ମୁକ୍ତି ସଂଗ୍ରାମର ଦୁଇ ଯୋଦ୍ଧା

News Story - Posted on 2018-01-23

ଜ୍ୟୋତିପ୍ରଭା ଆଚାର୍ଯ୍ୟ

କୋଟି କୀର୍ତି କିରୀଟିନୀ, ବୀର ପ୍ରସବିନୀ ଭାରତମାତାକୁ ଦୀର୍ଘ ୨୦୦ ବର୍ଷ ପରାଧୀନତାର ବେଡ଼ି ବନ୍ଧନରୁ ମୁକ୍ତ କରି ସ୍ୱାଧୀନତାର ସୂର୍ଯ୍ୟୋଦୟ ଦେଖାଇ ପାରିଥିବା ସେହି ତ୍ୟାଗୀ, ବୀର, ବଳି ନେତୃବୃନ୍ଦଙ୍କ ମଧ୍ୟରୁ ଉକ୍ରଳ ମାତାର କୋଳ ମଣ୍ଡନ କରିଥିବା ୨ ଜଣ ବରେଣ୍ୟ ବରପୁତ୍ର, ଜନନାୟକ ତଥା ଚିର ସ୍ମରଣୀୟ, ଚିର ନମସ୍ୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜୟନ୍ତୀ ଅବସରରେ ହୃଦୟର ଗଭୀରତମ ପ୍ରଦେଶରୁ ବିନମ୍ର ଶ୍ରଦ୍ଧାଞ୍ଜଳି ।

 

ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି । ଏଭଳି ମର୍ମସ୍ପର୍ଶୀ ସ୍ଳୋଗାନ ମାଧ୍ୟମରେ ସୁପ୍ତ ଯୁବ ସମାଜକୁ ଜାଗ୍ରତ କରୁଥିବା ମହାନ ଜନନାୟକ ହେଉଛନ୍ତି ନେତାଜୀ ସୁଭାଷ । ଜାନୁଆରୀ ୨୩, ୧୮୯୭ ମସିହା, କଟକ ସହରର ଓଡ଼ିଆ ବଜାର । ପିତା ଜାନକୀନାଥ ବୋଷ ଓ ମାଆ ପ୍ରଭାବତୀ ଦେବୀଙ୍କ କୋଳ ମଣ୍ଡନ କରିଥିଲେ ସୁଭାଷ ବୋଷ । ବାଳ ସୂର୍ଯ୍ୟଙ୍କ ପ୍ରଥମ କନକ କିରଣ ଉଦ୍ଭାସିତ ହେଲା ଭଳି ପିଲାଟି ଦିନରୁ ସୁଭାଷଙ୍କ ପ୍ରତିଭା ବିକଶିତ ହେବାରେ ଲାଗିଥାଏ । ରେଭେନ୍ସା କଲେଜିଏଟ୍ ସ୍କୁଲରୁ ଛାତ୍ର ଜୀବନ ଆରମ୍ଭ କରି ଉଚ୍ଚ ଶିକ୍ଷା ପାଇଁ କଲିକତା ପ୍ରେସିଡେନ୍ସି କଲେଜ ପର୍ଯ୍ୟନ୍ତ ନିଜ ଅଧ୍ୟବସାୟ ଜାରି ରଖିଥିଲେ । ଇତି ମଧ୍ୟରେ ଦେଶ ମାତୃକାକୁ ପରାଧୀନତାର ବନ୍ଧନରୁ ମୂକ୍ତ କରିବା ପାଇଁ ସେ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । କିନ୍ତୁ ସେ ନରମପନ୍ଥା ଛାଡି ଦେଶ ସ୍ୱାଧୀନତା ପାଇଁ ଚରମପନ୍ଥା ଆପଣାଇ ଥିଲେ । ତେଣୁ ସେ ଯୁବ ସମାଜକୁ ନେଇ ବିଦେଶରେ ଆଜାଦ୍ ହିନ୍ଦ୍ ଫୌଜ ଗଠନ କରି ଏହାର ସର୍ବୋଚ୍ଚ କମାଣ୍ଡର ଭାବେ ଦାୟିତ୍ୱ ନେଲେ ।

 

