ପେଟ୍ରୋ ଶୋଷଣ ବଢ଼ିଲା

News Story - Posted on 2018-01-23

ମୋଦି ସରକାର ଦାୟିତ୍ୱ ନେବା ପରେ ରେକର୍ଡ଼ କରିଛି ପେଟ୍ରୋଲ ଦର । ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ୭୨.୩୮ ଟଙ୍କାରେ ପହଂଚିଛି । ମୁମ୍ବାଇରେ ପେଟ୍ରୋଲ ଦର ୮୦ ଟଙ୍କା ଟପିଛି । ଏବେ ଚିନ୍ତା ପଶିଛି । ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ କମାଇବାକୁ ଚିନ୍ତା ଆରମ୍ଭ କରିଛି ତୈଳ ମନ୍ତ୍ରଣାଳୟ ।

 

ଦିଲ୍ଲୀରେ ଏବେ ଡିଜେଲ ଦର ୬୩.୨୦ ଟଙ୍କାରେ ପହଂଚିଥିବାବେଳେ ମୁମ୍ବାଇରେ ଏହା ଲିଟର ପିଛା ୬୭.୩୦ ଟଙ୍କାରେ ବିକ୍ରି ହେଉଛି । ଡିସେମ୍ବର ମଧ୍ୟଭାଗରୁ ଏହି ସମୟ ମଧ୍ୟରେ ପେଟ୍ରୋଲ ଦର ଲିଟର ପିଛା ୩.୩୧ ଟଙ୍କା ବୃଦ୍ଧି ପାଇଥିବାବେଳେ ଡିଜେଲ ଦରରେ ୪.୮୬ ଟଙ୍କା ବୃଦ୍ଧି ହୋଇଛି ।

 

ଉପା ସରକାର ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ବ୍ୟାରେଲ ପିଛା ୧୪୦ ଡଲାର ଛୁଇଁଥିଲାବେଳେ ବି ଭାରତରେ ପେଟ୍ରୋଲ ଓ ଡିଜେଲ ଦର ଏତେ ହୋଇନଥିଲା । ଏନଡିଏ ଅମଳରେ ଏକଦା ଅଶୋଧିତ ପେଟ୍ରୋଲିୟମ ଦର ଅନ୍ତର୍ଜାତୀୟ ବଜାରରେ ୩୮ ଡଲାରକୁ ଖସି ଆସିଥିଲେ ବି ସେହି ଅନୁପାତରେ ପେଟ୍ରୋଲ ଓ ଡିଜେଲ ଦର କମି ନଥିଲା । ଏବେ କେଇ ମାସ ଭିତରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ପେଟ୍ରୋଲିୟମ ଦର ବୃଦ୍ଧି ପାଇ ୭୦ ଡଲାରରେ ପହଂଚିଛି । ଏହି କାରଣରୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି ବୋଲି ସରକାର ସଫେଇ ଦେଇଛନ୍ତି ।

 

ତେବେ ପେଟ୍ରୋଲ ଓ ଡିଜେଲ ଉପରେ ସରକାର ଅତ୍ୟଧିକ ଉତ୍ପାଦ ଶୁଳ୍କ ଆଦାୟ କରୁଥିବାରୁ ଦର ଅଧିକ ହୋଇଯାଇଛି । ଏକଥା ପରୋକ୍ଷରେ ସ୍ୱୀକାର କରିଛି ତୈଳ ମନ୍ତ୍ରଣାଳୟ । ଆଗାମୀ ବଜେଟ ପୂର୍ବରୁ ତୈଳ ମନ୍ତ୍ରଣାଳୟ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟକୁ ପଠାଇଥିବା କେତେକ ସ୍ମାରକପତ୍ରରୁ ଏହି ତଥ୍ୟ ପଦାକୁ ଆସିଛି । ତୈଳ ସଚିବ କେଡି ତ୍ରିପାଠୀ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଶିଳ୍ପ ଜଗତରୁ ମିଳିଥିବା କେତେକ ଦାବିକୁ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲିଙ୍କ ବିଚାର ନିମନ୍ତେ ପଠାଇ ଦିଆଯାଇଛି । ସେ ଆଉ ଅଧିକ କିଛି କହି ନଥିଲେ ବି ଶିଳ୍ପ ଜଗତ ପେଟ୍ରୋଲ ଓ ଡିଜେଲ ଉପରୁ କେନ୍ଦ୍ର ସରକାର ଆଦାୟ କରୁଥିବା ଉତ୍ପାଦ ଶୁଳ୍କ ହ୍ରାସ କରିବାକୁ ବହୁପୂର୍ବରୁ ଦାବି କରି ଆସୁଥିବାରୁ ତୈଳ ମନ୍ତ୍ରଣାଳୟ ଅର୍ଥ ମନ୍ତ୍ରଣାଳୟକୁ ଏହା ଉପରେ ବିଚାର କରିବାକୁ ପଠାଇଥିବା ବୁଝାପଡ଼ୁଛି ।

