ଚାଷୀଙ୍କ ପାଇଁ ଆଇନ ଦାବି

News Story - Posted on 2018-01-24

ଅଖଣ୍ଡ

 

ଭାରତୀୟ ଚାଷୀ ମାନଂକ ସମୃଦ୍ଧି, ନ୍ୟାୟ ଓ ଆତ୍ମହତ୍ୟାରୁ ସୁରକ୍ଷା ପାଇଁ ଏକ ଆଇନ୍ ପ୍ରଣୟନ ଲକ୍ଷ୍ୟରେ ଏକ ଜାତୀୟ ଅଭିଯାନ ନେତାଜୀ ଜୟନ୍ତୀ ଅବସରରେ ମିଶନ ଜଷ୍ଟିସ୍ ପକ୍ଷରୁ ଓଡିଶାରୁ ଶୁଭାରମ୍ଭ ହୋଇଛି I ଏହି ଅଭିଯାନ ୩୦ଟି ରାଜ୍ୟର ଭାରତ ଓ ବିଦେଶରେ ରହୁଥିବା ପ୍ରାୟ ୧୦୦ ଜଣ ନାଗରିକ ମାନଙ୍କ ଉଦ୍ୟମ ଓ ଯୋଗଦାନ ନେଇ ଆରମ୍ଭ ହେଇଛି I

ସଂଗଠନର ସଭାପତି ତପନ ପାଢୀ ଏହି ଅବସରରେ କହିଛନ୍ତି, ଆଜି ସୁଦ୍ଧା ଭାରତର ତିନି ଲକ୍ଷରୁ ଅଧିକ ଓ ଓଡିଶାର ତିନି ହାଜାରରୁ ଅଧିକ ଚାଷୀ ଆତ୍ମହତ୍ୟା କରିସାରିଲେଣି I ଏପରି ମୃତ୍ୟୁକୁ ଅନ୍ୟ ରାଜ୍ୟମାନେ ସରକାରୀ ଭାବରେ ଗ୍ରହଣ କରିଥିଲା ବେଳେ ଓଡିଶା ସରକାର ପ୍ରେମ ଜନିତ ବିଫଳତା ହେତୁ ଆତ୍ମହତ୍ୟା ବୋଲି କହୁଛି I ଚାଷ ଉପରେ ନିର୍ଭର କରୁଥିବା ଭାରତ ରପ୍ରାୟ ୯୦ କୋଟିରୁ ଅଧିକ ଲୋକ ମାନଂକ ପାଇଁ କୌଣସି ଆଇନ୍ ନାହିଁ I ଅନ୍ୟ ପକ୍ଷରେ ମଂଜି, ସାର ଓ ଚାଷୀଠୁ ତାର ଜମି ଜବରଦସ୍ତ ଛଡେଇନେବାକୁ ରାଷ୍ଟ୍ର ପାଖରେ ଆଇନ୍ ଥିଲାବେଳେ ରାଷ୍ଟ୍ର କେଇଟାମାତ୍ର ନୀତି ଓ ମାର୍ଗଦର୍ଶିକା ପ୍ରଣୟନ କରିଦେଇ ତାର ଦାୟିତ୍ୱ ସାରିଦେଇ ବସିଛି I ଯଦି ସରକାର, ସରକାରୀ କର୍ମଚାରୀ ଓ କୌଣସି କମ୍ପାନୀ ଚାଷୀ ବିରୁଦ୍ଧରେ କିଛି ବି ଅନ୍ୟାୟ ଅନୀତି କରେ ବା ନାମକୁମାତ୍ର ନୀତି ଓ ମାର୍ଗ ଦର୍ଶିକା ନ ମାନେ, ତାପାଇଁ କିଛି ଦଣ୍ଡ ବ୍ୟବସ୍ଥା ନାହିଁ କି କେହି ଉତ୍ତରଦାୟୀ ନାହାନ୍ତି I ଏହି ବ୍ୟବସ୍ଥା ରାଜନୈତିକ ବଡପଣ୍ଡା ମାନେ ଅତି ଚାଲାକୀରେ ୭୦ ବର୍ଷ ହେଲା କରିଆସିଛନ୍ତି ଓ ଆମ ଚାଷୀ ନିଜର ଗୋଟେ ଦିଟା ଦାବି ହାସଲ ପାଇଁ ମୁହଁ ଖୋଲିଲେ ପୁଲିସ୍ ଲାଠିର ଶିକାର ହେଇଛି, ରକ୍ତାକ୍ତ ହେଇଛି । ଆଉ ଚାଷୀର ସମସ୍ୟା ଓ ଚାଷ ବିଷୟରେ କିଛି ବି ଧାରଣା ନଥିବା କିଛି ଲୋକ, ଚାଷୀର ସମସ୍ୟା ଅଛି ବୋଲି ତାର ନେତା ସାଜିଛନ୍ତି ଓ ଆମ ଚାଷୀକୁ ଭୁଲ୍ ରାସ୍ତାରେ ନେଇଛନ୍ତି I

