ଆଉ କେତେ ଇତିଶ୍ରୀ ଓ ସସ୍ମିତା?

News Story - Posted on 2018-01-24

ଜ୍ୟୋତିପ୍ରଭା ଆଚାର୍ଯ୍ୟ

ମୋ ପାଇଁ କେବଳ ଦିନ ଟିଏ! ଏଠି ନ୍ୟାୟ କେବଳ ସ୍ୱପ୍ନ ମାତ୍ର!

 

ବାସ୍ ! ସେତିକି ଥାଉ । ଆଉ ସହି ହେଉନି ଧର୍ଷଣର କଷ୍ଟ, ସମାଜର ଟାହି ଟାପରା ଆଉ ମିଥ୍ୟାବାଦିନୀର କଳଙ୍କ । ପୁଲିସ, ସରକାର ଓ ସମାଜ ସମସ୍ତଙ୍କ ଉପରୁ ବିଶ୍ୱାସ ତୁଟି ଯାଇଥିଲା ଝିଅଟିର । ଚିହ୍ନି ପାରିଥିଲା ମିଛ ଆଶ୍ୱାସନା ଦେଉଥିବା ସଭ୍ୟ ସମାଜର ଅସଭ୍ୟ ଲୋକଙ୍କୁ । ସତ ମିଛର ପ୍ରମାଣ ଦେଇ ଦେଇ ଝିଅଟି ଥକି ପଡ଼ିଥିଲା । କେତେ ଆଉ ସିଏ ନିଜ ବିଷୟରେ ସଫେଇ ଦେବ? କେତେ ଆଉ ନିଜେ ନିଜ ସହ ହୋଇଥିବା ସେହି ଲୋମହର୍ଷଣକାରୀ ଘଟଣା ପୋଲିସ, ମିଡିଆ, ସମାଜସେବୀଙ୍କ ସାମନାରେ ବର୍ଣ୍ଣନା କରିବ?

 

ତା’ ସହ ହୋଇଥିବା ଅମାନୁଷିକ ଅତ୍ୟାଚାର କହି କହି ନାବାଳିକାଟି ଲଜ୍ଜା ଓ ଯନ୍ତ୍ରଣାରେ ଛଟପଟ ହେଉଥିଲା । କିନ୍ତୁ କେହି କେବେ ତା ଅନ୍ତରର ବେଦନା ବୁଝି ପାରିନଥିଲେ । ସତେଯେମିତି ତା’ର ଯନ୍ତ୍ରଣା ବୁଝିବାକୁ କାହା ପାଖରେ ସମୟ ନଥିଲା । କିଏ ପୀଡିତାକୁ ନେଇ ରାଜନୀତି କରୁଥିଲା ତ ଆଉ କିଏ ଦୋଷୀଙ୍କୁ ଘୋଡାଇବାକୁ ଆପ୍ରାଣ ଉଦ୍ୟମ କରୁଥିଲା । କେତେବେଳେ ସତ ଲୁଚାଇବାକୁ ତ ଆଉ କେତେବେଳେ ପରୋକ୍ଷ ଭାବରେ ତାକୁ ମରିବା ପାଇଁ ବାଧ୍ୟ କରାଯାଇଥିଲା । ସମସ୍ତଙ୍କ ସମାନ ପ୍ରଶ୍ନର ଉତ୍ତର ଦେଇ ଦେଇ ଝିଅଟି ଲଜ୍ଜାରେ ଥକି ଯାଇଥିଲା । ଆଉ ଶେଷରେ ପାଇଲା ମିଥ୍ୟାବାଦିନୀର ଅପବାଦ । ଶାରୀରିକ, ମାନସିକ, ସାମାଜିକ ଯନ୍ତ୍ରଣା ସାଙ୍ଗକୁ ମିଥ୍ୟାବାଦିନୀର ଅପବାଦ । ବୋଧ ହୁଏ ସେ ଜାଣି ପାରିଥିଲା ଏଠି ନ୍ୟାୟ କେବଳ ସ୍ୱପ୍ନ ମାତ୍ର । ଶେଷରେ ସେ ସବୁ ଆଡ଼ୁ ନିରାଶ ହୋଇ ପ୍ରାୟୋଜିତ ହତ୍ୟାର ଶିକାର ହୋଇଥିଲା । ଦୀର୍ଘ ୩ ମାସ ଧରି ଯନ୍ତ୍ରଣାରେ ଛଟପଟ ହେବା ପରେ ନିଜର ସ୍ୱାଭିମାନ ପାଇଁ ଝିଅଟି ଜୀବନ ହାରି ଦେଲା । ବାଛି ନେଲା ଆତ୍ମହତ୍ୟା ଭଳି ଏକ ଚରମ ପଦକ୍ଷେପ ।

 