 

କେନ୍ଦ୍ର ସରକାର ଏବେ ଗୋଟେ ଲିଟର ପେଟ୍ରୋଲ ଉପରୁ ୧୯.୪୮ ଟଙ୍କା ଏବଂ ଗୋଟେ ଲିଟର ଡିଜେଲ ଉପରୁ ୧୫.୩୩ ଟଙ୍କାର ଉତ୍ପାଦ ଶୁଳ୍କ ଆଦାୟ କରୁଛନ୍ତି । ୨୦୧୪ ନଭେମ୍ବର ମାସରୁ ୨୦୧୬ ଜାନୁଆରୀ ମଧ୍ୟରେ ଅନ୍ତର୍ଜାତୀୟ ବଜାରରେ କ୍ଷୀପ୍ର ଗତିରେ ଅଶୋଧିତ ପେଟ୍ରୋଲିୟମ ଦର ଖସୁଥିବାବେଳେ ମୋଦି ସରକାର ତାହାର ଫାଇଦା ଖାଉଟିଙ୍କୁ ନଦେଇ ୯ ଥର ଉତ୍ପାଦ ଶୁଳ୍କ ବଢ଼ାଇଥିଲେ । ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ଲଗାଇ ନଥିଲେ ଲୋକମାନେ ଏବେ ବି ପେଟ୍ରୋଲ ଲିଟର ପ୍ରାୟ ୫୦ ଟଙ୍କା ଏବଂ ଡିଜେଲ ଲିଟର ପିଛା ପ୍ରାୟ ୫୨ ଟଙ୍କାରେ କିଣୁଥାନ୍ତେ ।

 

କେବଳ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ନୁହେଁ, ରାଜ୍ୟଗୁଡ଼ିକ ମଧ୍ୟ ପେଟ୍ରୋଲ ଓ ଡିଜେଲ ଉପରୁ ବିପୁଳ ପରିମାଣର ଭାଟ୍ ଆଦାୟ କରୁଛନ୍ତି । ମହାରାଷ୍ଟ୍ର ପରି କେତେକ ରାଜ୍ୟରେ ଉଭୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଭାଟ୍ ଲାଗିଛି । ଓଡ଼ିଶାରେ ମଧ୍ୟ ୨୦ ପ୍ରତିଶତ ଉପରେ ଭାଟ୍ ଆଦାୟ ହେଉଛି । ଦିଲ୍ଲୀ ସରକାର ପେଟ୍ରୋଲ ଉପରୁ ୧୫.୩୯ ଟଙ୍କା ଏବଂ ଡିଜେଲ ଉପରୁ ୯.୩୨ ଟଙ୍କାର ଭାଟ୍ ଆଦାୟ କରୁଛନ୍ତି । ଉଭୟ ଭାଟ୍ ଓ ଉତ୍ପାଦ ଶୁଳ୍କ ଯୋଗୁଁ ଖାଉଟିମାନେ ପେଟ୍ରୋଲ ଓ ଡିଜେଲ ବାବଦରେ ପ୍ରାୟ ଦୁଇ ଗୁଣ ଖର୍ଚ୍ଚ କରିବାକୁ ବାଧ୍ୟ ହେଉଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ଓ କେନ୍ଦ୍ରର ସହମତିରେ ଯଦି ପେଟ୍ରୋ ଉତ୍ପାଦଗୁଡ଼ିକୁ ଜିଏସଟି ପରିସରଭୁକ୍ତ କରନ୍ତି ତେବେ ଭାଟ୍ ଓ ଉତ୍ପାଦ ଶୁଳ୍କ ସ୍ୱତଃ ଉଚ୍ଛେଦ ହେବ ଓ ଲୋକମାନେ ୫୦ ଟଙ୍କା ଭିତରେ ପେଟ୍ରୋଲ ଓ ଡିଜେଲ କିଣିବାକୁ ପାଇବେ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top