ମାଘମେଳା ପୂର୍ବରୁ ଶୁଖୁଆ ଛୁଙ୍କ!

News Story - Posted on 2018-01-23

ଅଜିତ କୁମାର

 

ପବିତ୍ର ମାଘ ଶୁକ୍ଳ ଷଷ୍ଠୀ ସନ୍ଧ୍ୟାରୁ ଚନ୍ଦ୍ରଭାଗାଠାରେ ୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଛି । ଯେଉଁ ହାରରେ ଚନ୍ଦ୍ରଭାଗାକୁ ଲୋକଙ୍କ ସୁଅ ଛୁଟୁଛି, ସେଥିରୁ ଅନୁମାନ କରାଯାଉଛି ଯେ ଶ୍ରୀଜିୟୁମାନଙ୍କ ମହାସ୍ନାନ ବେଳକୁ ଶ୍ରଦ୍ଧାଳୁଙ୍କ ସଂଖ୍ୟା ୧୦ ଲକ୍ଷରୁ ଅଧିକ ହେବ । ରିପୋର୍ଟ ଲେଖା ହେବା ବେଳକୁ ଚନ୍ଦ୍ରଭାଗା ମେଳା ପଡ଼ିଆ ଓ ବଜାର ସଂଲଗ୍ନ ସମୁଦ୍ର କୂଳ ଇଲାକା(ତଣ୍ଡା)ରେ ମୁଣ୍ଡଗୁଞ୍ଜିବା ପାଇଁ ଜାଗା ନ ଥିବା ଦେଖାଯାଇଛି । ଏତଦବ୍ୟତୀତ ଛୋଟାରାମ ବାବା ମଠ, ଜୟଦେବ ବାଟିକା, ବତୀଘର, କୋଣାର୍କର ଅବଧୂତ ମଠ, ନବଗ୍ରହ ପୀଠ, ସୂର୍ଯ୍ୟମନ୍ଦିରର ବେଢ଼ା ଚତୁପାଶ୍ୱର୍, ବସଷ୍ଟାଣ୍ଡ, ବାଣପଦା ଓ କରମଙ୍ଗା ରୋଡ, କୋଣାର୍କ-ଚନ୍ଦ୍ରଭାଗା ରାସ୍ତା ଓ କୋଣାର୍କ-ପୁରୀ ବେଳାମାର୍ଗ ଉଭୟ ପାଶ୍ୱର୍ ଓ ଅଭୟାରଣ୍ୟ ଅଂଚଳରେ ଲୋକେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି ।

 

ମେଳା ପଡିଆକୁ ଯିବାବାଟରେ ଲୋକେ ଅଭୟ୍ୟାରଣ୍ୟରୁ ଜାଳ ସଂଗ୍ରହ କରି ନେଉଛନ୍ତି । ମେଳା ପଡ଼ିଆରେ ଚାରିଆଡ଼େ ବାଉଁଶ କଣି, ନଡ଼ିଆ ବରଡ଼ା ଚାଞ୍ଚ, ତାଳ ବରଡ଼ା, ପଲିଥିନ ଓ ପିନ୍ଧା ଲୁଗା ବ୍ୟବହାର କରି ଶ୍ରଦ୍ଧାଳୁମାନେ ଅସ୍ଥାୟୀ କୁଡ଼ିଆ ପ୍ରସ୍ତୁତ କରୁଛନ୍ତି । ରାତ୍ରିଯାପନ ନିମନ୍ତେ କୁଡ଼ିଆ ପ୍ରସ୍ତୁତି ପରେ ବାଲୁକା ଶଯ୍ୟାରେ କିଆ ପଣସ, ପଇଡ଼ ଖୋଳପା, ଭଙ୍ଗା ଇଟା ଓ ମାଟି ତିଆରି ଝିଙ୍କାରେ ଚୁଲି ପ୍ରସ୍ତୁତ କରି ମାଟିହାଣ୍ଡିରେ ଭାତ ଡ଼ାଲମା ରାନ୍ଧୁଛନ୍ତି । କେତେକ ଶ୍ରଦ୍ଧାଳୁ ଡ଼ାଲମାରେ ଲୁଣି ଶୁଖୁଆ ପକାଇ ସ୍ୱାଦଯୁକ୍ତ ଶୁଖୁଆ ଡ଼ାଲମା ପ୍ରସ୍ତୁତ କରୁଥିବା ଦେଖିବାକୁ ମିଲୁଛି । ଏକ ସଂଗେ ହଜାର ହଜାର ଚୁଲି ଜଳୁଥିବାରୁ ଚନ୍ଦ୍ରଭାଗା ଆକାଶ ଧୂମମୟ ହୋଇଉଠିଛି ।

