ସ୍କୁଲ କାହିଁକି ବନ୍ଦ କଲ?

News Story - Posted on 2018-01-23

ଛାତ୍ରଛାତ୍ରୀ କମ୍ ଥିବା ଦର୍ଶାଇ ବହୁ ସଂଖ୍ୟକ ସରକାରୀ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ସ୍କୁଲ ବନ୍ଦ କରାଯାଇଥିବା ସମ୍ପର୍କିତ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ଜାତୀୟ ମାନବାଧିକାର କମିଶନ ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବଙ୍କୁ ନୋଟିସ୍ ଜାରି କରିଛନ୍ତି । ଏହିସବୁ ସ୍କୁଲ ବନ୍ଦ ଦ୍ୱାରା ଅନୁସୂଚିତ ଜାତି, ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଗରିବ ପରିବାରର ଛାତ୍ରଛାତ୍ରୀମାନେ ଶିକ୍ଷା ଅଧିକାର ଆଇନରୁ ବଂଚିତ ହେଉଥିବା ଖବର ପ୍ରକାଶ ପାଇଥିଲା । ରାଜ୍ୟ ସରକାରଙ୍କୁ ଏହି ନୋଟିସ୍ର ଜବାବ ଦେବା ପାଇଁ ୮ ସପ୍ତାହ ସମୟ ଦିଆଯାଇଛି । ୨୦୧୮ ଜାନୁୟାରୀ ୨୧ ତାରିଖରେ ‘ଦ ହିନ୍ଦୁ’ରେ ପ୍ରକାଶିତ ଖବରକୁ ଆଧାର କରି ଏନ୍ଏଚ୍ଆରସି ଏହି ନୋଟିସ୍ ଜାରି କରିଛନ୍ତି ।

 

କମିଶନ ଅନୁଭବ କରିଛନ୍ତି ଯେ ସରକାରୀ ସ୍କୁଲରେ ମୌଳିକ ସୁବିଧାସୁଯୋଗ, ଆବଶ୍ୟକ ପରିମାଣର ଶିକ୍ଷକ ନାହାନ୍ତି । ସରକାରୀ ସ୍କୁଲରେ ପିଲା ଓ ଅଭିଭାବକମାନେ ସମ୍ମୁଖୀନ ହେଉଥିବା ସମସ୍ୟା ହ୍ରାସ ପାଇବାର ସମାଧାନ ଘରୋଇ ସ୍କୁଲ ଖୋଲାଯିବା ନୁହେଁ । ଡ୍ରପ୍ ଆଉଟ୍ ସମସ୍ୟାର ମୁକାବିଲା ପାଇଁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ସ୍ତରରେ ସୁସ୍ଥ ପରିବେଶ ଗଠନ ନିମନ୍ତେ ସମସ୍ତ ଷ୍ଟେକ୍ ହୋଲଡର ବା ଭାଗିଦାରମାନଙ୍କୁ ବିଶ୍ୱାସକୁ ନେବାର ଅତ୍ୟନ୍ତ ଆବଶ୍ୟକତା ରହିଛି ।

 

ସେହିପରି ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଜିଲ୍ଲା ପରିଷଦ ସ୍କୁଲଗୁଡ଼ିକ ବନ୍ଦ କରାଯିବା ସଂକ୍ରାନ୍ତ ୨୦୧୭ ଡିସେମ୍ବର ୨୧ ତାରିଖରେ ଗଣମାଧ୍ୟମରେ ପ୍ରକାଶିତ ଅନ୍ୟ ଏକ ରିପୋର୍ଟକୁ ମଧ୍ୟ କମିଶନ ନିଜ ଆଡ଼ୁ ବିଚାରକୁ ନେଇ କହିଛନ୍ତି ଯେ ପ୍ରାଥମିକ ସ୍କୁଲ ସ୍ତରରେ ପର୍ଯ୍ୟାପ୍ତ ଶିକ୍ଷା ବିନା ଦେଶ ଭବିଷ୍ୟତରେ ସୁଶିକ୍ଷିତ ଯୁବବର୍ଗ କଥା ଚିନ୍ତା କରିପାରିବ ନାହିଁ । ଏହି ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ସମେତ କେନ୍ଦ୍ର ସରକାର ମଧ୍ୟ ନିର୍ଦ୍ଧାରିତ ଅବଧି ମଧ୍ୟରେ ସମାଧାନ କରିବାର ଆବଶ୍ୟକତା ରହିଛି । ଏହି କାରଣରୁ କମିଶନ ମଧ୍ୟ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବଙ୍କୁ ନୋଟିସ୍ ଜାରି କରି ୮ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

 

ପ୍ରକାଶଯୋଗ୍ୟ ଯେ, ୨୦୧୬-୧୭ ମସିହାରେ ୧୦ ଛାତ୍ରଛାତ୍ରୀରୁ କମ୍ ଥିବା ୮୨୮ଟି ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲକୁ ଓଡ଼ିଶା ସରକାର ବନ୍ଦ କରିଛନ୍ତି । ୨୦୧୪ ମସିହାରେ ୫ ଜଣ ଛାତ୍ରଛାତ୍ରୀରୁ କମ୍ ଥିବା ୧୯୫ଟି ସ୍କୁଲକୁ ମଧ୍ୟ ସରକାର କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ । ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆବାସିକ ସ୍କୁଲକୁ ପସନ୍ଦ କରୁଛନ୍ତି ଯେଉଁଠି ହଷ୍ଟେଲ୍ ଓ ଖାଦ୍ୟର ସୁବିଧା ରହୁଛି ।

 