ଆଜି ବି ମୂଷାଗୁଡା ଗାଁର ଶ୍ମଶାନରେ ପୀଡିତା ସସ୍ମିତାର ଆତ୍ମା ଗୁମୁରି ଗୁମୁରି କାନ୍ଦୁଛି । ନ୍ୟାୟ ଅପେକ୍ଷାରେ ଅଛି ଆତ୍ମା । କିନ୍ତୁ ତା କାନ୍ଦ, ଲୁହ ଓ କ୍ଷୋଭ ତା’ ମାଆ ଛଡ଼ା ଆଉ କେହି ଶୁଣି ପାରୁନାହାଁନ୍ତି । ଜଣେ ମାଆର କୋଳ ଖାଲି ହୋଇଯାଇଛି । ଆଉ ଆଜିର ଏ ରାଜ୍ୟବାପୀ ହରତାଳକୁ ଦେଖି ସେ ତା’ ଆତ୍ମା ମାଆକୁ ପଚାରୁଛି, ମା! ସତରେ କ’ଣ ମୋତେ ନ୍ୟାୟ ମିଳିବ? ଆଉ ମୋ ଭଳି ଜଣେ ସରଳ, ନିଷ୍ପାପ ପୀଡିତାକୁ ନ୍ୟାୟ ଦେବା ପାଇଁ କ’ଣ କେବଳ ଗୋଟିଏ ଦିନ ଯଥେଷ୍ଟ! କେଉଁଠି ଥିଲେ ଏ ରାଜନୈତିକ ଦଳ? ଭୁଲ ରହିଲା କେଉଁଠି? ଗରିବ ଆଦିବାସୀ ଝିଅ ହୋଇ ଜନ୍ମ ହେବା ନା ସତ କହିବା?

 

ସେପଟେ ସାରା ଓଡିଶା ଆଜି କୁନ୍ଦୁଲି ନିଆଁରେ ଜଳୁଛି । ବିଜେପି ଓ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ହରତାଳ କରାଯାଉଛି । ହରତାଳ ଯୋଗୁଁ ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୀଡ଼ିତାକୁ ନ୍ୟାୟ ଦେବାପାଇଁ ରାଜନୈତିକ ଦଳ ଗୁଡ଼ିକ ମଧ୍ୟରେ ସତେ ଯେମିତ ପ୍ରତିଦ୍ୱନ୍ଦିତା ଓ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । କୁନ୍ଦୁଲିରୁ କ୍ୟାପିଟାଲ କେବଳ ରଣକ୍ଷେତ୍ର ପାଲଟି ଯାଇଛି । ସରକାରୀ ଓ ବିରୋଧୀ ଦଳ ଗୁଡ଼ିକ କେବଳ ପରସ୍ପରକୁ କାଦୁଅ ପିଙ୍ଗାଫିଙ୍ଗିରେ ବ୍ୟସ୍ତ । ଏହି ସମ୍ବେଦନଶୀଳ ଘଟଣା ଏବେ କେବଳ ଗଣମାଧ୍ୟମରେ ଆଲୋଚନାର ଶୀରୋନାମା ପାଲଟି ଯାଇଛି । ନା ବାହାରିପାରୁଛି କିଛି ନିର୍ଯ୍ୟାସ ନା ମିଳିବ ନ୍ୟାୟ? ସମ୍ବେଦନଶୀଳ ଶବ୍ଦ ସଂଯୋଜନା କରିବାରେ ସମସ୍ତେ ମାହିର । କିନ୍ତୁ ବଂଚିଥିଲା ବେଳେ ନହେଲା ନାହିଁ ଅନ୍ତତଃ ମୃତ୍ୟୁ ପରେ ପୀଡ଼ିତା କିଭଳି ନ୍ୟାୟ ପାଇବ ସେଥିପାଇଁ ସମସ୍ତେ ଚିନ୍ତା କରିବା ଉଚିତ ଥିଲା । ଏ ହରତାଳ, ପ୍ରତିବାଦ କେବଳ ବିରୋଧୀ ଦଳଙ୍କ କୁମ୍ଭୀର କାନ୍ଦଣା ପରି ମନେ ହୁଏ ।

 

