କୁନ୍ଦୁଲି କଥା-ବ୍ୟବସ୍ଥାର ପକ୍ଷାଘାତ

News Story - Posted on 2018-01-23

ରୁଦ୍ର ପ୍ରସନ୍ନ ରଥ

 

ଏକ ଦୁର୍ଭାଗ୍ୟଜନକ ପରିସ୍ଥିତିର ଶିକାର ହୋଇ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟ ଦୋହଲି ଯାଇଛି । ଝିଅଟିର ବୟାନ ଅନୁଯାୟୀ ନିଜ ପାଇଁ ଫଟୋ ଉଠାଇବାକୁ ନିକଟସ୍ଥ ବଜାରକୁ ଯାଉଥିବା ବେଳେ ୪ ଜଣ ୟୁନିଫର୍ମ ପିନ୍ଧା କାମାନ୍ଧ ଯୁବକଙ୍କ ହାବୁଡରେ ପଡି ଗଣ ଧର୍ଷିତା ହେଲା । ଯଦିଓ ପୋଲିସ୍ ଏବଂ ମେଡିକାଲ ରିପୋର୍ଟ ଧର୍ଷଣ ହୋଇନାହିଁ ବୋଲି କହୁଛି । ତେବେ ପରେ ଝିଅଟି ଆତ୍ମହତ୍ୟା କରିଦେବା ପରେ ଏ ଘଟଣା ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛି ।

 

ଏହା ସତରେ ଏକ ସମ୍ବେଦନଶୀଳ ଘଟଣା । ଧର୍ଷଣ ପରି ବିଷମ ପରିସ୍ଥିତିର ଶୀକାର ହେଉଥିବା ଜଣେ ଝିଅ ପରେ ନିଜ ପାଇଁ ନ୍ୟାୟ ପାଇବାକୁ ସାହି ପଡ଼ିଶାଠୁ ଆରମ୍ଭ କରି ପୋଲିସ୍ ପ୍ରଶାସନ, ଆଇନ୍ ଅଦାଲତ ସମସ୍ତଙ୍କ ପାଖରେ ଗୋଡ଼ ଭାଂଗି ଠିଆ ହେବାକୁ ପଡ଼େ । ଅଥଚ ଆମ ସମାଜର ଚରିତ୍ର ଏଇଆ ଯେ ଆମେ ଧର୍ଷଣ ହୋଇଥିବା ଝିଅଟିଏକୁ ହିଁ ଦୋଷୀ ବୋଲି ଭାବୁ । ଆଉ ସମସ୍ତେ ତାକୁ ତା ନିର୍ଦ୍ଦୋଷ ପଣିଆର ପ୍ରମାଣ ମାଗନ୍ତି । ସମସ୍ତଙ୍କର ଜେରାର ସବୁ ପ୍ରକାରର ଉତ୍ତର ଦେଇ ସାରିଲା ବେଳକୁ ଧର୍ଷିତା ଜଣକ ହାଲିଆ ହୋଇଯାଇଥାଏ । ବ୍ୟବସ୍ଥା ପାଖରୁ ସେ ଆଶ୍ୱାସନା ଆଶା କରିବା କଥା । ମାତ୍ର ସେ ପ୍ରକୃତରେ ସେଠୁ ଚାପ ଆଉ ନାଲି ଆଖି ଦେଖି ଦେଖି ନିଜ ଉପରୁ ଆସ୍ଥା ଆଉ ବିଶ୍ୱାସ ହରାଇ ସାରିଥାଏ । ଶାରୀରିକ ଭାବେ ଥରେ ଧର୍ଷିତା ହୋଇଥିଲେ ବି ମାନସିକ ରୂପେ ଗ୍ଲାନି ଏବଂ ବିଷାଦଗ୍ରସ୍ତ ହୋଇଯାଏ । ଏପରି ପରିସ୍ଥିିତିରେ ସେ କେବଳ ଆତ୍ମହତ୍ୟାକୁ ହିଁ ଶେଷ ଆଉ ସହଜ ରାସ୍ତା ରୂପେ ବାଛି ନିଏ । ନିଜ ଗାଁଠାରୁ ବେଶୀ ବାହାରର ଦୁନିଆ ଦେଖି ନଥିବା ଜଣେ ନାବାଳିକା ପାଇଁ ବୋଧହୁଏ ଏହା ଏକମାତ୍ର ଓ ସହଜିଆ ରାସ୍ତା ଥିଲା ।

 

କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ସତରେ ଆମ ବ୍ୟବସ୍ଥାରେ ଥିବା ଅଣ ସମ୍ବେଦନଶୀଳତା ଏବଂ ଦୁର୍ବଳତାକୁ ପଦାରେ ପକାଇ ଦେଉଛି । କିଛି ଦିନ ତଳେ ନିର୍ଭୟା ଗଣଧର୍ଷଣ ଏବଂ ପରେ ସେଥିପାଇଁ ମୃତ୍ୟୁ ପରେ ଲାଗୁଥିଲା ଯେ ବୋଧହୁଏ ଆମ ଦେଶର ଆଇନ୍ ପ୍ରଣୟନକାରୀ ସଂସ୍ଥା ଏବଂ ବ୍ୟବସ୍ଥା ଏପରି ଘଟଣା ପ୍ରତି ସମ୍ବେଦନଶୀଳ ହେବ । ଧର୍ଷିତାଙ୍କର ବିଚାର ସବୁ ତୁରନ୍ତ ହେବ । ତାକୁ ଧର୍ଷଣକାରୀ ବିରୋଧରେ ପ୍ରମାଣ ଯୋଗାଡ଼ କରିବା ପାଇଁ ବେଶୀ କଷ୍ଟ କରିବାକୁ ପଡ଼ିବନି । ସେଥିପାଇଁ ଜିଲା ସ୍ତରରେ ସଖୀ କେନ୍ଦ୍ରମାନ ଖୋଲିଲା । ଶିଶୁମାନଙ୍କ ବିରୋଧରେ ଯୌନ ନିର୍ଯ୍ୟାତନା ରୋକିବା ପାଇଁ ପକସୋ ପରି କଡା ଆଇନ୍ ବ୍ୟବସ୍ଥା ତ ଆଗରୁ ଥିଲା । ଆଶା କରାଯାଉଥିଲା ଏସବୁ ଦ୍ୱାରା ଯୌନ ନିର୍ଯ୍ୟାତନାର ଶୀକାର ହେଉଥିବା ବାଳିକା କିମ୍ବା ମହିଳାମାନଙ୍କର କଷ୍ଟ ଟିକେ ଲାଘବ ହେବ । ସେମାନେ ନ୍ୟାୟ ପାଇବେ ।

 

ବାସ୍ତବରେ ସେମିତି କିଛି ଘଟିଲା ନାହିଁ । ବରଂ କୁନ୍ଦୁଲି ପୀଡ଼ିତାର ଆତ୍ମହତ୍ୟା ପ୍ରମାଣ କରିଦେଲା ଯେ ଧର୍ଷଣକୁ ରୋକିବା ଏବଂ ଧର୍ଷଣକାରୀଙ୍କୁ ଦଣ୍ଡିତ କରିବା ପାଇଁ ଉପଲବ୍ଧ ଥିବା ଆମର ସମସ୍ତ ବିଧି ବ୍ୟବସ୍ଥା କେବଳ କାଗଜପତ୍ରରେ ସୀମିତ । ପୁଳାପୁଳା କାଗଜ ଏବଂ ଆଇନର ଧାରାର ଅଡ଼ୁଆ ସୂତା ଭିତରେ ଏବେ ବି ଧର୍ଷିତା ଜଣଙ୍କ ଏପରି ଛନ୍ଦି ହେଉଛି ଯେ ସେ ନିଜର ମୁକ୍ତି ପାଇଁ ଆତ୍ମହତ୍ୟା ପରି ରାସ୍ତାକୁ ବାଛି ନେଉଛି । ପୋଲିସର ନାଲି ଆଖି, ସାହି ପଡ଼ିଶାଙ୍କ ଟାହି ଟାପରା, ପରିବାର ଲୋକଙ୍କ ଗଂଜଣା, ଓକିଲଙ୍କ କଟାକ୍ଷ ପ୍ରଶ୍ନ, ଜଜଙ୍କ ପ୍ରଶ୍ନିଳ ଦୃଷ୍ଟି, ତଦନ୍ତକାରୀ ଅଫିସର ତା ଘରକୁ ବାରମ୍ବାର ଆସିବା ଭିତରେ ଜଣେ ସତରେ ସେହି ଲୋମହର୍ଷଣକାରୀ ଘଟଣାକୁ କେତେଥର ବା କହି ପାରିବ? ଏ ଅଫିସରୁ ସେ ଅଫିସ ଯାଏ ବୁଲିବା ଭିତରେ କାଗଜ ସଂଗ୍ରହ କରିବା ଭିତରେ ଦସ୍ତଖତ ଆଉ ଟିପଚିହ୍ନ ଦେବା ଭିତରେ ସେ କେତେ ବା ଆଉ ନିଜକୁ ନିରପରାଧ ବୋଲି ପ୍ରମାଣ କରିବାର ଆଶ୍ୱାସନା ଦେଇ ପାରିବ? ହୁଏତ ଆଇନ୍ କାନୁନର ଜଗୁଆଳୀମାନେ ଘଟଣା ଘଟିବା ପରେ ପରେ ତା ଚାରିପାଖରେ ଚକ୍କର କାଟୁଥାଇ ପାରନ୍ତି, ମାତ୍ର ତା ମାନସିକ ଅବସ୍ଥାକୁ ବୁଝି ତାକୁ ଆହା ପଦେ କହି ତା ପାଖରେ ଅଛନ୍ତି ବୋଲି ଜଣାଇବାର ଅଭିପ୍ରାୟ କାହାର ନଥାଏ । ସେଠି ତାକୁ ପୋଲିସ୍ ଧମକାଇବାର, ଅସାମାଜିକ ତତ୍ତ୍ୱମାନେ ଧମକାଇ କେସ୍ ଉଠାଇବାର ଖବର ବାହାରକୁ ଆସୁଥିଲା । ସତରେ କ’ଣ ସେ ଜଗୁଆଳୀମାନଙ୍କ ଭିଡ଼ରେ ସେ ନିଜକୁ ସୁରକ୍ଷିତ ମନେ କରୁଥିଲା? ବୋଧହୁଏ ନୁହେଁ ।

