ପାକିସ୍ତାନ ତଳେ ଭାରତ

News Story - Posted on 2018-01-22

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚାରି ବର୍ଷର ଶାସନ ସତ୍ତେ୍ୱ ଅନ୍ତର୍ଭୁକ୍ତି ବିକାଶ ସୂଚକାଙ୍କରେ ଭାରତର ସ୍ଥାନ ଅନେକ ତଳେ । ଉଠତି ଅର୍ଥନୀତି ମଧ୍ୟରେ ଅନ୍ତର୍ଭୁକ୍ତି ବିକାଶ ସୂଚକାଙ୍କରେ ଭାରତର ସ୍ଥାନ ଏବେ ୬୨ । ଚୀନର ସ୍ଥାନର ଭାରତର ଯଥେଷ୍ଟ ଉପରେ, ୨୬ ଏବଂ ପାକିସ୍ତାନର ସ୍ଥାନ ମଧ୍ୟ ୪୭ । ବିଶ୍ୱ ଆର୍ଥନୀତିକ ମଂଚ ତରଫରୁ ପ୍ରକାଶିତ ରିପୋର୍ଟରେ ଏହି ତଥ୍ୟ ସନ୍ନିହିତ ରହିଛି ।

 

ଜୀବନର ମାନ, ପାରିବେଶିକ ପରିପୋଷଣୀୟତା ଏବଂ ଭବିଷ୍ୟତ ପିଢ଼ିର ଋଣମୁକ୍ତି ଆଦି ମାନକର ତର୍ଜମା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ଗତ ବର୍ଷ ଏହି ସୂଚକାଙ୍କରେ ଭାରତର ସ୍ଥାନ ଥିଲା ୬୨ । ଅର୍ଥାତ ଏବର୍ଷକୁ ଆହୁରି ଦୁଇଟି ସ୍ଥାନ ଖସିଯାଇଛି ମୋଦିଙ୍କ ଭାରତ । ତେବେ ଗତ ବର୍ଷ ଚୀନର ସ୍ଥାନ ଥିଲା ୧୫ । ଏଥର ଏହି ଦେଶ ୧୧ଟି ସ୍ଥାନ ଖସିଯାଇଛି । କିନ୍ତୁ ଗତ ବର୍ଷ ୫୨ ସ୍ଥାନରେ ଥିବା ପାକିସ୍ତାନ ଏବର୍ଷ ୪୭ ସ୍ଥାନକୁ ଉନ୍ନୀତ ହୋଇଛି ।

 

ଗତ ବର୍ଷ ୭୯ ବିକାଶଶୀଳ ରାଷ୍ଟ୍ରଙ୍କ ମଧ୍ୟରେ ଭାରତର ସ୍ଥାନ ନିର୍ଣ୍ଣିତ ହୋଇଥିଲା । ଚଳିତ ବର୍ଷ ୧୦୩ ରାଷ୍ଟ୍ରଙ୍କୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ରିପୋର୍ଟରେ ରାଷ୍ଟ୍ରଗୁଡ଼ିକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ୨୯ଟି ବିକଶିତ ରାଷ୍ଟ୍ରଙ୍କ ତାଲିକା ରହିଛି । ଏହି ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ନରୱେ, ଆୟର୍ଲାଣ୍ଡ, ଲକ୍ସମବର୍ଗ, ସୁଇଜରଲାଣ୍ଡ ଓ ଡେନମାର୍କ । ଅନ୍ୟ ବିକଶିତ ରାଷ୍ଟ୍ରଙ୍କ ସ୍ଥାନ ହେଲା ଅଷ୍ଟ୍ରେଲିଆ ୯, ଜର୍ମାନୀ ୧୨, କାନାଡ଼ା ୧୭, ଫ୍ରାନ୍ସ ୧୮, ଇଂଲଣ୍ଡ ୨୧, ଆମେରିକା ୨୩, ଜାପାନ ୨୪ ଏବଂ ଇଟାଲୀ ୨୭ ।

 

ଦ୍ୱିତୀୟ ଭାଗରେ ରହିଛି ଉଠତି ଅର୍ଥନୀତିର ତାଲିକା । ଏହି ତାଲିକାର ଶୀର୍ଷ ୫ ସ୍ଥାନ ଦଖଲ କରିଛନ୍ତି ଲିଥୁଆନିଆ, ହଙ୍ଗେରି, ଆଜରବାଇଜାନ, ଲାଟିଭିଆ ଏବଂ ପୋଲାଣ୍ଡ । ବ୍ରିକ୍ସ ରାଷ୍ଟ୍ର ଗୋଷ୍ଠୀ ମଧ୍ୟରୁ ରୁଷିଆର ସ୍ଥାନ ୧୯ ନମ୍ବରରେ ଥିଲାବେଳେ ଚୀନ ୨୬, ବ୍ରାଜିଲ ୩୭, ଭାରତ ୬୨ ଏବଂ ଦକ୍ଷିଣ ଆଫ୍ରିକା ୬୭ ସ୍ଥାନରେ ରହିଛନ୍ତି । ଭାରତର ପଡ଼ୋଶୀ ରାଷ୍ଟ୍ରଙ୍କ ମଧ୍ୟରୁ ଶ୍ରୀଲଙ୍କା ୪୦ ସ୍ଥାନରେ ଥିବାବେଳେ ବାଂଲାଦେଶ ୩୪ ଓ ନେପାଳ ୨୨ ସ୍ଥାନରେ ରହିଛି । ଭାରତଠାରୁ ଅଧିକ ଉପରେ ଥିବା ଅନ୍ୟ କେତେକ ରାଷ୍ଟ୍ର ହେଲେ ମାଲି, ଉଗାଣ୍ଡା, ରୁଆଣ୍ଡା, ବୁରୁଣ୍ଡି, ଘାନା, ୟୁକ୍ରେନ, ସର୍ବିୟା, ଫିଲିପ୍ପାଇନ୍ସ, ଇଣ୍ଡୋନେସିଆ, ଇରାନ, ମାସିଡୋନିଆ, ମେକ୍ସିକୋ, ଥାଇଲାଣ୍ଡ ଓ ମାଲେସିଆ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top