ଆଜାଦ୍ ହିନ୍ଦ୍ ଫୌଜର ଆହ୍ୱାନ ଥିଲା ଦ୍ିଲ୍ଲୀ ଚଲୋ । ଯଦିଓ ଗାନ୍ଧିଙ୍କ ମତ ସହ ବହୁ ସମୟ ଧରି ସୁଭାଷଙ୍କ ମତ ପାର୍ଥକ୍ୟ ଦେଖା ଦେଇଥିଲା କିନ୍ତୁ ଉଭୟଙ୍କ ଲକ୍ଷ୍ୟ ଥିଲା ଏକ । ୧୯୪୦ ମସିହା ଜୁଲାଇ ୨ ତାରିଖରେ ବ୍ରିଟିଶ ସରକାର ସୁଭାଷଙ୍କୁ ଗିରଫ କରିଥିଲା । ୧୯୪୧ ମସିହା ଜାନୁଆରୀ ୧୭ ତାରିଖ ଦିନ ସୁଭାଷ ମୁସଲମାନ ପୋଷାକ ପିନ୍ଧି କଲିକତା ଛାଡି ବହୁ କଷ୍ଟ ସ୍ୱୀକାର କରି ଏପ୍ରିଲ ୩ ତାରିଖରେ ବର୍ଲିନ୍ରେ ପହଁଚିଲେ । ୧୯୪୨ଜାନୁଆରୀ ୨୬ ତାରିଖରେ ଭାରତର ସ୍ୱାଧୀନତା ଦିବସ ପାଳିତ ହୋଇଥିଲା । ସେଠାରେ ଥିବା ଭାରତୀୟମାନେ ପରସ୍ପରକୁ ଭେଟି ଜୟହିନ୍ଦ୍ ବୋଲି ସମ୍ବୋଧନ କରିଥିଲେ । ଅର୍ଥାତ୍ ଭାରତର ଜୟହେଉ । ଦଳ ମତ ନିର୍ବିଶେଷରେ ସମସ୍ତେ ଆପଣା ସ୍ୱାର୍ଥ ତ୍ୟାଗ କରି ଦେଶ ମାତୃକାକୁ ବ୍ରିଟିଶ ଶାସନ କବଳରୂ ମୁକ୍ତ କରିବାକୁ ଆହ୍ୱାନ କରୁଥିଲେ । କାରଣ ଜାତୀୟ ସଂହତି ଓ ଏକତା ବିନା କୌଣସି ରାଷ୍ଟ୍ରର ସ୍ୱାଧୀନତା ତଥା ଉନ୍ନତି ଅସମ୍ଭବ । ସମସ୍ତେ ସ୍ୱାଧୀନ ଚେତା ହେବା ଆବଶ୍ୟକ । ସ୍ୱାଧୀନତା ସମସ୍ତଙ୍କ ଜନ୍ମଗତ ଅଧିକାର ।

 

ତାଙ୍କର ଏହି ଓଜସ୍ୱୀନି ଭାଷଣ ଆଜି ବି ଲକ୍ଷ୍ୟଭ୍ରଷ୍ଟ ଯୁବ ସମାଜକୁ ଜାଗ୍ରତ କରିବାରେ ସହାୟ ହେବ । ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ସୁଭାଷ ସର୍ବଦା ଯୁବ ବର୍ଗ ଉପରେ ଗୁରୁତ୍ୱ ଦେଉଥିଲେ । କାରଣ ଆଜିର ଯୁବ ଶକ୍ତି କାଲିର ଭବିଷ୍ୟତ । ନେତାଜୀଙ୍କ ପ୍ରେରଣା ଦାୟୀ ଉକ୍ତି ସୁପ୍ତ ଯୁବ ସମାଜକୁ ସତତ ଜାଗ୍ରତ କରୁଛି ଓ କରୁଥିବ । ଏତଦ ବ୍ୟତୀତ ସେ ନାରୀ ଜାଗରଣ ଉପରେ ମଧ୍ୟ ଗୁରୁତ୍ୱ ଦେଉଥିଲେ । ତାଙ୍କ ବୀରତ୍ୱ , ଅସୀମ ଦେଶ ପ୍ରେମ, ଦେଶ ମାତୃକା ପାଇଁ ବଳିଦାନ ଚିର ସ୍ମରଣୀୟ ହୋଇ ରହିବ । ମାତୃଭୂମିର ମୁକ୍ତି ପାଇଁ ଆତ୍ମ ଗୋପନ କରି ସେ ବିଟ୍ରିଶ ଶାସନ ବିରୋଧରେ ସଂଗ୍ରାମ ଚଳାଇଥିଲେ । କିନ୍ତୁ ଏହି ମହାନ ସଂଗ୍ରାମୀଙ୍କ ମୃତ୍ୟୁର ତଥ୍ୟ ନେଇ ଆଜି ବି ଇତିହାସ ନୀରବ ।

 

ସେହିପରି ଇଂରେଜ ଶାସନ ବିରୁଦ୍ଧରେ ସଂଗ୍ରାମ କରି ଶହୀଦ ହୋଇଥିବା, ଓଡିଆ ଜାତିର ଅନ୍ୟତମ ବରପୁତ୍ର, ଗର୍ବ ଓ ଗୌରବ ହେଲେ ବୀର ସୁରେନ୍ଦ୍ର ସାଏ । ୧୮୫୭-୫୮ରେ ହୋଇଥିବା ଭାରତୀୟ ପ୍ରଥମ ମୁକ୍ତି ସଂଗ୍ରାମର ଏହି ଶହୀଦ ଜଣକ ନିଜ ଜନ୍ମମାଟି ତଥା ଦେଶମାତୃକାର ସେବା ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଳକ୍ ଖିଣ୍ଡା ଗ୍ରାମରେ ୧୮୦୯ ମସିହା ଜାନୁଆରୀ ୨୩ରେ ସେ ଜନ୍ମ ଗ୍ରହଣ କରିଥିଲେ ।