ଓଡ଼ିଶାରେ ଏଭଳି ଘଟଣା କିଛି ନୂଆ ନୁହେଁ । କେତେବେଳେ ବେବିନା ତ ଆଉ କେତେବେଳେ ଇତିଶ୍ରୀ, ଆଉ ଏବେ କୁନ୍ଦୁଲି । ଗୋଟିଏ ପଟେ ମାଆକୁ ସମ୍ମାନ ଓ ନାରୀକୁ ସମ୍ମାନର ନାରା ଦେଉଥିବା ଏହି ସରକାରଙ୍କ ଅମଳରେ ନାରୀ କେତେ ସୁରକ୍ଷିତ ତା ଆମେ ସମସ୍ତେ ଜାଣିଛେ । ପୁରୁଷ ପ୍ରାଧାନ୍ୟ ସମାଜରେ କେତେ ଜଣ କାପୁରୁଷଙ୍କ ପାଇଁ ଝିଅଟିଏ ସବୁବେଳେ ନିର୍ଯ୍ୟାତନାର ଶୀକାର ହୁଏ । ନା ତାକୁ କେବେ ମିଳେ ସମବେଦନା ନା ମିଳେ ନ୍ୟାୟ! କିଛି ଘଟଣା ଗଣମାଧ୍ୟମକୁ ଆସେ ତ ଆଉ କିଛି ଗଣମାଧ୍ୟମ ଉହାଡ଼ରେ ରହିଯାଏ । କିନ୍ତୁ ବାସ୍ତବରେ ଝିଅଟିକୁ କେବେ ନ୍ୟାୟ ମିଳିନଥାଏ । ମିଳେ କେବଳ କଳଙ୍କ । କୁନ୍ଦୁଲି ପୀଡିତାର ଆତ୍ମହତ୍ୟା ପୁଲିସ ଓ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିିଛି । ତେଣୁ ଖୁବଶୀଘ୍ର ଅପରାଧୀଙ୍କୁ ଗିରଫ କରିବା ସହ ଦେଷୀଙ୍କୁ କଠୋର ଦଣ୍ଡ ଦେବା ଜରୁରୀ ହୋଇପଡିଛି ।

 

୨୦୧୭ ଅକ୍ଟୋବର ୧୦ ତାରିଖରେ ଏହି ଜଘନ୍ୟକାଣ୍ଡ ଘଟିଥିଲା । ଦିନ ପ୍ରାୟ ୧୧ଟା ବେଳକୁ କୁନ୍ଦୁଲିରୁ ଫଟୋ ଉଠାଇ ଏକୁଟିଆ ଘରକୁ ଫେରୁଥିବା ବେଳେ ନିଛାଟିଆ ରାସ୍ତାରେ ୪ ଜଣ ଯବାନ ପୋଷାକ ପିନ୍ଧା ଦୁର୍ବୃତ୍ତ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକେ କୁନ୍ଦୁଲି ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଥିଲେ । ପରେ କୋରାପୁଟ ସହିଦ୍ ଲକ୍ଷ୍ଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା । କିଛି ଦିନ ପରେ ତାଙ୍କୁ କଟକ ବଡ଼ ମେଡିକାଲ ମଧ୍ୟ ନିଆଯାଇଥିଲା । ସେଠାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ । ସେହିଦିନଠାରୁ ସେ ଘରେ ରହି ଆସୁଥିଲେ । ପୀଡ଼ିତାଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ କରି ପୁଲିସ ଛାନ୍ଭିନ୍ ଆରମ୍ଭ କରିଦେଇଥିଲା । ଜଣେ ଡିଏସ୍ପିଙ୍କ ନେତୃତ୍ୱରେ ଏଚଆରପିସି ଇନସ୍ପେକ୍ଟର ମାମଲାର ତଦନ୍ତ କଲେ । କ୍ରାଇମ୍ ବ୍ରାଂଚର ସ୍ୱତନ୍ତ୍ର ଟିମ୍ ଏଥିରେ ସହାୟତା କରିଥିଲେ । କୋରାପୁଟ ରେଂଜ ଡିଆଇଜି ଓ କୋରାପୁଟ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଦନ୍ତ ଚାଲିଲା । କିନ୍ତୁ ପୀଡିତାର ବୟାନ ଆଧାରରେ ନୁହେଁ । ପୋଲିସ ନିଜ ହିସାବରେ ତଦନ୍ତ ଚଳାଇଲା । ଯବାନଙ୍କୁ ହାତ ମାରିଲାନି ପୁଲିସ । ବରଂ ସେହି ଗ୍ରାମର ୪ ଜଣ ନାବାଳକଙ୍କୁ ପୁଲିସ ସନ୍ଦେହ କରି ପଚରା ଉଚୁରା କରିଥିଲା । ଏଚଆରପିସି ମଧ୍ୟ ଘଟଣାର ତଦନ୍ତ କଲା । କିନ୍ତୁ ସୁଫଳ ମିଳିଲା ନାହିଁ । ଘଟଣାର ଏକ ମାସ ପରେ ନଭେମ୍ବର ୧୧ରେ କୋରାପୁଟ ଏସପି ପୀଡ଼ିତାଙ୍କୁ ଦୁଷ୍କର୍ମ ହୋଇଥିବାର କୌଣସି ପ୍ରମାଣ ମିଳିନାହିଁ ବୋଲି ସଫେଇ ଦେଲେ । ପୀଡିତାଙ୍କୁ ଦୁଷ୍କର୍ମ କରାଯାଇନାହିଁ ଓ ସେ ଆଣିଥିବା ଅଭିଯୋଗ ମିଥ୍ୟା ବୋଲି କହିଥିଲେ ।