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଗତ ବର୍ଷରେ ରାୟଗଡ଼ା ଜିଲ୍ଲାରେ ସର୍ବାଧିକ ୧୨୪ଟି ସରକାରୀ ସ୍କୁଲ ବନ୍ଦ ହୋଇଛି । ସେହିପରି କନ୍ଧମାଳ ଜିଲ୍ଲାରେ ୧୦୧ଟି ସ୍କୁଲ ବନ୍ଦ ହୋଇଛି । ପ୍ରାଥମିକ ସ୍କୁଲ ଏକ କିଲୋମିଟର ଅବା ଉଚ୍ଚପ୍ରାଥମିକ ସ୍କୁଲ ୩ କିଲୋମିଟର ପରିସର ମଧ୍ୟରେ ରହିଥିଲେ ସେଗୁଡ଼ିକର ମିଶ୍ରଣ ପାଇଁ ସରକାରଙ୍କ ଯୋଜନା ରହିଛି । ରାୟଗଡ଼ା ଜିଲ୍ଲାରେ ଏଭଳି ୨୬୮ଟି ସ୍କୁଲକୁ ଚିହ୍ନଟ କରାଯାଇଛି ଯାହାକୁ ବନ୍ଦ ପାଇଁ ସର୍ବଶିକ୍ଷା ଅଭିଯାନର ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କ ଦ୍ୱାରା ସରକାରଙ୍କ ଚୂଡ଼ାନ୍ତ ଅନୁମୋଦନ ଲୋଡ଼ାଯାଇଛି ।

 

ପ୍ରକାଶିତ ଖବର ଅନୁସାରେ ସ୍କୁଲଗୁଡ଼ିକର ମିଶ୍ରଣ ପ୍ରସଙ୍ଗ ଦାୟିତ୍ୱରେ ଥିବା ଅଫିସର୍ କହିଛନ୍ତି ଯେ, ରାୟଗଡ଼ା ଜିଲ୍ଲାରେ କୌଣସି ସ୍କୁଲ ଏବେ ନିକଟସ୍ଥ ସ୍କୁଲରେ ମିଶ୍ରଣ ପାଇଁ ବିଚାରାଧୀନ ନାହିଁ । ଭୌଗୋଳିକ ଦୃଷ୍ଟିରୁ କୌଣସି ସ୍କୁଲର ପିଲା ନୂଆ ସ୍କୁଲରେ ସାମିଲ ହେଉନାହାନ୍ତି ।

 

ପ୍ରକାଶଯୋଗ୍ୟ, ଅଭିଭାବକମାନେ ସାଧାରଣତଃ ଅଭିଯୋଗ କରନ୍ତି ଯେ ସ୍କୁଲକୁ ଶିକ୍ଷକମାନେ ନିୟମିତ ଆସୁନାହାନ୍ତି । ଏପରିକି ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ସତ୍ତେ୍ୱ ଅଙ୍ଗନୱାଡି କର୍ମୀ ମଧ୍ୟ ଠିକ୍ ଭାବେ କାର୍ଯ୍ୟ କରୁନାହାନ୍ତି । ଅଧିକାଂଶ ସ୍କୁଲରେ ଛାତ୍ରଛାତ୍ରୀମାନେ ବିଭିନ୍ନ ଶ୍ରେଣୀରେ ପଢ଼ୁଥିଲେ ମଧ୍ୟ ଗୋଟିଏ କୋଠରୀରେ ବସୁଛନ୍ତି ଓ ସ୍କୁଲଗୁଡ଼ିକରେ ମୌଳିକ ସୁବିଧାର ଅଭାବ ରହିଛି । ଉକ୍ତ ଅଂଚଳରେ କାର୍ଯ୍ୟରତ ଗୋଟିଏ ଏନ୍ଜିଓର ପ୍ରତିନିଧି ପ୍ରାଥମିକ ସ୍କୁଲଗୁଡ଼ିକ ବନ୍ଦ ହେବାକୁ ନେଇ ଉଦ୍ବେଗ ବ୍ୟକ୍ତ କରିଛନ୍ତି । ଯେଉଁ ପିଲାମାନେ ଆବାସିକ ସ୍କୁଲରେ ପଢ଼ୁଛନ୍ତି ସେମାନେ ନିଜର ଗାଁ ପରିବେଶରୁ ବାହାରି ସେଠାରେ ଖାପଖୁଆଇ ପାରୁନାହାନ୍ତି । ସେମାନେ ଏହାକୁ ଘୃଣା ଚକ୍ଷୁରେ ଓ ସଙ୍କୋଚିତ ଭାବନାରେ ଦେଖୁଛନ୍ତି ଓ ସେଠାରୁ ପଳାଇବା ପାଇଁ ସବୁବେଳେ ସୁଯୋଗ ଖୋଜୁଛନ୍ତି । ଏପରିକି ଆବାସିକ ସ୍କୁଲଗୁଡ଼ିକ ମଧ୍ୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାନ୍ତି । ଯାହାଫଳରେ ବହୁ ପରିମାଣର ଛାତ୍ରଛାତ୍ରୀ ଘରୋଇ ସ୍କୁଲକୁ ପସନ୍ଦ କରୁଛନ୍ତି । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ରାଜ୍ୟରେ ଘରୋଇ ସ୍କୁଲ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଯାହାକି ଉଦ୍ବେଗର ବିଷୟ । ଘରୋଇ ସ୍କୁଲଗୁଡ଼ିକ ପିଲାମାନଙ୍କୁ ଆଣିବା ପାଇଁ ଗାଡ଼ି ପଠାଉଛନ୍ତି ଓ ସରକାରୀ ସ୍କୁଲ ତୁଳନାରେ ଅଧିକ ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top