ମିଶନ୍ ଜଷ୍ଟିସ୍ ଗତ ୨୦୧୬ ମସିହା ମାର୍ଚ୍ ୨୩ ତାରିଖରେ ଭାରତରେ ଚାଷୀମାନଂକ ପାଇଁ ଏକ ବଳିଷ୍ଠ ଆଇନ୍ ଆଣିବାକୁ ପ୍ରଥମେ ଏକ ବିଲ୍ ଲୋକାର୍ପଣ କରିଥିଲା I ଏହି ବିଲ୍ ରେ ଚାଷୀ ଓ ଚାଷ ସମ୍ବନ୍ଧରେ ଯେଉଁ ସବୁ ଦିଗରୁ ଆଲୋଚନା ହେଇଛି ଯଦି ସେଗୁଡିକ ଆଇନରେ ପରିବର୍ତନ ହୁଏ ଭାରତର ଚାଷୀ ଏକ ସମୃଦ୍ଧ, ନ୍ୟାୟ ପୁର୍ଣ ଓ ସୁରକ୍ଷିତ ଜୀବନ ଜିଇଁ ପାରିବ ବୋଲି ଆଶା କରାଯାଏ I ମୁଖ୍ୟତଃ ଏହି ବିଲ୍ ରେ ପ୍ରତି ରାଜ୍ୟରେ ଚାଷୀ ପାଇଁ ସ୍ଥାୟୀ କମିସନ୍, ସବୁ ଜିଲ୍ଲା ରେ ଅମବୁଡସ୍ମାନ, ପ୍ରତି ରାଜ୍ୟ ରେ ୧୦୦୦ କୋଟି ଟଂକIର ଆପଦ ପାନ୍ ଠି, ଦଣ୍ଡ ଓ ଜୋରିମାନା ବ୍ୟବସ୍ଥା, ଚାଷୀ କୁ ସରକାର ସହ ଆଲୋଚନା କରିବା ପାଇଁ ସମାନ ପରାମର୍ଶ ମର୍ଯ୍ୟIଦା (Equal Consultative Status), ଚାଷୀକୁ ନିଜ ଉତ୍ପାଦର ପାଇକାରୀ ମୁଲ୍ୟ ନିର୍ଧାରଣ କରିବାର କ୍ଷମତା, ଚାଷୀର ପିଲା ମାନଂକ ପାଇଁ ଚାଷ ସମ୍ବନ୍ଧୀୟ ବ୍ୟବସାୟରେ ୧୦୦% ନିୟୋଗ, ବିନା ସୁଧରେ ରୁଣ, ରୋଜଗାର ଓ ଲାଭ ର ନିଶ୍ଚିତ କରିବା ଇତ୍ୟାଦି ଏହି ଆଇନ୍ ରେ ସ୍ଥାନ ପାଇଛି I

ଏହାମଧ୍ୟରେ ଭାରତ ଓ ଭାରତ ବାହା ରେ ଥିବା ନାଗରିକ ମାନଂକ ସହ ପରାମର୍ଶ କରି ମୁଳ ବିଲ୍ ରେ କିଛି ପରିବର୍ତନ ଅଣାଯାଇଛି I ରାଜ୍ୟ ଓ ଜାତୀୟ ସ୍ତର ରେ ଆହୁରି ୬ ଟି ପରାମର୍ଶ ଶିବିର ମାଧ୍ୟମରେ ଏହାକୁ ଚୁଡାନ୍ତ ରୂପ ଦିଆଯିବ ବୋଲି ମିଶନ୍ ଜଷ୍ଟିସ୍ ର ସଭାପତି ଓ ଏହି ଜାତୀୟ ଅଭିଯାନ ର ଆବାହକ ତପନ ପାଢୀ କହିଛନ୍ତି I

ଏହି ଜାତୀୟ ଅଭିଯାନର ଶୁଭାରମ୍ଭରେ ଅନ୍ୟମାନଙ୍କ ମଧ୍ୟରେ କୀର୍ତ୍ତି ଅନୁରାଗ, ସଂଦିପ୍ତ ଦାଶ, ରଣଜିତ ସୁତାର, ମାନବାଧିକାର କର୍ମୀ ଅଖଣ୍ଡ, ଅରୁଣ ଜେନା, ତୁଷାରକାନ୍ତ ଶତପଥୀ ଓ ଅନ୍ୟ ବହୁ ମାନ୍ୟଗନ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ I

(ଲେଖକ ଜଣେ ମୁକ୍ତିବୃତ୍ତି ସାମ୍ବାଦିକ ଓ ମାନବାଧିକାର କର୍ମୀ, ଫୋନ୍ - 9861210101)


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top