ଆଦର୍ଶର ଆତ୍ମହତ୍ୟା- କୁନ୍ଦୁଲିର କଥା

News Story - Posted on 2018-01-22

ନିଷ୍ଠୁର ସମାଜ । ତହୁଁ ନିଷ୍ଠୁର ସରକାର । ଏବେ ସମସ୍ତେ ତଟସ୍ଥ । ଦୋଷ ଛଡ଼େଇବାକୁ ନାନାଦି ସଫେଇ । ନାନା ଅଭିଯୋଗ ଓ ପ୍ରତ୍ୟାଭିଯୋଗ । ତା’ ଭିତରେ କିନ୍ତୁ ନ୍ୟାୟ ନପାଇ ଶେଷ ହୋଇଗଲା ନିରୀହ ଝିଅଟିର ଜୀବନ ।

 

ଆଜି ଥିଲା ସରସ୍ୱତୀ ପୂଜା । କେତେ ସ୍କୁଲରେ ହୋଇଥିବା ପୂଜା ଆୟୋଜନ । କେତେ ଛାତ୍ରଛାତ୍ରୀ ନୂଆ ଜାମାପେଣ୍ଟ ପିନ୍ଧି ପୂଜା ଉତ୍ସବରେ ଭାଗ ନେଇଥିବେ । ଖୁସି ହୋଇଥିବେ । ଭଲ ପାଠ ପଢ଼ିବାକୁ ମା’ ବାଗଦେବୀଙ୍କୁ ପ୍ରାର୍ଥନା କରିଥିବେ । ପିଠା ଖାଇଥିବେ । ସାଙ୍ଗସାଥୀଙ୍କ ମେଳରେ ଛୁଟିଦିନଟି ଆନନ୍ଦ ଉତ୍ସାହ ମଧ୍ୟରେ କଟେଇଥିବେ । କିନ୍ତୁ ଦଶମ ଶ୍ରେଣୀରେ ପଢ଼ୁଥିବା କୋରାପୁଟ କୁନ୍ଦୁଲିର ସେଇ ୧୪ ବର୍ଷ ବୟସ୍କା ଝିଅଟି ଘରେ ଆତ୍ମହତ୍ୟା କଲା । ବିଷାଦ, ବିମର୍ଶ, ଦୁଃଖ, ପରିତାପ ଓ ମାନସିକ ଯନ୍ତ୍ରଣା ଭିତରେ ଚାଲିଗଲା ତା’ର ଜୀବନ ।

 

୨୦୧୭ ଅକ୍ଟୋବର ୧୦ ତାରିଖ । ଦଶମ ପରୀକ୍ଷା ଦେବାକୁ ଆଇଡେଣ୍ଟି କାର୍ଡ଼ ପାଇଁ ଫଟୋ ଦେବା ଦରକାର ଥିଲା । ଫଟୋ ଉଠାଇବାକୁ କୁନ୍ଦୁଲି ବଜାରକୁ ଯାଇଥିଲା ଝିଅଟି । ଫଟୋ ଉଠାଇ ଘରକୁ ଫେରୁଥିବାବେଳେ ଚାରି ଜଣ ୟୁନିଫର୍ମ ପିନ୍ଧା ନିରାପତ୍ତା ରକ୍ଷୀଙ୍କ ପାଶବିକ ନଜରରେ ପଡ଼ିଲା । ସେମାନେ ତାକୁ ଲାଞ୍ଜିଗୁଡ଼ା ଜଙ୍ଗଲକୁ ଟେକି ନେଇ ଧର୍ଷଣ କଲେ । ସାକ୍ଷୀ ଥିଲେ କେବଳ ଜଙ୍ଗଲର ଗଛବୃଚ୍ଛ । ସେମାନେ ତା’କୁ ସେଇଠି ଛାଡ଼ି ପଳେଇଲେ ।

 