 

ଏହା ପରେ ସସ୍ମିତା ମାନସିକ ଭାବେ ଭାଙ୍ଗି ପଡ଼ିଥିଲେ । ସାରା ରାଜ୍ୟରେ ପୁଲିସ ବିପକ୍ଷରେ ପ୍ରତିବାଦ ସ୍ୱର ତୀବ୍ର ହେଉଥିଲା ଓ ପୁଲିସର ପାରିବା ପଣିଆ ଉପରେ ସାଧାରଣରେ ପ୍ରଶ୍ନ ଉଠିଥିଲା । ମାମାଲାର ଗମ୍ଭୀରତାକୁ ଦେଖି ରାଜ୍ୟ ସରକାର କ୍ରାଇମ୍ ବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଲେ । ଏହା ସହିତ ସମାନ୍ତରାଳ ଭାବେ ବିଚାର ବିଭାଗୀୟ ତଦନ୍ତ ଚାଲିବ ବୋଲି ଘୋଷଣା କରିଥିଲେ । ଏମିତି ଗୋଟିଏ ପରେ ଗୋଟିଏ ତଦନ୍ତ ଚାଲିଲା । କିନ୍ତୁ ନ୍ୟାୟିକ ବ୍ୟବସ୍ଥାର କାଳ କ୍ଷେପଣ ନୀତି ଉପରୁ ଝିଅଟିର ଆସ୍ଥା ତୁଟି ଯାଇଥିଲା । ସେପଟେ ଅଭିଯୋଗର ସ୍ୱର ବଦଳାଇବା ପାଇଁ ତା ଉପରେ ବାରମ୍ବାର ଚାପ ପଡୁଥିଲା ଏବଂ ମାନସିକ ରୋଗୀ ଭାବେ ଚିତ୍ରଣ କରିବାକୁ ଚେଷ୍ଟା ଚାଲିଥିବା କହିଥିିଲେ ପୀଡିତା । ତାକୁ କାଉନସେଲିଂ ମଧ୍ୟ ଠିକ ଭାବେ କରାଯାଇ ନଥିଲା ।

 

ଶେଷରେ ମୃତ୍ୟୁ ପରେ ମଧ୍ୟ ତାକୁ ନିସ୍ତାର ମିଳିଲା ନାହିଁ । କିଏ ତା ଶବକୁ ନେଇ ରାଜନୀତି କଲା ତ ଆଉ କିଏ ହରତାଳ ନାରେ ଶସ୍ତା ରାଜନୀତି କରୁଛି । ସତରେ କ’ଣ ଏସବୁ କରିବା ଦ୍ୱାରା ନିରୀହ ଝିଅଟିକୁ ନ୍ୟାୟ ମିଳିବ? କେବଳ ପୁଲିସ କାଳକ୍ଷେପଣ ନୀତି ଅବଲମ୍ବନ କରୁଛି ତା’ ନୁହେଁ, ମାମଲାର ଦଣ୍ଡ ବିଧାନ ହାର ଓ ତଥ୍ୟ ଦେଖିଲେ ତଦନ୍ତର ସ୍ୱଚ୍ଛତା ନେଇ ସାଧାରଣରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆଦିବାସୀ, ଗରିବ ଓ ନୀରିହ ବୋଲି ତା’ର ଇଜ୍ଜତ ନାହିଁ । ଏସବୁ ଭିତରେ କିନ୍ତୁ ବହୁ ଅସମାହିତ ପ୍ରଶ୍ନ ସାମନାକୁ ଆସୁଛି । ଆଦର୍ଶ ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ରାଜ୍ୟରେ ଆଉ କେତେ ବେବିନା, ଇତିଶ୍ରୀ ଓ କୁନ୍ଦୁଲି ଭଳି ନୀରିହ ଝିଅ ନ୍ୟାୟ ଅପେକ୍ଷାରେ ରହି ରହି ନିଜ ଜୀବନକୁ ବଳି ପକାଇ ଆଦର୍ଶ ପାଲଟିବେ ଏବଂ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା କେବେ ଭାଙ୍ଗିବ ତାହା ଦେଖିବାକୁ ବାକି ରହିଲା ।

 

ଦଳ ମତ ନିର୍ବିଶେଷରେ ପୀଡିତାର ଅତୃପ୍ତ ଆତ୍ମା କିଭଳି ଶାନ୍ତି ପାଉ ଓ ନ୍ୟାୟ ପାଉ ସେଥିପ୍ରତି ଆମେ ସମସ୍ତେ ଯତ୍ନବାନ ହେବା ଦରକାର ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top