 

ସେ ପ୍ରଥମେ ସାହସୀ, ବଳୁଆ ଆଦିବାସୀମାନଙ୍କୁ ନେଇ ନିଜ ସଂଗ୍ରାମ ଆରମ୍ଭ କରିଥିଲେ । ଲଖନପୁର, ବନ୍ଦା, ଖରସକଲ, ଭେଡେନ ପ୍ରଭୃତି ପ୍ରଭାବଶାଳୀ ଆଦିବାସୀ ଜମିଦାରମାନେ ସେମାନଙ୍କ ସୈନ୍ୟବାହିନୀ ସହିତ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । ୧୮୪୨ ମସିହାରୁ ସମ୍ବଲପୁରରେ ଇଂରେଜଙ୍କ ବିରୋଧରେ ଆନ୍ଦୋଳନ ଡାକରା ଦେଇଥିଲେ । ଏଥିରେ ବିଭିନ୍ନ ରାଜ୍ୟର ରାଜା ଓ ଜମିଦାର ସାମିଲ ଥିଲେ । ଇଂରେଜଙ୍କ ସମସ୍ତ ପ୍ରକାର କୂଟନୀତି ତଥା କେତେକ ଦେଶୀୟ କରଦରାଜା ଓ ଜମିଦାରଙ୍କ ବିରୋଧଭାବନା ସତ୍ୱେ ଜନସାଧାରଣଙ୍କ ସଂପୂର୍ଣ୍ଣ ସହଯୋଗକ୍ରମେ ଦୀର୍ଘଦିନ ଧରି ଏହି ଆନ୍ଦୋଳନ ଲାଗି ରହିଥିଲା । ଏହି ସଂଗ୍ରାମରେ ଆଦିବାସୀ ସଂପ୍ରଦାୟ ପୂର୍ଣ୍ଣ ସହଯୋଗ କରିଥିଲା ।

 

ଜୀବନର ମୂଲ୍ୟବାନ ସତାବନ ବର୍ଷ (ପ୍ରଥମ ପର୍ଯ୍ୟାୟରେ ୧୮୨୭ରୁ ୧୮୪୦ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୮୫୭-୧୮୬୪ ଦୀର୍ଘ ୨୦ ବର୍ଷର ଘମାଘୋଟ ସଶସ୍ତ୍ର ସଂଗ୍ରାମ ଏବଂ ୧୮୪୦-୧୮୫୭ ହଜାରିବାଗ୍ ଜେଲରେ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୮୬୪-୧୮୮୪ ଜେଲରେ) ଅକଥନୀୟ ଯନ୍ତ୍ରଣା ମଧ୍ୟରେ ରାଜନୈତିକ ବନ୍ଦୀଭାବେ ଜେଲ ଜୀବନ ଅତିବାହିତ କରି ବିରଳ ଇତିହାସ ସୃଷ୍ଟି କରିଥିଲେ । ନିଜ ଜୀବନର ବହୁ ମୂଲ୍ୟ ସମୟ ଦେଶ ମାତୃକାର ସେବା ପାଇଁ ଉତ୍ସର୍ଗୀକୃତ କରିଦେଇଥିଲେ ।

 

ତାଙ୍କର ଦୀର୍ଘ ୨୦ ବର୍ଷର ନିରବଚ୍ଛିନ୍ନ ସଶସ୍ତ୍ର ଆନ୍ଦୋଳନ ଜାତୀୟ ସ୍ୱାଧୀନତା ସଂଗ୍ରାମକୁ ଏକ ବିଶିଷ୍ଟ ଅବଦାନ । କିଛି ବିଶ୍ୱାସଘାତକ ବନ୍ଧୁ, ପୁଅ ଓ ଭାଇ ତଥା କିଛି ସହଯୋଗୀମାନଙ୍କ କୂଟ ଚକ୍ରାନ୍ତର ଶିକାର ହୋଇ ଜାନୁଆରି ୨୩, ୧୮୬୪ରେ ଇଂରେଜମାନଙ୍କ ଦ୍ୱାରା ବନ୍ଦୀ ହୋଇଥିଲେ । ଶେଷରେ ଫେବୃଆରି ୨୮, ୧୮୮୪ରେ ଅସୁରଗଡ ଗିରି ଦୁର୍ଗରେ ବନ୍ଦୀଭାବେ ଥିବାବେଳେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ।

 

ଭାରତର ସ୍ୱାଧୀନତା ସଂଗ୍ରାମରେ ଉକ୍ରଳର ଏହି ଦୁଇ ବୀରଙ୍କ ଅସୀମ ତ୍ୟାଗ, ଅନନ୍ୟ ଦେଶପ୍ରେମ ଓ ବୀରତ୍ୱର ଗାଥା ସର୍ବଦା ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଥିବ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top