 

ଯଦି ମନେ କରୁ ଥାଆନ୍ତା ତେବେ କ’ଣ କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରି ପାରିଥାନ୍ତା? ଆମେ କ’ଣ ସତରେ ତା କଥା ଶୁଣୁଥିଲେ? ନା ଗୋଟିଏ କୋମଳମତି ଝିଅର ଜମାନବନ୍ଦୀକୁ ତର୍ଜମା କରିବା ଭିତରେ ତା ଦୁଃଖକୁ ଆମେ ଅଧିକ ଗଭୀର କରୁଥିଲେ? ଏତେ ବିଧିବ୍ୟବସ୍ଥା ଥିବା ସତ୍ତେ୍ୱ କାହିଁକି ସେ ଝିଅଟି ନିଜକୁ ଏକୁଟିଆମନେ କରୁଥିଲା? କ’ଣ ପାଇଁ ବାରମ୍ବାର ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲା? ନିର୍ଭୟା ପାଇଁ ମହମବତୀ ଜାଳି ପ୍ରତିବାଦ କରୁଥିବା କିମ୍ବା କୁନ୍ଦୁଲି ପୀଡ଼ିତାର ଆତ୍ମହତ୍ୟାରେ ଦୁଃଖ ପ୍ରକାଶ କରୁଥିବା ସବୁ ଲୋକ କ’ଣ ସତରେ ଧର୍ଷିତାକୁ ଏକ ନିରପରାଧ ମହିଳା ରୂପେ ଦେଖନ୍ତି? ଏତେ ବୈଠକ, ଆଲୋଚନା,ଶୋଭାଯାତ୍ରା ବିପୁଳ ଜନସମାଗମ ବିଶିଷ୍ଟ ପ୍ରତିବାଦ ସଭା ସତ୍ତେ୍ୱ୍ୱ ବି ଧର୍ଷଣ ବନ୍ଦ ହୋଇପାରୁ ନାହିଁ? ଧର୍ଷଣର ପ୍ରମାଣ ସଂଗ୍ରହ କରି ଦୋଷୀକୁ ଦଣ୍ଡ ଦିଆଯାଇପାରୁନାହିଁ?

 

ଏ ପ୍ରକାର ପ୍ରଶ୍ନ ଆଜି ଉଠିବା ସ୍ୱାଭାବିକ୍ । ମାତ୍ର ଏହି ପ୍ରଶ୍ନ ସବୁର ଆନ୍ଦୋଳନକୁ ମନ ଭିତରେ ଜାରୀ ରଖିବାକୁ ଦେଇ ତାର ଉତ୍ତର ଖୋଜିବା ଏବଂ ସମସ୍ୟାର ସମାଧାନ ପାଇଁ ବାଟ ଖୋଜିବା ପାଇଁ ଗୁରୁତର ଏବଂ ନିୟମିତ ଭାବେ କାମ କରିବା ବୋଧହୁଏ ଏକ ଅସ୍ୱାଭାବିକ ପ୍ରକ୍ରିୟା । ଆମେ ଯଦି ସତରେ ଏସବୁ ପ୍ରଶ୍ନର ଉତ୍ତର ପାଇଁ ଗୁରୁତର ସହ ଚିନ୍ତା କରିଥାନ୍ତେ ତେବେ ବୋଧହୁଏ ଧର୍ଷଣ କରିବାକୁ ଧର୍ଷଣକାରୀମାନେ ଭୟ କରନ୍ତେ । ଏମିତି ହେବା କଥା ନୁହେଁ ବା ଏମିତି କରିବା କଥା ଆଦିର ବିଚାର ଆଲୋଚନା ଆଉ ଆମ ସହିତ ହେବ ନାହିଁର ଆଶ୍ୱାସନା ଭିତରେ ବ୍ୟବସ୍ଥା ପ୍ରତି ଆମର ଯୋଗଦାନ ସୀମିତ । ଏତେ ଖୁନ୍ଦାଖୁନ୍ଦି ବ୍ୟବସ୍ଥା ଭିତରେ ତଥାପି କେଉଁଠି ନା କେଉଁଠି ଶୂନ୍ୟସ୍ଥାନ ରହିଯାଉଛି ।