ସ୍ଥାନୀୟ ଲୋକେ ଶ୍ରଦ୍ଧାଳୁଙ୍କ ହାଣ୍ଡିରନ୍ଧା ଓ କୁଡ଼ିଆ ପ୍ରସ୍ତୁତି ନିମନ୍ତେ ବାଉଁଶ କଣି, ଚାଞ୍ଚ, ନଡ଼ିଆ ବରଡ଼ା, ତାଳ କୋରଟ, କିଆ ପଣସ, ମାଟି ଝିଙ୍କା, ମାଟିହାଣ୍ଡି, ଅଣକ, ଲାଗୁଆଣି ଗୁଣ୍ଡଜାଳ, ଶୁଖିଲା ଝାଉଁପତ୍ର, କଦଳୀପତ୍ର, ଲେମ୍ବୁ, ଦାନ୍ତକାଠି(କିଆପଟ, ସାହାଡ଼ା, କରଞ୍ଜ) ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ବିକ୍ରୀର ପସରା ଖୋଲିଛନ୍ତି ।

 

ଆଜି ପୂର୍ବାହ୍ନ ୧୦ଟାରୁ ମେଳାପଡ଼ିଆକୁ ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି । ଏହି ଦୃଷ୍ଟିରୁ ପ୍ରଶାସନର ସମସ୍ତ ପ୍ରକାର ଆକଳନକୁ ଭୁଲ ପ୍ରମାଣିତ କରି ରେକର୍ଡ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାବେଶ ହେବାରେ ଲାଗିଛି । ମେଳାପଡ଼ିଆରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଲୋକ, ପାନୀୟ ଜଳ, ଜାଳେଣି କାଠ, ସୂଚନା କେନ୍ଦ୍ର, ମନୋରଞ୍ଜନ, ପୁଲିସ ସୁରକ୍ଷା ପ୍ରଭୃତିର ବ୍ୟବସ୍ଥା କରାଯାଇଛି । କିନ୍ତୁ ମେଳାପଡ଼ିଆ ବାହାରେ ରାସ୍ତାକଡ଼ରେ ଆଶ୍ରୟ ନେଇଥିବା ଲକ୍ଷାଧିକ ଶ୍ରଦ୍ଧାଳୁ ନ୍ୟୁନତମ ଆବଶ୍ୟକତାରୁ ବଂଚିତ ହୋଇ ଅତି ଦୟନୀୟ ଅବସ୍ଥାରେ ଖୋଲା ଆକାଶ ତଳେ ରାତ୍ରୀ ଯାପନ କରୁଥିବା ଦେଖିବାକୁ ମିଳିଛି । ତୀର୍ଥ ପୁଷ୍କରିଣୀର ଉପଯୁକ୍ତ ଖନନ ଓ ଆବର୍ଜନା ସଫା କରାଯାଇ ନ ଥିବାରୁ ପୁଷ୍କରିଣୀ ପାଣିରୁ ଦୁର୍ଗନ୍ଧ ବାହାରୁଛି । ପୋଖରିରେ ପାଣି ମଧ୍ୟ ବହୁତ କମ ଅଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଏହି ପ୍ରଦୂଷିତ ଜଳରେ ସ୍ନାନ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେବେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

 

ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ଓ ଶାନ୍ତିଶୃଂଖଳା ରକ୍ଷା ନିମନ୍ତେ ପୁରୀ ଏସ୍ପି ଡା. ସାର୍ଥକ ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶତାଧିକ ପୋଲିସ ଅଫିସରଙ୍କ ସମେତ ୩୦ ପ୍ଲାଟୁନ ଫୋର୍ସ, ଡଗ୍ ସ୍କ୍ୱାଡ, ଟ୍ରାଫିକ୍ ପୋଲିସ, ଓଡ୍ରାଫ୍ ଟିମ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଇଛି । ପୁରୀ ଜିଲାପାଳ ଅରବିନ୍ଦ ଅଗ୍ରୱାଲ, ଅତିରିକ୍ତ ଜିଲ୍ଳାପାଳ ବିଭୁତି ଭୂଷଣ ଦାଶ, ଉପଜିଲାପାଳ ମଧୁସୂଦନ ଦାଶ, ଅତିରିକ୍ତ ଏସପି ଜଗନ୍ନାଥ ପ୍ରଧାନ, ଡିଆଇବି ଡିଏସପି ଉମାକାନ୍ତ ମଲ୍ଲିକ, କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏମ. ଶ୍ରୀନିବାସ, ସୂଚନା ଓ ଲୋକସଂପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ, ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ, ଅତିରିକ୍ତ ତହସିଲଦାର ଦୀପକ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ମେଳାର ପରିଚାଳନା କରୁଛନ୍ତି ।

 

