ କରାଯିବ ।

 

(ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଜରଲାଣ୍ଡର ଡାଭୋସରେ ବିଶ୍ୱ ଆର୍ଥନୀତିକ ମଞ୍ଚରେ ଦେଇଥିବା ଭାଷଣର ସଂପାଦିତ ଅଂଶ ।)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top