 

କୁନ୍ଦୁଲୀ ପୀଡ଼ିତାଙ୍କ ଆତ୍ମହତ୍ୟା ଆମ ସମସ୍ତଙ୍କ ପ୍ରତି ଏକ ଉପହାସ । ଆମ ବ୍ୟବସ୍ଥାରେ ତଥାପି ଖାଲି ପଡ଼ିଥିବା ଅନେକ ଶୂନ୍ୟସ୍ଥାନ ପ୍ରତି କେବଳ ଅଟ୍ଟହାସ୍ୟ । ବୋଧହୁଏ ବ୍ୟବସ୍ଥାକୁ ପରିଚାଳନା କରୁଥିବା ମଣିଷଟାର ଅଣସମ୍ବେଦନଶୀଳତା ହିଁ ଏଥିପାଇଁ ଦାୟୀ । ବ୍ୟବସ୍ଥା କରିଛେ ସତ, ମାତ୍ର ସମ୍ବେଦନଶୀଳ ଭାବେ ଏହାକୁ ପରିଚାଳନା କରିବାର କୌଶଳ ଆମପାଖରେ ନାହିଁ । ଦୁଃଖରେ ପଡ଼ିଥିବା ମଣିଷଟାର ଦୁଃଖ ଦୂରକରିବା ପରିବର୍ତ୍ତେ ଆମେ ତାକୁ କାଗଜପତ୍ରର ଗୋଲକ ଧନ୍ଦାରେ ଏମିତି ଛନ୍ଦି ଦେଉଛେ ଯେ ସେ ସେଠୁ ବାହାରି ପାରୁନାହିଁ । ଆଉ କୁନ୍ଦୁଲି ପୀଡ଼ିତା ପରି ବାଳିକାର ମୃତ୍ୟୁ ଦେଖାଇ ଦେଉଛି ଯେ ଆମ ବ୍ୟବସ୍ଥାକୁ ପକ୍ଷାଘାତ ହୋଇ ସାରିଛି । ଏବେ ବି ଆମେ ଅଣସମ୍ବେଦନଶୀଳ ଭାବେ ଆମେ ଧର୍ଷିତା ସହ ବ୍ୟବହାର କରୁଛେ । ଏତେ ବ୍ୟବସ୍ଥା ଭିତରେ କାହାରି ସହିିତ କାହାର ତାଳମେଳ ନାହିଁ । ପକ୍ଷାଘାତ ରୋଗୀ ପରି ଆମ ବ୍ୟବସ୍ଥା ବି ଏପରି ଧର୍ଷିତାମାନଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ନିମନ୍ତେ କିଛି କରି ପାରୁନାହିଁ । ଧୀରେ ସୁସ୍ଥେ ଚାଲୁଥିବା ବ୍ୟବସ୍ଥାରେ ଧର୍ଷିତାମାନେ ବ୍ୟବସ୍ଥା ଉପରୁ ଭରସା ଉଠାଇ ଦେଉଛନ୍ତି । ଆଉ କିଛି ଦିନ ଏପରି ଚାଲିଲେ ପକ୍ଷାଘାତରେ ଚାଲୁଥିବା ଏହି ବ୍ୟବସ୍ଥାର ମୃତ୍ୟୁ ଘଟିବ । ଆଉ ଆମ ନିଜ ଭିତରେ ଟିକିଏ ସମ୍ବେଦନଶୀଳତା ଭର୍ତ୍ତି ନକରି ପାରିଲେ ଆମେ ମରିଯାଇଥିବା ବ୍ୟବସ୍ଥାର ଶବକୁ କାନେ୍ଧଇ ଚାଲିବାକୁ ବାଧ୍ୟ ହେବା ।

ଧବଳଗିରି, ଯାଜପୁର ରୋଡ଼
ମୋ- ୯୮୫୩୨୦୬୧୬୮


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top