ଯନ୍ତ୍ରଣାରେ ଘୁସୁରି ଘୁସୁରି ସେ ଯେତେବେଳେ ରାସ୍ତା ଉପରକୁ ଆସିଲା ଲୋକଙ୍କ ନଜରରେ ପଡ଼ିଥିଲା । ସେମାନେ ତା’କୁ ପାଖ ଡାକ୍ତରଖାନା ନେଇଗଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ତା’କୁ ଛାଡ଼ି ଦିଆଗଲା । ଘରକୁ ଫେରି ସେ ତା’ ସହିତ ହୋଇଥିବା ପାଶବିକ ଅତ୍ୟାଚାର କଥା କହିଲା । ତା’ପରେ ଚାଲିଲା ରାଜନୀତି ।

 

ଅଭିଯୋଗ ଥିଲା ଅତ୍ୟନ୍ତ ସ୍ପର୍ଶକାତର । ପୁଲିସ ମହାନିର୍ଦ୍ଦେଶକ ଏହାକୁ ରେଡ୍ ଫ୍ଲାଗ କେସ୍ ଭାବେ ଗ୍ରହଣ କଲେ । ତଦନ୍ତ ଚାଲିଲା । ଝିଅଟିର ଡାକ୍ତରୀ ମାଇନା ହେଲା । କିନ୍ତୁ ପ୍ରାୟ ମାସେ ଯାଏଁ ମିଳିଲାନି ମାଇନା ରିପୋର୍ଟ । ଶେଷରେ ୨୦୧୭ ନଭେମ୍ବର ୭ ତାରିଖରେ ଏଚଆରପିସି ଏଡିିଜି କହିଲେ ଧର୍ଷଣ ହୋଇନାହିଁ । ନଭେମ୍ବର ୮ ତାରିଖରେ ଜିଲ୍ଲା ଏସପି କହିଲେ ଝିଅଟିକୁ ଧର୍ଷଣ କରାଯାଇ ନାହିଁ । ଡାକ୍ତରୀ ମାଇନାରେ ଧର୍ଷଣର ଚିହ୍ନବର୍ଣ୍ଣ ନାହିଁ । ପୁଲିସ ତଦନ୍ତ କରୁଥିଲା । କ୍ରାଇମ ବ୍ରାଞ୍ଚ ତଦନ୍ତ କରୁଥିଲା । ହଠାତ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ।

 

ତା’ପରେ ପୁଣି ଚାଲିଲା ରାଜନୀତି । ବିପକ୍ଷର ଅଭିଯୋଗ । ଶାସକଙ୍କ ସଫେଇ । ଏହାରି ଭିତରେ କିଏ କେତେ କହିଲେ । କିଏ କେତେ ଟାହି ଟାପରା କଲେ । ପୁଲିସ ତାକୁ ମାନସିକ ରୋଗୀ ଭାବେ ଚିତ୍ରିତ କଲା । କଟକ ବଡ଼ ମେଡିକାଲ ଆଣି ଚିକିତ୍ସା କରାଇଲା । ତା’ ଭିତରେ ଦୁଇ ଦୁଇ ଥର ଚିକିତ୍ସା, ସ୍ୱଧାର ଗୃହରେ ଆଶ୍ରୟ । ତା’ର ସଂପର୍କୀୟ ଭାଇ, ଦାଦା ଓ ଅନ୍ୟ ସଂପର୍କୀୟମାନଙ୍କୁ ଥାନାକୁ ଡକାଇ ଘନଘନ ଜେରା ଓ ଧମକ । ବାପ ଛେଉଣ୍ଡ ଦଳିତ ଝିଅଟି ଭାଙ୍ଗି ପଡ଼ୁଥାଏ । ସାହସ ହରଉଥାଏ । ନ୍ୟୟା ମିଳିବ ନାହିଁ ବୋଲିଳ ଆଶଙ୍କା କରୁଥାଏ । ତେଣେ ଗାଁରେ ସାହିପଡ଼ିଶାଙ୍କ ଗଞ୍ଜଣା । ସେଇଠି ମରିଯାଇଥିଲେ ଭଲ ହୋଇଥାନ୍ତା । ତା’ ପାଇଁ କାହିଁକି ଏତେ ଲୋକ ଥାନାକୁ ଯିବେ? ଜେରା ହେବେ? ଧମକ ପାଇବେ?