ଏହି ମେଳାର ପରମ୍ପରା ଅନୁଯାୟୀ ମାଘ ଶୁକ୍ଳ ଷଷ୍ଠୀ ବିଳମ୍ବିତ ରାତିରେ ଅର୍କକ୍ଷେତ୍ରର ମାଧିପୁର ଗ୍ରାମର ଶ୍ରୀ ଶ୍ରୀ ତ୍ରିବେଣିଶ୍ୱର, ସନ୍ଥପୁର ଗ୍ରାମର ଈଶାଣେଶ୍ୱର ଓ କୁରୁଜଙ୍ଗ ଗ୍ରାମର ଦକ୍ଷିଣେଶ୍ୱର ମହାଦେବଙ୍କ ଚଳନ୍ତି ପ୍ରତିମାମାନଙ୍କୁ ବିମାନରେ ବିଜେ କରାଇ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ତୀର୍ଥକୁ ନିଆଯିବା ପରେ ସପ୍ତମୀ ପ୍ରତ୍ୟୁଷରେ ଶ୍ରୀଜୀଉମାନଙ୍କୁ ତୀର୍ଥଜଳରେ ମହାସ୍ନାନ କରାଯାଇଥାଏ । ଏହାପରେ ଶ୍ରଦ୍ଧାଳୁମାନେ ତୀର୍ଥସ୍ନାନ କରି ତର୍ପଣ ଓ ସୂର୍ଯ୍ୟୋଦୟ ଦର୍ଶନପୂର୍ବକ ସୂର୍ଯ୍ୟଦେବଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଏହାପରେ କୋଣାର୍କ ଅଭିମୁଖେ ଆସି ନବଗ୍ରହଙ୍କୁ ଦର୍ଶନ, ପୂଜାର୍ଚ୍ଚନା ଓ ହୋମ ସମ୍ପନ୍ନ ପରେ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିଥାନ୍ତି । ପଦ୍ମପୁରାଣର ପ୍ରାଚୀ ମାହାତ୍ମ୍ୟ, ବ୍ରହ୍ମ ପୁରାଣ, ଶାମ୍ବ ପୁରାଣ, ସ୍କନ୍ଦ ପୁରାଣ, କପିଳ ସଂହିତା, ସାରଳାଦାସଙ୍କ ମହାଭାରତର ବନପର୍ବ ଓ ଭକ୍ତକବି ଦୀନକୃଷ୍ଣ ଦାସଙ୍କ ମାଘ ମାହାତ୍ମ୍ୟ ଇତ୍ୟାଦି ପୁରାଣ, ଉପପୁରାଣ ଓ କାବ୍ୟମାନଙ୍କରେ ଚନ୍ଦ୍ରଭାଗା ତୀର୍ଥର ମାହାତ୍ମ୍ୟ ଓ ମାଘମାସ ଶକ୍ଳପକ୍ଷ ସପ୍ତମୀ ତିଥିରେ ଚନ୍ଦ୍ରଭାଗା ତୀର୍ଥ ସ୍ନାନର ମହତ୍ୱ ସଂପର୍କରେ ବିସ୍ତୃତ ବର୍ଣ୍ଣନା ପରିଲକ୍ଷିତ ହୋଇଛି ।

 

ମାଘ ଶୁକ୍ଳ ସପ୍ତମୀ ଭଗବାନ ସୂର୍ଯ୍ୟଦେବଙ୍କ ଜନ୍ମ ତିଥି । ସ୍ୱୟଂ ସୂର୍ଯ୍ୟଦେବ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନକରି ପାପ ପ୍ରକ୍ଷାଳନ କରିଥିଲେ । ସ୍ୱୟଂ ଶିବ ମଧ୍ୟ ଅର୍କାସୁରକୁ ବଧକରି ବ୍ରହ୍ମହତ୍ୟା ଜନିତ ପାପର ମୁକ୍ତି ନିମନ୍ତେ ଏହି ତୀର୍ଥରେ ସ୍ନାନକରିଥିଲେ । ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଦୁରାରୋଗ୍ୟ କୁଷ୍ଠବ୍ୟାଧିରୁ ମୁକ୍ତି ନିମନ୍ତେ ଏହି ତୀର୍ଥରେ ସ୍ନାନକରି ଏଠାରେ ୧୨ ବର୍ଷଧରି କଠୋର ତପସ୍ୟାପୂର୍ବକ ରୋଗମୁକ୍ତ ହୋଇଥିଲେ । ଏଣୁ ଏହି ପୁଣ୍ୟତିଥିରେ ଚନ୍ଦ୍ରଭାଗା ତୀର୍ଥରେ ସ୍ନାନ କଲେ ସମସ୍ତ ପ୍ରକାର ରୋଗ, ଶୋକରୁ ମୁକ୍ତି ମିଳିବା ସହିତ ମୋକ୍ଷ ପ୍ରାପ୍ତି ହୋଇଥାଏ ବୋଲି ପୁରାଣରେ ବର୍ଣ୍ଣିତ ଅଛି । ଓଡିଶାର ତଥା ଭାରତବର୍ଷର କୋଣ ଅନୁକୋଣରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଆଗମନ ମାଘମେଳା ସମୟରେ ଅର୍କକ୍ଷେତ୍ରକୁ ହୋଇଥାଏ । ଓଡିଶାର ପରମ୍ପରା, ସଂସ୍କୃତି, ସାମାଜିକ ଚଳଣି ଓ ଆଧ୍ୟାତ୍ମିକ ଭାବଧାରାର ପରିପୁଷ୍ଟି ଦିଗରେ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ମେଳା ବା ମାଘ ସପ୍ତମୀ ମେଳା ତାର ପୂର୍ବ ଗରିମାକୁ ବଜାୟ ରଖିଛି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top