 

ପୁଲିସ, ସାମ୍ବାଦିକ, ରାଜନେତା, ସମାଜସେବୀ ସମସ୍ତେ ପହଂଚୁଥିଲେ, ଜେରା କରୁଥିଲେ- କେମିତି ଧର୍ଷଣ ହେଲା, କିଏ କଲା, କେଉଁଠି କଲା ଏମିତି ଅନେକ ପ୍ରଶ୍ନ ପଚାରୁଥିଲେ । କ’ଣ ହୋଇଥିବା ନାବାଳିକା ଝିଅଟିର ମାନସିକ ସ୍ଥିତି? କ’ଣ ହୋଇଥିବା ତା’ ମା’ର ଅବସ୍ଥା?

 

ସମସ୍ତେ ବିଫଳ ହେଲେ । ସାଢ଼େ ତିନି ମାସ ବିତିଗଲା । ପୁଲିସ ତଦନ୍ତ ସରିଲା ନାହିଁ । କ୍ରାଇମ ବ୍ରାଞ୍ଚ ତଦନ୍ତ ସରିଲା ନାହିଁ । ବିଚାର ବିଭାଗୀୟ ତଦନ୍ତରେ ବି ଦୋଷୀ ଧରା ପଡ଼ିଲେ ନାହିଁ ।

 

ଆଜି ସରସ୍ୱତୀ ପୂଜାରେ ଯେତେବେଳେ ଅନ୍ୟସବୁ ସ୍କୁଲପିଲା ସରସ୍ୱତୀ ପୂଜାରେ ବ୍ୟସ୍ତ ଘରେ ଆତ୍ମହତ୍ୟା କଲା ରକ୍ଷକ ନାମରେ ରାକ୍ଷସ ପାଲଟିଥିôବା ଲୋକମାନଙ୍କ ଧର୍ଷଣର ଶିକାର ହୋଇଥିବା ନିରୀହ ଝିଅଟି । ଏପଟେ ପୁନାର ଏକ ଅଜଣା ଅଶୁଣା ଅଖ୍ୟାତ ଘରୋଇ କଲେଜରୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ନେଇ ଫେରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱରରେ ବିଜୁ ଜନତା ଦଳର କର୍ମୀ ଓ ନେତାମାନେ ପ୍ରଶଂସାରେ ପୋତି ପକାଉଥିବାବେଳେ ପ୍ରେତ ହୋଇଯାଇଥିଲା କୁନ୍ଦୁଲିର ଝିଅ, ପଦାରେ ପକାଇ ଦେଇଥିଲା ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ତ ଗୃହ ବିଭାଗର ଅନୈତିକ ଅଥର୍ବ ତଦନ୍ତକୁ ।

 

ଦାରିଦ୍ର୍ୟ ଓ ଦଳିତର ପରିଚୟ ନେଇ ସମାଜ କି ସରକାରକୁ ଭୟ କରି ନଥିଲା ନାବାଳିକା ଝିଅଟି । ନିଜ ଇଜ୍ଜତ ପାଇଁ ଲଢ଼ିଥିଲା । ରାକ୍ଷସମାନଙ୍କ ବିରୋଧରେ ଉଠାଇଥିଲା ଅଭିଯୋଗର ସ୍ୱର । ଆଦର୍ଶ ହୋଇଯାଇଥିଲା ତା’ରି ବୟସର ଅନ୍ୟ ଝିଅମାନଙ୍କର । ସାହସ ଭରି ଦେଇଥିଲା ସମସ୍ତଙ୍କ ମନରେ । ଆଜି ସେ ଆତ୍ମହତ୍ୟା କଲା । ଆଦର୍ଶର ଅପମୃତ୍ୟୁକୁ ସାମ୍ନା କଲା ଓଡ଼ିଶା ଶାସନ ।


ପ୍ରତିକ୍ରିୟା

ନିଜର ପ୍ରତିକ୍ରିୟା ଦିଅନ୍ତୁ-









© 2015. Samanya Kathan All Rights Reserved | Editor : Debendra Prusty     

To Top